ଦୂଷିତ ଗଣତନ୍ତ୍ର, ଅସୁସ୍ଥ ବିଶ୍ବାସବୋଧ

କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲେଖାରୁ ଧାଡ଼ିଏ ମନକୁ ବାରମ୍ବାର ଛୁଉଁଛି। ଆଜିର ବିସ୍ମୟକର, ଅବାନ୍ତର ଘଟଣାମାନ ଏମିତି ଏହାର କାରଣ। ସେ ଲେଖିଲେ, ‘କିସ ପୁଣି ଦେଖା ନ ଯାଏ ବଞ୍ଚିଥିଲେ ଜୀବରେ, ବିଷମ ସମସ୍ୟା ସାଧନ ହେବ ଏହି ଠାବରେ।’ ସେ ଜଣେ କବି ପ୍ରତିଭା ଥିଲେ; ମାତ୍ର ଭବିଷ୍ୟତ ଦ୍ରଷ୍ଟା ନଥିଲେ। ଏ ଧାଡ଼ିକ ପଢ଼ିଲେ ଲାଗେ ସତେ ଯେମିତି ଆଜି ଯାହା ସବୁ ଅନୈତିକ, ଅବାନ୍ତର ଓ ବିସ୍ମୟକର ତଥା ଘୋର ଅରୁଚିକର ଘଟଣାସବୁ ଘଟୁଛି, ତା’ ତାଙ୍କୁ ଜଣା ଥିଲା। ନୀତିନିୟମ, ଶାଳୀନତା ସବୁ ଆଜି ଚୁଲିକି ଗଲାଣି। କିଛି ବା କୋଉଟା ଆଜି କାହା ପାଇଁ ବି ନିରାପଦ ନୁହେଁ, କେତେବେଳେ କ’ଣ ଘଟିବ କିଏ କହିପାରିବ? ସାପକୁ ଲୋକଙ୍କ ଡର। ମାତ୍ର ଶିବ ତ ଦିହମୁଣ୍ଡ ଅଳଙ୍କାର ପରି ସାପରେ ବେଢ଼ି ହୋଇଛନ୍ତି। ତେଣୁ ଶିବଙ୍କର ଘରେ ସାପର ଫଁ ବି କାହିଁ? ସେମିତି କ୍ଷମତା ସାପରେ ଯେଉଁମାନେ ବେଢ଼େଇ ହୋଇଛନ୍ତି, ସେମାନେ କ୍ଷମତାର ଦାଢ଼ୁଆ ଧାରରେ କ୍ଷତ କେମିତି ହେବେ ? ରାଜା ଆଉ ଗୋଟେ ରାଜାକୁ ସମ୍ମାନ କଲେ ସେ ସମ୍ମାନ ତ ପାଇବ, ନୋହିଲେ ପ୍ରତିକ୍ରିୟାର ପ୍ରତି ଆକ୍ରମଣରେ ଜର୍ଜରିତ ହେବ ହିଁ ହେବ। ମାତ୍ର ଶିବ କି ତାଙ୍କ ଗମ୍ଭୀରା ଘର ସର୍ପ ଦଂଶନ ବା ଘାଉଡ଼ର ଶିକାର ହେଲେ କଥା ସଇଲା। ସବୁ ନିୟମ ଭୁଶୁଡ଼ି ପଡ଼ିଲା ଜାଣ, ଏବେ ଏମିତି ଘଟଣାମାନ ବ୍ୟାପକ ଘଟୁଛି।

