ଦାବି ପୂରଣ ନହେଲେ ଜୁନ୍ ୧ରୁ ସାମୁହିକ ଛୁଟି
ଅମଲାଙ୍କ କଳାବ୍ୟାଜ୍ ପରିଧାନ
ଆଠଗଡ : ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲାଙ୍କର ଗ୍ରେଡ ପେ’ ବୃଦ୍ଧି ଦାବି ପୂରଣ ଦିଗରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରିବା ପ୍ରତିବାଦରେ ସୋମବାରଠାରୁ ସମସ୍ତ ଅମଲା କଳାବ୍ୟାଜ୍ ପରିଧାନ କରି ନିଜ କର୍ତ୍ତବ୍ୟ ସଂପାଦନ କରୁଛନ୍ତି । ଆଗାମୀ ମେ ୩୧ ସୁଦ୍ଧା ସେମାନଙ୍କର ଦାବି ପୂରଣ ନହେଲେ ଜୁନ୍ ୧ ତାରିଖରୁ ରାଜ୍ୟର ସମସ୍ତ ଅମଲା ସାମୁହିକ ଛୁଟି ନେବେ ବୋଲି ରାଜ୍ୟସ୍ତରୀୟ ମିଳିତ ଅମଲା ମଞ୍ଚ ନିଷ୍ପତ୍ତି ଗ୍ରହଣ କରିଛି । ଏହି ପରିପ୍ରେକ୍ଷୀରେ ଆଠଗଡର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଅମଲାମାନେ ପୂର୍ବନିଷ୍ପତ୍ତି ଅନୁଯାୟୀ ସୋମବାରଠାରୁ କଳାବ୍ୟାଜ୍ ପରିଧାନ କରି ନିଜର କର୍ତ୍ତବ୍ୟ ସଂପାଦନ କରୁଛନ୍ତି । ଅମଲାମାନଙ୍କ ଗ୍ରେଡ ପେ’ ୧୯୦୦ରୁ ୪୨୦୦ଟଙ୍କା କରିବା ଲାଗି ଗତ ସେପ୍ଟେମ୍ବର ମାସରୁ ସେମାନେ ଦାବି କରିଆସୁଛନ୍ତି । ସୋମବାର ଅଫିସ ସମୟ ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟାଳୟର ଅମଲାମାନେ ମିଳିତ ମଞ୍ଚର ଆଠଗଡ ଶାଖା ସଭାପତି ଅଜୟ କୁମାର ପଟ୍ଟନାୟକ ଓ ମନୋଜ କୁମାର ସେଠୀଙ୍କ ଆବାହକତ୍ୱରେ ଏକ ବୈଠକ କରିଥିଲେ ।
Comments are closed.