ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ ପାଇଁ ତାଲିମ ଶିବିର
ରେଙ୍ଗାଲିକ୍ୟାମ୍ପ: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ସଂଶୋଧିତ ଅଧିନିୟମ ୨୦୨୦ରେ ଥିବା ବ୍ୟବସ୍ଥା ଅନୁଯାୟୀ ପଛୁଆ ବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତିକୁ ସର୍ଭେ କରିବା ପାଇଁ ରାଜ୍ୟ ପଛୁଆ ବର୍ଗ କମିଶନର ଅନୁମୋଦନ କରିଛନ୍ତି। ଏହି ସର୍ଭେ ସାରା ରାଜ୍ୟରେ ଆସନ୍ତା ମେ’ ୧ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଓ ମେ’ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଏହା ଉପରେ ବିଶେଷ କାର୍ଯ୍ୟକ୍ରମ ଚାଲିବ। ତେଣୁ ଆଜି ଅତାବିରା ମହାବିଦ୍ୟାଳୟ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ମେହେରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ ପାଇଁ ପର୍ଯ୍ୟବେକ୍ଷକ ଓ ଗଣନାକାରୀମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ହୋଇଥିବା ବ୍ଲକସ୍ତରୀୟ ତାଲିମ ଶିବିରରେ ୭୩ଟି ରାଜସ୍ବ ଗ୍ରାମ ଓ ୯୧ଟି ସର୍ଭେ କେନ୍ଦ୍ରରୁ ୯ ଜଣ ପର୍ଯ୍ୟବେକ୍ଷକ, ୯୧ ଜଣ ଗଣନାକାରୀ ଓ ୧୮ ଜଣ ରିଜର୍ଭ ଗଣନାକାରୀ ଏହି ଶିବିରରେ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରୀନ୍ଦ୍ର ସାହୁ, ଇନଚାର୍ଜ ଜିପିଓ ସରୋଜ ନନ୍ଦ, ସିଇଓ ସରୋଜ ମେହେର ଓ ଅତାବିରା ଅତିରିକ୍ତ ମତ୍ସ୍ୟ ଓ ପଶୁ ଅଧିକାରୀ ନିର୍ମାଲ୍ୟ ରାଉତ ମାଷ୍ଟର ଟ୍ରେନର ଭାବରେ ପ୍ରୋଜେକ୍ଟର ମାଧ୍ୟମରେ ତାଲିମ ଦେଇଥିଲେ । ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ତାଲିମ ଦିଆଯାଇଥିଲା । ଏହି ସର୍ବେକ୍ଷଣର ନିୟମ ଅନୁଯାୟୀ ପଛୁଆ ବର୍ଗ(ଏସଇବିସି)ର ବ୍ୟକ୍ତି ତଥା ଛାତ୍ରଛାତ୍ରୀମାନେ ତାଙ୍କର ତଥ୍ୟ ଆଇସିଆର୍ ଫର୍ମ ମାଧ୍ୟମରେ ପ୍ରତି ସର୍ଭେ କେନ୍ଦ୍ରମାନଙ୍କରେ ଦାଖଲ କରିବେ । ସେହି ତଥ୍ୟକୁ ଭିତ୍ତି କରି ସେମାନଙ୍କ ସାମାଜିକ ଓ ଶିକ୍ଷାଗତ ତଥ୍ୟଗୁଡ଼ିକୁ କିପରି ତଥ୍ୟାବଳୀ ମାଧ୍ୟମରେ ଲିପିବଦ୍ଧ କରିବେ, ସେ ଉପରେ ସବିଶେଷ ତାଲିମ ପ୍ରଦାନ କରାଯାଇଥିଲା । ଆସନ୍ତା ୨୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟରେ ତାଲିମ ଦିଆଯିବ ବୋଲି ଜଣାପଡିଛି। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.