www.samajalive.in
Saturday, December 13, 2025
26.1 C
Bhubaneswar

ଆମେରିକାରେ ଜାତିଭେଦର ପ୍ରତିଧ୍ୱନି

ଯଦି ଆମେ ଚାହୁଁ ଦେଶରୁ ଜାତିଭେଦ ଲୋପ ପାଉ, ତେବେ ପ୍ରଥମେ ଆମକୁ ସ୍ବୀକାର କରିବାକୁ ହେବ ଯେ ଏହା ଏଠି ସ୍ଥୂଳ ହେଉ କି ସୂକ୍ଷ୍ମ ରୂପରେ ଅଛି। ଜାତିଭେଦ ନାହିଁ କହି ଏ କଳଙ୍କକୁ ଏଡ଼ାଇ ଦେଇ ହେବ ନାହିଁ; କାରଣ ଏହା କେବଳ ଭାରତରେ ସୀମିତ ହୋଇ ରହିନାହିଁ। ଡ. ଆମ୍ବେଦକରଙ୍କ ଆପ୍ତବାଣୀ ସତ୍ୟ ହେଲାପରି ଲାଗୁଛି: ହିନ୍ଦୁମାନେ ପୃଥିବୀର ଅନ୍ୟ ଅଞ୍ଚଳରେ ଯାଇ ବସବାସ କଲେ ଜାତିକୁ ବି ସାଙ୍ଗରେ ନେଇ ଯିବେ; ଜାତି ଗୋଟିଏ ବିଶ୍ବ ସମସ୍ୟା ହେଇଯିବ।

ଯୁକ୍ତରାଷ୍ଟ୍ର ଆମେରିକାର ସିଆଟଲ ନଗର ପରିଷଦ ଏକ ଐତିହାସିକ ବିଧି ବ୍ୟବସ୍ଥା ଅନୁମୋଦନ କରି ଜାତି ପକ୍ଷପାତିତା ଉପରେ ନିଷେଧାଜ୍ଞା ଘୋଷଣା କରିଛନ୍ତି। ଗତ ଫେବୃୟାରୀ ୨୧ ତାରିଖରେ, ଦଳିତ ଅଧିକାର ଆନ୍ଦୋଳନ କର୍ମକର୍ତ୍ତା ସମେତ ମାନବାଧିକାରର ଶହ ଶହ ସମର୍ଥକଙ୍କ ବିଜୟୋଲ୍ଲାସ ଓ ‘ଜୟଭୀମ’ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ସିଆଟଲ ସହର। ପ୍ରଦର୍ଶନକାରୀମାନଙ୍କ ହାତରେ ପ୍ଲାକାର୍ଡମାନ ଘୋଷଣା କରୁଥିଲେ: ‘ନିଷ୍ପେଷଣ ହଟାଅ’, ‘ପୁଞ୍ଜିବାଦ ହଟାଅ’, ‘କର୍ମସ୍ଥଳୀରେ ଓ ବାସଗୃହ ପ୍ରଦାନ କ୍ଷେତ୍ରରେ ନିର୍ଯାତନା ବନ୍ଦ କର’ ଇତ୍ୟାଦି। ୬:୧ ଭୋଟରେ ଏହି ଆଇନଟିର ବିଜୟ ହୋଇଥିଲା ଏବଂ ଚିଠା ପ୍ରସ୍ତାବ ଲେଖିଥିଲେ ନଗର ପରିଷଦର ଏକମାତ୍ର ଭାରତୀୟ ଆମେରିକୀୟ ସଦସ୍ୟା ସୁଶ୍ରୀ କ୍ଷମା ସାୱନ୍ତ।
