ଭିନ୍ନ ଜଣେ ବିଶ୍ୱକର୍ମା ବ୍ରଜବନ୍ଧୁ: ଗଢିଲେ ମନ୍ଦିର ଓ ଲଣ୍ଡା ପାହାଡରେ ସୃଷ୍ଟିକଲେ ସବୁଜ ବନାନୀ
ଗୁରୁଡିଝାଟିଆ:ରାଜଧାନୀର କୋଠା ଓ ଜମି ଅମୂଲ ମୂଲ। କିଏ ବା କାହିିଁକି ବିଳାସପୂର୍ଣ୍ଣ ,ଚାକଚକ୍ୟ ପରିବେଶର ମୋହକୁ ଛାଡି ପାରିବ । ଏବେ ତ ଯୁବପିଢି ଗାଁକୁ ଛାଡି ସହରମୁହାଁ। ଥରେ ସହରକୁ ଆସିଲେଆଉ ଗାଁକୁ ଫେରିବା ପାଇଁ ଇଚ୍ଛା କରୁନାହାନ୍ତି। ସେମାନଙ୍କୁ ଜନ୍ମମାଟିର ମୋହ ଆକର୍ଷିତ କରିପାରୁନାହିଁ। ହେଲେ ଭିନ୍ନ ଏକ ବିଶ୍ୱକର୍ମା ହେଉଛନ୍ତି ବ୍ରଜବନ୍ଧୁ ଲେଙ୍କା, ଯାହାଙ୍କୁ ଜନ୍ମମାଟିର ଆକର୍ଷଣ ଓ ମମତାର ଡୋରି ଭୂବନେଶ୍ୱରରେ ବାନ୍ଧି ରଖି ପାରିଲାନାହିଁ। ଭୁବନେଶ୍ୱରର ଶୈଳଶ୍ରୀ ବିହାର କୋଠା ଓ ଆଇଗିଣିଆ ଜମିକୁ ବିକି ମନ୍ଦିର ତିଆରି ପାଇଁ ନିଷ୍ପତ୍ତି ନେଇଥିଲେ। ନିଜ ଗାଁ ଧୁରୁଷିଆରେ ଗଢିଲେ ମନ୍ଦିର ଓ ଲଣ୍ଡା ପାହାଡରେ ସୃଷ୍ଟିକଲେ ସବୁଜ ବନାନୀ।
ଆଠଗଡ ବ୍ଲକର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଧୁରୁଷିଆ ଏକ ସଂସ୍କୃତି ସଂପନ୍ନ ଗାଁ। ପିତା ପଦ୍ମନାଭ ଲେଙ୍କାଙ୍କ ପୁତ୍ର ବ୍ରଜବନ୍ଧୁ(୮୭) ଇଂଜିନିୟରିଂ ଶିକ୍ଷା ସମାପ୍ତ ପରେ ୧୯୬୩ ମସିହାରେ ଓଡିଶା ସରକାରଙ୍କ ଶିଳ୍ପ ବିଭାଗରେ ଚାକିରି କରିଥିଲେ। ଓଡିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିବା ପରେ ଭୂବନେଶ୍ୱରରେ ଜମି କିଣିବା ସହ ଘରଟିଏ ମଧ୍ୟ କରିଥିଲେ। ଅବସର ପରେ ୧୯୯୯ ମସିହା ମହାବାତ୍ୟା ପରେ ନିଜ ଗାଁ ଧୁରୁଷିଆକୁ ଆସିଥିଲେ। ମନରେ ଅସୁମାରୀ ସ୍ୱପ୍ନ ଥିଲା ଗାଁ ପାଇଁ କିଛି କରିବି। ସେଥିପାଇଁ ତ ଗାଁର କିଛି ଯୁବକ ଓ ରାମଲୀଳା ଅନୁଷ୍ଠାନର ସଦସ୍ୟଙ୍କ ସହିତ କଥା ହେଲେ। ଏହାପରେ ହନୁମାନ ମନ୍ଦିର ନିର୍ମାଣ ଓ ଲଣ୍ଡା ପାହାଡ ଉପରେ ସବୁଜ ବନାନୀ ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଏଥିପାଇଁ ଭୁବନେଶ୍ୱର ଘର ଓ ଜମିକୁ ବିକ୍ରୀ କରି ଅର୍ଥ ଯୋଗାଡ଼ କରିଥିଲେ। ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଅଧିକ ଅର୍ଥ ଦରକାର ପଡୁଥିବାରୁ ନିଜର ସାଙ୍ଗ,ବନ୍ଧୁ ଓ ସଂପର୍କୀୟମାନଙ୍କ ସହିତ ସହଯୋଗ ଲୋଡିଲେ। ୨୦୦୦ ମସିହାରୁ ଆରମ୍ଭ ହୋଇଥିବା ହନୁମାନ ମନ୍ଦିର ୨୦୦୬ ରେ ପ୍ରତିଷ୍ଠା କରାଗଲା।
ଚାକିରିରୁ ଅବସରକାଳୀନ ଅର୍ଥ, ଜମି ଓ ଘର ବିକ୍ରି ଅର୍ଥ ପ୍ରାୟ ୧୬ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଥିବା ବେଳେ ସଂପର୍କୀୟମାନେ ଦେଇଥିଲେ ୩ଲକ୍ଷ ଟଙ୍କା। ଏବେ ଧୁରୁଷିଆ ମୁଣ୍ଡିଆଟି ସବୁଜ ବନାନୀରେ ହସିଉଠୁଛି। ଲଣ୍ଡାପାହାଡରେ ଦିନ ତମାମ ଗଛ ଲଗାଇବା ସହ ପାଣିଦେଇ ବଞ୍ଚାଇବା କାମରେ ଅହରହ ଲାଗିପଡିଛନ୍ତି। ପରିଣତ ବୟସ ଉତ୍ସର୍ଗୀକୃତ ମନୋଭାବ ଓ କର୍ମପ୍ରେରଣା ନିକଟରେ ହାର ମାନିଛି। ଏବେବି ଗଛରେ ପାଣିଦେବା, ମନ୍ଦିରକୁ ସଫା କରିବା କାମରେ ନିଜକୁ ହଜାଇ ଦେଇଛନ୍ତି। ଏବେ ଧୁରୁଷିଆ ମୁଣ୍ଡିଆରେ ହନୁମାନ ମନ୍ଦିର ,ସବୁଜ ବନାନୀ ସହିତ ଗ୍ରାମବାସୀଙ୍କ ସହଯୋଗରେ ଯଜ୍ଞ ମଣ୍ଡପ, ଶ୍ରୀଗଣେଶ ମନ୍ଦିର, ଶିବ ମନ୍ଦିର ଗଢି ଉଠିଛି। ଗାଁର ଯୁବକ ଅନ୍ତର୍ଯ୍ୟାମୀ ବେହେରା, ଅରକ୍ଷିତ ବେହେରା, ନିରାକାର ଲେଙ୍କା, ସଞ୍ଜୟ ରାଉତ, ପ୍ରଶାନ୍ତ ବେହେରାଙ୍କ ସହିତ ଗାଁ ଲୋକମାନେ ବ୍ରଜବନ୍ଧୁଙ୍କ ସହିତ ହାତକୁ ହାତ ମିଳାଇ ଲଣ୍ଡା ପାହାଡକୁ ଆଧ୍ୟାତ୍ମିକ କ୍ଷେତ୍ର ଓ ସବୁଜ ବନାନୀରେ ପରିଣତ କରିଦେଇଛନ୍ତି।
Comments are closed.