ବିକ୍ରି ହେବ ବରଗଡ଼ ଚିନିକଳ !
ଭୁବନେଶ୍ବର : ରାଜ୍ୟରେ ଚିନିକଳକୁ ମହାଦଶା ପଡ଼ିଛି । ବରଗଡ଼ ସମବାୟ ଚିନିକଳ, ବିଜୟାନନ୍ଦ ସମବାୟ ଚିନିକଳ, ବଡ଼ମ୍ବା ସମବାୟ ଚିନିକଳ ଓ ନୟାଗଡ ସମବାୟ ଚିନିକଳ ବନ୍ଦ ରହିଛି। ଫଳରେ ଆଖୁଚାଷୀଙ୍କ ଅବସ୍ଥା ଦୁର୍ଦିନରେ ଥିବାବେଳେ କର୍ମଚାରୀମାନେ ପ୍ରାପ୍ୟ ନ ପାଇ ହନ୍ତସନ୍ତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ବରଗଡ଼ ଚିନି ଶିଳ୍ପ ବିକ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଛି। ୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଶିଳ୍ପକୁ ମାତ୍ର ୭୦କୋଟି ଟଙ୍କାରେ ବିକ୍ରି କରାଯିବାକୁ ମସୁଧା ଚାଲିଥିବା କୁହାଯାଉଛି। ବରଗଡ଼ ଭଳି ଏକ କୃଷିଭିତ୍ତିକ ଜିଲାରେ ୧୯୭୩-୭୪ରେ ଚିନିକଳ କାର୍ଯ୍ୟକ୍ଷମ ହେବାପରେ ସେଠାରେ ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ନୂଆ ଆଶା ଉଙ୍କି ମାରିଥିଲା। ମାତ୍ର ପରିଚାଳନାଗତ ତ୍ରୁଟି ଲାଗି ୨୦୧୬-୧୭ରେ ଏହା ବନ୍ଦ ଅବସ୍ଥାରେ ପହଞ୍ଚିଥିଲା। ଏବେ ଏହି ଚିନିକଳକୁ ଶାଗମାଛ ଦରରେ ବିକ୍ରି କରିବା ପାଇଁ ସରକାରୀସ୍ତରରେ ମସୁଧା ଚାଲିଛି। ଏ ସଂକ୍ରାନ୍ତରେ ସମବାୟ ବିଭାଗ ପକ୍ଷରୁ ଚଳିତମାସ ୭ରେ ଆସିଥିବା ଏକ ପ୍ରସ୍ତାବକୁ ନେଇ ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକର ନିଷ୍ପତ୍ତିକ୍ରମେ ବରଗଡ଼ ଚିନିକଳର ସମ୍ପତ୍ତି କେତେ ହେବ ଏବଂ ଏହା ଉପରେ କର୍ମଚାରୀ ଓ ଅନ୍ୟାନ୍ୟ ବକେୟା ପରିମାଣ କେତେ ରହିଛି ତା’ର ତର୍ଜମା କରାଯିବ। ଏଥିପାଇଁ ଏକ ଚାର୍ଟାର୍ଡ ଫାର୍ମ ଟିକିନିଖି ହିସାବ କରିବା
ପରେ ପୁନର୍ବାର ବୈଠକ ବସିବ। ସାଧାରଣ ଉଦ୍ୟୋଗ ବିଭାଗ ଏହି ସମସ୍ତ କାର୍ଯ୍ୟରେ ସମନ୍ବୟ ରକ୍ଷା କରିବ। ଏହାପରେ ବରଗଡ଼ ଚିନିକଳ ବିକ୍ରି ଲାଗି ରାଜ୍ୟ କ୍ୟାବିନେଟ୍ ସବ୍ କମିଟିରେ ପ୍ରସ୍ତାବ ପଡ଼ିବ ବୋଲି ନିଷ୍ପତ୍ତି ହୋଇଥିବା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଜିଲାର ଏହି କୃଷିଭିତ୍ତିକ ଶିଳ୍ପ ଉପରେ ପ୍ରତ୍ୟକ୍ଷଭାବେ ପ୍ରାୟ ୫୦୦ ପରିବାର ଜୀବନଜୀବିକା ପାଇଁ ନିର୍ଭର କରୁଥିବାବେଳେ ୫ହଜାରରୁ ଊର୍ଦ୍ଧ୍ବ ପରିବାର ପରୋକ୍ଷରେ ପ୍ରତିପାଳିତ ହେଉଥିଲେ। ଦିନ ଥିଲା ଏହି ଚିନିକଳକୁ ନେଇ ରାଜ୍ୟ ଗର୍ବ ଅନୁଭବ କରୁଥିଲା। ବରଗଡ଼ ସହରରେ ୧୦୩ ଏକର ମୂଲ୍ୟବାନ ଜମି ଉପରେ ଗଢ଼ି ଉଠିଥିବା ଏହି ଶିଳ୍ପକୁ କାହିଁକି ବିକ୍ରି କରାଯିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି।
ରାଜ୍ୟ ସରକାର ଶିଳ୍ପ ଓ ନିବେଶକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ଏହାକୁ ନେଇ ତିନିଟି ମେକ୍ ଇନ୍ ଓଡ଼ିଶା କନକ୍ଲେଭ ରାଜ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଜାପାନ ଗସ୍ତ କରି ହଜାର ହଜାର କୋଟିର ଇସ୍ପାତ ଶିଳ୍ପ ପାଇଁ ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି। ସ୍ଥାନୀୟ ସାଂସଦ ସୁରେଶ ପୂଜାରୀ ୨୦୨୦ ଜୁଲାଇରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧପତ୍ର ଲେଖି ମାତ୍ର ୧୧ କୋଟି ଟଙ୍କା ଦେଲେ ଚିନିକଳ ଚାଲୁ ହୋଇପାରିବ ବୋଲି ଅନୁରୋଧ କରିଥିଲେ। ଏହାକୁ ନେଇ ସମବାୟ ବିଭାଗ ପକ୍ଷରୁ ଉକ୍ତ ଶିଳ୍ପକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ କାନପୁରସ୍ଥିତ ଜାତୀୟ ସୁଗାର ଅନୁଷ୍ଠାନ ଅନୁରୋଧ କରିଛି। ଏହାସତ୍ତ୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଶିଳ୍ପକୁ କେଉଁ ମହତ୍ ଉଦ୍ଦେଶ୍ୟ ନେଇ ବିକ୍ରି କରିବା ପାଇଁ ପ୍ରୟାସ ଚଳାଇଛନ୍ତି ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପୂର୍ବରୁ ଓପିଜିସି ଅଂଶଧନ ବିକ୍ରି କରାଯାଇଥିବାବେଳେ ଏବେ ବରଗଡ଼ ଚିନିକଳ କିଛି ନ୍ୟସ୍ତସ୍ବାର୍ଥଙ୍କ ଆଖିରେ ଝଲସୁଛି ବୋଲି ଲୋକସେବା ଭବନରେ ଚର୍ଚ୍ଚା ହେଉଛି।
ଉଲ୍ଲେଖଯୋଗ୍ୟ ଯେ, ବିଭାଗୀୟ ମନ୍ତ୍ରୀଙ୍କ ହସ୍ତେକ୍ଷପ ପରେ ତତ୍କାଳୀନ ସ୍ବତନ୍ତ୍ର ସଚିବ ଭରତ ଚନ୍ଦ୍ର ବେହେରା ଚିନିଶିଳ୍ପ ପୁନଃ ଚାଲୁ କରିବା ପାଇଁ କାନପୁରସ୍ଥିତ ନ୍ୟାସନାଲ ସୁଗାର ଇନଷ୍ଟିଚ୍ୟୁଟ୍କୁ ପରିଦର୍ଶନ ଲାଗି ପ୍ରସ୍ତାବ ଦେଇଥିଲେ। ୨୦୨୧ ଅଗଷ୍ଟରେ ନ୍ୟାସନାଲ ସୁଗାର ଇନଷ୍ଟିଚ୍ୟୁଟ୍ ଚିନିକଳ ପରିଦର୍ଶନ କରି ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯିବାକୁ ପ୍ରସ୍ତାବ ଦେଇଥିଲା। ଚିନିକଳ ଯେହେତୁ ଏକ ଋତୁକାଳୀନ ଶିଳ୍ପ ଏଥିରେ ଇଥାନଲ ଉତ୍ପାଦନ କରାଯିବାକୁ ପ୍ରସ୍ତାବରେ ରହିଥିଲା। ୧୦୩ କୋଟି ଟଙ୍କା ନିବେଶ କରାଗଲେ ସମସ୍ତ ଦେୟ ଦେବାପରେ ବାର୍ଷିକ ୨୦କୋଟି ଟଙ୍କା ଲାଭ ମିଳିଥାନ୍ତା। ଏହି ପ୍ରସ୍ତାବ ଆଗକୁ ବଢୁଥିବାବେଳେ ଏହାକୁ ସରକାରଙ୍କ ‘ପୁଞ୍ଜି ପ୍ରତ୍ୟାହାର’ ପ୍ରସ୍ତାବ ଭିତରେ କିଭଳି ସ୍ଥାନିତ କରାଗଲା ତାକୁ ନେଇ ବରିଷ୍ଠ ଅଧିକାରୀମାନେ ପ୍ରଶ୍ନ ଉଠାଇଛନ୍ତି।
Comments are closed.