ବିଶ୍ବର ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନଙ୍କ ଜରିଆରେ ବ୍ୟାପକ ଭାବେ ପ୍ରସାରିତ ଏହି ଘଟଣାର କି ସନ୍ଦେଶ ରହିଛି ଭାରତ ପାଇଁ? ‘ଇଣ୍ଡିଆ ଆମେରିକାନ କ୍ବଲିସନ’ ଭଳି ସଂଗଠନମାନେ ଏହାକୁ ସ୍ବାଗତ ଓ ପ୍ରଶଂସା କରୁଥିବା ବେଳେ ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ (ଏଚଏଏଫ) ଏହାକୁ ବିରୋଧ କରି ପ୍ରତିକ୍ରିୟା ପ୍ରକାଶ କରିଥିଲା, ଯେ ଏ ଆଇନଟି ଏକ ନିର୍ଦିଷ୍ଟ ଧାର୍ମିକ ସଂପ୍ରଦାୟକୁ ନିନ୍ଦିତ କଲା ଭଳି ଏକ ପଦକ୍ଷେପ; ଏହା ଭାରତୀୟଙ୍କୁ ଆବଶ୍ୟକ ସ୍ଥଳେ ଅତିରିକ୍ତ ଆଇନଗତ ଯାଞ୍ଚ ପରିସରଭୁକ୍ତ କରିବ। ଆଇନର ସମର୍ଥକମାନେ ତ୍ବରିତ ସ୍ପଷ୍ଟୀକରଣ ଦେଇଥିଲେ, ଯେ ଏହା କୌଣସି ଧର୍ମ ବିଶେଷ ବିରୋଧରେ ଉଦ୍ଦିଷ୍ଟ ନୁହେଁ, ଏହା ହିନ୍ଦୁ ବିରୋଧୀ ନୁହେଁ; ବରଂ ଏହା ଆମେରିକାରେ ଯେ କୌଣସି ପ୍ରକାରରେ ପ୍ରଚଳିତ ଥିବା ପାତର-ଅନ୍ତର ପ୍ରଥାର ବିରୋଧୀ, ଅସମାନତାର ବିରୋଧୀ। ଏ ଆଇନ ହେବା ଦ୍ବାରା ସିଆଟଲରେ ଥିବା ପକ୍ଷପାତିତା ନିବାରକ ଆଇନଗୁଡ଼ିକ ସହିତ ଜାତି ଏକ ସୁରକ୍ଷିତ ବର୍ଗ ଭାବେ ସାମିଲ ହେଲା, ଯାହା ପୂର୍ବରୁ ନଥିଲା। ଅର୍ଥାତ୍‌, ଜାତିଗତ ଦୁରାଚାର ବା ଅନ୍ୟାୟ ଘଟଣାରେ ଏଣିକି ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ।

- Advertisement -

ଆମ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ, ଆମେରିକାରେ ଜାତିକୁ ନେଇ ଉଦ୍‌ବେଗ ବଢ଼ିଲା କାହିଁକି? ଏପରି ଏକ ନିରୋଧକ ଆଇନ ତିଆରିର ଆବଶ୍ୟକତା ଉଠିଲା କାହିଁକି? ଆମେରିକା ଏକ ଗଣତାନ୍ତ୍ରିକ ଦେଶ, ଯେଉଁଠି ୧୮୬୩ ମସିହାରେ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ନେତୃତ୍ବରେ କ୍ରୀତଦାସ ପ୍ରଥାର ଉଚ୍ଛେଦ ହୋଇଥିଲା। ତଥାପି କଳା ଲୋକଙ୍କ ପ୍ରତି ଗୋରାଙ୍କ ଅସୂୟା ଓ ହିଂସାଚରଣ ସମୂଳ ବନ୍ଦ ହୋଇନାହିଁ। ନିକଟ ଅତୀତର ଦୃଷ୍ଟାନ୍ତ, ଜର୍ଜ ଫ୍ଲୟଡ ଓ ବ୍ରିଓନା ଟେଲରଙ୍କ ହତ୍ୟା ପରି ଘଟଣା ‘ବ୍ଲାକ ଲାଇଭ୍ସ ମ୍ୟାଟର” ଆନ୍ଦୋଳନକୁ ସଦା ସକ୍ରିୟ ରଖିଛି। ଦାସତ୍ବ ମୁକ୍ତି ଘୋଷଣାର ଶହେ ବର୍ଷ ପରେ,ନୋବେଲ ଶାନ୍ତି ପୁରସ୍କାର ବିଜୟୀ, ବିଶିଷ୍ଟ ନାଗରିକ ଅଧିକାର ନେତା ମାର୍ଟିନ ଲୁଥର କିଙ୍ଗ ଜୁନିୟରଙ୍କ ୧୯୬୩ର ବିଶ୍ବ ବିଖ୍ୟାତ ଭାଷଣ, ‘ମୋର ଏକ ସ୍ବପ୍ନ ଅଛି’ (ଆଇ ହାଭ ଏ ଡ୍ରିମ୍) ସାରା ବିଶ୍ବର ନିର୍ଯାତିତ ଲୋକଙ୍କ ସଂଗ୍ରାମ ପାଇଁ ପ୍ରେରଣାର ଉତ୍ସ ହୋଇଛି। ତାଙ୍କ ଭାଷଣରେ ସେ ତାଙ୍କ ଇଚ୍ଛା ବ୍ୟକ୍ତ କରିଥିଲେ ଯେ, ସେ ଏପରି ଦିନକୁ ଅପେକ୍ଷା କରନ୍ତି, ଯେଉଁଦିନ ତାଙ୍କ ପିଲାମାନେ ଗୋରା ପିଲାଙ୍କ ସହ ମିଶି ଗୋଟିଏ ସ୍କୁଲରେ ପଢ଼ିବେ, ଗୋଟିଏ ଟେବୁଲରେ ଏକାଠି ଭୋଜନ କରିବେ। ତାଙ୍କର କାର୍ଯ୍ୟକଳାପ ନିଷ୍ପେଷିତ ଜନତାଙ୍କ ଅଧିକାର ପାଇଁ ଆନ୍ଦୋଳନକୁ ଖାଲି ଯେ ପ୍ରଜ୍ବଳିତ ରଖିଥିଲା ସେତିକି ନୁହେଁ; ଆମେରିକା ଗ୍ରହଣ କରିଥିବା ନାଗରିକ ଅଧିକାର ଆଇନ- ୧୯୬୪ ପାଇଁ ମଧ୍ୟ ପଥ ପରିଷ୍କାର କରିଥିଲା। ଜନ ଏଫ. କେନେଡ଼ିଙ୍କ ଦ୍ବାରା ପ୍ରସ୍ତାବିତ ଏବଂ ତାଙ୍କ ପରବର୍ତ୍ତୀ ରାଷ୍ଟ୍ରପତି ଲିଣ୍ଡନ ବି. ଜନସନଙ୍କ ପ୍ରଗାଢ଼ ଉଦ୍ୟମର ଫଳ, ଏହି ଆଇନ ପ୍ରଣୀତ ହେବା ଦ୍ବାରା ରଙ୍ଗ, ଧର୍ମ, ଜାତି, ଲିଙ୍ଗ, ଜାତୀୟ ପରିଚୟ ଆଧାରରେ ଯେ କୌଣସି ପକ୍ଷପାତ ନୀତି ଓ ଆଚରଣ ନିଷେଧ ହେଲା। ଏହା ଦ୍ବାରା କଳା ଆଫ୍ରିକୀୟ ଆମେରିକୀୟମାନେ ସର୍ବସାଧାରଣ ସ୍ଥାନର ବ୍ୟବହାର, ସର୍ବସାଧାରଣ ସୁବିଧା, ଆବାସ, ମତଦାନ ଓ ନିଯୁକ୍ତି କ୍ଷେତ୍ରରେ ସମାନ ଅଧିକାର ପାଇଲେ। ଶିକ୍ଷା କ୍ଷେତ୍ରରେ କଳା ପିଲାଙ୍କ ପାଇଁ ଅଲଗା ବିଦ୍ୟାଳୟ ବ୍ୟବସ୍ଥା ବନ୍ଦ ହୋଇ ସମନ୍ବୟ ଆସିଲା।

ଆମେରିକାରେ ବୃଦ୍ଧି ପାଉଥିବା ଭାରତୀୟଙ୍କ ସଂଖ୍ୟା ଓ ବିଭିନ୍ନ କମ୍ପାନୀରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ସମସ୍ତଙ୍କର ଦୃଷ୍ଟିଗୋଚର ହେବା ସାଙ୍ଗକୁ, ଜାତି ଆଧାରରେ ବି​‌େ​‌ଷଜନିତ ଘଟଣାମାନ ସର୍ବସାଧାରଣରେ ପରିଲକ୍ଷିତ ହେବା ସ୍ବାଭାବିକ। ୨୦୨୦ ମସିହାରେ ସିସ୍କୋ (କମ୍ପ୍ୟୁଟର ଇନଫର୍ମେସନ ସିଷ୍ଟମ କମ୍ପାନୀ) ମାମଲା ଏ ବିଷୟଟିକୁ ବ୍ୟାପକ ଭାବେ ରାଷ୍ଟ୍ର କରିଦେଲା। କାଲିଫର୍ଣ୍ଣିଆ ସରକାର ସିସ୍କୋ କମ୍ପାନୀ ଉପରେ ଆରୋପ ଲଗାଇଲେ କି ଦୁଇଜଣ ଭାରତୀୟ ଇଂଜିନିୟରିଂ ମ୍ୟାନେଜରଙ୍କ ଦ୍ବାରା ଜଣେ ପୂର୍ବତନ କର୍ମଚାରୀ ଲଗାତାର ନିର୍ଯାତନାର ଶିକାର ହୋଇଥିଲେ, କାରଣ ସେ ନିମ୍ନ ଜାତିର ଥିଲେ ଏବଂ କମ୍ପାନୀ ତାଙ୍କ ଅଭିଯୋଗ ପ୍ରତି ଆଖି ବୁଜି ଦେଇଥିଲା। ପୂର୍ବୋକ୍ତ ନାଗରିକ ଅଧିକାର ଆଇନ ୧୯୬୪ ଆଧାରରେ, କାଲିଫର୍ଣ୍ଣିଆର ନିଷ୍ପକ୍ଷ ନିଯୁକ୍ତି ଓ ଆବାସ ବିଭାଗ ତରଫରୁ କମ୍ପାନୀର ନିଷ୍କ୍ରିୟତା ବିରୋଧରେ ସଙ୍ଘୀୟ ଅଦାଲତରେ ଆମଲା ଦାୟର ହୋଇଥିଲା। ସୂଚନାଯୋଗ୍ୟ ଯେ ପୀଡ଼ିତ କର୍ମଚାରୀ ଏକ ଛଦ୍ମ ନାମରେ ଏ ମାମଲା ଲଢ଼ିଥିଲେ, କାରଣ ନିଜ ଦେଶ ଭାରତରେ ତାଙ୍କ ପରିବାର ପ୍ରତି ଅଭିଯୁକ୍ତଙ୍କ ପକ୍ଷରୁ ସେ ବିପଦ ଆଶଙ୍କା କରୁଥିଲେ।

