ରୋଜଗାର ମେଳା : ୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦୀ

ନୂଆଦିଲ୍ଲୀ : ଦେଶବ୍ୟାପୀ ରୋଜଗାର ମେଳା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ୭୧ ହଜାରରୁ ଅଧିକ କୃତୀ ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ସେମାନେ କେନ୍ଦ୍ର ସରକାରୀ ଚାକିରୀରେ ନିଯୁକ୍ତି ପାଇଛନ୍ତି । ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ସେମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଉଦ୍‌‌ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ସରକାର ପ୍ରତିଭାବାନ ଯୁବକ-ଯୁବତୀମାନଙ୍କୁ ଆବଶ୍ୟକ ସୁଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହା ହେଲେ ବିକଶିତ ଭାରତର ଦୃଷ୍ଟିଭଙ୍ଗୀ ପୂରଣ ହୋଇପାରିବ। ସେ କହିଛନ୍ତି ନୂଆ ନୀତି ଓ ଯୋଜନା ନୂଆ ନୂଆ ସୁଯୋଗ ପାଇଁ ପଥ ପରିସ୍କାର କରିଦେଇଛି ।
ଭାରତ’ ବିଶ୍ୱର ଦ୍ରୁତ ବିକାଶକାରୀ ଅର୍ଥନୀତି ହୋଇପାରିଛି ଓ ବିଶ୍ୱ ଦୃଷ୍ଟିରେ ଭାରତର ସ୍ଥିତିରେ ଉନ୍ନତି ଘଟିଛି । ଆତ୍ମନିର୍ଭର ଭାରତ ଅଭିଯାନ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ହେଉଛି ଏଭଳି ଏକ କାର୍ଯ୍ୟକ୍ରମ, ଯାହା ଉଭୟ ଗ୍ରାମୀଣ ଓ ସହରାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ଶାସିତ ରାଜ୍ୟଗୁଡ଼ିକ ଦେଶର ଯୁବକ-ଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଦେଶର ବିକାଶ ପାଇଁ କାର୍ଯ୍ୟ କରିବାକୁ ଏହା ସେମାନଙ୍କ ସମ୍ମୁଖରେ ଏକ ସୁଯୋଗ । ନୂଆକରି ନିଯୁକ୍ତି ପାଇଥିବା ଯୁବକ-ଯୁବତୀମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଯୋଗଦେବେ । ସେମାନେ ଟ୍ରେନ୍‌‌ ମ୍ୟାନେଜର, ଷ୍ଟେସନ ମାଷ୍ଟର, ଇନ୍ସପେକ୍ଟର, କନେଷ୍ଟବଳ, ଷ୍ଟେନୋଗ୍ରାଫର, ପୋଷ୍ଟାଲ୍‌‌ ଆସିଷ୍ଟାଣ୍ଟ, ଇନ୍‌‌କମ୍‌‌ ଟ୍ୟାକ୍ସ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ପ୍ରଫେସର, ଶିକ୍ଷକ ଓ ନର୍ସ ଭଳି ପଦବୀରେ ନିଯୁକ୍ତି ପାଇଛନ୍ତି ।
ସେମାନେ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ତାଲିମ ପାଇବାର ସୁଯୋଗ ପାଇବେ । କର୍ମଯୋଗୀ ପ୍ରାରମ୍ଭ ହେଉଛି ଏକ ଅନ୍‌‌ଲାଇନ୍‌‌ ଓରିଏଣ୍ଟେସନ
କାର୍ଯ୍ୟକ୍ରମ, ଯେଉଁଥିରେ ଭାରତ ସରକାରଙ୍କ ଅଧୀନରେ ନୂଆକରି ନିଯୁକ୍ତି ପାଇଥିବା କର୍ମଚାରୀମାନେ ତାଲିମ ନେଇପାରିବେ । ଦେଶରେ ନିଯୁକ୍ତି ସୃଷ୍ଟି ପାଇଁ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାର ପାଳନ ସ୍ବରୂପ ରୋଜଗାର ମେଳା ହେଉଛି ଏକ ଅନନ୍ୟ ପଦକ୍ଷେପ।

Comments are closed.