ଆଇପିଏଲ-୨୦୨୩ : ଆଜି ଲକ୍ଷ୍ନୌ ଓ ଗୁଜରାଟ ମଧ୍ୟରେ ମୁକାବିଲା

ରାହୁଲଙ୍କୁ ରୋକିବା ଲକ୍ଷ୍ୟରେ ହାର୍ଦିକ

ଲକ୍ଷ୍ନୌ  : ଚଳିତ ଆଇପିଏଲର ଶନିବାର ୩୦ତମ ଲିଗ୍‌ ମ୍ୟାଚରେ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ-ଗୁଜରାଟ ଟାଇଟାନ୍‌ସକୁ ଏକ୍‌ନା ଷ୍ଟାଡ଼ିୟମରେ ଭେଟିବେ। ଗୁଜରାଟ ୬ଷ୍ଠ ଓ ଲକ୍ଷ୍ନୌ ସପ୍ତମ ମ୍ୟାଚ ଖେଳିବେ। ଲକ୍ଷ୍ନୌ ବିଜୟକୁ ବଜାୟ ରଖିବାକୁ ଉଦ୍ୟମ କରିବାବେଳେ ଗୁଜରାଟ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରିବ।
ଲକ୍ଷ୍ନୌ ୬ଟି ମ୍ୟାଚରୁ ୪ଟି ବିଜୟ ଓ ୨ଟି ପରାଜୟ ସହ ୮ ପଏଣ୍ଟ ପାଇଛି। ଦଳ ଶେଷ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ଅପ୍ରତ୍ୟାଶିତ ବିଜୟ ହାସଲ କରିଥିଲା। ଦୁଇ ଓପନର ଅଧିନାୟକ ଲୋକେଶ ରାହୁଲ ଓ କାଏଲ ମେୟର୍ସ ଭଲ ଫର୍ମରେ ରହିଛନ୍ତି। କାଏଲ ମେୟର୍ସ ୨୧୯ ଓ ରାହୁଲ ୧୯୪ରନ କରିଛନ୍ତି। ବୋଲିଂରେ ଆଭେଶ ଖାନ, ରବି ବିଷ୍ଣୋୟୀ,ମାର୍କ ଉଡ୍‌ ବିପକ୍ଷ ଦଳ ପାଇଁ ଚିନ୍ତାର ବିଷୟ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅମିତ ମିଶ୍ରା,କ୍ରିଷ୍ଣପା ଗୌତମ ମଧ୍ୟ ରହିଛନ୍ତି। ଦଳ ବ୍ୟାଟିଂ ଓ ବୋଲିଂରେ ସନ୍ତୁଳିତ ପ୍ରଦର୍ଶନ କରୁଥିବାରୁ ବିଜୟ ଧାରାକୁ ବଜାୟ ରଖିବା ନେଇ ଉଦ୍ୟମ କରିବ। ସେହିପରି ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ଗୁଜରାଟ ଟାଇଟାନ୍‌ସ ୫ଟି ମ୍ୟାଚରୁ ୩ଟି ବିଜୟ ଓ ୨ଟି ପରାଜୟ ସହ ୬ ପଏଣ୍ଟ ପାଇଛି। ଦଳ ପ୍ରଥମ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍‌ସକୁ ୫ ୱିକେଟରେ ଓ ଦ୍ବିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୬ ୱିକେଟରେ ପରାସ୍ତ କରିଥିବାବେଳେ ୩ୟ ମ୍ୟାଚରେ କଲକାତା ନାଇଟ୍‌ ରାଇଡର୍ସ ନିକଟରୁ୩ ୱିକେଟରେ ପରାଜିତ ହୋଇଥିଲା। ୪ର୍ଥ ମ୍ୟାଚରେ ପଞ୍ଜାବ କିଙ୍ଗ୍‌ସକୁ ୬ ୱିକେଟରେ ପରାସ୍ତ କରିଥିବାବେଳେ ଶେଷ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ନିକଟରୁ ୩ ୱିକେଟରେ ପରାଜିତ ହୋଇଥିଲା। ଶୁବମାନ ଗିଲ୍‌ ୨୨୮, ସାଇ ସୁଦର୍ଶନ ୧୭୬ରନ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ନିୟମିତ ରନ କରିବାରେ ସଫଳ ହେଉନାହାନ୍ତି। ବୋଲିଂରେ ମହମ୍ମଦ ସାମି, ଆଲଜାରି ଜୋଶେଫ, ହାର୍ଦିକ ପାଣ୍ଡ୍ୟାଙ୍କ ସହ ରସିଦ ଖାନ,ମୋହିତ ଶର୍ମା ରହିଛନ୍ତି। ଦଳ ଶେଷ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ନିକଟରୁ ପରାଜିତ ହୋଇଥିବାବେଳେ ବିଜୟକୁ ଫେରିବା ନେଇ ଉଦ୍ୟମ କରିବ।

Comments are closed.