ମୁଖ୍ୟମନ୍ତ୍ରୀଙ୍କ ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲା ଗସ୍ତ : ବିଜୁ ଏକ୍ସପ୍ରେସ ୱେ ଲୋକାର୍ପିତ
ଶିଳ୍ପାୟନ ପାଇଁ ଅର୍ଥନୈତିକ ଖୋଲିଲା କରିଡର, ୩୦୮୧ କୋଟିର ପ୍ରକଳ୍ପ ଶୁଭାରମ୍ଭ, ମିଶନ ଶକ୍ତି ସଦସ୍ୟାଙ୍କୁ ୪୨କୋଟିର ସହାୟତା
ଭବାନୀପାଟଣା/ଧର୍ମଗଡ଼/ନୂଆପଡ଼ା/ସୋହେଲା/ଆମପାଣି : ମହାନ ଜନନାୟକ ବିଜୁ ପଟ୍ଟନାୟକ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବରଗଡ, କଳାହାଣ୍ଡି ଓ ନୂଆପଡା ଜିଲା ଗସ୍ତରେ ଯାଇ ୩୦୮୧ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହାସହିତ ଆମପାଣିଠାରେ ବିଜୁ ଏକ୍ସପ୍ରେସ ୱେ ଏବଂ ବରଗଡ଼ ଜିଲା ସୋହେଲାରୁ କଳାହାଣ୍ଡି ଜିଲା ଆମପାଣି ପର୍ଯ୍ୟନ୍ତ ବିଜୁ ଅର୍ଥନୈତିକ କରିଡର ପଶ୍ଚିମ ଓଡ଼ିଶାବାସୀଙ୍କ ସେବାରେ ଉତ୍ସର୍ଗ କରିଛନ୍ତି। ଏହାସହିତ ତିନି ଜିଲାରେ ମହିଳାଙ୍କ ବିକାଶ ପାଇଁ ମିଶନ ଶକ୍ତି ଯୋଜନାରେ ୪୨ କୋଟି ଟଙ୍କାର ଋଣ ସହାୟତା ତଥା ସୁଧ ରିହାତି ମଧ୍ୟ ପ୍ରଦାନ କରିଛନ୍ତି।
ବିଜୁ ଏକ୍ସପ୍ରେସ-ୱେ କେବଳ ଏକ ରାସ୍ତା ନୁହେଁ ଏହା ହେଉଛି ଏ ଅଞ୍ଚଳର ଜୀବନ ରେଖା ବୋଲି ଏହି ଅବସରରେ ଆୟୋଜିତ ସମାବେଶ ମାନଙ୍କରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହାସହିତ ବିଜୁ ଏକ୍ସପ୍ରେସ ୱେ କେବଳ ଏ ଅଞ୍ଚଳ ନୁହେଁ ସାରା ଓଡ଼ିଶା ପାଇଁ ବିକାଶର ନୂଆ ଇତିହାସ ଲେଖିବ । ରାସ୍ତା ଦ୍ବାରା ପଶ୍ଚିମ ଓ ଦକ୍ଷିଣ ଓଡିଶା ମଧ୍ୟରେ ଅର୍ଥନୈତିକ କାର୍ୟ୍ୟକଳାପ ବୃଦ୍ଧି ଘଟିବ। ପର୍ଯ୍ୟଟନର ମଧ୍ୟ ବିକାଶ ଘଟିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ। ବିଜୁ ଏକ୍ସପ୍ରେସ ୱେ ଏ ଅଞ୍ଚଳ ପାଇଁ ଅନେକ ସୁଯୋଗ ଆଣିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀ ପାଇଁ ବଜାର ସୁବିଧା ମିଳିବ, ଛାତ୍ରଛାତ୍ରୀମାନଙ୍କ ପାଠପଢା ପାଇଁ ସୁବିଧା, ବ୍ୟବସାୟୀମାନଙ୍କୁ ସୁବିଧା, ସ୍ୱାସ୍ଥ୍ୟ ସେବାରେ ଆହୁରି ଉନ୍ନତି ଆସିବ,ସାଧାରଣ ଲୋକ ମଧ୍ୟ ସୁବିଧାରେ ଯାତାୟତ ରୂପାନ୍ତର କାମକୁ ମଜଭୁତ କରିବ । ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସର ଦୁଇପାଖେ ବିଜୁ ଅର୍ଥନୈତିକ କରିଡର ହେବା ଦ୍ବାରା ପୁଞ୍ଜି ବିନିଯୋଗ ବଢିବ ଏବଂ ନୂଆ ନୂଆ ଶିଳ୍ପ ଗଢି ଉଠିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।
ବିଜୁ ଅର୍ଥନୈତିକ କରିଡରକୁ ପୁଞ୍ଜିପତିମାନଙ୍କୁ ଆକର୍ଷଣ କରିବା ପାଇଁ ପ୍ରୋତ୍ସାହନ ଭାବରେ ଅତିରିକ୍ତ ୩୦ ପ୍ରତିଶତ ରିହାତି ନିବିଶେକମାନଙ୍କୁ ମିଳିବ। ଶିଳ୍ପ ବିକାଶ କାର୍ୟ୍ୟ ତ୍ବରାନିତ କରିବା ପାଇଁ ଆଗୁଆ ଜମି ଅଧିଗ୍ରହଣ କାର୍ୟ୍ୟ ମଧ୍ୟ ଆରମ୍ଭ ହୋଇଛି। ବିଜୁ ଅର୍ଥନୈତିକ କରିଡର ଦ୍ବାରା ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲାବାସୀ ବିଶେଷ ଭାବରେ ଉପକୃତ ହେବେ। ୫୯୦ କୋଟି ୮୪ ଲକ୍ଷ ଟଙ୍କା ବ୍ୟୟରେ ଘାଟିପଡାରୁ ଆମପାଣି ପର୍ୟ୍ୟନ୍ତ ବିଜୁ ଏକ୍ସପ୍ରେସ ୱେର ୧୭୪.୫୦୪ କିମି ଚାରିଥାକିଆ ରାସ୍ତା କାମ ରେକର୍ଡ ଏକ ବର୍ଷ ମଧ୍ୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଓଡିଶାରେ ଭିତ୍ତିଭୂମି ବିକାଶ ପାଇଁ ଅଗ୍ରଣୀ ଭୂମିକା ନେଇଥିବା ମହାନ ଜନନାୟକ ବିଜୁ ବାବୁଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ବିଜୁ ବାବୁଙ୍କ ଆଦର୍ଶରେ ଏକ ସଶକ୍ତ ଓଡିଶା ଗଠନ ପାଇଁ ସେ କାମ କରି ଚାଲିଛନ୍ତି। ସୂଚନା ଅନୁସାରେ ରବିବାର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ବରଗଡ଼ ଜିଲା ସୋହେଲା ହଲଦିପାଲିକୁ ଆସି ସଭାରେ ୨୧୭ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ତଥା ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଋଣ ପ୍ରଦାନ କରିଥିଲେ। ପରେ ସୋହେଲାରୁ ହେଲକପ୍ଟରରେ ନୂଆପଡ଼ା କୋମନା ବ୍ଲକ ସିଲେଟପାଣିକୁ ଆସି ଏଠାରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ଜିଲାକୁ ପ୍ରାୟ ୭୬୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି। ଏହା ସହ ଏସଏଚଜି ମା’ ମାନଙ୍କୁ ୨୫ କୋଟି ଟଙ୍କାର ବିନାସୁଧରେ ଋଣ ଯୋଗାଇ ଦେଇଛନ୍ତି। ପରେ ଅପରାହ୍ନ ୩ଟା୧୫ ମିନିଟରେ ହେଲିକେପ୍ଟରରେ ବୃନ୍ଦବାହାଲ ହେଲିପ୍ୟାଡରେ ପହଞ୍ଚିବା ପରେ ସନ୍ନିକଟ ସଭାସ୍ଥଳକୁ ଆସି ଆୟୋଜିତ ସାଧାରଣ ସଭାରେ ଲୋକଙ୍କୁ ଉଦବୋଧନ ଦେଇଥିଲେ। ବୃନ୍ଦାବାହାଲ ସଭାରେ ସେ ଜିଲାର ପ୍ରାୟ ୫୨୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ। ସେହିଭଳି ପ୍ରାୟ ୧୫୭୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପରେ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ସଭାରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଏସଏଚଜି ଗୋଷ୍ଠୀଙ୍କୁ ଲକ୍ଷାଧିକ ଟଙ୍କାର ଋଣ ପ୍ରଦାନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ରୋଡ ସୋ’ ରେ ଧର୍ମଗଡ଼ ସ୍ମାର୍ଟ ପାର୍କ ଯାଏଁ ଯାଇ ସେଠାରୁ ହେଲିକେପ୍ଟର ଯୋଗେ ଆମପାଣିରେ ପହଞ୍ଚି ବିଜୁ ଏକ୍ସପ୍ରେସ ୱେକୁ ଲୋକର୍ପଣ କରିଥିଲେ। ପରେ ଉତ୍କେଲା ଏୟାରଷ୍ଟ୍ରିପରୁ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ୫-ଟି ସଚିବ ଭି. କେ ପାଣ୍ଡିଆନ, ବୟନ ଓ ହସ୍ତତନ୍ତ ମନ୍ତ୍ରୀ ରୀତା ସାହୁ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଭଟଲି ବିଧାୟକ ସୁଶାନ୍ତ ସିଂ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରି, ନର୍ଲା ବିଧାୟକ ଭୁପିନ୍ଦର ସିଂ, ଧର୍ମଗଡ଼ ବିଧାୟକ ମୌଷଧି ବାଗ, ରାଜ୍ୟସଭା ସାଂସଦ ସୁଜିତ କୁମାର, ମନ୍ତ୍ରୀ ପ୍ରତାପ କେଶରୀ ଦେବ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.