ଗଣତନ୍ତ୍ରର ସର୍ବୋଚ୍ଚ ଅଧିକାରୀ ତ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ସେମାନେ କିଭଳି ସୁରକ୍ଷିତ ତା ସଭିଙ୍କୁ ଜଣା, ସେମାନଙ୍କ କ୍ଷମତା ବି ଅସୀମ; ମାତ୍ର ଧୈର୍ଯ୍ୟ, ସହନଶୀଳତା, ବିଚାରବୋଧ ତାଙ୍କ ସୁରକ୍ଷା, ନିର୍ଭରଶୀଳତାର ଅସ୍ତ୍ର ଜାଣ, ମାତ୍ର ଏବେ ହେଉଛି କ’ଣ? ଏ ଦେଶର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ପାହିଆର ନେତାଗଣ କ୍ଷମତାସୀନ ଥାଇ ବି କଏଦୀ ପରି ତାଙ୍କ ଅଧୀନସ୍ଥ ପୁଲିସ ଦ୍ବାରା ଗିରଫ ହେଉଛନ୍ତି, ଜିଅଲ ଯାଉଛନ୍ତି। ପୂର୍ବେ ବଡ଼ବଡ଼ିଆ ଉଦାହରଣ ଥିଲେ। ତାଙ୍କ ଚରିତ୍ର, ଆଚରଣ ଦେଶବାସୀଙ୍କ ଉପରେ ଢେର ପ୍ରଭାବ ପକାଇ ନଜିର୍‌ ସୃଷ୍ଟି କରୁଥିଲା। କୁହାଯାଇଥିଲା, ‘ମହାଜନଃ ଯେନ ଗତଃ ସ ପନ୍ଥାଃ।’ ସେଇଥିପାଇଁ ରାମ, ସୀତା ମା’ଙ୍କୁ ବନବାସ ପଠାଇଥିଲେ। ଧୋବାଧୋବଣୀ କଳି କଥା ଗୁପ୍ତଚର ରାମଙ୍କୁ କହିଲା, ‘‘ଧୋବଣୀ ବାପଘରକୁ ଦି’ଦିନ ପାଇଁ କହି ଯାଇଥିଲେ ମଧ୍ୟ ମାସେ ରହିଗଲା। ଗେରସ୍ତ ଧୋବାର ରାଗ ତାଳୁକୁ ଉଠିଗଲା। କହିଲା, ବାପଘରେ ତୋର ଏ ଆକର୍ଷଣ ତୋ ଚରିତ୍ର ପଦାରେ ପକାଇଦେଲା। ତୁ ଦୋଚାରୁଣୀ।’’ ଧୋବଣୀ ରାମରାଇଜର ମହିଳା, ସେ କୁ ଛାଡ଼ିବା ଲୋକ ! କହିଲା ‘‘ସୀତା ମା’ ତ ରାବଣ ଘରେ ଦି’ବର୍ଷ ରହିଲେ, କାଇଁ ରାମ ତ ତାଙ୍କୁ ଗ୍ରହଣ କରିନେଲେ। ଏ କଥା ଦରବାରକୁ ନେବି।’’ ଧୋବା ବିଚରା ଶଙ୍କି ଗଲା। ଗୁପ୍ତଚରଠାରୁ ଏ କଥା ଶୁଣି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଭାବିଲେ, ରାବଣ ରାଇଜ ଲଙ୍କାରେ ଦୀର୍ଘ ଅବସ୍ଥାନ ପରେ ସେ ଅଗ୍ନିପରୀକ୍ଷା ତ ଦେଲେ, ମାତ୍ର ଆଉ ଢେର ପ୍ରାୟଶ୍ଚିତ୍ତ ଲୋକ ଶିକ୍ଷା ପାଇଁ ଆବଶ୍ୟକ ଥିଲା ବୋଧେ। ସେ ଅନ୍ତଃସତ୍ତ୍ବା ସୀତାଙ୍କୁ ଲୋକଶିକ୍ଷା ପାଇଁ ବନବାସ ଦଣ୍ଡ ଦେଇଥିଲେ। ଭାଇ ଲକ୍ଷ୍ମଣଙ୍କୁ ମଧ୍ୟ ନିର୍ବାସିତ କରିଥିଲେ, ସେ ତାଙ୍କ କର୍ତ୍ତବ୍ୟ ଅନ୍ୟ ଏକ ଘଟଣାରେ ପାଳନ ନ କରିଥିବାରୁ। ବିଷ୍ଣୁଙ୍କ ଦ୍ବାରପାଳ ଜୟବିଜୟ ତାଙ୍କ ମର୍ଯ୍ୟାଦା ଓ କ୍ଷମତାର ଅପବ୍ୟବହାର ପାଇଁ ପତନ ଦଣ୍ଡ ପାଇ ରାକ୍ଷସ ଭାବେ ଜନ୍ମ ହୋଇଥିଲେ। କର୍ଣ୍ଣ, ଯୁଧିଷ୍ଠିର ଆଦିଙ୍କ ବଚନବଦ୍ଧତା ତ ସାରା ଜନତା ପାଇଁ ଶିକ୍ଷଣୀୟ, ଆଦର୍ଶ ଥିଲା। ମାତ୍ର କାଇଁ ଆଜି ସେ କଥା? ବଡ଼ବଡ଼ିଆମାନେ ଏବେ ଭାଷଣ ସର୍ବସ୍ବ। ‘କହି ଦେଉଥାଇ ପରକୁ ବୁଦ୍ଧି ନ ଦିଶଇ ଘରକୁ’ ଭାବମୂର୍ତ୍ତି ପ୍ରାପ୍ତ। ସାହାଣମେଲା ଗଣତନ୍ତ୍ର ପାଇଁ ନାନା ଝାବଡ଼ ରାଜଗାଦିକୁ କୁଦାମାରି ପାରୁଛନ୍ତି, ସବୁଗୁଡ଼ା ସତେ ଯେମିତି ନେଳିକୁଣ୍ଡ ବିଲୁଆ। ରଙ୍ଗରୁ, ବାହାର ଆବରଣରୁ ପ୍ରକୃତି କୋଉ ସବୁଦିନ ପାଇଁ ଛପେଇ ହେବ?

