ଚୌଦ୍ୱାରରେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ରକ୍ତଦାନ ଶିବିର, ୧୦୧ ୟୁନିଟ୍ ରକ୍ତ ସଂଗ୍ରହ
ଚୌଦ୍ୱାର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୨୬ତମ ଶ୍ରାଦ୍ଧ ଦିବସ ତାଙ୍କ କର୍ମଭୂମି ଚୌଦ୍ୱାରରେ ପାଳିତ ହୋଇ ଯାଇଛି। ସକାଳେ ପୁର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଅଞ୍ଚଳର ଶତାଧିକ ଲୋକ ଣୋଭାଯାତ୍ରାରେ ଯାଇ ବିରୂପା ଘାଟରେ ତିଳତର୍ପଣ କରିବା ସହିତ ବ୍ୟାରେଜ ନିକଟସ୍ଥ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଜିଲା ବିଜେଡ଼ି ଉପ ସଭାପତି ପ୍ରେମଚାନ୍ଦ ନାୟକ, ନଗର ସଭାପତି ବିଷ୍ଣୁ ଚରଣ ପରିଡ଼ା, ଅର୍ଜୁନ ପଣ୍ଡା, ସୁବ୍ରତ କୁମାର ସାମଲ, ସାରଦା ରଞ୍ଜନ ପରିଜା, କବିତାରାଣୀ ଲେଙ୍କା, ଭରତ ଚନ୍ଦ୍ର ସାହୁ, ଅଶୋକ କୁମାର ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସମସ୍ତ ପୌର କାଉନ୍ସିଲର, ବହୁ ସଂଖ୍ୟାରେ ଯୁବକ, ମହିଳା ଓ ବରିଷ୍ଠ ନାଗରିକ ଏଥିରେ ଯୋଗ ଦେଇଥିଲେ। ଏହାପରେ ପୂର୍ବତନ ବିଧାୟକ ଓ କର୍ମୀମାନେ ସ୍ଥାନୀୟ ଇଏସ୍ଆଇ ହସ୍ପିଟାଲକୁ ଯାଇ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ।
ଏହି ଅବସରରେ ସ୍ଥାନୀୟ ଶିଶୁ ସଦନର ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ୧୦ନମ୍ବର ୱାର୍ଡ଼ର ବିଜୁପାର୍କସ୍ଥିତ ପ୍ରତିମୂର୍ତ୍ତିରେ ପୁର୍ବତନ ବିଧାୟକ, ସ୍ଥାନୀୟ କାଉନ୍ସିଲର ବିଜୟ ମଲ୍ଲିକ, ଉପାଧ୍ୟକ୍ଷ ଓ ଅଧ୍ୟକ୍ଷା ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଚୌଦ୍ୱାର ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ପୌର ଟାଉଉନହଲରେ ଆୟୋଜିତ ରକ୍ତଦାନ ଶିବିରରେ ୧୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ।
Comments are closed.