ଏବେ ହେଲେ ବି ଚେତା ପଶୁ

ସୂର୍ଯ୍ୟନାରାୟଣ କର

ଏବେ ସଦ୍ୟ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ସାରା ଭାରତବର୍ଷରେ ଗ୍ରୀଷ୍କ ଉତ୍ତାପ ସ୍ଥାନ ବିଶେଷରେ ୪୦ ଡିଗ୍ରୀ ସେଲ୍‌ସିୟସ୍‍ରୁ ୪୫ଡିଗ୍ରୀ ସେଲ୍‌ସିୟସ୍‍ ପର୍ଯ୍ୟନ୍ତ ବୃଦ୍ଧିଲାଭ କରିଛି। ୨୦୨୩ ମେ ମାସ ୧୫ ତାରିଖ ଠାରୁ ଓଡ଼ିଶାରେ ଗ୍ରୀଷ୍ମର ପ୍ରକୋପ ୪୦ ଡିଗ୍ରୀରୁ ୪୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧିଲାଭ କରିଥିଲା। ଦିନେ ଭାରତବର୍ଷର ସବୁଜ ବନାନୀର ମନଲୋଭା କ୍ଷେତ୍ର କୁହାଯାଉଥିବା ସମଗ୍ର ଓଡ଼ିଶାର ଅରଣ୍ୟ ଓ ପରିବେଶ ଥିଲା ଏକାନ୍ତ ଚିତ୍ତାକର୍ଷକ। ବଙ୍ଗୋପସାଗର ସଂଲଗ୍ନ ପୂର୍ବ ଓଡ଼ିଶାର ତଟ ଦେଶରେ ୪୮୦ କିଲୋମିଟର ବିଶାଳ ବେଳାଭୂିରେ ଚିରହରିତ୍‍ ଝାଉଁ ଗଛଠାରୁ ଆରମ୍ଭ କରି ଅନେକ ଛାୟାଦାନ କରୁଥିବା ବୃକ୍ଷରାଜି କେବଳ ଯେ ସେ ଅଞ୍ଚଳକୁ ଶୀତଳ ବାୟୁ ପ୍ରଦାନ କରୁଥିଲା ତା ନୁହେଁ ଗ୍ରୀଷ୍ମର ପ୍ରଖର ରୌଦ୍ରତାପକୁ ସନ୍ତୁଳିତ କରୁଥିଲା। ଏବେ ଚିନ୍ତାକରନ୍ତୁ ଓଡ଼ିଶାର ଅରଣ୍ୟ ଓ ପରିବେଶର ଅବସ୍ଥା କିପରି ଶୋଚନୀୟ ଅବସ୍ଥାର ସୀମା ଲଙ୍ଘନ କରିଛି। ବର୍ଷର ମାର୍ଚ୍ଚ ମାସରୁ ଜୁନ୍‍ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଅସହ୍ୟ। ଦିନ ୧୧ଟା ପରଠାରୁ ଦିନ ୩ଟା ପର୍ଯ୍ୟନ୍ତ ଖରାକୁ ନ ବାହାରିବା ପାଇଁ ରାଜ୍ୟ ସରକାର ତଥା ସ୍ୱାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ ସତର୍କ କରାଇଛନ୍ତି। ମାତ୍ର ଏଭଳି ପରିସ୍ଥିତି ୧୯୮୦ ମସିହା ପୂର୍ବରୁ ଓଡ଼ିଶା ତଥା ରାଜ୍ୟର ରାଜଧାନୀ କୁହାଯାଉଥିବା ଭୁବନେଶ୍ୱରରେ ଦେଖା ଯାଇନଥିଲା।

ଏକଥା ଅବଶ୍ୟ ସତ୍ୟ ଯେ ରାଜ୍ୟର ଜନସଂଖ୍ୟା ୧୯୮୦ ମସିହା ତୁଳନାରେ ବୃଦ୍ଧିଲାଭ କରିଛି। ମାତ୍ର ଏହି ସମୟରେ ଓଡ଼ିଶାରେ ଯେତିକି ଜଙ୍ଗଲ ଥିଲା, ସେ ସବୁ ଅକ୍ଷୁଣ୍ଣ ରହିଛି କି? ୧୯୮୦ ବେଳକୁ ଓଡ଼ିଶାର ଜଙ୍ଗଲ କ୍ଷେତ୍ରଫଳ ୪୭୫୦୦ ବର୍ଗ କିଲୋମିଟର ଥିଲାବେଳେ ୨୦୨୦ ମସିହା ବେଳକୁ ଘଞ୍ଚ ଜଙ୍ଗଲର କ୍ଷେତ୍ରଫଳ ମାତ୍ର ୧୧୦୦୦ ବର୍ଗ କିଲୋମିଟର ମଧ୍ୟରେ ସୀମିତ। ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁଯାୟୀ ଓଡ଼ିଶାର ନିମ୍ନ ସାନ୍ଧ୍ରତା ଥିବା ଜଙ୍ଗଲ ୨୦୭୪୫ ବର୍ଗ କିଲୋମିଟର ଥିବାର କୁହାଯାଇଛି। ଏହା ବ୍ୟତୀତ ରାଜ୍ୟରେ ୨୧୫ ବର୍ଗ କିଲୋମିଟର ସମୁଦ୍ର ବେଳାଭୂମି ସଂଲଗ୍ନ ଲୁଣା ଜଙ୍ଗଲ ରହିଛି। ଭାରତରେ ଜଙ୍ଗଲ ସଂରକ୍ଷଣ ନୀତି ଅନୁସାରେ ରାଜ୍ୟ କ୍ଷେତ୍ରଫଳର ୩୩ ଭାଗରେ ଜଙ୍ଗଲ ରହିବା କଥା ମାତ୍ର ଆମ ରାଜ୍ୟରେ ଜଙ୍ଗଲ ଆଚ୍ଛାଦିତ କ୍ଷେତ୍ରଫଳ ମାତ୍ର ଶତକଡ଼ା ୩୦ ଭାଗରୁ କମ୍‍ ରହିଛି।

ଆଜି ଓଡ଼ିଶାର ଜନସାଧାରଣ ଯେଉଁ ପ୍ରଚଣ୍ଡ ଗ୍ରୀଷ୍ମ ବଳୟ ମଧ୍ୟରେ ସନ୍ତାପିତ ହେଉଛନ୍ତି ତାର ମୁଖ୍ୟ କାରଣ ହେଲା ଅବାରିତ ଜଙ୍ଗଲ ଧ୍ୱଂସ, ବିଶେଷ ଯୁକ୍ତିଯୁକ୍ତ କାରଣ ନଥାଇ ବୃକ୍ଷ ଛେଦନ, ବିକାଶ ନାମରେ ଶହ ଶହ ଗଛ କଟାଯାଇ ପରିବେଶକୁ ବିଷାକ୍ତ କରିବା, ଚାରାରୋପଣ କାର୍ଯ୍ୟକ୍ରମରେ ଅକ୍ଷମଣୀୟ ଅବହେଳା, ଆବଶ୍ୟକ ବନୀକରଣର ଅଭାବ, ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ଧ୍ୱଂସ ଏବଂ ଜଙ୍ଗଲ ମାଫିଆମାନଙ୍କ ଦ୍ୱାରା ଜଙ୍ଗଲ ସମ୍ପତ୍ତିର ଲୁଟ୍‍ପାଟ। ଭୁବନେଶ୍ୱର ଏବଂ କଟକ ମେଟ୍ରୋସିଟିରେ ଆବଶ୍ୟକତା ଠାରୁ ଶତକଡ଼ା ୩୦ ଭାଗ ଅମ୍ଳଜାନ କମ୍‍ ରହୁଛି ବୋଲି କୁହାଯାଉଛି।

ଉପକୂଳବର୍ତ୍ତୀ ଅଞ୍ଚଳକୁ ବାଦ୍‍ଦେଲେ, ଓଡ଼ିଶାର ଉତ୍ତର-ଦକ୍ଷିଣ ଓ ପଶ୍ଚିମ ଅଞ୍ଚଳ ଦିନେ ଅରଣ୍ୟ ସମ୍ପଦରେ ପରିପୂର୍ଣ୍ଣ ଥିଲା। ବର୍ତ୍ତମାନ ଜଳବାୟୁ ଓ ପରିବେଶ ଏପରି ଉଗ୍ରରୂପ ଧାରଣ କରିଛି ଯେ ଦିନ ୧୧ଟା ଠାରୁ ଅପରାହ୍ଣ ସାଢ଼େ ତିନିଟା ପର୍ଯ୍ୟନ୍ତ ଘରୁ ଗୋଡ଼ କାଢ଼ି ହେଉନି। ଆବାଳ ବୃଦ୍ଧବନିତା, ଗ୍ରୀଷ୍ମ ବଳୟର କରାଳ ଲହରୀରେ ସନ୍ତାପିତ। ଓଡ଼ିଶାର ଜନସାଧାରଣଙ୍କୁ କିପରି ଗ୍ରୀଷ୍ମ କବଳରୁ ରକ୍ଷା କରାଯାଇପାରିବ ସେ ବିଷୟରେ ଅନେକ ଆଲୋଚନା ହୋଇସାରିଛି। ମାତ୍ର ତାର କୌଣସି ସୁଫଳ ମିଳିନାହିଁ। ପୂର୍ବେ ଓଡ଼ିଶାର ଅଧିକାଂଶ ନଦୀର ଦୁଇ କୂଳରେ କେବଳ ବୃକ୍ଷରାଜି ନୁହେଁ; ଅନେକ ଘନ ଜଙ୍ଗଲ ଦେଖିବାକୁ ମିଳୁଥିଲା। ମହାନଦୀର ସାତକୋଶିଆ ଗଣ୍ଡର ଦୁଇପଟେ ଏବେ ବି ଅନେକ ଜଙ୍ଗଲ ରହିଛି। ମାତ୍ର ତାହା ଉପରେ ଅନେକ ଜଙ୍ଗଲ ଦସ୍ୟୁଙ୍କ ଲୋଲୁପଦୃଷ୍ଟି ପଡ଼ିରହିଛ।

ଗ୍ରାମାଞ୍ଚଳ ଅପେକ୍ଷା ରାଜ୍ୟର ସହରାଞ୍ଚଳଗୁଡ଼ିକର ଉତ୍ତାପ ଅତି ମାତ୍ରାରେ ବୃଦ୍ଧି ଲାଭକରିଛି। କାରଣ ସହରରେ ଲକ୍ଷାଧିକ କଂକ୍ରିଟ ଜଙ୍ଗଲ ସୃଷ୍ଟି କରାଯାଇଛି। ଅବାରିତ ଗଛ ପତ୍ର ହାଣିବା ଦ୍ୱାରା ଜଳବାୟୁ ଏବଂ ପରିବେଶ ବିଷାକ୍ତ ହେବା ସହିତ ବାୟୁମଣ୍ଡଳର ଆର୍ଦ୍ରତା ଆଶାତୀତ ଭାବରେ କମିଯାଇଛି। ନୂତନ ଅଟ୍ଟାଳିକା, ଘର, ଅଫିସ୍‍, ଆପାର୍ଟମେଣ୍ଟ ଇତ୍ୟାଦି ନିର୍ମାଣ କରିବାକୁ ହେଲେ ପ୍ରସ୍ତାବିତ କ୍ଷେତ୍ରଫଳର ଶତକଡ଼ା ୩୦ ଭାଗ ଖାଲି ରଖିବାକୁ ହେବ ଯେଉଁଠାରେ ଯଥେଷ୍ଟ ଗଛ ଲଗାଇବାର ସୁବିଧା ଥିବ। ଏହାଦ୍ୱାରା ପରିବେଶ ଉପରେ ସକାରାତ୍ମକ ପରିସ୍ଥିତି ସୃଷ୍ଟି ହେବ।

ବିକାଶ ନାମରେ ଆମେ ଆଜି ଯେଉଁ ସୁନ୍ଦର ବୃକ୍ଷରାଜି ଜଙ୍ଗଲ ସମ୍ପଦ, ନଦୀନାଳ, ଜଳ ଉପରେ ଅତ୍ୟାଚାର କରି ଚାଲିଛେ ଏହାର ଶେଷ କେଉଁଠି? ଏଥିପାଇଁ କିଏ ଦାୟୀ, ଏହି ମାରାତ୍ମକ ଆତ୍ମଘାତୀ କାର୍ଯ୍ୟପାଇଁ ଆମେ ସମସ୍ତେ ଦାୟୀ। କେହି କେହି କହିବାର ଶୁଣାଯାଏ, ପରିବେଶ ଓ ଜଙ୍ଗଲ ରକ୍ଷା କେବଳ ସରକାରଙ୍କ ଦାୟିତ୍ୱ, ଏହାର କିଛି ସତ୍ୟତା ଥାଇପାରେ, ମାତ୍ର ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ଆଜି ଏଥିପାଇଁ ଦାୟୀ। ସରକାର କହିଲେ କ’ଣ ପ୍ରଶାସନ ଦାୟିତ୍ୱରେ ଥିବା କିଛି ରାଜନୈତିକ ଦଳ? ଏହା ଆଦୌ ଗ୍ରହଣୀୟ ନୁହେଁ। ଗଣତନ୍ତ୍ରରେ ପ୍ରତ୍ୟେକ ନାଗରିକ ପ୍ରଶାସନର ଏକ ଅଂଶବିଶେଷ। ଆମ ଜନସାଧାରଣଙ୍କର କ’ଣ ସମାଜ ପ୍ରତି କିଛି ଦାୟିତ୍ୱ ଓ କର୍ତ୍ତବ୍ୟ ନାହିଁ। ସରକାରୀ ସଂସ୍ଥାକୁ ବାଦଦେଲେ ଆମ ଲୋକେ ତାଙ୍କ ନିଜ ଆଡ଼ୁ ଚାରାରୋପଣ ଏବଂ ବନୀକରଣ କାର୍ଯ୍ୟକ୍ରମ ହାତକୁ ନେଲେ କିଛି ଅସୁବିଧା ହେବ କି?

ରାଜ୍ୟର ପ୍ରତ୍ୟେକ ସହର ଏବଂ ଗ୍ରାମାଞ୍ଚଳରେ ଆଜିକାଲି ପର୍ଯ୍ୟାପ୍ତ ପରିମାଣର ସ୍କୁଲ୍‍, କଲେଜରେ ଶିକ୍ଷାଦାନ ଚାଲିଛି। ପ୍ରତ୍ୟେକ ସ୍କୁଲ୍‍ ଏବଂ କଲେଜରେ ଶିକ୍ଷକ ତଥା ଛାତ୍ରଛାତୀମାନେ ବନୀକରଣ ଏବଂ ଚାରାରୋପଣ କାର୍ଯକ୍ରମରେ ନିଷ୍ଠାର ସହିତ ଭାଗ ନେଇପାରିବେ। ସପ୍ତାହର ଗୋଟିଏ ଦିନର କିଛ ସମୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଗଛଟିଏ ଲଗାଇଲେ ତାହା କିପରି ବଞ୍ଚିବ ତା’ର ବ୍ୟବସ୍ଥା କରାଯାଉ। ଆମ ରାଜ୍ୟର ଆଦରଣୀୟ ମାନ୍ୟବର ବିଧାୟକ ଏବଂ ସାଂସଦମାନେ ମଧ୍ୟ ଏହି କାର୍ଯ୍ୟରେ ସହଯୋଗ କରିପାରିବେ। ସେମାନେ ଏଥିପାଇଁ ବିଧାୟକ କିମ୍ବା ସାଂସଦମାନଙ୍କୁ ମିଳୁଥିବା ବିକାଶ କାର୍ଯ୍ୟକ୍ରମ ପାଣ୍ଠିରୁ ଖର୍ଚ୍ଚ କରିପାରିବେ। ମାତ୍ର ସେମାନେ ନିଶ୍ଚିତ ହେବା ଦରକାର ଯେ ସେମାନଙ୍କ ନି‌େ‌ର୍ଦଶ ମୁତାବକ ଲଗାଯାଇଥିବା ପ୍ରତ୍ୟେକ ଗଛ ବଞ୍ଚି ରହିଛି ଏବଂ ଏହି ଦାୟିତ୍ୱ ଦିଆଯାଇଥିବା ସଂସ୍ଥା ଚାରାରୋପଣ କାର୍ଯ୍ୟକ୍ରମକୁ ଠିକ୍‍ ରାସ୍ତାରେ ଆଗେଇ ନେଉଛନ୍ତି।

ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱର ମେଟ୍ରୋସିଟିର ଅବସ୍ଥା ଏକାନ୍ତ ଉଦ୍‍ବେଗଜନକ। ୧୯୯୯ ମସିହା ବାତ୍ୟାରେ ଏହି ସହରରେ ଏକ ଲକ୍ଷ ବଡ଼ ବଡ଼ ଗଛ ଭାଙ୍ଗି ଯାଇଥିଲା। ସହରରେ ୧୯୯୯ ମସିହା ପରଠାରୁ ଯେତେ ରାସ୍ତାଘାଟ ନିର୍ମାଣ ହୋଇଛି ସମ୍ପୃକ୍ତ ରାସ୍ତା ନିର୍ମାଣକାରୀ ସଂସ୍ଥା ନିର୍ଦ୍ଦୟ ଭାବରେ ଆଗ ଗଛ କାଟୁଛନ୍ତି। ଯେତିକି ଗଛ କଟାଯାଇଛି ବା ଯାଉଛି ତା’ର ସ୍ଥାନ ପୂରଣ ହେଉଛି କି? ଭୁବନେଶ୍ୱର, କଟକ ଏବଂ ଭୁବନେଶ୍ୱର ପୁରୀ ରାସ୍ତା ନିର୍ମାଣ ବେଳେ ବିରାଟ ବିରାଟ ଗଛ କାଟି ଶୁଆଇ ଦିଆଗଲା। ସମ୍ପୃକ୍ତ ବିଭାଗ ରାଜ୍ୟ ବନ ବିଭାଗକୁ ଏଥିପାଇଁ ଚାରା ଲଗାଇବା ପାଇଁ ଅର୍ଥ ଦାନ କଲେ, ମାତ୍ର ଲାଗିଲା ନାହିଁ। ଗଛ ନକାଟି କ’ଣ ରାସ୍ତା ନିର୍ମାଣ ହୋଇପାରିବନି। ପାଶ୍ଚାତ୍ୟ ଦେଶ ମାନଙ୍କରେ ରାସ୍ତା ନିର୍ମାଣ ବେଳେ ଗଛ ଦେଖାଦେଲେ ରାସ୍ତାକୁ ବୁଲାଇ ନିଆଯାଏ। ମାତ୍ର ଗଛ କଟାଯାଏନା। ଆମ ରାଜ୍ୟରେ ଯେତେ ନୂଆ ନିର୍ମାଣ କାର୍ଯ୍ୟ ହୁଏ ଆଗ ଗଛ ଗୁଡ଼ିକୁ କାଟି ସଫା କରାଯାଏ। ଆମ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଅତି କମ୍‍ରେ ୫ ଲକ୍ଷରୁ ଅଧିକ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବ୍ୟବହାର ହେଉଛି। ଏହି ଏୟାର କଣ୍ଡିସନ ମେସିନ୍‍ରୁ ଯେଉଁ ଉତ୍ତାପ ବାୟୁମଣ୍ଡଳକୁ ଛଡ଼ାଯାଏ, ତାହା ବାୟୁ ପ୍ରଦ୍ୟୂଷଣର ଗୋଟିଏ ମୁଖ୍ୟ କାରଣ।

ଏବେ ରାଜ୍ୟର ଉତ୍ତାପ ୪୦ଡିଗ୍ରୀ ସେଲ୍‌ସିୟସ ଉପରେ ପହଞ୍ଚିଛି। ଏହା ୪୫ଡିଗ୍ରୀ ସେଲ୍‌ସିୟସ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗଙ୍କ ଆକଳନ। ରାଜ୍ୟ ସରକାରଙ୍କ ପରିସଂଖ୍ୟାନ ତଥ୍ୟ ହିସାବରେ ବର୍ତ୍ତମାନ ଓଡ଼ିଶାର ଦାରିଦ୍ର୍ୟ ଶତକଡ଼ା ୫୭ ଭାଗରୁ କମିଯାଇ ଶତକଡ଼ା ୧୫ ଭାଗ ତଳେ ରହିଛି। ସେହିପରି ସାକ୍ଷର ହାର ଶତକଡ଼ା ୮୦ ଭାଗ ଉପରେ ରହିଛି। ଯଦିବା ଦେଶର ୧୩ଟି ଦରିଦ୍ର ରାଜ୍ୟରେ ଓଡ଼ିଶାର କ୍ରମିକ ନମ୍ବର ୩ରେ ଅଛି ବୋଲି କୁହାଯାଉଛି, ଅନ୍ତତଃ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଗଲେ ଅନେକ ବ୍ୟକ୍ତିବିଶେଷଙ୍କୁ କର୍ମ ସଂସ୍ଥାନ ମିଳିବ। ପ୍ରକାଶଥାଉ କି ଏବେ ବି ରାଜ୍ୟରେ ୨୬ ଲକ୍ଷ ଶିକ୍ଷିତ ବେକାର ଅଛନ୍ତି। ଓଡ଼ିଶାର ରାଜଧାନୀ ସହିତ, ରାଜ୍ୟର ପ୍ରତ୍ୟେକ ଜିଲା, ତହସିଲ, ବ୍ଲକ୍‍ ଏପରି କି ଗ୍ରାମପଞ୍ଚାୟତମାନଙ୍କରେ ମଧ୍ୟ ଜଙ୍ଗଲ ବିଭାଗ କର୍ମଚାରୀମାନେ କାର୍ଯ୍ୟରତ ଅଛନ୍ତି। ଯେଉଁ ଅଧିକାରୀମାନେ ଜଙ୍ଗଲ ସୁରକ୍ଷା ଏବଂ ବନୀକରଣ ପାଇଁ କାର୍ଯ୍ୟ କରୁଛନ୍ତି ସେମାନେ ଧନ୍ୟବାଦର ପାତ୍ର। ମାତ୍ର ସେମାନେ ଦୟାକରି ରାଜ୍ୟବାସୀଙ୍କ ସେବା କରୁନାହାନ୍ତି। ଏହା ତାଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ, କାରଣ ସେଥିପାଇଁ ସେମାନେ ଓଡ଼ିଶାର ଦରିଦ୍ର ରାଜକୋଷରୁ ଲକ୍ଷାଧିକ ଟଙ୍କା ଦରମା, ଭତ୍ତା, ଆନୁଷଙ୍ଗିକ ସୁବିଧା, କ୍ୱାର୍ଟର ଇତ୍ୟାଦି ପାଉଛନ୍ତି। କି କି ପଦକ୍ଷେପ ନେଲେ ଜଙ୍ଗଲ ବୃଦ୍ଧିଲାଭ ସହିତ ତଙ୍ଗଲ ସୁରକ୍ଷା ହୋଇପାରିବ ତାହାର ସେମାନେ ସୁଚିନ୍ତିତ ଯୋଜନା କରି ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣନ୍ତୁ। ଏଠି କୌଣସି ବନ କର୍ମଚାରୀଙ୍କ ସାଧୁତା ଅଥବା ନିଷ୍ଠା କଥା କୁହାଯାଉନି, କିଭଳି ରାଜ୍ୟର ଜଙ୍ଗଲ ସୁରକ୍ଷା ହେବ ତାହା ଏକ ବିରାଟ ପ୍ରଶ୍ନବାଚୀ। ସେମାନେ ପ୍ରତ୍ୟେକ ଗ୍ରାମ, ସ୍କୁଲ, କଲେଜ ଇତ୍ୟାଦି ସହିତ ସମ୍ପର୍କ ରଖି ହଜାର ହଜାର ଚାରା ବାଣ୍ଟିପାରିବେ। ଅଶୀ ଦଶକରେ ତତ୍କାଳୀନ ରାଜ୍ୟ ସରାକର ପ୍ରତ୍ୟେକ ରାସ୍ତା କଡ଼ରେ ସାମାଜିକ ବନ ପ୍ରକଳ୍ପ ମାଧ୍ୟମରେ ହଜାର ହଜାର ଗଛ ଲଗାଇଥିଲେ। ଗଛ ବେଶ୍‍ ବଡ଼ ହେଲା ପରେ କିଛି କିଛି ତଥାକଥିତ ଅସାମାଜିକ ବ୍ୟକ୍ତି ରାତି ଅଧରେ ଗଛଗୁଡ଼ିକୁ କାଟି ନେଇ ଯାଇଥିଲେ।

ରାଜ୍ୟରେ ଯେଉଁ ବରିଷ୍ଠ ବନ ବିଭାଗ ଅଧିକାରୀମାନେ ଅଛନ୍ତି ସେମାନେ ନିୟମିତ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ଚାରାରୋପଣ କାର୍ଯ୍ୟକ୍ରମ ସମୀକ୍ଷା କରନ୍ତୁ। ରାଜ୍ୟରେ ଜଳବାୟୁ ଓ ପରିବେଶକୁ ସନ୍ତୁଳନ କରିବାକୁ ହେଲେ ନିରବଚ୍ଛିନ୍ନ ଭାବରେ ବନୀକରଣ କାର୍ଯ୍ୟକ୍ରମ ହାତକୁ ନେବା ଦରକାର। ଜଙ୍ଗଲକ୍ଷୟ, ଜଙ୍ଗଲପୋଡ଼ି, ବନ୍ୟଜନ୍ତୁ ହତ୍ୟା, ଜଙ୍ଗଲରେ ପଶି ଜବରଦସ୍ତ କାଠ କାଟିବା ଇତ୍ୟାଦିକୁ କଠୋର ହସ୍ତରେ ଦମନ କରାଯାଉ। ‘ଏହା ମୋର କର୍ତ୍ତବ୍ୟ ନୁହେଁ’ କହି ଦରମା ନେଇ ଘରକୁ ଚାଲିଗଲେ, କୌଣସି ମହତ୍‍ କାର୍ଯ୍ୟ ସାଧିତ ହୁଏ ନାହିଁ।

ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ବିଶେଷଭାବରେ ଗ୍ରାମାଞ୍ଚଳ ମାନଙ୍କରେ ଅନେକ ସରକାରୀ ଜମି, ବେସରକାରୀ ଜମି, ଖୋଲାପଡ଼ିଆ ଏବଂ ନଦୀନାଳ ସଂଲଗ୍ନ ଅନେକ ଖାଲିସ୍ଥାନ ଏବେ ବି ରହିଛି। ସେହି ସବୁ ସ୍ଥାନକୁ ନିୟମିତ ବନୀକରଣ କାର୍ଯ୍ୟକ୍ରମ କରାଗଲେ ତାହା ରାଜ୍ୟବାସୀଙ୍କର ପରିବେଶ ଏବଂ ଜଙ୍ଗଲବୃଦ୍ଧିରେ ସହାୟକ ହେବ। ପୂର୍ବେ ପଶ୍ଚିମ ଓଡ଼ିଶା ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଥିବା ଅନେକ ଛୋଟ ବଡ଼ ପାହାଡ଼ମାନଙ୍କରେ ଘଞ୍ଚ ବୃକ୍ଷମାନ ଶୋଭା ପାଉଥିଲା। ଅନେକ ପରିବେଶ ବିରୋଧୀ, ଅସାମାଜିକ ବ୍ୟକ୍ତି ଗଛକାଟି ପାହାଡ଼ଗୁଡ଼ିକୁ ପ୍ରାୟ ଲଣ୍ଡା କରି ଦେଇଛନ୍ତି। ଏବେ କିନ୍ତୁ ସେଗୁଡ଼ିକୁ ପୁନରୁଦ୍ଧାର କରିବାର ସମୟ ଆସିଛି। ଆମ ରାଜ୍ୟରେ ଏବେ ବି ଅନେକ ଜଙ୍ଗଲ ସଂଲଗ୍ନ ଗ୍ରାମ ଅଛି ଯେଉଁଠାରେ ଗ୍ରାମବାସୀମାନେ ପାଳିକରି ଜଙ୍ଗଲ ଜଗାରଖା କରୁଛନ୍ତି। ସେମାନଙ୍କୁ ଟିକିଏ ସରକାରୀ କଳର ସାହାଯ୍ୟ ସହାନୁଭୂତି ମିଳିଲେ ନିଶ୍ଚିତ ଭାବରେ ଜଙ୍ଗଲ ସୁରକ୍ଷା ହୋଇପାରିବ।

ବର୍ତ୍ତମାନ ଓଡ଼ିଶାର ଜଙ୍ଗଲ, ଜଳବାୟୁ ଏବଂ ବନ୍ୟ ପ୍ରାଣୀଙ୍କର ଅବସ୍ଥା ସଂକଟଜନକ ସ୍ଥିତିରେ ପହଞ୍ଚିଛି। ଏହାକୁ ଯଦି ସାମ୍ପ୍ରତିକ ପରିସ୍ଥିତିରେ ରକ୍ଷା କରାନଯାଏ, ଓଡ଼ିଶା ଅଳ୍ପ ଦିନ ମଧ୍ୟରେ ରାଜସ୍ଥାନର ମରୁଭୂମି ପାଲଟିଯିବ। ରାଜ୍ୟ ସରକାର, ରାଜ୍ୟ ବନ ବିଭାଗ, ରାଜ୍ୟର ଜନସାଧାରଣ, ଶିକ୍ଷାବିତ୍‍, ସ୍କୁଲ୍‍-କଲେଜର ଛାତ୍ର, ଶିକ୍ଷକମାନେ, ରାଜ୍ୟର ସମଗ୍ର ବିଭାଗୀୟ କର୍ମଚାରୀମାନେ ବନୀକରଣ ପରି ଏକ ମହତ୍‍ ଏବଂ ଜୀବନରକ୍ଷା କାର୍ଯ୍ୟରେ ସହଯୋଗ କଲେ ରାଜ୍ୟ ଘୋର ସଂକଟରୁ ରକ୍ଷାପାଇବ। ଏହାର ବ୍ୟତିକ୍ରମ ଘଟିଲେ ଆମର ଉତ୍ତର ପିଢ଼ି ଏବଂ ଓଡ଼ିଶାର ଇତିହାସ ଆମକୁ କ୍ଷମା ଦେବନି।

Comments are closed.