ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଅଧ୍ୟକ୍ଷ ସମ୍ମିଳନୀରେ ନିଷ୍ପତ୍ତି, ନାମଲେଖାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ୭୦% ସଂରକ୍ଷଣ
କଟକ:ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ନାମ ଲେଖାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ୭୦ପ୍ରତିଶତ ସଂରକ୍ଷଣ ସୁବିଧା ରହିବ। ଏନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୦୨୩-୨୪ ଶିକ୍ଷାବର୍ଷରୁ ଏହି ନୂଆ ବ୍ୟବସ୍ଥା କାର୍ୟ୍ୟକାରୀ ହେବ। ଖୁବ୍ଶୀଘ୍ର ବିଶ୍ବବିଦ୍ୟାଳୟରେ କଲେଜ ଉନ୍ନୟନ ପରିଷଦ(ସିଡିସି) ଗଠନ କରାଯିବ। ମଧୁସୂଦନ ବିଶ୍ବବିଦ୍ୟାଳୟରେ ଶନିବାର ଅନୁଷ୍ଠିତ ଅଧ୍ୟକ୍ଷ ସମ୍ମିଳନୀରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।
କୁଳପତି ପ୍ରଫେସର କମଲଜିତ ସିଂହଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ୨୦୨୩-୨୪ ଶିକ୍ଷାବର୍ଷରୁ ବିଶ୍ବବିଦ୍ୟାଳୟ ସମେତ ଅନୁବନ୍ଧିତ ୨୪ ଆଇନ ମହାବିଦ୍ୟାଳୟରେ ସମୁଦାୟ ଆସନର ୭୦ % ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ। ଅବଶିଷ୍ଟ ୩୦ ପ୍ରତିଶତ ଆସନରେ ଅନ୍ୟ ବିଦ୍ୟାର୍ଥୀଙ୍କୁ ନାମଲେଖାଇବା ପାଇଁ ସୁଯୋଗ ମିଳିବ। ଏହି ନିୟମକୁ ସବୁ ମହାବିଦ୍ୟାଳୟ ଅନୁପାଳନ କରିବାକୁ କୁଳପତି ନିର୍ଦେଶ ଦେଇଛନ୍ତି।
ଅନୁବନ୍ଧିତ ମହାବିଦ୍ୟାଳୟର ବିକାଶ ପାଇଁ ଖୁବ୍ଶୀଘ୍ର ମହାବିଦ୍ୟାଳୟ ଉନ୍ନୟନ ପରିଷଦ(ସିଡିସି) ଗଠନ କରାଯିବ। କ୍ରୀଡ଼ା ସହ ଅନୁବନ୍ଧିତ ମହାବିଦ୍ୟାଳୟର ନାକ୍ ମାନ୍ୟତା ନେଇ ବୈଠକରେ ଆଲୋଚନା ହୋଇଥିଲା। ସେହିପରି ପରୀକ୍ଷା ପରିଚାଳନାରେ ସଂସ୍କାର ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ପ୍ରଥମ ବିଶ୍ବବିଦ୍ୟାଳୟ ଭାବେ ପରୀକ୍ଷା ଫଳ ପୁନଃ ମୂଲ୍ୟାୟନ ବା ଆଉଥରେ ଖାତା ଦେଖା ବ୍ୟବସ୍ଥା ଲାଗୁ କରାଯିବ। ମୂଲ୍ୟାୟନ ପ୍ରଦତ୍ତ ନମ୍ବର(ରି-ଆଡିସନ) ବଦଳରେ ରି-ଚେକିଂ(ପୁନଃ ମୂଲ୍ୟାୟନ) ବ୍ୟବସ୍ଥା ଲାଗୁ ନେଇ ନିଷ୍ପତ୍ତି ନିଆଯାଇଛି। ସବୁ ବିଷୟରେ କୃତକାର୍ୟ୍ୟ ହୋଇ ଗୋଟିଏ ବିଷୟରେ ଅକୃତକାର୍ୟ୍ୟ ହୋଇଥିବା ବିଦ୍ୟାର୍ଥୀଙ୍କୁ ହାର୍ଡ ରୁଲ ମୁତାବକ ୫ ମାର୍କ ପର୍ୟ୍ୟନ୍ତ ଗ୍ରେସ୍ ମାର୍କ ମିଳିବ।
ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ସବୁ ମହାବିଦ୍ୟାଳୟ ପାଠପଢା ସମୟ ସମାନ ରହିବ। କେବଳ ଏଲଏଲବି ଥିବା ଶିକ୍ଷାନୁଷ୍ଠାନରେ ପୂର୍ବାହ୍ଣ ୮ଟା୩୦ରୁ ପାଠପଢା ଆରମ୍ଭ ହୋଇ ଅପରାହ୍ଣ ୨ଟା୩୦ ପର୍ୟ୍ୟନ୍ତ ଚାଲିବ। ଏଲଏଲଏମ୍ ଥିବା ଶିକ୍ଷାନୁଷ୍ଠାନରେ ୮ଟା୩୦ରୁ ପାଠପଢା ଆରମ୍ଭ ହୋଇ ଅପରାହ୍ଣ ୩ଟା ୩୦ ପର୍ୟ୍ୟନ୍ତ ଚାଲିବ। ଏହି ଏକକ ସମୟ ବିଶ୍ବବିଦ୍ୟାଳୟ ସମେତ ସବୁ ମହାବିଦ୍ୟାଳୟ ପାଇଁ ଲାଗୁ ହେବ। ଏହା ବ୍ୟତୀତ ମାଇଗ୍ରେସନ୍ ସାର୍ଟିଫିକେଟ୍ ଦାଖଲ, ବିଶ୍ବବିଦ୍ୟାଳୟ ସହ ମହାବିଦ୍ୟାଳୟର ସମନ୍ବୟ, ନାକ୍ ମାନ୍ୟତା, ପରୀକ୍ଷାରେ ସ୍ବଚ୍ଛତା, ବିଶ୍ବବିଦ୍ୟାଳୟସ୍ତରୀୟ କ୍ରୀଡ଼ା ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।
ପିଜି କାଉନସିଲ ଅଧ୍ୟକ୍ଷ ଡ.ସୌମିତ୍ର କୁମାର ଚାଟାର୍ଜୀ ବୈଠକରେ ଆଭିମୁଖ୍ୟ ସମ୍ମୁଖରେ ଆଲୋକପାତ କରିବା ସହ ୧୬ଟି ପ୍ରସ୍ତାବ ସମ୍ବନ୍ଧରେ ସୂଚନା ଦେଇଥିଲେ।
୨୪ ଅନୁବନ୍ଧିତ ମହାବିଦ୍ୟାଳୟ ମଧ୍ୟରୁ ୧୯ ମହାବିଦ୍ୟାଳୟର ଅଧ୍ୟକ୍ଷ/ଅଧ୍ୟକ୍ଷା ବୈଠକରେ ଯୋଗଦେଇଥିଲେ। ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତି ସମ୍ବନ୍ଧରେ ଆସନ୍ତା ୧୫ରେ ହେବାକୁ ଥିବା ସିଣ୍ଡିକେଟ୍ ବୈଠକରେ ପ୍ରସ୍ତାବ ଆଗତ ହେବ। ଅଧ୍ୟାପିକା ହୀରଣମୟୀ ମିଶ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ଡିଏସ୍ଡବ୍ଲ୍ୟୁ ଡ.ନିଧି ଚୌହ୍ବାନ ଧନ୍ୟବାଦ ଦେଇଥିଲେ।
Comments are closed.