କାହାକୁ ଜଗିଛି ସିସିଟିଭି ! ବିନା ହେଲମେଟ୍‌‌ ଓ ନମ୍ବର ପ୍ଲେଟରେ କାଗଜ ଲଗାଇ ବୁଲୁଛନ୍ତି ଅମାନିଆ

କେନ୍ଦୁଝରଗଡ : ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ରୋକିବା ଏବଂ ଅପରାଧ ନିୟନ୍ତ୍ରଣ ଲକ୍ଷ୍ୟରେ କେନ୍ଦୁଝର ସହରର ପ୍ରମୁଖ ଛକ ସ୍ଥାନ ମାନଙ୍କରେ ପୁଲିସ ପ୍ରଶାସନ ପକ୍ଷରୁ ସିସିଟିଭି ସଂଯୋଗ କରାଯାଇ ତୀକ୍ଷ୍ଣ ନଜର ରଖାଯାଇଛି । କେବଳ ସେତିକି ନୁହେଁ, ବିନା ହେଲମେଟରେ ବାଇକ୍‌‌ ଚାଳକ, ଗୋଟିଏ ବାଇକ୍‌‌ରେ ଦୁଇରୁ ଅଧିକ ଯାତ୍ରା କରୁଥିଲେ, ଦୃତ ଚାଳନା, ଟ୍ରାଫିକ୍‌‌ ନିୟମ ଉଲଂଘନକାରୀଙ୍କ ବିରୋଧରେ ସିସିଟିଭି ଫୁଟେଜ ଆଧାରରେ ଇ-ଚାଲାଣ କଟାଯାଇ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରାଯାଉଛି। କେନ୍ଦୁଝର ସହରରେ ସିସିଟିଭି ସଂଯୋଗ ପରେ ଇ-ଚାଲାଣ କଟିବା ଭୟରେ ହେଉ ପଛେ ବାଇକ୍‌‌ ଯୋଗେ ଘରୁ ବାହାରକୁ ବାହାରିଲେ କେହି ହେଲମେଟ୍‌‌ ଯେଭଳି ପିନ୍ଧିବାକୁ ଭୁଲୁନଥିବା ଗତ ୨ବର୍ଷରୁ ଅଧିକ ସମୟ ଧରି ଏହା ଦେଖିବାକୁ ମିଳୁଛି। ତେବେ ବାଇକ୍‌‌ର ନମ୍ବର ପ୍ଲେଟକୁ ଆଧାର କରି ପୁଲିସ ପ୍ରଶାସନ ପକ୍ଷରୁ ନିୟମ ଉଲଂଘନକାରୀ ମାଲିକଙ୍କ ପାଖକୁ ଇ-ଚାଲାଣ ପଠା ଯାଉଥିବାରୁ ଏଥିରୁ ମୁକ୍ତି ପାଇବା ପାଇଁ କେନ୍ଦୁଝର ସହରରେ ନିର୍ଦ୍ଦିଷ୍ଟ କେତେକ ବାଇକ୍‌‌ ଚାଳକଙ୍କ ପକ୍ଷରୁ ଏବେ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଫଳସ୍ୱରୂପ କେତେକ ବାଇକ୍‌‌ ଆରୋହୀ ଚାଳାଉ କରୁଥିବା ବାଇକ୍‌‌ ନମ୍ବର ପ୍ଲେଟରେ କାଗଜ ଲଗାଇ ବିନା ହେଲମେଟରେ ସହରରେ ବୁଲୁଥିବା ବେଳେ ଆଉ କେତେକ ନମ୍ବର ପ୍ଲେଟରେ ଥିବା ୪ଟିକିଆ ନମ୍ବରରୁ ନମ୍ବର ଯେଭଳି ପଢ଼ି ନହୁଏ ଗୋଟିଏ ଦୁଇଟି ନମ୍ବରରେ କଳା ରଙ୍ଗର ଷ୍ଟିକର ଲଗାଇ ବିନା ହେଲମେଟରେ ସହରର ପ୍ରମୁଖ ସ୍ଥାନ ଲାବଣ୍ୟଛକ, କଲେକ୍ଟୋରେଟ୍‌‌ ଛକ ଓ ଗାନ୍ଧି ଛକ ଦେଇ ଅନାୟାସରେ ଚଳପ୍ରଚଳ କରୁଥିଲେ ହେଁ ଏହି ଅମାନିଆଙ୍କ ଉପରେ ଦାୟିତ୍ୱରେ ଥିବା ପୁଲିସ ବାବୁଙ୍କ ନଜର ନପଡିବା ପୁଲିସର କାଯ୍ୟଶୈଳୀ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିଭଳି ଟ୍ରାଫିକ୍‌‌ ନିୟନ୍ତ୍ରଣ ପାଇଁ ସହରର ଲାବଣ୍ୟଛକ, କଲେକ୍ଟୋରେଟ୍‌‌ ଛକ, ଗାନ୍ଧି ଛକ ଓ ସିରାଜୁଦ୍ଦିନ ଛକରେ ବୈଦ୍ୟୁତିକ ଟ୍ରାଫିକ୍‌‌ ନିୟନ୍ତ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ ଥିଲେ ହେଁ ଯୁବ ଗୋଷ୍ଠୀର କେତେକ ଅମାନିଆ ବାଇକ୍‌‌ ଆରୋହୀ ଟ୍ରାଫିକ୍‌‌ ସିଗ୍‌‌ନାଲକୁ ନମାନି ବାଇକ୍‌‌ ଚାଳନା କରିବା ଦ୍ୱାରା ବିଶେଷକରି ଗାନ୍ଧିଛକ ଓ ସିରାଜୁଦ୍ଦିନଛକରେ ଦୁର୍ଘଟଣା ବୃଦ୍ଧି ପାଇ ଗୁରୁତର ଆହତ ହେବାଭଳି ଘଟଣା ଘଟୁଥିଲେ ହେଁ ଏହି ଅମାନିଆଙ୍କ ବିରୋଧରେ ପୁଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦୃଢ଼ ଦାବି ହେଉଛି।

Comments are closed.