ପୁଅ ମୋର ଆମେରିକାରେ
ଛନ୍ଦା ମିଶ୍ର
ଦୂର ପାହାଡ଼ ଆମକୁ ଖୁବ୍ ସୁନ୍ଦର ଦିଶେ। ବାଡ଼ ଆର ପଟେ ଥିବା ଘାସ ଦିଶେ ବେଶି ସବୁଜ। ନିଜ ପିଲା ଠାରୁ ଅନ୍ୟର ପିଲା ଲାଗେ ଅଧିକ ପ୍ରତିଭାବାନ୍। ନିଜ ଘର ଠାରୁ ପଡୋଶୀଙ୍କ ଘର ବେଶି ଆକର୍ଷଣୀୟ ମନେହୁଏ। ଠିକ୍ ସେମିତି ଆମ ଦେଶ ଠାରୁ ବିଦେଶ ପ୍ରତି ଆମର ପ୍ରବଳ ମୋହ। କେଉଁଠି ବିଦେଶୀ ଟିଏ ଦେଖିଲେ ଆମେ କୌତୂହଳୀ ହୋଇ ତାକୁ ଅନେଇ ରହୁ ଭିନ୍ନ ଗ୍ରହରୁ ଆସିଥିଲା ପରି। ଆଉ କେତେକ ଆଗଚଲା ଆଗେଇ ଯାଇ ତାଙ୍କ ସହ ସେଲଫିଟିଏ ଉଠେଇ ଆଣନ୍ତି। କଥା ଏତିକିରେ ସୀମିତ ରହିଲେ ହୁଅନ୍ତା, ମାତ୍ର ଆମେ ଆଉ ଚାରି ପାଦ ଆଗେଇ ଯାଉ, ତାଙ୍କ ଚାଲି ଚଳନ, ଆଚାର ବ୍ୟବହାର, ବେଶ ପୋଷାକ ଓ ଖାଦ୍ୟ ପାନୀୟକୁ ବି ଆପଣେଇ ନେଉ। ଅନୁସରଣ, ଅନୁକରଣ ଓ ହନୁକରଣ ଭିତରେ ଥିବା ପାର୍ଥକ୍ୟକୁ ବୁଝି ପାରୁନା। ଯେଉଁଥିପାଇଁ ବୈଶାଖର ଡହଡହ ଖରାବେଳେ କୋଟ୍, ଟାଇ ପିନ୍ଧି ଅଣନିଃଶ୍ବାସୀ ହେବାକୁ ପସନ୍ଦ କରୁ ପଛେ; କିନ୍ତୁ ହାଲକା ସୂତା ପୋଷାକ ପିନ୍ଧି ନିଜକୁ ଦେଶୀ କହିବାକୁ ଆମକୁ ଲଜ୍ଜା ବୋଧ ହୁଏ। ଆମକୁ ସୁହାଉ ବା ନ ସୁହାଉ ଆମେ ତାଙ୍କ ଚାଲି ଚଳନକୁ ଅନୁସରଣ କରି ଚାଲିଛେ। ସେମାନେ ଆମ ଯୋଗ, ଧ୍ୟାନ ଓ ପ୍ରାଣାୟାମକୁ ଆପଣେଇ ପାରିଲେ ଅଥଚ ଆମେ ରାତି ଅନିଦ୍ରା ହୋଇ ଦିନ ନ’ ଟାରେ ଉଠି ଅଘଷା ପାଟିରେ ବାସୀ ଶେଯରେ ବସି ବେଡ୍ ଟି’ ପିଇବାକୁ ଆଧୁନିକତା କହୁଛୁ।
ଆଗେ ଥିଲାବାଲା ଲୋକେ ନିଜ ପିଲାଙ୍କୁ ପଠାଇ ଦେଉଥିଲେ ବିଦେଶ ପାଠ ପଢିବା ପାଇଁ। ପିଲାଏ ପାଠ ପଢି ବିଦେଶୀ ଜ୍ଞାନକୌଶଳ ହାସଲ କରି ଦେଶକୁ ଫେରି ଦେଶ ସେବାରେ ନିଜ ଜ୍ଞାନର ପ୍ରୟୋଗ କରି ଗୌରବ ବୋଧ କରୁଥିଲେ। ଏବେ ହେଉଛି ଠିକ୍ ଏହାର ବିପରୀତ। ପିଲାଏ ଆମ ଦେଶର ଖାଇ, ଆମ ଦେଶରେ ପଢି, ବଢି, ଅନ୍ୟ ଦେଶ ପାଇଁ ଖଟି ବାକୁ ବେଶ୍ ଭଲ ପାଉଛନ୍ତି। ଦିନ ଥିଲା, ମାଆ ଟିଏ ଗାଉଥିଲା, “ବେଶି ପାଠ ପଢି ସେତ ବିଲାତରୁ ଫେରିବ, ଗୋପବନ୍ଧୁ, ମଧୁ ସମ ତା ଯଶ ବଢିବ..”। ହେଲେ ଏବେ ମା, ପୁଅ ମୋର ଆମେରିକାରେ.. କହି ଉପରେ ଗର୍ବିତ ହେଉ ଥିବାର ଅଭିନୟ କରୁଥିଲେ ବି ଭିତରେ ଭିତରେ ପୁଅର ସାନିଧ୍ୟ ଟିକେ ପାଇଁ ହୋଇ ଉଠୁଛି ବ୍ୟାକୁଳ । ଅଧିକ ପଇସା ଓ ଚାକଚକ୍ୟ ପିଲାକୁ ଏପରି ବାଉଳା କରୁଛି ଯେ ସେ ନିଜ ଜନ୍ମ କଲା ମା’ ଓ ମାତୃଭୂମିକୁ ଭୁଲି ସେଠାକାର ନାଗରିକତ୍ୱ ଗ୍ରହଣ କରିବାକୁ ଉଚିତ୍ ମଣୁଛି। ଆଜି କେବଳ ଏଇଥିପାଇଁ ଆମ ଦେଶରେ ଅସଂଖ୍ୟ ପିତା ମାତା ଜୀବନର ସାୟାହ୍ନରେ ପରିତ୍ୟକ୍ତ ଭାବେ ବଞ୍ଚୁଛନ୍ତି। ନା ଛାଡି ପାରୁଛନ୍ତି ଜନ୍ମ ମାଟିର ଆକର୍ଷଣ ନା ତ୍ୟାଗ କରିପାରୁଛନ୍ତି ପୁତ୍ର ମୋହ। ଅତ୍ୟନ୍ତ ବିକଳ ଅବସ୍ଥାରେ କେବଳ ମୃତ୍ୟୁକୁ ଅପେକ୍ଷା କରି ଦିନ ଗଣି ଚାଲିଛନ୍ତି। ପ୍ରାୟ ସ୍ଥାନରେ ତ ତାଙ୍କ ମୃତଦେହ, ବାଧ୍ୟ ହେଉଛି ବାସୀ ମଡା ହେବାକୁ।
୨୦୨୨ରେ ଭାରତ ଛାଡିଥିବା ଲୋକଙ୍କ ସଂଖ୍ୟାକୁ ମିଶାଇଲେ ଗତ ନ ବର୍ଷ ମଧ୍ୟରେ ଭାରତର ନାଗରିକତା ଛାଡିବା ଲୋକଙ୍କ ସଂଖ୍ୟା ପାଖାପାଖି ୧୨ ଲକ୍ଷ ୫୦ ହଜାରରେ ପହଞ୍ଚି ଯିବ। ଗତ ଏଗାର ବର୍ଷ ଭିତରେ ଏହି ବର୍ଷ ସର୍ବାଧିକ ଲୋକ ଭାରତର ନାଗରିକତା ଛାଡିଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଲୋକସଭାରେ ଦିଆ ଯାଇଥିବା ସୂଚନା ଅନୁଯାୟୀ ଏହି ବର୍ଷ ଅକ୍ଟୋବର ୩୧ ପର୍ଯ୍ୟନ୍ତ ୧ ଲକ୍ଷ ୮୩ ହଜାର ୭୪୧ ଜଣ ଭାରତୀୟ ନାଗରିକତ୍ବ ଛାଡିଛନ୍ତି। ଏମାନଙ୍କ କହିବା ଅନୁସାରେ କାଳେ ତାଙ୍କ ପ୍ରତିଭାର ସମଝଦାର ଏ ଦେଶରେ ନାହାନ୍ତି! ତାଙ୍କ ଗୁଣର ଗୁଣଗ୍ରାହୀ ତଥା ତାଙ୍କ ଜ୍ଞାନର ଆକଳନ ଏ ଦେଶରେ କରାଯାଇ ପାରିବ ନାହିଁ! ତେଣୁ ଏ ଦେଶର ଖାଇ ସେମାନେ ସେ ଦେଶର ଗାଆନ୍ତି। ବୋଧହୁଏ ସେମାନେ ପାସୋରି ଦିଅନ୍ତି ଯେ ନିଜ ଦେଶ ପାଇଁ ବି ତାଙ୍କର କିଛି କର୍ତ୍ତବ୍ୟ ରହିଛି। ଅନେକେ ତ ବିଦେଶର ନାଗରିକତ୍ୱ ପାଇଁ ସେଠାକାର ଝିଅଟିଏ ବିବାହ କରିବାକୁ ବି ନିଷ୍ପତ୍ତି ନିଅନ୍ତି ଏବଂ ତାଙ୍କୁ ବିଦେଶ ଏପରି ମନ ମୋହିନିଏ ଯେ ସେମାନେ ଦେଶକୁ ନ ଫେରିବାର ଚରମ ପଦକ୍ଷେପ ବି ଗ୍ରହଣ କରି ନିଅନ୍ତି। ସେତେବେଳେ ତାଙ୍କ ତୁଳନାରେ ତାଙ୍କ ଶିକ୍ଷା ଦୀକ୍ଷାକୁ ନେଇ ସନ୍ଦେହ ଉପୁଜେ। ସେ ଶିକ୍ଷା କେଉଁ କାମର ଯାହା ଆମକୁ ମା, ଗହଣା ଗାଣ୍ଠି ପିନ୍ଧି ନାହିଁ ବୋଲି ମାଉସୀକୁ ଭଲ ପାଇବା ପାଇଁ ଉସୁକାଏ!
ଆମ ଶିକ୍ଷା ଓ ସଂସ୍କୃତି ଆମକୁ ଭୋଗରେ ନୂହେଁ ବରଂ ତ୍ୟାଗରେ ଜୀବନର ମହାନତା ଲୁଚି ରହିଛି ବୋଲି ଦୀକ୍ଷା ଦିଏ। ଏଇଥିପାଇଁ ତ ସ୍ବର୍ଣ୍ଣ ଲଙ୍କାକୁ ବିଜୟ କରି ବି, ବିଭୀଷଣଙ୍କ ହାତରେ ତା’ର ଭାଗ୍ୟ ଡୋର ସମର୍ପି ଦେଇ, ପ୍ରାଣପ୍ରିୟା ପତ୍ନୀ ଓ ପୁତ୍ର ସମ ଅନୁଜଙ୍କୁ ଧରି ପ୍ରଭୁ ଶ୍ରୀରାମ ନିଜ ଜନ୍ମଭୂମିକୁ ଫେରି ଆସିବାକୁ ଉଚିତ୍ ମଣିଥିଲେ। ଦେଶ ଆମକୁ କ’ଣ ଦେଇଛି କହି ଅଭିଯୋଗ ବାଢ଼ିବା ଖୁବ୍ ସହଜ ମାତ୍ର ଆମେ ଦେଶ ପାଇଁ କ’ଣ କରିପାରିବା, ସେଥିରେ ହିଁ ଲୁଚି ରହିଛି ଜନ୍ମ ହେବାର ସାର୍ଥକତା। ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ଦିନେ ଏଇ ମାଟିରେ ଛିଡା ହୋଇ ଗୋପବନ୍ଧୁ, ହରିହର ଓ ନୀଳକଣ୍ଠଙ୍କ ଭଳି ଯୁବକ କେତୋଟି ସୁଖ ସୁବିଧା ତଥା ଉଚ୍ଚ ବେତନ ଯୁକ୍ତ ସରକାରୀ ଚାକିରିକୁ ପରିତ୍ୟାଗ କରି ଶପଥ ଗ୍ରହଣ କରିଥିଲେ ଯେ, “ସରକାରୀ ଚାକିରି କରିବା ନାହିଁ, ଏଇଲେ ଦେଶକୁ ଯେମିତି ଦେଖୁଛେ ମଲା ବେଳକୁ ଆହୁରି ଭଲ ଦେଖି ମରିବା।”
ଏହି ପରିପ୍ରେକ୍ଷୀରେ ମନେ ପଡୁଛି, ଶାହାନାଇର ଶେହନଶାହ ବିସିମିଲ୍ଲା ଖାଁଙ୍କ ଉକ୍ତି। ମାତ୍ର ଛ’ ବର୍ଷ ବୟସରୁ ଗଙ୍ଗା ନଦୀ କୂଳରେ ବସି କାଶୀ ବିଶ୍ବନାଥ ମନ୍ଦିର ସମ୍ମୁଖରେ ଶାହାନାଇରେ ସ୍ବର ତୋଳିବା ସେ ଆରମ୍ଭ କରିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ନିଜ ଜନ୍ମ ମାଟିକୁ ଛାଡି ପାରି ନ ଥିଲେ। ଅନେକ ସମୟରେ ତାଙ୍କୁ ବିଦେଶରୁ ଆକର୍ଷଣୀୟ ପ୍ରଲୋଭନ ମିଳିଥିବା ସେତ୍ତ୍ବ ତାଙ୍କର ରହିଛି ଗୋଟିଏ ଉତ୍ତର, “ମତେ ଗଙ୍ଗା ମାତାଙ୍କ କୂଳ, ବାବା ବିଶ୍ବନାଥଙ୍କ ସାନିଧ୍ୟ ଓ ବାରାଣସୀର ଏ ପବିତ୍ର ଭୂମି ବା ଆଉ କେଉଁଠି ମିଳିବ!”
କେବଳ ଏକା ଭାରତରତ୍ନ ବିସିମିଲ୍ଲା ନୁହନ୍ତି, ବିବେକନନ୍ଦଙ୍କ ଠାରୁ ନେଇ ଗାନ୍ଧୀଙ୍କ ପର୍ଯ୍ୟନ୍ତ ଅନେକେ ନିଜ ଦେଶ ପାଇଁ ଜିଇଁବେ ବୋଲି ମନରେ ନେଇଥିଲେ ଦୃଢ଼ ସଂକଳ୍ପ। କାରଣ ସେମାନେ ଭଲ ଭାବେ ହୃଦୟଙ୍ଗମ କରିଥିଲେ ଯେ, ଗଛ ଯେଉଁ ଦିନ ଚେର ଓ ମାଟିକୁ ଭୁଲି ଯିବ, ସେଦିନ ସେ ହରାଇ ବସିବ ନିଜର ଅସ୍ତିତ୍ବ। ଯେଉଁ ମାଟିରୁ ଆସିଛି, ସେଇ ମାଟି ପାଇଁ କିଛି କରି ପୁଣି ସେଇ ମାଟିରେ ମିଶିଯିବାରେ ରହିଛି ଜୀବନର ଅସଲ ସାର୍ଥକତା।
Comments are closed.