www.samajalive.in
Tuesday, December 9, 2025
15.1 C
Bhubaneswar

୧୩ ଜିଲା ମନ୍ତ୍ରୀଶୂନ୍ୟ

ଭୁବନେଶ୍ୱର : ନବୀନଙ୍କ ପଞ୍ଚମ ପାଳି ମନ୍ତ୍ରିମଣ୍ଡଳର ତୃତୀୟ ଥର ପାଇଁ ହୋଇଥିବା ଅଦଳବଦଳ ପ୍ରକ୍ରିୟା ପରେ ବି ରାଜ୍ୟର ପ୍ରାୟ ୧୩ଟି ଜିଲା ଏବେ ମନ୍ତ୍ରିପଦରୁ ବାଦ୍‌ ପଡ଼ିଛି। ଏସବୁ ଜିଲା ଭିତରେ ରହିଛି- ଗଜପତି, କଳାହାଣ୍ଡି, ଜଗତସିଂହପୁର, ଝାରସୁଗୁଡ଼ା, ମାଲକାନଗିରି, ଦେବଗଡ଼, ନୟାଗଡ଼, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ଭଦ୍ରକ, ଅନୁଗୋଳ ଓ କେନ୍ଦୁଝର। ତେବେ ଅନୁଗୋଳର ବିଧାୟକ ରଜନୀକାନ୍ତ ସିଂହ ଏବେ ଉପ ବାଚସ୍ପତି ଥିବାବେଳେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ସରକାରୀ ଦଳର ମୁଖ୍ୟ ସଚେତକ ପଦରେ ଅଛନ୍ତି। ପଞ୍ଚମ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳରେ ନୟାଗଡ଼, ଝାରସୁଗୁଡ଼ା, କୋରାପୁଟ, କେନ୍ଦୁଝର, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ ଆଦି ଜିଲା ସ୍ଥାନ ପାଇଥିଲେ। ଗତ ଥର ପୁନର୍ଗଠନ କାଳରେ ମନ୍ତ୍ରିପଦରୁ ବଞ୍ଚିତ ଥିବା ଜିଲା ଏଥର ମଧ୍ୟ ବାଦ୍‌ ପଡ଼ିଛି।
ଏହାଛଡ଼ା ଏଥର ସମ୍ପ୍ରସାରଣ ସମୟରେ ନବୀନ ୨୦୨୪ ନିର୍ବାଚନକୁ ଦେଖି ମହିଳା ଓ ଯୁବବର୍ଗକୁ ଗୁରୁତ୍ୱ ଦେବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସମ୍ପ୍ରସାରଣ କାଳରେ ତାହା ଦେଖିବାକୁ ମିଳିନାହିଁ। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ମନ୍ତ୍ରୀ ଶୂନ୍ୟ ହୋଇଥିବାରୁ ନବ ନିର୍ବାଚିତ ତାଙ୍କ କନ୍ୟା ଦୀପାଳିଙ୍କୁ ମନ୍ତ୍ରିପଦ ମିଳିପାରେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ଚାଲିଥିଲା। ଏହାଛଡ଼ା ପଦ୍ମପୁର ଓ ଝରସୁଗୁଡ଼ାରେ ଉପନିର୍ବାଚନ ପରିଚାଳନା ତଥା ପଶ୍ଚିମରେ ଦଳୀୟ ସଙ୍ଗଠନକୁ ଅଧିକ ମଜଭୁତ କରିବାରେ ବିଶେଷ ଅବଦାନ ଥିବା ସୁଶାନ୍ତ ସିଂହଙ୍କୁ ଗତ ଥର ପୁନର୍ଗଠନ କାଳରେ ମନ୍ତ୍ରିପଦରୁ ବାଦ୍‌ ଦିଆଯଇଥିବାରୁ ଏଥର ତାଙ୍କୁ ମନ୍ତ୍ରିପଦ ମିଳିପାରେ ବୋଲି ଚର୍ଚ୍ଚା ଚାଲିଥିଲା। କିନ୍ତୁ ତାଙ୍କୁ ମଧ୍ୟ ଏଥର ମନ୍ତ୍ରିପଦରୁ ବଞ୍ଚିତ ହେବାକୁ ପଡ଼ିଛି। ଏହାକୁ ନେଇ ବଲାଙ୍ଗିରରୁ ବରଗଡ଼ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ବିଜେଡ଼ି ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏପରିକି କେତେକ ନେତା ମଧ୍ୟ ସୁଶାନ୍ତଙ୍କ ସପକ୍ଷରେ ମନ୍ତ୍ରୀପଦ ଲାଗି ଯୁକ୍ତି ବାଢ଼ି ଗଣମାଧ୍ୟମରେ ବିବୃତ୍ତି ରଖିଛନ୍ତି। ମାତ୍ର ସୁଶାନ୍ତ ଦଳ ଯେଉଁ ଦାୟିତ୍ବ ଦେଇଛି ତାକୁ ସେ ତୁଲାଉଛନ୍ତି ଏବଂ ମନ୍ତ୍ରୀପଦ ନ ମିଳିବା ନେଇ ତାଙ୍କର ଅବସୋସ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି। ହୁଏତ ତାଙ୍କୁ ଅନ୍ୟତ୍ର ଥଇଥାନ ପାଇଁ ଦଳ ପକ୍ଷରୁ ଯୋଜନା ହୋଇପାରେ। ଏହାଛଡ଼ା ପୁରୀ ଜିଲାରୁ ମନ୍ତ୍ରୀ ଥିବା ସମୀରଙ୍କୁ ବାଦ୍‌ ଦିଆଯିବା ପରେ ସେ ଜିଲାରୁ ଅନ୍ୟ କାହାରିକୁ ମନ୍ତ୍ରିପଦ ମିଳିବା ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ସାଙ୍ଗଠନିକ କ୍ଷେତ୍ରରେ ରାଜ୍ୟର ତିନି ପ୍ରମୁଖ ଜିଲା- ଗଞ୍ଜାମ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ବିଜେଡି ବଡ଼ ଆହ୍ୱାନକୁ ସାମ୍ନା କରିବା ସମ୍ଭାବନା ଥିବାରୁ ଏହି ତିନିଟି ଜିଲାର ବରିଷ୍ଠ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ନୂଆ ମନ୍ତ୍ରୀଙ୍କ ଆଗରେ ବିଭାଗ ସମ୍ଭାଳିବା ସହିତ ନିଜ ଜିଲାର ସଙ୍ଗଠନ ମଜଭୁତ କରିବା ଏବେ ପ୍ରମୁଖ ଦାୟିତ୍ୱ। ବିରୋଧୀଙ୍କ ଦବ୍‌ଦବା ଥିବା ଜିଲାଗୁଡ଼ିକରେ ନିଜର ସାଙ୍ଗଠନିକ ସ୍ଥିତିକୁ ଆହୁରି ମଜଭୁତ କରିବା ନିମନ୍ତେ ବିଜେଡି ମୁଖିଆ ଏଭଳି ନିଷ୍ପତ୍ତି ନେଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories