ବାଣ ବିସ୍ଫୋରଣରେ ୫ମୃତ, ୨ ଗୁରୁତର

ଦୋଳ ମେଲଣ ପୂର୍ବରୁ ଅଘଟଣ ,ଲାଇସେନ୍ସ ନ ଥିଲା, ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ: ଜିଲାପାଳ

ଖୋର୍ଦ୍ଧା/ଟାଙ୍ଗୀ : ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଇଚ୍ଛାପୁର ଗ୍ରାମରେ ବାଣ ବିସ୍ଫୋରଣରେ ୩ଜଣ ଲୋକଙ୍କର ମୃତ୍ୟୁ ଘଟିବାର ଦୁଃଖଦ ଘଟଣା ଲୋକଙ୍କ ମନରୁ ନ ଲିଭିଣୁ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଭୁଷଣ୍ଡପୁର ଗ୍ରାମରେ ସୋମବାର ଏଭଳି ଏକ ଅଘଟଣର ପୁନରାବୃତ୍ତି ଘଟିଛି। ଦୋଳ ଉତ୍ସବ ପାଇଁ ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ ଘଟିବାରୁ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକ ବଡ଼ ଡାକ୍ତରଖାନାରେ ଜଣକର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବାଣକାର ନିରଞ୍ଜନ ​ବେହେରା, ଦୋଳଗୋବିନ୍ଦ ବେହେରା, ବରଜୁ ବେହେରା (ଭୁଷଣ୍ଡପୁର), ସହଦେବ ବେହେରା (ନିରାକାରପୁର) ଓ ବୃନ୍ଦବନ ସାହୁ (ବାଦୁରାବର)ା ଏମ୍ସରେ ଚିକିତ୍ସାଧୀନ ଆହତ ୨ଜଣ ହେଲେ ଭୁଷଣ୍ଡପୁରର ସୁଦର୍ଶନ ବେହେରା ଓ ମହେଶ୍ୱର ବେହେରା ବୋଲି ଜଣାପଡ଼ିଛି।
ଅଘଟଣ ପରେ ତିନିଜଣ ଗୁରୁତରଙ୍କୁ ପ୍ରଥମେ ଖୋର୍ଦ୍ଧା ସଦର ମହକୁମାସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରୁ ଦୁଇଜଣଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସ ଓ ଜଣଙ୍କୁ କଟକସ୍ଥିତ ଏସ୍‌ସିବି ମେଡିିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ତେବେ କଟକରେ ଦୋଳଗୋବିନ୍ଦଙ୍କର ରାତି ୧୦ଟାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଆହତମାନଙ୍କ ଶରୀରର ଅଧିକାଂଶ ଅଂଶ ପୋଡିଯାଇଥିବାରୁ ସେମାନେ ମରଣ ସହ ଯୁଝୁଝନ୍ତି। ଶରୀରର ଅଧିକାଂଶ ଭାଗ ପୋଡ଼ିଯାଇଥିବାରୁ ସେମାନଙ୍କୁ ପ୍ରଥମେ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଥିଲା।
ମଙ୍ଗଳବାର ଦୋଳପୂର୍ଣ୍ଣମୀ ରାତିରେ ଭୁଷଣ୍ଡପୁର ମେଲଣ ପଡ଼ିଆରେ ପ୍ରତିବର୍ଷ ପରି ଚଳିତ ଥର ମଧ୍ୟ ଆତସବାଜି ପ୍ରଦର୍ଶନ ହେବାର କାର୍ଯ୍ୟକ୍ରମ ଥିଲା। ଭୁଷଣ୍ଡପୁରର ଶ୍ରୀ ଐଶାନେଶ୍ୱର ଓ ବାଲିପାଟପୁରର ଶ୍ରୀ ପତିତପାବନ ଦେବ ଦୋଳପଡିଆରେ ବିଜେ କରନ୍ତି। ଶହଶହ ବର୍ଷ ଧରି ଏହି ପରମ୍ପରା ଚାଲି ଆସୁଛି। ଗାଁ ଠାରୁ କିଛି ଦୂରରେ ଭୁଷଣ୍ଡପୁର ନଈ ବନ୍ଧରେ ରହିଛି ହଟ ବେହେରାଙ୍କ ଘର। ତାଙ୍କ ଦୁଇ ପୁଅଙ୍କ ସହ ଅନ୍ୟ କାରିଗରମାନେ ସେଠାରେ ବାଣ ପ୍ରସ୍ତୁତ କରୁଥିବା ବେଳେ ଏହି ଅଘଟଣ ଘଟିଛି। ସୋମବାର ପୂର୍ବାହ୍ଣ ସାଢେ ଦଶଟା ବେଳେ ବିସ୍ଫୋରଣ ହୋଇଥିଲା। ଏହା ଏତେ ତୀବ୍ର ଥିଲା ଯେ ଘରେ ଛପର ହୋଇଥିବା ଟିଣ ଏଣେ ତେଣେ ଉଡି ପଡିଥିଲା। ପଥର କାନ୍ଥ ଫାଟି ଯାଇଛି। ପ୍ରଚଣ୍ଡ ଶଦ୍ଦ ଶୁଣି ସ୍ଥାନୀୟ ଲୋକ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ପଠାଇଥିଲେ। ଖବର ପାଇ ଟାଙ୍ଗୀରୁ ଦୁଇଟି ଦମକଳ ଟିମ ଯାଇ ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ କରିଥିଲେ। ଖୋର୍ଦ୍ଧାରୁ ଏକ ଡାକ୍ତରୀ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲା। ଦୋଳ ପାଇଁ ଉତ୍ସବ ମୁଖର ଥିବା ଭୁଷଣ୍ଡପୁର ଏହି ଘଟଣା ପରେ ସ୍ତବ୍ଧ ହୋଇଯାଇଛି।
ମହାମାରୀ କରୋନା ଯୋଗୁ ଗତ ୨ ବର୍ଷ ଧରି ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଉତ୍ସବାନୁଷ୍ଠାନକୁ ବାତିଲ କରି ଦିଆଯାଇଥିଲା। ଚଳିତ ବର୍ଷ ଏହି କଟକଣାକୁ ଉଠାଇ ଦିଆଯାଇଥିବା ଯୋଗୁ ଭୁଷଣ୍ଡପୁର ଦୋଳଯାତ୍ରାକୁ ପୂର୍ବପରି ଧୁମଧାମରେ ପାଳନ କରିବା ପାଇଁ ତତ୍ପରତା ପ୍ରକାଶ ପାଇଥିଲା। ଏଥିପାଇଁ ଏହି ଗ୍ରାମର ହଟକେଶ୍ୱର ବେହେରା ତାର ପରିବାର ସହିତ ଅନ୍ୟ ବାଣ କାରିଗରମାନଙ୍କୁ ଏଥିରେ ନିୟୋଜିତ କରିଥିଲା।
ଏହି ବାଣ ତିଆରି ପାଇଁ ପ୍ରଶାସନ ତରଫରୁ କୌଣସି ଲାଇସେନ୍ସ ପ୍ରଦାନ କରାଯାଇନଥିବା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ତେବେ ବାଣରେ ବ୍ୟବହୃତ କଞ୍ଚାମାଲ ଇତ୍ୟାଦି ସେ ଯେପରି ଆଣି ବାଣ ପ୍ରସ୍ତୁତି କରୁଥିଲେ ତାହାର ତଦନ୍ତ କରାଯିବ ଓ ଏହା ବିରୋଧରେ ବିହିତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ସୂଚନା ପ୍ରଦାନ କରିଛନ୍ତି। ଭୁଷଣ୍ଡପୁରରେ ଅବାଧ ମଦର ପ୍ରସାର ଯୋଗୁ ଏକ ଅପରାଧ ପ୍ରବଣ ଅଂଚଳ ରୂପେ ପରିଗଣିତ ହୋଇଥିବା ବେଳେ ଏଭଳି ଅଘଟଣ ପ୍ରଶାସନର ଦୁର୍ବଳତାକୁ ଅଙ୍ଗୁଳି ନିର୍ଦେଶ କରୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ଦୁର୍ଘଟଣା ଖବର ପାଇ ଖୋର୍ଦ୍ଧା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟରିଆ, ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ, ସୁଜିତ କୁମାର ପଣ୍ଡା, ଖୋର୍ଦ୍ଧା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦିଲୀପ କୁମାର ଦାସ, ଟାଙ୍ଗୀ ତହସିଲଦାର ଜନ୍ମେଜୟ ସାହୁ, ବିଡିଓ ଐଶ୍ୱର୍ଯ୍ୟା ସାମନ୍ତରାୟ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି। ପୁଲିସ ଅଧିକାରୀମାନେ ସାଇଣ୍ଟିଫିକ ଟିମ୍‌ ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ପକ୍ଷରୁ ବିସ୍ଫୋରଣ ଘଟିଥିବା ଗୃହକୁ ସିଲ୍‌ କରାଯାଇଛି। ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର ଆହତମାନଙ୍କ ଚିକିତ୍ସା ସମ୍ପର୍କରେ ବୁଝିଥିବା ବେଳେ ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ, ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନଧାତା, ଜିଲା ପରିଷଦ ସଭ୍ୟ ବିଜୟ ପାଲଟାସିଂ, ସ୍ଥାନୀୟ ସରପଞ୍ଚ ସୌରଭ ଦାସ ମହାପାତ୍ର ପ୍ରମୁଖ ପହଞ୍ଚି ମୃତାହତଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି।

Comments are closed.