ପାଟଣା : ଚୋରା ମହୁଲି ମଦ ପ୍ରସ୍ତୁତକାରୀଙ୍କ ପାଇଁ ପାଟଣା ଅବକାରୀ ଥାନା ଅଞ୍ଚଳ ପେଣ୍ଠସ୍ଥଳୀ ପାଲଟିଛି। ପାଟଣା ଅବକାରୀ ଥାନାର ଅଧିକାରୀଙ୍କ ପରେ ଅଧିକାରୀ ବଦଳୁଛନ୍ତି ହେଲେ ଚୋରା ମଦ ପ୍ରସ୍ତୁତକାରୀଙ୍କ ଉପରେ ଅଙ୍କୁଶ ଲଗାଇବା ସମ୍ଭବ ହେଇପାରୁନାହିଁ । ଏପରିକି ହୀରାପଶି ଗ୍ରାମରେ ଚୋରା ମଦ ପ୍ରସ୍ତୁତକାରୀ ଏହି ବେପାରକୁ କୁଟୀର ଶିଳ୍ପ ଭାବେ ଧରି ନେଇଥିବା ବେଳେ ଅବକାରୀ ବିଭାଗ ଓ ପୁଲିସ ମିଳିତ ଚଢ଼ାଉ ସତ୍ତ୍ୱେ ମଧ୍ୟ ଏହା ଉପରେ ଅଙ୍କୁଶ ଲଗାଯାଇ ପାରିନାହିଁ। ସାହରପଡା ବ୍ଲକର ରାଧାପୁର, ଭାଲିଆଡ଼ିହା, ଚୁନୁ ସାହି, ଖଣ୍ଡେଇପଡା, ପାଟଣା ବ୍ଲକର ରୁଢ଼ିଆପଡା, ଭୁଲୁଦା, ଡଳଙ୍ଗ, ନର୍ଦନବେଡା, ବାଇଦବଜା, ତଣ୍ଡୋ, ଘାଟବାଲିଯୋଡି ଓ ନୂଆଗାଁ ଆଦି ଗ୍ରାମରେ ଚୋରା ମହୁଲି ମଦ ପ୍ରସ୍ତୁତି କିଛି ଲୋକଙ୍କ ନୀତି ଦିନିଆ ପେଶାରେ ମଧ୍ୟ ପରିଣତ ହୋଇଛି। ମଦ ମାଫିଆଙ୍କୁ ଭୟ ହେଉ ଅଥବା ଲୋକ ସମ୍ବଳରେ ଅଭାବ ଯୋଗୁ ଅବକାରୀ ବିଭାଗ ଏହି ସ୍ଥାନରେ ଚୋରା ମଦ ଭାଟିରେ ନିୟମିତ ବ୍ୟବଧାନରେ ଚଢ଼ାଉ କରୁନାହିଁ । ଏପରିକି ଅତୀତରେ ଚଢ଼ାଉ ସମୟରେ ମହୁଲ ପୋଚ ସାମଗ୍ରୀ ଜବଦ ସତ୍ତ୍ୱେ ପ୍ରସ୍ତୁତକାରୀ ମାନେ ଆଗୁଆ ଫେରାର ହେବାର ଏକାଧିକ ନିଜର ମଧ୍ୟ ରହିଛି । ଆଜି ମଧ୍ୟ ପାଟଣା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଥାନାଧିକାରୀ ପ୍ରିୟମ୍ବିତା ଓଝା,ଏଏସ୍ ଆଇ ଅଖିଳ ସର୍ଦ୍ଦାର ପ୍ରମୁଖ ଖଣ୍ଡେଇପଡା ଦେଓନଦୀ କୂଳରେ ଏକ ବଡ଼ ମଦ ଭାଟିରେ ଚଢ଼ାଉ କରି ପୋଚ ନଷ୍ଟ ଓ ସାମଗ୍ରୀ ଜବତ କରିଥିଲେ ମଧ୍ୟ ଆସାମୀ ମାନଙ୍କୁ ଧରିବାରେ ବିଫଳ ହୋଇଛନ୍ତି ।
Comments are closed.