ଅଳପ କହିବା ଆସ୍ତେ କହିବା
ଗିରିଜା ଶଙ୍କର ମିଶ୍ର
କେଡେ ନିଃଶବ୍ଦରେ ଫୁଲଟିଏ ଫୁଟି ଚହଟାଇଦେଉଥାଏ ତାର ମହକ ଚଉଦିଗକୁ। କକ୍ଷପଥରେ ପରିକ୍ରମଣ କରୁଥାନ୍ତି ଗ୍ରହ ଉପଗ୍ରହ। ଘୂରି ବୁଲୁଥାଏ ଋତୁଚକ୍ର ଅହରହ। ନା ଥାଏ କଳରୋଳ ନା କୋଳାହଳ। ବୋଧହୁଏ ସେଇଥିପାଇଁ ଟି. ଏସ. ଏଲିଅଟ କହିଥିଲେ ପୃଥିବୀର ସବୁ ବଡ ପରିବର୍ତ୍ତନ ଘଟେ ନୀରବ, ନିଃଶବ୍ଦରେ। ‘ନଟ ଉଇଥ ଏ ବ୍ୟାଙ୍ଗ ବଟ ଏ ହ୍ବିମ୍ପର।’
ଆମ୍ଭମାନଙ୍କର କାହିଁକି ଏତେ ଚିତ୍କାର, ଆତ୍ମପ୍ରଚାର। ସବୁ କଥାରେ ମୁଁ ମୁଁ, ମୋର ମୋର। କୁହାଯାଏ ଜୀବନ ‘ଅ’, ‘ଆ’ର ଜୟଗାନ। ଅବନୀରୁ ଆକାଶ, ଅନ୍ଧାରରୁ ଆଲୋକ, ଅନିତ୍ୟରୁ ଅମୃତ, ଆରମ୍ଭରୁ ଅନ୍ତିମ ସବୁ ‘ଅ’ ‘ଆ’ରୁ। ଅାଶାର ଇଟାରେ ସ୍ବପ୍ନର ମହଲ ତିଆରି ହୁଏ। କିଛି ଆବେଗ, ଅନୁରାଗ, କିଛି ଅନିର୍ବଚନୀୟ ଅନୁଭବ, କିଛି ଅଭିମାନ ଓ ଅଭିଯୋଗ, କିଛି ପରମାତ୍ମାଙ୍କ ଆଶୀର୍ବାଦ ଓ ଆକର୍ଷଣ – ଏଇ ତ ଜୀବନ। ବନ୍ଧୁର ପଥରେ ଜୀବନ ଜାହ୍ନବୀ ଧାଉଁଥାଏ ଅଳକାନନ୍ଦାର ଅନ୍ତୁଡ଼ିଶାଳାରୁ ଆତ୍ମପରିଚୟର ଅନ୍ୱେଷଣରେ। ଧୀର ପଦବ୍ରଜରେ ଅନନ୍ତ ଲକ୍ଷ୍ୟରେ। ଅଳପ, ଅଳପ, ଆସ୍ତେ, ଆସ୍ତେ।
ମନେପଡୁଛି ତିରିଶ ବର୍ଷ ତଳର କଥା। ବିବାହ ପରେ ଝିଅ ବିଦା ବେଳ ପାଖେଇ ଆସିଲା। ଚଉରା ମୂଳେ ମାଆ ବୃନ୍ଦାବତୀଙ୍କୁ ପ୍ରଣିପାତ କଲାବେଳକୁ ଝିଅ ଆଉ ନିଜକୁ ସମ୍ଭାଳି ପାରିଲାନି। କଇଁ କଇଁ କାନ୍ଦି ଲୁହରେ ସଡବଡ ହୋଇ ଭୂଇଁରେ ଲୋଟି ପଡିଲା। ଝପଟି ଆସିଲେ ଟୁନି ନାନୀ। ଝିଅକୁ କୋଳେଇ ନେଇ ଛାତିରେ ଜାକି ଧଇଲେ। ପଣତ କାନିରେ ଝିଅର ଲୁହତକ ପୋଛି ଦେଲେ। କପାଳରେ ଚୁମାଟିଏ ଦେଇ ପିଠି ଥାପୁଡ଼େଇ କହିଲେ, ‘‘ମୋ ଝିଅ ତ ଜଗତଜିତା। ସେ କାହିଁକି କାନ୍ଦିବ ? ମା’ଲୋ ବିପଦ ଆପଦରେ ମାଆ ଭଗବତୀଙ୍କୁ ଡାକୁଥିବୁ, ଯେତେ ଝଡ଼ ଝଞ୍ଜା ଆସୁ ଜୀବନର ମୂଳମନ୍ତ୍ର ‘ଅ’, ‘ଆ’ ଭୁଲିବୁନି। ‘ଅ’ରେ ଅଳପ, ‘ଆ’ରେ ଆସ୍ତେ। ଅଳପ କହିବୁ। ଆସ୍ତେ କହିବୁ। ଯେତିକି ଆବଶ୍ୟକ ସେତିକି କହିବୁ।’’
