www.samajalive.in
Tuesday, December 9, 2025
26.1 C
Bhubaneswar

ଅନ୍ଧାରୀମୂଲକ ବଡ଼ ଓ ସାନଖଜୁରୀ ଗାଁରେ ପହଞ୍ଚିଲା ପ୍ରଶାସନ

ହରଭଙ୍ଗା: ଢହ ଢହ ଖରାତାତି। ଏମିତିରେ ଘରୁ ବାହାରିବା ମୁସ୍କିଲ। ଟିକଏ ଚାଲିଲେ ଝାଳନାଳରେ ପୋଷାକ ଓଦା ହୋଇଯାଉଛି। ଖରା, ଗରମକୁ ଖାତିର ନକରି ଦିନ ଦ୍ୱିପ୍ରହର ଖରାରେ ବୌଦ୍ଧ ଉପଜିଲାପାଳ ରବୀନ୍ଦ୍ରନାଥ କହଁର, ସୁମନରାଜା ମହାନ୍ତି, ସୌଦାଗର ବେହେରା, ରାଜେନ୍ଦ୍ର ନାରାୟଣ ସେନାପତିଙ୍କ ଭଳି ତିନି ଜଣ ଟି.ଆର.ଓ ଅଧିକାରୀଙ୍କୁ ଧରି ବାହାରିଲେ ହରଭଙ୍ଗା ବ୍ଲକ ଦୁର୍ଗମ ତଳଗାଁ ପଂଚାୟତର ଦୁଇ ଅନ୍ଧାରୀମୂଲକ ବଡ ଖଜୁରୀ ଏବଂ ସାନଖଜୁରୀ ଗାଁ ପରିଦର୍ଶନରେ। ପଚରାଉଚରା କରିବାରୁ ତଳଗାଁରୁ ବଡ ଖଜୁରୀ, ସାନଖଜୁରୀ ଗାଁ ୪/୫ କିଲୋମିଟର ଦୂରହେବ ବୋଲି କିଛି ଲୋକ କହିଲେ।ସମସ୍ତେ ହାତରେ ଗୋଟିଏ ଗୋଟିଏ ପାଣି ବୋତଲ ଧରି ଚାଲିବା ଆରମ୍ଭ କଲେ। ଚାଲି ଚାଲି ଥକି ଯିବା ପରେ ମଧ୍ୟ ଦିଶୁନଥିଲା ଗାଁ। ସାଙ୍ଗରେ ଥିବା ତଳଗାଁ ଏବଂ ସାନଖଜୁରୀରର କିଛି ଲୋକ ପ୍ରଶାସନିକ ଅଧିକାରୀଙ୍କୁ ସାହସ ଦେଉଥିଲେ। ଆଉ ଟିକିଏ ବାଟ କହି କହି ଦୀର୍ଘ ଦୁଇ ଘଣ୍ଟା ଚାଲିବାପରେ ୧୨ କିଲୋମିଟର ଘାଟି, ଜଙ୍ଗଲ ରାସ୍ତା ଅତିକ୍ରମ କରି ସାନ ଖଜୁରୀ ଏବଂ ବଡ ଖଜୁରୀ ଗାଁରେ ପହଞ୍ଚିଥିଲେ।

ସାନଖଜୁରୀରେ ୧୨ଟି ଆଦିବାସୀ ପରିବାର ଏବଂ ବଡ଼ଖଜୁରୀରେ ୧୮ଟି ଆଦିବାସୀ ପରିବାରରେ ପାଖାପାଖି ୧୫୦ ଲୋକ ବସବାସ କରୁଥିବା ପ୍ରଶାସନିକ ଅଧିକାରୀ ଜାଣିବାକୁ ପାଇଥିଲେ। ଗାଁ ଲୋକଙ୍କ ସମସ୍ୟା କଥା ପଚାରି ବୁଝିବା ସହିତ ସେମାନଙ୍କ ସହିତ ବସି ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ବଡ଼ଖଜୁରୀ ଗାଁରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ସରକାରୀ ଖାତାପତ୍ରରେ ରହିଥିବାବେଳେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଘର ଫାଉଣ୍ଡେସନ ରହିଥିବା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ତଥାପି ପିଲାଙ୍କୁ ଶିଶୁ ଖାଦ୍ୟ ବଣ୍ଟନ ହେଉଥିବା ଜାଣି ଖୁସିବ୍ୟକ୍ତ କରିଥିଲେ। ଲୋକଙ୍କୁ ଗ୍ରାମୀଣ ଆବାସ ଘର ମିଳିଥିଲେ ସୁଦ୍ଧା ଲୋକେ ଘର ସମ୍ପୂର୍ଣ୍ଣ କରିପାରିନଥିବା ଜାଣିବାକୁ ପାଇଥିଲେ। ଗାଁକୁ ବିଜୁଳି ଆଲୁଅ ପାଇଁ ଖୁଣ୍ଟ ପୋତା ଏବଂ ତାର ଟଣା କାମ ସରିଥିବାବେଳେ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇନଥିବା ଜାଣିବାକୁ ପାଇଥିଲେ।ଗାଁ କୁ ରାସ୍ତା ନଥିବାବେଳେ ଲୋକଙ୍କ ପାଇଁ ପାନୀୟ ଜଳ ସୁବିଧା ମଧ୍ୟ ନଥିବା ଜଣାପଡ଼ିଥିଲା। ଏସବୁ ସମସ୍ୟା ମଧ୍ୟରେ ବି ସେମାନେ ପାହାଡ ଉପରେ ପୁରୁଷ ପୁରୁଷ ଧରି ଜୀବିକା ନିର୍ବାହ କରିଆସୁଥିବା ଏବଂ ଭିଟାମାଟି ପ୍ରତି ତାଙ୍କର ମୋହ ଦେଖି ଆଶ୍ଚର୍ଯ୍ୟପ୍ରକଟ କରିଥିଲେ। ଗାଁର ମୁଖିଆମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ବୁଝାଇଥିଲେ। ଏଥିପାଇଁ ସରକାର ଜମି, ଘରଦ୍ୱାରା, ପିଇବା ପାଣି, ରାସ୍ତା, ପାଠପଢ଼ିବା ଏପରିକି ପିଲାଙ୍କୁ କାମଧନ୍ଦା ଯୋଗାଇବା ପାଇଁ ସବୁପ୍ରକାର ସୁବିଧାଯୋଗାଇବାର ନିୟମ କଥା କହିଥିଲେ। ଶେଷରେ ସନ୍ଧ୍ୟା ୬ଟାବେଳେ ପୁଣି ୧୨ କିଲୋମିଟର ଜଙ୍ଗଲ ରାସ୍ତା ଅତିକ୍ରମ କରି ପାଖାପାଖି ୮ଟାବେଳେ ତଳଗାଁ ପଂଚାୟତରେ ପହଞ୍ଚିଥିଲେ। ସେତେବେଳକୁ ପ୍ରଶାସନିକ ଅଧିକାରୀମାନେ ଚାଲି ଚାଲି ଥକି ସମ୍ପୂର୍ଣ୍ଣ ଥକିପଡ଼ିଥିଲେ। ଦୀର୍ଘବର୍ଷର ବ୍ୟବଧାନ ପରେ ଗାଁ ଲୋକେ ପ୍ରଶାସନିକ ଅଧିକାରୀଙ୍କୁ ପାଖରେ ପାଇ ମନଖୋଲି କଥାହୋଇଥିଲେ। ଉପଜିଲାପାଳ ଏହି ଗସ୍ତ ବାବଦରେ ଏକ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିବା ପରେ ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories