ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ; ଗ୍ରାମବାସୀଙ୍କ ଥାନା ଘେରାଉ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଦାନୁଆବାଲିପୋଷି ଗ୍ରାମରେ ଜନୈକ ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମହିଳାଙ୍କୁ ଆଣିଥିବା ଯଦୁ ଲୋହାର ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରି ଗିରଫ ଦାବିରେ ଶୁକ୍ରବାର ଗ୍ରାମବାସୀ ଠାକୁରମୁଣ୍ଡା ଥାନା ଘେରାଉ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଦନୁଆବାଲିପୋଷି ଗ୍ରାମର ଜିପା ଲୋହାରଙ୍କ ଜ୍ୱାଇଁ ଯଦୁ ଲୋହାର ଗୁଜୁରାଟରେ କାମ କରନ୍ତି। ସେଠାରେ ପଡୋଶୀ ଭାବରେ ରହୁଥିଲେ ଦୁର୍ଗା ସିଂଙ୍କ ପରିବାର। ଉଭୟ ପଡୋଶୀ ଘନିଷ୍ଠ ଥିଲେ। ଯଦୁଙ୍କ କହିବା ମୁତାବକ, ଗତ ମାର୍ଚ୍ଚ ୨୮ତାରିଖରେ ସେମାନେ ସାଙ୍ଗ ହୋଇ ଟ୍ରେନରେ ଭୁବନେଶ୍ୱର ଆସିଥିଲେ। ସେଠାରୁ ଦୁର୍ଗା ସିଂ ତାଙ୍କ ପତ୍ନୀ କୁନି ସିଂ ଓ ଝିଅକୁ ଛାଡି ଚାଲିଗଲେ। ଖୋଜାଖୋଜି କରି ନପାଇବା ଯୋଗୁଁ ଯଦୁ କୁନି ଓ ତାଙ୍କ ୨ ବର୍ଷର ଝିଅକୁ ନେଇ ଠାକୁରମୁଣ୍ଡାର ଦନୁଆବାଲିପୋଷି ଶ୍ୱଶୁରଘରକୁ ଚାଲି ଆସିଲେ। ସେବେଠାରୁ ସେମାନେ ଦାନୁଆବାଲିପୋଷିରେ ରହି ଆସୁଥିଲେ। ମାତ୍ର ଗୁରୁବାର କୁନି ମରି ପଡିଥିବା ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। କୁନି ଗର୍ଭବତୀ ଥିଲେ। କିଛି ଦିନ ପୂର୍ବରୁ ଆଶାକର୍ମୀଙ୍କ ନିକଟକୁ ପଞ୍ଜିକୃତ ହେବାକୁ ଯାଇଥିବା ବେଳେ ସେ ନିଜ ଗାଁରେ ପଞ୍ଜିକରଣ ପାଇଁ ପରାମର୍ଶ ଦେଇ ପଠାଇ ଦେଇଥିଲେ। ତେବେ ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ଯଦୁଙ୍କୁ ଗିରଫ କରିବାକୁ ତଥା ପୁଲିସ ତଦନ୍ତ କରି ସତ୍ୟ ପ୍ରକାଶ ସହିତ ଦୋଷୀକୁ ଦଣ୍ଡ ପାଇଁ ଲୋକେ ଅଡ଼ି ବସିଛନ୍ତି। ଏ ବିଷୟରେ ଠାକୁରମୁଣ୍ଡା ଥାନା ଅଧିକାରୀଙ୍କୁ ପଚାରିବାରୁ, ତଦନ୍ତ ଚାଲିଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି କହିଛନ୍ତି।

Comments are closed.