ସେଦିନୁ ତିରିଶି ବର୍ଷ ବିତିଗଲାଣି; କିନ୍ତୁ ଜୀବନର ସେଇ ମୂଳମନ୍ତ୍ର ଆଜି ଯାଏ ସ୍ମରଣରେ ଅଛି। ସଂସାରର ପଥ ବଡ଼ ଦୁର୍ଗମ। ମନ୍ଥରା, ଶକୁନିଙ୍କର ବି ଅଭାବ ନାହିଁ। କୁହାଯାଏ ସେଇ ଜିଭରେ ପୀୟୂଷ ଓ ବିଷ। ଦିନେ ଜିଭ ଦାନ୍ତଙ୍କୁ କହିଲା, ‘ତୁମ୍ଭେମାନେ କେତେ ଭଲ। ସବୁ ଖାଦ୍ୟ ପଦାର୍ଥକୁ ଖଣ୍ଡ ଖଣ୍ଡ କରି କାଟି ଟିକିଟିକି କରି ଦେଉଛ। ଫଳରେ ଖାଦ୍ୟ କଣିକାରେ ରହିଥିବା ସ୍ବାଦକୁ ମୁଁ ମର୍ମେ ମର୍ମେ ଅନୁଭବ କରିପାରୁଛି। ପ୍ରତିଦାନରେ ମୁଁ ତୁମ୍ଭମାନଙ୍କର ଋଣ କିପରି ଶୁଝି ପାରିବି?’ ଦାନ୍ତଗୁଡିକ ହସି ଦେଇ କହିଲେ, “ବିଧାତା ତୋତେ କେତେ ଯତ୍ନରେ ଆମ ସୁରକ୍ଷା ବଳୟ ଭିତରେ ରଖିଛି। ତେଣୁ ତୁ ସେମିତି ଧୀର ସ୍ଥିର ହୋଇ ରହିଥା। ସୁନ୍ଦର, ସୁମିଷ୍ଟ କଥାରେ ଜନ ମନ ମୋହୁଥା।”
ସେଇଥିପାଇଁ ତ ପ୍ରଭୁ ଜାଣି ଜାଣି ଦେଇଛନ୍ତି ଗୋଟିଏ ମୁହଁ ଦୁଇଟି କାନ। କହିବା ଯେତିକି ଶୁଣିବା ତାର ଦୁଇଗୁଣ। ମନେ ପକାନ୍ତୁ ଶ୍ରୀଗୀତାର ପ୍ରଥମ ଅଧ୍ୟାୟ। ଆଜିକାଲିର ନୂତନ ପିଢିର ପିଲାଙ୍କ ପରି ଅର୍ଜୁନ ପଚାରିଚାଲିଛନ୍ତି ୨୧ଟି େଶ୍ଳାକରେ ଅନେକ ପ୍ରଶ୍ନ। ଅଧ୍ୟାୟ ସରିଗଲା ସିନା, ଭଗବାନ ଶବ୍ଦଟିଏ ବି କହିନାହାନ୍ତି। ଯେତେବେଳେ ମୁହ୍ୟମାନ ହୋଇ ଆଉ ଯୁଦ୍ଧ କରିବେ ନାହିଁ କହି ଅର୍ଜୁନ ରଥରେ ବସିପଡିଲେ ସେତେବେଳେ ଶ୍ରୀକୃଷ୍ଣ କହିଛନ୍ତି। ଆଜିକାଲି କିନ୍ତୁ ଉତ୍ତମ ଶ୍ରୋତାଟିଏ ପାଇବା କଷ୍ଟ। ଧୈର୍ଯ୍ୟଶୀଳ ହୋଇ ମନଯୋଗ ଦେଇ ଶୁଣିବା ପାଇଁ କାହାରି ଆଗ୍ରହ ନାହିଁ। ସମସ୍ତେ କହିବା ପାଇଁ ବ୍ୟଗ୍ର। ବାକ୍ଚାତୁରୀରେ ପ୍ରବୀଣ। ବାଇଡଙ୍କ ଚାଷଠାରୁ ବାଇଡେନଙ୍କ ପର୍ଯ୍ୟନ୍ତ ବିରାଟ କୋହଲିଙ୍କଠାରୁ ବିଶ୍ବରୂପ ଦର୍ଶନ ପର୍ଯ୍ୟନ୍ତ ସବୁଥିରେ ଏମାନଙ୍କର ପାଣ୍ଡିତ୍ୟ। ପାଣିରେ ସର ପକେଇ ନିଜ ପରିବାରର ଗୁଣକୀର୍ତ୍ତନ କରୁ କରୁ ଏମାନଙ୍କର ଘଣ୍ଟା ଘଣ୍ଟା ବିତିଯାଏ। THE JOY OFIEX ……. ପୁସ୍ତକରେ ବ୍ରିଟେନର ପୂର୍ବତନ ସାଂସଦ ଜାଇଲସ ବ୍ରାଣ୍ଡରେଥ ଲେଖିଛନ୍ତି, ଆମେ ଆମ ଜୀବନରେ ପ୍ରାୟ ୮୬ କୋଟି ଶବ୍ଦ କହିଥାଉ। ଅର୍ଥାତ୍ ଦିନକୁ ପ୍ରାୟ ତିରିଶ ହଜାର ଶଦ୍ଦରୁ ଅଧିକ।
ବିଶିଷ୍ଟ କଥାକାର ମନୋଜ ଦାସ ‘ୱାର୍ଡସ ଦ୍ୟାଟ ମ୍ୟାଟର’ ପ୍ରସଙ୍ଗରେ ଥରେ କହିଥିଲେ, ମୁଦ୍ରାସ୍ଫୀତି ଭଳି ଶବ୍ଦସ୍ଫୀତି ଏକ ଗମ୍ଭୀର ସମସ୍ୟା। ଶ୍ରୀମାଙ୍କ ଉକ୍ତିକୁ ଉଦ୍ଧାର କରି ସେ କହିଲେ ଛୋଟ ପିଲା ଯେମିତି ଖେଳନା ପାଇଲେ ସବୁବେଳେ ତାକୁ ଏପଟ ସେପଟ କରି ଖେଳେ, ଆମେ ସେମିତି ଶବ୍ଦକୁ ନେଇ ଖେଳୁଛେ। ଆମେ ନିଜେ ମଧ୍ୟ ଜାଣିନେ ଆମେ ଯାହା କହୁଛେ ତାହା କେତେ ପ୍ରାସଙ୍ଗିକ, କେତେ ଏକାନ୍ତ ପ୍ରୟୋଜନ। ତେଣୁ ଅଜ୍ଞାତସାରରେ ଆମେ ଏପରି ଅନେକ କଥା କହୁଛେ ଯାହାର ପ୍ରୟୋଜନ ଆଦୌ ନାହିଁ। ଲକ୍ଷ୍ୟ କଲେ ବୁଝିପାରିବା ଆମେ ଯେତିକି କହୁଛେ ତା’ର ନବେ ଭାଗ କମ କଥା କହିଲେ କୌଣସି କ୍ଷତି ହୁଅନ୍ତାନି।
ଏବେ ଉପସଂହାରକୁ ଆସିବା। ଶବ୍ଦରେ ଯାଦୁ ଥାଏ। କଣ୍ଠର ଲାଳିତ୍ୟରେ ଶବ୍ଦ ସଂଗୀତ ହୋଇଯାଏ। କଣ୍ଠରେ ନିବେଦନର ସୁର ଥିଲେ ଶବ୍ଦ ବ୍ରହ୍ମ ହୋଇଯାଏ। ଶବ୍ଦ ପଛରେ ଚେତନାର ଶକ୍ତି ଥିଲେ ଶବ୍ଦ ମନ୍ତ୍ର ହୋଇଯାଏ। ତେଣୁ ବାଙ୍ମୟ ତପସ୍ୟା ବା ବାକ୍ ସଂଯମ ଉପରେ ସବୁ ଧର୍ମରେ ଗୁରୁତ୍ୱ ଦିଆଯାଇଛି। ବୌଦ୍ଧ ଓ ଜୈନ ଧର୍ମରେ ସମ୍ୟକ ବାଣୀ ଓ ଅପରିଗ୍ରହ କଥା କୁହାଯାଇଥିଲା ବେଳେ ଶ୍ରୀଗୀତାର ସପ୍ତଦଶ ଅଧ୍ୟାୟରେ ଶ୍ରୀକୃଷ୍ଣ କହିଛନ୍ତି, ଆମେ ଏପରି କଥା କହିବା ଉଚିତ ଯାହା ସତ୍ୟ, ପ୍ରିୟ ଓ ହିତକର ହୋଇଥିବ ଏବଂ ଅନ୍ୟମାନଙ୍କ ମନରେ ଉତ୍ତେଜନା ଉତ୍ପନ୍ନ କରୁନଥିବ। ଏଥି ସହ ଆମେ ବେଦ ପ୍ରଭୃତି ଶାସ୍ତ୍ର ନିରନ୍ତର ଅଧ୍ୟୟନ କରି ସ୍ୱାଧ୍ୟାୟ ଅଭ୍ୟାସ ଦ୍ୱାରା ବାଣୀକୁ ନିୟନ୍ତ୍ରଣ କରିପାରିବା।
Comments are closed.