‘ଶାନ୍ତ, ସମୃଦ୍ଧ ବିଶ୍ୱ ଗଠନରେ ଯୁବଗୋଷ୍ଠୀ ଭୂମିକା ଗୁରୁତ୍ୱପୂର୍ଣ୍ଣ’
କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଯୁବ-୨୦ ସମ୍ମିଳନୀ
ଭୁବନେଶ୍ୱର : ଏକ ଶାନ୍ତ, ସମୃଦ୍ଧ ଓ ସ୍ଥାୟୀ ବିଶ୍ୱ ଗଠନରେ ଯୁଗଗୋଷ୍ଠୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶୁକ୍ରବାର କିଟ୍ ବିଶ୍ୱବିଦ୍ୟାଳୟରେ ଆଯୋଜିତ ଯୁବ-୨୦ (ୟୁଥ୍-୨୦) କନ୍ସଲ୍ଟେସନ୍ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ମତ ପ୍ରକାଶ କରିଛନ୍ତି।
ଉତ୍ସବରେ ମୁଖ୍ୟଅତିଥି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ଯୋଗାଣ ତଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ କହିଲେ, ଯୁବଶକ୍ତି ହେଉଛନ୍ତି ରାଷ୍ଟ୍ରଶକ୍ତି। ସେମାନଙ୍କ ମଧ୍ୟରେ ଦକ୍ଷତା, ସର୍ଜନଶୀଳତା, ଅପାର ଶକ୍ତି ଓ ଉତ୍ସାହ ଭରି ରହିଛି। ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଓ ନୀତିକୁ ଅନୁସରଣ କରି ଏକ ବିଂଶ ଶତାବ୍ଦୀରେ ଭାରତ ଯେପରି ସମଗ୍ର ବିଶ୍ୱର ନେତୃତ୍ୱ ନେବ ସେହି ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବାକୁ ସେ ଯୁବକ ଓ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥିଭାବେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୁବ-୨୦ର ବିଷୟବସ୍ତୁ ଉପରେ ଆଲୋକପାତ କରି କହିଲେ, ଯୁବଗୋଷ୍ଠୀକୁ ଏକାଠି ହୋଇ କାର୍ଯ୍ୟ କଲେ ଲକ୍ଷ୍ୟ ହାସଲ କରିହେବ। ଯୁବକମାନେ ଚାହିଁଲେ ଏକ ଶାନ୍ତ, ସମୃଦ୍ଧ ଓ ସ୍ଥାୟୀ ବିଶ୍ୱ ସମ୍ଭବ ବୋଲି ସ୍ୱିଜରଲ୍ୟାଣ୍ଡ ସାଂସଦ ତଥା କିଟ୍ ଓ କିସ୍ର ବ୍ରାଣ୍ଡ ଆମ୍ବାସାଡର ଡ. ନିକଲ୍ସ ସାମୁଏଲ୍ ଗଗ୍ର ମତ ପ୍ରକାଶ କରିଥିଲେ। ଯୁବକମାନେ ସେମାନଙ୍କ କଠିନ ପରିଶ୍ରମ, ଦକ୍ଷତା ଓ ନିଷ୍ଠା ବଳରେ ସମାଜ, ଦେଶ ତଥା ବିଶ୍ୱରେ ପରିବର୍ତ୍ତନ ଆଣି ପାରିବେ ବୋଲି ବ୍ରିଟେନ ସାଂସଦ ବୀରେନ୍ଦ୍ର ଶର୍ମା କହିଥିଲେ। ଭବିଷ୍ୟତ ବିଶ୍ୱ କିପରି ହେବା ଦରକାର ତାହା କଳ୍ପନା କରିବାକୁ ଯୁବଗୋଷ୍ଠୀଙ୍କୁ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ସଚିବ ମିତା ରାଜୀବଲୋଚନ ପରାମର୍ଶ ଦେଇଥିଲେ।
କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣରେ ବୈଶ୍ୱିକ ପ୍ରସଙ୍ଗ ଉପରେ ସଚେତନ ହେବା ଏବଂ ଏସବୁର ସମାଧାନର ପନ୍ଥା ନେଇ ଆଲୋଚନା ଏବଂ ବିଭିନ୍ନ ସର୍ଜନାତ୍ମକ ଚିନ୍ତାଧାରାର ଆଦାନ ପ୍ରଦାନ ନିମନ୍ତେ ଏହି ଫୋରମ୍ ଯୁବକ ଗୋଷ୍ଠୀକୁ ଏକ ପ୍ଲାଟ୍ଫର୍ମ ଯୋଗାଇ ଦେଇଛି ବୋଲି ଶ୍ରୀ ସାମନ୍ତ କହିଥିଲେ। କାର୍ଯ୍ୟକ୍ରମରେ ଆମେରିକାର ପୂର୍ବତନ ସାଂସଦ ରବର୍ଟ ପିଟେନ୍ଞ୍ଜର, ଭାରତରେ ଅବସ୍ଥାପିତ ମାଲ୍ଟା ଉଚ୍ଚାୟୁକ୍ତ (ହାଇକମିସନର) ରିୟୁବେନ୍ ଗୁସି ଓ ଗ୍ରାମୀ ପୁରସ୍କାରପ୍ରାପ୍ତ ସଙ୍ଗୀତଜ୍ଞ ରିକି କେଜ୍ ଏବଂ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ବକ୍ତବ୍ୟ ରଖିଥିବାବେଳେ କିଟ୍ ବିଶ୍ୱବିଦ୍ୟାଳୟ ଉପକୁଳପତି ସରନ୍ଜିତ୍ ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ, ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜି-୨୦ ଢାଞ୍ଚାର ଅଂଶବିଶେଷ ୱାଇ-୨୦ କନ୍ସଲ୍ଟେସନ୍ ଭାରତର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେଉଥିବାବେଳେ ଓଡ଼ିଶାରେ ଏହି ସମ୍ମାନଜନକ ସମ୍ମିଳନୀ ଆୟୋଜନ ପାଇଁ କିଟ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା।
Comments are closed.