ଭାରତ ସମେତ ଅନେକ ଦକ୍ଷିଣ ଏସୀୟ ଦେଶରୁ ୧,୬୭,୦୦୦ ଲୋକ ୱାଶିଂଟନ ରାଜ୍ୟର ସିଆଟଲ ସହରରେ ବାସ କରନ୍ତି। ଆମେରିକା ଆସୁଥିବା ଅଧିକାଂଶ ଭାରତୀୟ ଉଚ୍ଚ ଜାତିର ଏବଂ ବିଭିନ୍ନ ବୈଷୟିକ ସଂସ୍ଥାରେ କାମ କରନ୍ତି। ମାଇକ୍ରୋସଫ୍ଟ, ଆମାଜନ, ଫେସ୍‌ବୁକ ପରି ଅନେକ ବୈଷୟିକ କମ୍ପାନୀଙ୍କ ପାଇଁ ସିଆଟଲ ସହର ଏକ ଆଡ୍ଡା କହିଲେ ଅତ୍ୟୁକ୍ତି ହେବନାହିଁ। ସିସ୍କୋ ବିରୋଧରେ ମାମଲା ଯୋଗୁଁ ନାଗରିକ ଅଧିକାର ସଂସ୍ଥାମାନେ ପାତର-ଅନ୍ତର ଆଚରଣ ବିରୋଧରେ ଆହୁରି ମୁଖର ହୋଇଉଠିଲେ। ଭାରତୀୟ ସମାଜରେ ଜାତିପ୍ରଥାର ଉତ୍ପତ୍ତି ସମ୍ବନ୍ଧରେ ସର୍ବସାଧାରଣରେ ଚର୍ଚ୍ଚା ଚାଲିଲା। ମନୁସ୍ମୃତି ଅନୁଯାୟୀ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ବିଭିନ୍ନ ଅଙ୍ଗରୁ କିପରି ଭିନ୍ନ ଭିନ୍ନ ବର୍ଗର ମଣିଷ ଜନ୍ମ ହେଲେ- ମସ୍ତକରୁ ଜ୍ଞାନଦାତା ଓ ପୂଜକ ବ୍ରାହ୍ମଣ, ବାହୁରୁ କ୍ଷତ୍ରିୟ, ଜଙ୍ଘରୁ ବୈଶ୍ୟ, ପାଦରୁ ଶୂଦ୍ର ତଥା ତାଙ୍କ ତଳେ ଅତିଶୂଦ୍ର ଓ ଅସ୍ପୃଶ୍ୟ- ଏସବୁ ମଧ୍ୟ ପ୍ରଚାରିତ ହେଲା (ଏ ସମ୍ପର୍କରେ ବିଶଦ ବିବରଣୀ ବିବିସି ନ୍ୟୁଜ ୨୨/୦୨/୨୦୨୩ରେ ଉପଲବ୍ଧ)। ଏହି ପ୍ରକାର ବାତାବରଣ ମଧ୍ୟରେ ଗୁଗଲ, ଆପଲ ଭଳି ବିଭିନ୍ନ କମ୍ପାନୀ ଅଧୀନରେ କାମ କରୁଥିବା ୩୦ ଜଣ ମହିଳା ଇଞ୍ଜିନିୟର ଏକ ବିବୃତି ସାର୍ବଜନିକ କରି କହିଲେ, ଯେ ସେମାନେ ନିଜ ନିଜର କାର୍ଯ୍ୟ ପରିସରରେ ଜାତି ପକ୍ଷପାତିତା ଶୁଣିଛନ୍ତି କିମ୍ବା ଅଙ୍ଗେ ନିଭାଇଛନ୍ତି। ଭାରତୀୟ ମ୍ୟାନେଜରମାନଙ୍କ ସହ କାମ କରିବା ଏକ ପ୍ରକାର ‘ଜୀବନ୍ତ ନର୍କ’ ବୋଲି ବର୍ଣ୍ଣନା କରି ସେମାନେ କହିଥିଲେ ଯେ ଅଭିଯୋଗ ଦାୟର କରିବା ପାଇଁ ସେମାନଙ୍କ କମ୍ପାନୀରେ କେଉଁଠି ସୁଯୋଗ ନଥାଏ, କାରଣ ଜାତି ପକ୍ଷପାତିତା ଆଇନତଃ ଧର୍ତ୍ତବ୍ୟ ନୁହେଁ [ୱାଶିଂଟନ ପୋଷ୍ଟ- ଫେବୃୟାରୀ ୨୨, ୨୦୨୩]। ଦକ୍ଷିଣଏସୀୟ ଦେଶମାନଙ୍କରେ ଧର୍ମ ଆଧାରିତ ସାମାଜିକ ଶ୍ରେଣୀ ଓ ବୈଷମ୍ୟ ବିଭିନ୍ନ ରୂପରେ ରହିଛି। ଆମେରିକାର ଗୋରାମାନଙ୍କ ଭିତରେ କଳାମାନଙ୍କ ପ୍ରତି ରଙ୍ଗଭେଦ ଦକ୍ଷିଣ ଏସୀୟ ଆମେରିକୀୟମାନଙ୍କୁ ମଧ୍ୟ ସଂକ୍ରମିତ କରିଛି; ଫଳତଃ, ନିଜ ମାଟିରୁ ଆଣିଥିବା ଜାତିଗତ ଘୃଣା ସେମାନଙ୍କ ମଧ୍ୟରେ କଳା-ବିରୋଧୀ ମନୋଭାବକୁ ଆହୁରି ସାର ଯୋଗାଇଛି। ଏ ସବୁର ପରିଣାମରେ ଆମରିକାରେ ଭେଦଭାବ ବିରୋଧୀ ଆନ୍ଦୋଳନଗୁଡ଼ିକ ବଳଶାଳୀ ହୋଇ ଉଠିଥିଲା।

ତେଣୁ ସିଆଟଲର ଅଧ୍ୟାଦେଶ ମାନବିକ ମୂଲ୍ୟବୋଧର ଜୟ, ‘ଘୃଣା ଉପରେ ପ୍ରେମର ବିଜୟ’ ବୋଲି ‘ଇକ୍ବାଲିଟି ଲାବ୍ସ’ର ନିର୍ଦେଶିକା ତେନିମୋଝି ସୌନ୍ଦର୍ଯ୍ୟରାଜନ ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ସିଆଟଲର ଜାତିଭେଦ ବିରୋଧୀ ଅଧ୍ୟାଦେଶ କ’ଣ ବାସ୍ତବରେ ନିମ୍ନ-ଉଚ୍ଚ ସମ୍ପର୍କରେ ପରିବର୍ତ୍ତନ ଆଣିପାରିବ? ୟେ’ ତ କୋଟିଏ ଟଙ୍କାର ପ୍ରଶ୍ନ! କାରଣ ଆମେରିକୀୟ ଭୂମିରେ ମଧ୍ୟ ପ୍ରବାସୀ ଭାରତୀୟମାନଙ୍କ ଦ୍ବାରା ରୋପିତ ଜାତି-ବୈଷମ୍ୟର ଚାରା ଉଧେଇବାରେ ଲାଗିଛି। ବିବାହ ପାଇଁ ବିଭିନ୍ନ ମ୍ୟାଟ୍ରିମନି ସାଇଟରେ ବର-କନ୍ୟା ବିଜ୍ଞାପନ ଜାତି ଆଧାରରେ ପ୍ରକାଶ ପାଉଛି। ଜାତିଭିତ୍ତିକ ସଂଗଠନମାନେ ସଭା ଉତ୍ସବାଦି ଆୟୋଜନ କରୁଛନ୍ତି। ଆମେରିକୀୟ ବିଶ୍ବବିଦ୍ୟାଳୟର ସମାବେଶଗୁଡ଼ିକରେ ଭାରତୀୟମାନେ ପରସ୍ପରକୁ ଜାତି ପଚାରନ୍ତି। ଅବସର ଦେଖି କେହି କେହି ସହକର୍ମୀ ଓ ସହପାଠୀଙ୍କ ପିଠି ଥାପୁଡ଼େଇ ଦେହରେ ଉପବୀତ ଅଛି କି ନା ଅନ୍ଦାଜ ଲଗାନ୍ତି। ଜାତି ପକ୍ଷପାତିତା ସହିତ ତାଳ ଦେଇ ଏହାର ସମାଲୋଚନା ଓ ସଂସ୍କାର ଦିଗରେ ମଧ୍ୟ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନଙ୍କ ତତ୍ପରତା ଦେଖାଦେଇଛି। ଏ ପରିପ୍ରେକ୍ଷୀରେ ଗୋଟିଏ ପ୍ରବାସୀ ଭାରତୀୟ ଆନ୍ତଃଜାତି ଦମ୍ପତିଙ୍କ କନ୍ୟା ଓ ଫିଲ୍ମ ପ୍ରୋଯୋଜିକା କବିତା ପିଲ୍ଲେୟଙ୍କ ‘କାଷ୍ଟ ଇନ୍ ଆମେରିକା’ ସିରିଜ ଉଦ୍ୟମ ପ୍ରଶଂସନୀୟ। ବିବିସି ସହିତ ସାକ୍ଷାତକାରରେ, ସିଆଟଲ ଆଇନର ମୁଖ୍ୟ ପୁରୋଧା, ସମାଜବାଦୀ ନେତ୍ରୀ କ୍ଷମା ସାୱନ୍ତ ଉତ୍ତର ଦେଇଛନ୍ତି- ଆଇନ ଦ୍ବାରା ଖୁବ ବେଶୀ ବଦଳିବ ନାହିଁ, ମାତ୍ର ଏହାଦ୍ବାରା ପୀଡ଼ିତ ଆଇନର ଆଶ୍ରୟ ନେଇପାରିବେ ଏବଂ ସାରା ସମାଜକୁ ସାମାଜିକ ନ୍ୟାୟ ସମ୍ପର୍କରେ ଏକ ବାର୍ତ୍ତା ଯିବ। ସେ କହିଲେ- ଏହା ଏକ ଆରମ୍ଭ, ଆଗକୁ ସାରା ଦେଶରେ ଏହି ଆନ୍ଦୋଳନକୁ ସମ୍ପ୍ରସାରିତ କରିବାର କାମ ବାକି ରହିଛି। ଏହାର ତତ୍କାଳ ଲାଭ ହେଲା ନିଯୁକ୍ତି, ପଦୋନ୍ନତି ଓ ଗୃହଯୋଗାଣ କ୍ଷେତ୍ରରେ ପକ୍ଷପାତିତାରୁ ପୀଡ଼ିତଙ୍କୁ ସୁରକ୍ଷା ମିଳିବ।

ଆମ ଦେଶର କଥା- ଭାରତୀୟ ସମ୍ବିଧାନ ଧାରା ୧୭ ଜରିଆରେ ଅସ୍ପୃଶ୍ୟତା ନିଷେଧ କରିଛି ଏବଂ ସମାନତାର ଅଧିକାର ଅଧୀନରେ ଜାତି, ଧର୍ମ, ଲିଙ୍ଗ ଆଧାରରେ ସମସ୍ତ ପ୍ରକାର ଭେଦଭାବ ବେଆଇନ ହୋଇଛି। ସେଗୁଡ଼ିକ ଆମକୁ ସଦା ସଚେତନ କରୁଛନ୍ତି, ମାନସିକ ପରିବର୍ତ୍ତନ ପାଇଁ ଆହ୍ବାନ ଦେଉଛନ୍ତି। ଏହି ପ୍ରେରଣାମାନଙ୍କ ମଧ୍ୟରେ ସିଆଟଲ ଅଧ୍ୟାଦେଶ ଆମ ପାଇଁ ବିଦେଶରୁ ଆଉ ଏକ ବିମ୍ବିତ ଆଲୋକ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories