ଚେନ୍ନଇର ଚତୁର୍ଥ ବିଜୟ
ଚେପକ୍ରେ ଜାଡ଼େଜା, କନ୍ୱେଙ୍କ ଚମକ
ଚେନ୍ନଇ : ରବୀନ୍ଦ୍ର ଜାଡେଜାଙ୍କ ଯାଦୁକରୀ ବୋଲିଂ ପରେ ଡିଭନ୍ କନ୍ୱେଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଚେନ୍ନଇ ସୁପରକିଙ୍ଗ୍ସ ଚଳିତ ଆଇପିଏଲରେ ଚତୁର୍ଥ ବିଜୟ ହାସଲ କରିଛି। ଶୁକ୍ରବାର ଏମ୍.ଏ ଚିଦାମ୍ବରମ ଷ୍ଟାଡ଼ିୟମ ଚେପକ୍ରେ ଖେଳାଯାଇଥିବା ୨୯ତମ ମ୍ୟାଚରେ ଚେନ୍ନଇ ୭ ୱିକେଟରେ ସନରାଇଜର୍ସକୁ ପରାସ୍ତ କରିଛି। ଚେନ୍ନଇ ୬ଷ୍ଠ ମ୍ୟାଚରୁ ଚତୁର୍ଥ ବିଜୟ ସହ ଟେବୁଲର ତୃତୀୟ ସ୍ଥାନରେ ରହିଛି।
ସନରାଇଜର୍ସ ଅଭିଷେକ ଶର୍ମାଙ୍କ ୩୪ରନ ବଳରେ ୧୩୪ରନ କରିଥିଲା। ଜବାବରେ ଚେନ୍ନଇ ଡିଭନ୍ କନ୍ୱେଙ୍କ ଅପରାଜିତ ୭୭ରନ ବଳରେ ୮ଟି ବଲ ପୂର୍ବରୁ ବିଜୟ ଲକ୍ଷ୍ୟ ପୂରଣ କରିନେଇଥିଲା।
ସିଏସ୍କେର ଦୁଇ ଓପନର ଋତୁରାଜ ଗାଏକ୍ବାର୍ଡ ଓ ଡିଭନ କନ୍ୱେ ୧୩୫ରନର ବିଜୟ ଲକ୍ଷ୍ୟକୁ ଦ୍ରୁତ ଗତିରେ ପିଛା କରିଥିଲେ। ଉଭୟେ ପ୍ରଥମ ୱିକେଟରେ ୧୧ ଓଭରରୁ ୮୭ରନ କରିଥିଲେ। ଋତୁରାଜ ୩୫ରନ କରି ଆଉଟ୍ ହୋଇଥିଲେ। କନ୍ୱେ ଓ ଆଜିଙ୍କ୍ୟ ରାହାଣେ ଦ୍ବିତୀୟ ୱିକେଟ ପାଇଁ ୨୭ରନ ଯୋଡିଥିଲେ। ସ୍କୋର ୧୧୦ରନ ଥିବାବେଳେ ରାହାଣେ ୯ରନ କରି ଆଉଟ୍ ହୋଇଥିଲେ। ଅମ୍ବାତି ରାଇଡୁ ମଧ୍ୟ ୯ରନ କରି ଆଉଟ୍ ହୋଇଥିଲେ। କନ୍ୱେ ଓ ମୋଇନ ଅଲ୍ଲୀ ୪ର୍ଥ ୱିକେଟରେ ଅବିଭାଜିତ ୧୬ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ। କନ୍ୱେ ୫୭ଟି ବଲରୁ ୧୨ଟି ଚୌକା ଓ ଗୋଟିଏ ଛକା ସହ ୭୭ ଓ ମୋଇନ୍ ୬ରନ କରି ଅପରାଜିତ ରହିଥିଲେ। ସନରାଇଜର୍ସ ପକ୍ଷରୁ ମୟଙ୍କ ମାର୍କଣ୍ଡେ ୨ଟି ୱିକେଟ ନେଇଥିଲେ।
ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ସନରାଇଜର୍ସର ଦୁଇ ଓପନର ହ୍ୟାରୀ ବ୍ରୁକ୍ ଓ ଅଭିଷେକ ଶର୍ମା ସତର୍କତାର ସହିତ ଇନିଂସ ଆରମ୍ଭ କରିଥିଲେ। ଉଭୟେ ୩୫ରନ ସଂଗ୍ରହ କରିଥିଲେ। ବ୍ରୁକ୍ ୧୮ରନ କରି ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟରେ ରାହୁଲ ତ୍ରିପାଠୀ ଓ ଅଭିଷେକ ୩୬ରନ ସଂଗ୍ରହ କରିଥିଲେ। ୭୧ରନ ସ୍କୋର ଥିବାବେଳେ ଅଭିଷେକ ୨୬ଟି ବଲରୁ ୩ଟି ଚୌକା ଗୋଟିଏ ଛକା ସହ ୩୪ରନ କରି ଆଉଟ୍ ହୋଇଥିଲେ। ସନରାଇଜର୍ସ ୧୦ ଓଭରରୁ ୭୬ରନ ସଂଗ୍ରହ କରିଥିଲା। ଦଳ ଏକଦା ଭଲ ସ୍ଥିତିରେ ଥିଲେ ମଧ୍ୟ ୧୧ ରନ ମଧ୍ୟରେ ୩ଟି ୱିକେଟ ହରାଇ ମଧ୍ୟକ୍ରମରେ ବିପର୍ଯ୍ୟୟ ଭୋଗିଥିଲା। ୮୪ରନ ସ୍କୋର ଥିବାବେଳେ ତ୍ରିପାଠୀ ୨୧ ରନ କରି ଆଉଟ୍ ହୋଇଥିଲେ। ମାର୍କରାମ ମଧ୍ୟ ବେଶି ସମୟ ତିଷ୍ଠି ନପାରି ୧୨ରନ କରି ଆଉଟ୍ ହୋଇଥିଲେ। ମୟଙ୍କ ଅଗ୍ରୱାଲ ମାତ୍ର ୨ରନ କରି ଆଉଟ୍ ହୋଇଥିଲେ। ଦଳ ୯୫ରନରେ ୫ଟି ୱିକେଟ ହରାଇଥିଲା। ୬ଷ୍ଠ ୱିକେଟ ପାଇଁ ହେନରିଚ କ୍ଲାସେନ ଓ ମାର୍କୋ ୟାନସେନ ୨୧ରନ ଯୋଡିଥିଲେ। ୧୧୬ରନ ସ୍କୋର ଥିବାବେଳେ କ୍ଲାସେନ ୧୭ରନ କରି ଆଉଟ୍ ହୋଇଥିଲେ। ସପ୍ତମ ୱିକେଟରେ ୟାନସେନ ଓ ୱାଶିଂଟନ ସୁନ୍ଦରଙ୍କ ୨୮ରନ ଭାଗିଦାରୀ ବଳେର ଦଳ ୭ ୱିକେଟ ହରାଇ ୧୩୪ରନ କରିବାକୁ ସକ୍ଷମ ହୋଇଥିଲା। ୱାଶିଂଟନ ୯ରନ କରି ଆଉଟ୍ ହୋଇଥିବାବେଳେ ୟାନସେନ ୧୭ରନ କରି ଅପରାଜିତ ରହିଥିଲେ। ସିଏସ୍କେ ପକ୍ଷରୁ ରବୀନ୍ଦ୍ର ଜାଡେଜା ୩ଟି ୱିକେଟ ନେଇଥିଲେ।
Comments are closed.