ବୃକ୍ଷଶୂନ୍ୟ ସୋମପଡ଼ା-ବଡ଼ବନ୍ଧିଆଣୀ-ଖଣ୍ଡହତା ରାସ୍ତା
ତିଗିରିଆ: ତିଗିରିଆ ବ୍ଳକ ସୋମପଡ଼ା ଗ୍ରାମଠାରୁ ଖଣ୍ଡହତା ଗ୍ରାମ ପର୍ଯ୍ୟନ୍ତ ସଂଯୁକ୍ତ ପ୍ରାୟ ୫ କିମିର ଗ୍ରାମ ଉନ୍ନୟନ ବିଭାଗ ରାସ୍ତାଟି ସମ୍ପୂର୍ଣ୍ଣ ବୃକ୍ଷଶୂନ୍ୟ ହୋଇପଡ଼ିଛି। ଜନବସତି ଶୂନ୍ୟ ଏହି ରାସ୍ତାର ପଥଯାତ୍ରୀଙ୍କ ପାଇଁ ଖରାଦିନିଆ ତାତି ଅସହ୍ୟ ହୋଇ ପଡୁଛି।
ରାସ୍ତାଟି ସମ୍ପୂର୍ଣ୍ଣ ବନ୍ୟାଞ୍ଚଳରେ ରହିଛି ଏବଂ ଏହା ମହାନଦୀ କୂଳବର୍ତ୍ତୀ ପଞ୍ଚାୟତଗୁଡ଼ିକୁ ବ୍ଲକ ସଦର ମହକୁମାକୁ ସଂଯୋଗ କରିଛି। ଏପରି ସ୍ଥଳେ ରାସ୍ତାଟି ବୃକ୍ଷଶୂନ୍ୟ ଯୋଗୁ ପ୍ରଚଣ୍ଡ ଖରା ତାତି ସମୟରେ ଯାତାୟାତ କରୁଥିବା ହଜାର ହଜାର ଚାଷୀ, ଛାତ୍ରଛାତ୍ରୀଙ୍କ ସହିତ ଅନ୍ୟାନ୍ୟ ବାଟୋଇଙ୍କ ପାଇଁ ଦୁର୍ବିସହ ହୋଇ ପଡୁଛି। ଗୋଟିଏ ପଟେ ରାସ୍ତାଟି ଜନବସତି ଶୂନ୍ୟ ହୋଇଥିବା ବେଳେ ଅନ୍ୟ ପଟେ ବୃକ୍ଷଶୂନ୍ୟ। କୌଣସି ପଥଯାତ୍ରୀ ଅଂଶୁଘାତର ଶିକାର ହେଲେ କିମ୍ବା ତାତି ବେଳେ ସାମାନ୍ୟ ବିଶ୍ରାମ ପାଇଁ ଗଛ ଛାଇ ଟିକେ ପାଇବା ସମ୍ଭବ ନୁହେଁ। ବିଗତ ବର୍ଷରେ ଉକ୍ତ ରାସ୍ତାଟିର ଉଭୟ ପାର୍ଶ୍ଵରେ ଅନେକ ଜଙ୍ଗଲୀ ବୃକ୍ଷ ରହିଥିଲା।
ବର୍ଷାନୁକ୍ରମେ ରାସ୍ତାଟିର ନବୀକରଣ ସମୟରେ ଶହଶହ ବୃକ୍ଷ କଟାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସାନି ବୃକ୍ଷ ରୋପଣ କରାଯାଇ ନାହିଁ। ଏଣୁ ଏବେ ଉକ୍ତ ରାସ୍ତାଟି ସମ୍ପୂର୍ଣ୍ଣ ବୃକ୍ଷଶୂନ୍ୟ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ବନ ବିଭାଗ ପକ୍ଷରୁ ବିଭିନ୍ନ ରାସ୍ତା ଏଵଂ ଟାଙ୍ଗରା ସରକାରୀ ସ୍ଥାନକୁ ବୃକ୍ଷ ରୋପଣ କରାଯିବାକୁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ବିନିଯୋଗ କରାଯାଉଥିବା ବେଳେ ଉକ୍ତ ରାସ୍ତାଟି ଏଥିରୁ ବାଦ୍ ପଡ଼ିଥିବା ଦେଖିବାକୁ ମିଳିଛି। ଉଲ୍ଲେଖ ଯୋଗ୍ୟ ଉକ୍ତ ରାସ୍ତାର ଠିକ୍ ମଧ୍ୟବର୍ତ୍ତୀ ସ୍ଥାନରେ ତିଗିରିଆର ଆରାଧ୍ୟା ମା ବଡ ବନ୍ଧିଆଣିଙ୍କ ପୀଠ ରହିଛି।
ଏଣୁ ବିଭିନ୍ନ ପୂର୍ଣ୍ୟ ପର୍ବରେ ଶ୍ରଦ୍ଧାଳୁମାନେ ଏହି ରାସ୍ତାରେ ଦେବୀଙ୍କ ପୀଠକୁ ଯାତାୟାତ କରିଥାନ୍ତି। ବିଶେଷ କରି ତିଗିରିଆ ଗଡ଼କୁ ପ୍ରତ୍ୟହ ନଦୀ କୂଳ ଅଞ୍ଚଳର ବହୁ ଚାଷୀ ଏବଂ ଶହଶହ କଲେଜ ପଢୁଆ ଛାତ୍ରଛାତ୍ରୀ ସାଇକେଲ ଯୋଗେ ଏହି ରାସ୍ତାରେ ଯାତାୟାତ କରିଥାନ୍ତି। ତେଣୁ ଯିବା ଆସିବ ବେଳେ ସାମାନ୍ୟ ଥକା ମାରିବା ପାଇଁ ରାସ୍ତା କଡ଼ରେ ବୃକ୍ଷ କିମ୍ବା ଘରଟିଏ ମିଳିବା ସମ୍ଭବ ନୁହେଁ। ଏଣୁ ଉକ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ରାସ୍ତାର ଉଭୟ ପାର୍ଶ୍ୱକୁ ବନୀକରଣ କରାଯିବାକୁ ସ୍ଥାନୀୟ ଜନସାଧାରଣରେ ଦାବି ହେଉଛି।
Comments are closed.