ଭାରତର ରାଷ୍ଟ୍ରଦୂତଙ୍କ ସହ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଆଲୋଚନା

ବାୟୋଟେକ୍ନୋଲୋଜି ବିକାଶ, ଜାପାନୀ ଭାଷା ଶିକ୍ଷା

ଭୁବନେଶ୍ୱର : ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶନିବାର ଜାପାନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଶିବି ଜର୍ଜଙ୍କୁ ସାକ୍ଷାତ କରିଛନ୍ତି । ମନ୍ତ୍ରୀ ଶ୍ରୀ ପଣ୍ଡା ଓଡ଼ିଶା ପକ୍ଷରୁ ରାଷ୍ଟ୍ରଦୂତଙ୍କୁ ଅଭିନନ୍ଦନ ଜଣାଇବା ସହିତ ସୌଜନ୍ୟମୂଳକ ସାକ୍ଷାତ କରି ମତ ବିନିମୟ କରିଥିଲେ।
ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ପଣ୍ଡା ଓଡ଼ିଶାରେ ବାୟୋଟେକ୍ନୋଲୋଜିର ବିକାଶ ନେଇ ମତ ରଖିଥିଲେ। ଜାପାନୀ ଭାଷା ଶିକ୍ଷାଗ୍ରହଣ ସହିତ ଭବିଷ୍ୟତର ନିଯୁକ୍ତି ସୁଯୋଗକୁ ଓଡ଼ିଶାରେ ସଂପ୍ରସାରିତ କରିବା ଲକ୍ଷ୍ୟ ଏବଂ ବାୟୋଟେକ୍ନୋଲୋଜି ଅଧ୍ୟୟନ ତଥା ଗବେଷଣା କ୍ଷେତ୍ରରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା ଗୁରୁତ୍ୱ ଦେଇଥିଲେ। ସେହିପରି ସାମୁଦ୍ରିକ ବିଜ୍ଞାନ ଅଧ୍ୟୟନ ଓ ଗବେଷଣା ସାଙ୍ଗକୁ ରାଜ୍ୟରେ ବୟସ୍କମାନଙ୍କ ବାର୍ଦ୍ଧକ୍ୟଜନିତ ସମସ୍ୟାର ଉପଚାର ନିମନ୍ତେ ବିଶେଷ ସହଭାଗିତା ଉପରେ ମତ ବିନିମୟ ହୋଇଥିଲା । ରାଜ୍ୟରେ ବୌଦ୍ଧ ପର୍ଯ୍ୟଟନର ବିକାଶ ନେଇ ମଧ୍ୟ କଥାବାର୍ତ୍ତା ହୋଇଥିଲା। ରାଷ୍ଟ୍ରଦୂତ ଶ୍ରୀ ଜର୍ଜ ଏହି ପ୍ରସଙ୍ଗଗୁଡ଼ିକ ଉପରେ ଅନୁକୂଳ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଏହି ସୌଜନ୍ୟମୂଳକ ସାକ୍ଷାତ ଆଲୋଚନାରେ ଭାରତୀୟ ଦୂତାବାସର ପ୍ରଥମ ସଚିବ ସୁରେଶ ଲାଖାବତ୍‌ ମଧ୍ୟ ଉପସ୍ଥିତ ଥିଲେ । ଆଲୋଚନାରେ ମଧ୍ୟ ପୂର୍ବତନ ମନ୍ତ୍ରୀ ତଥା ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ସାମିଲ ହୋଇଥିଲେ ।

Comments are closed.