prayash

ଏବେ ଦେଖୁନା, ମନ୍ତ୍ରୀ, ଏମେଲେ, ଏମ୍‌ପି ଓ ଉପମୁଖ୍ୟ ମକୁଟରେ ଜନତାସେବକଙ୍କ ନାଁରେ ଝଟକୁଥିବା ଏଙ୍କ ଅବସ୍ଥା କେମିତି ଚୋର ଡକାୟତ କଏଦୀଙ୍କୁ ବଳିଯାଉଛି। ଏବେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିସୋଦିଆ ସିବିଆଇ ଓ ଇଡି ଦ୍ବାରା ଗିରଫ ହୋଇ ​‌େ​‌ସମାନଙ୍କ ହେପାଜତରେ ରହିଛନ୍ତି। ତାଙ୍କୁ ଜେରା କରାଯାଉଛି। ଦିନେ ଦି’ଦିନ ନୁହଁ ସପ୍ତାହ ବ୍ୟାପୀ। ଦିନେ ସଲାମ କରୁଥିବା ପୁଲିସ ତାଙ୍କୁ ଗୁଡ଼େଇ ତୁଡ଼େଇ ଜେରା କରୁଛି। ସେ ପୁଣି ମନ୍ତ୍ରିମଣ୍ଡଳର ୩୮ଟି ବିଭାଗର ଦାୟିତ୍ବରେ ଥିଲେ। ଏଙ୍କ ପରେ ଏବେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଉପରେ ଇଡିଙ୍କ ନଜର ପଡ଼ିଛି। ଜମି ବଦଳରେ ଚାକେରି ଡାକରା ୨୦୦୪-୦୯ରେ ପିତା ଲାଲୁପ୍ରସାଦ ରେଳ ମନ୍ତ୍ରୀ ଥିବାବେଳେ ଦେଇଥିଲେ। ସେ ତ ଗୋଖାଦ୍ୟ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ଥିବାବେଳେ ଗିରଫ ହୋଇଥିଲେ। ଦୋଷୀ ସାବ୍ୟସ୍ତ ହୋଇ ଜିଅଲ ଦଣ୍ଡ ଭୋଗୁଛନ୍ତି। ତାଙ୍କ ପୁଅ ତେଜସ୍ବୀ ମଧ୍ୟ ଏବେ ଇଡି ସନ୍ଦେହ ଘେରକୁ ଆସିଛି। ବାପ ରକ୍ତ ତ ତାଙ୍କଠେଇ ବହୁଛି ବୋଧେ। ତାଙ୍କୁ ୧୮ ବର୍ଷ ବୟସ ହୋଇଥିବାବେଳେ ସେ ୫୨ ପ୍ଲଟର ମାଲିକ ବନିଥିଲେ। ଆରେ ତାଙ୍କର ରୋଜଗାର କ’ଣ ଥିଲା? କେଜାଣି, ତାଙ୍କୁ ପଚାର।

ଏମାନେ ସବୁ ବିଜେପି ବିରୁଦ୍ଧ ଦଳର। ତେଣୁ ନାରାବାଜି ଉଠୁଛି ଯେ ରାଜନୈତିକ ଈର୍ଷାପରାୟଣ ହୋଇ ସିବିଆଇ ଓ ଇଡିକୁ କେନ୍ଦ୍ର ଏଙ୍କ ବିରୁଦ୍ଧରେ ଲଗଉଛି। ଏ କଥା ସମୂଳେ ଭ୍ରମାତ୍ମକ ନ ହେଲେ ବି ନିଆଁ ନଥିଲେ ଧୂଆଁ କାଇଁ ଉଠିବ? ତା’ପରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାରରେ ତତ୍କାଳୀନ ଆଇନ ମନ୍ତ୍ରୀଙ୍କୁ ଏକ ରିପୋର୍ଟ ଦେଖାଇବାକୁ ସିବିଆଇ ଡାଇରେକ୍ଟର ଯାଇଥିଲେ ଓ ମନ୍ତ୍ରୀଙ୍କ ନିର୍ଦେଶରେ ତାଙ୍କୁ ସୁହାଇଲା ଭଳି ସାନି ଦଲିଲ ବନେଇବାକୁ ଡାଇରେକ୍ଟର ରଣଜିତ୍‌ ସିହ୍ନାଙ୍କୁ କହିଥିଲେ। ଏ କଥା ସୁପ୍ରିମକୋର୍ଟକୁ ଯାଇଥିଲା, ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ଟିପ୍‌ପଣୀରେ ସିବିଆଇ ଏକ ପଞ୍ଜୁରିବଦ୍ଧ ଶୁଆ (caged parrot) ବୋଲି କହି ଘୋର ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ସିବିଆଇ ପଞ୍ଜୁରିରୁ ମୁକ୍ତ ଏବେ ହୋଇଛି କି ନାହିଁ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ସଫେଦ ମୂର୍ତ୍ତି ଅନାହତ ରହିବ କି ନାହିଁ, ଏମାନଙ୍କ ଅଦାଲତୀ ପ୍ରମାଣପତ୍ରରୁ ଆକଳିତ ହେବ।

ଏତେ ବଡ଼ ବଡ଼ ନେତାଙ୍କ ଗିରଫଦାରୀ, ତାଙ୍କ ଘରେ, ବନ୍ଧୁବାନ୍ଧବଙ୍କ ଘରେ ଇଡି, ସିବିଆଇ ଅପମାନଜନକ ଚଢ଼ଉ, ଗଣତାନ୍ତ୍ରିକ ପଦ୍ଧତିର ଶୁଦ୍ଧତାରେ ପ୍ରଶ୍ନ ଉଠାଉଛି। ଜନତାର ବିଶ୍ବାସବୋଧ ଦୋହଲାଇ ଦେଉଛି ଓ ତାଙ୍କ ରୁଚି ପ୍ରତି ଅଙ୍ଗୁଳି ଉଠାଉଛି। ତେଣୁ ନେତାଙ୍କୁ ନିବେଦନ, ‘‘ଚୋର ଘର ସବୁବେଳେ ଅନ୍ଧାର ନୁହେଁ’’ ଏକୁ ଆଜହୁଁ ହେଜନ୍ତୁ। ଏମାନେ ସବୁ କାଦୁଅକୁ ଯାଇସାରିଛନ୍ତି ଓ ଏବେ ଗୋଡ଼ଧୁଅା ଉଦ୍ୟମ ପର୍ବ ଚାଲିଛି। ଦେଖାଯାଉ ଏ ଦେଶରେ ମେଣ୍ଢାଧୁଆ ତାଙ୍କୁ ନିର୍ବାଳ କରିବନି ତ?

kalyan agarbati

Comments are closed.