ସରକାରଙ୍କ ଗ୍ରୀଷ୍ମ ମୁକାବିଲା ପ୍ରସ୍ତୁତି
ଜଳାଭାବ ସ୍ଥାନ ଚିହ୍ନଟ ଓ ଅଂଶୁଘାତ ଚିକିତ୍ସାକୁ ପ୍ରାଧାନ୍ୟ
ଭୁବନେଶ୍ୱର : ଫେବୃଆରୀ ମାସରୁ ରାଜ୍ୟରେ ତାତି ବଢ଼ିବାରେ ଲାଗିଥିବାବେଳେ ରାଜ୍ୟର ସମସ୍ତ ଅଞ୍ଚଳରେ ପାନୀୟ ଜଳ ସୁନିଶ୍ଚିତ କରିବା, ଡାକ୍ତରଖାନାରେ ଜୀବନ ରକ୍ଷାକାରୀ ଔଷଧ ମହଜୁଦ ରଖିବା ଓ ଅଂଶୁଘାତ ଚିକିତ୍ସା ପାଇଁ ପ୍ରସ୍ତୁତ ରହିବାକୁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଗତମାସ ୨୪ ତାରିଖରେ ତତ୍କାଳନୀ ସ୍ବତନ୍ତ୍ର ରିଲିଫ ଆୟୁକ୍ତ ପ୍ରଦୀପ ଜେନା ଗ୍ରୀଷ୍ମପ୍ରବାହ ସମୟରେ କ’ଣ କ’ଣ ପଦକ୍ଷେପ ନିଆଯିବ ସେ ନେଇ ଆଗୁଆ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ଗ୍ରୀଷ୍ମ ପ୍ରବାହ ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଗ୍ରୀଷ୍ମଲହରୀ ସମୟରେ କ’ଣ କରିବା ଉଚିତ ଓ ଉଚିତ ନୁହେଁ,ସେ ନେଇ ଗଣମାଧ୍ୟମରେ ପ୍ରଚାର କରିବା ଓ ସଚେତନତା ଅଭିଯାନରେ ନାଗରିକ ସମାଜକୁ ସାମିଲ କରିବାକୁ ରିଲିଫ ଆୟୁକ୍ତ ଶ୍ରୀ ଜେନା କହିଥିଲେ। ଏନେଇ ଜଳସମ୍ପଦ ବିଭାଗ ପକ୍ଷରୁ ବିଭାଗୀୟ ଇଆଇସିଙ୍କୁ ପ୍ରସ୍ତୁତି କରିବାକୁ ନିର୍ଦେଶ ଦିଆଯାଇଛି। ଗ୍ରୀଷ୍ମପ୍ରବାହ ସମୟରେ ପାନୀୟ ଜଳକୁ ନେଇ ବିଭିନ୍ନ ସମସ୍ୟା ଦେଖାଦେଉଥିବାରୁ ସେଥିପ୍ରତି ଗୁରୁତ୍ବ ଦେଇଛନ୍ତି। ଜଳାଭାବ ଦେଖାଯାଉଥିବା ଗାଁ, ପଡ଼ା ଓ ୱାର୍ଡ଼ ପ୍ରଭୃତି ଚିହ୍ନଟ କରି ପାନୀୟ ଜଳ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଜିଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ଏହାସହିତ ଟ୍ୟୁବୱେଲ, ପାଇପ ଜଳ ଯୋଗାଣ ବ୍ୟବସ୍ଥାର ମରାମତି ଦିଗରେ ତୁରନ୍ତ ପଦକ୍ଷେପ ନେବା ଏବଂ ଜଳସମ୍ପଦ ବିଭାଗ ବିଭିନ୍ନ ଜଳଭଣ୍ଡାରରୁ ଆବଶ୍ୟକତା ଅନୁଯାୟୀ ଜଳ କେନାଲଗୁଡ଼ିକରେ ଛାଡ଼ିବାକୁ କୁହାଯାଇଛି। ପାନୀୟ ଜଳ ସେବା କେନ୍ଦ୍ର ଓ ଜଳଛତ୍ର ବିଭିନ୍ନ ସ୍ଥାନରେ ଖୋଲିବା, ଗୃହପାଳିତ ପଶୁ ଓ ବନ୍ୟଜନ୍ତୁଙ୍କ ତୃଷ୍ଣା ମେଣ୍ଟାଇବାକୁ ପାଣିକୁଣ୍ଡର ବ୍ୟବସ୍ଥା କରିବାକୁ କୁହାଯାଇଛି।
ଅନ୍ୟପକ୍ଷରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାନୀୟ ଜଳ ବ୍ୟବସ୍ଥା, ଓଆରଏସ ମହଜୁଦ ରଖିବା ଏବଂ ବାହାରେ ହେଉଥିବା କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ନିର୍ଦେଶ ରହିଛି। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ କେବଳ ସକାଳ ସମୟରେ ଖୋଲିବ। ଏହାସହିତ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜିଲା ହସ୍ପିଟାଲରେ ଜୀବନ ରକ୍ଷାକାରୀ ଔଷଧ, ଓଆରଏସ୍ ମହଜୁଦ ରଖିବା ସହିତ ହିଟଷ୍ଟ୍ରୋକ ରୋଗୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ୱାର୍ଡ଼ କିମ୍ବା ଶଯ୍ୟା ଖୋଲାଯିବ। ଇଏସଆଇ ଡିସପେନସାରୀରେ ମଧ୍ୟ ସାଧାରଣ ରୋଗୀଙ୍କ ଚିକିତ୍ସିତ ହୋଇପାରିବେ। ଅଧିକ ଖରା ସମୟରେ ଶ୍ରମିକଙ୍କ କାମ କରିବା ସମୟ ଉପରେ କଟକଣା ଲଗାଇବା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ରାଜ୍ୟ ତଥା ଜିଲାସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବା ଏବଂ ଡାକ୍ତରଖାନା, ବିଦ୍ୟାଳୟ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଜରୁରୀକାଳୀନ ବ୍ୟବସ୍ଥାର ତଦାରଖ ପାଇଁ ବରିଷ୍ଠ ଅଧିକାରୀଙ୍କୁ ଜିଲାପାଳମାନେ ଦାୟିତ୍ବ ଦେବାକୁ ଶ୍ରୀ ଜେନା ନିର୍ଦେଶ ଦେଇଥିଲେ।
Comments are closed.