ବିଜୁ ପଟ୍ଟନାୟକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ହିନ୍ଦୁସ୍ତାନ ସ୍ପୋର୍ଟିଂ ଚମ୍ପିୟାନ୍

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଶଂକରପୁର ଠାରେ ଜୟଦୁର୍ଗା କ୍ଲବ ଆନୁକୁଲ୍ୟରେ ଦୀର୍ଘ ୮ଦିନ ଧରି ଚାଲିଥିବା ଆନ୍ତଃଜିଲ୍ଲା ବିଜୁ ପଟ୍ଟନାୟକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଉଦଯାପିତ ହୋଇଯାଇଛି । ଜଗତସିଂପୁରର ହିନ୍ଦୁସ୍ତାନ ସ୍ପୋଟିଂ ଓ ଯାଜପୁରର ଗୋଲଡ଼େନ୍ ଷ୍ଟାର ମଧ୍ୟରେ ଅନୁଷ୍ଠିତ ଦର୍ଶନୀୟ ଫାଇନାଲ ମ୍ୟାଚରେ ଗୋଲଡ଼େନ ଷ୍ଟାରକୁ ହରାଇ ହିନ୍ଦୁସ୍ତାନ୍ ସ୍ପୋର୍ଟିଂ ଚମ୍ପିୟାନ୍ ଆଖ୍ୟା ଅର୍ଜନ କରିଛି। ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରା ଓ କଟକର ସାହୁ ଆଗ୍ରୋ କେମିକାଲର ଲକ୍ଷ୍ମୀନାରାୟଣ ସାହୁ ଅତିଥି ଭାବେ ଏହି ମ୍ୟାଚକୁ ଉଦଘାଟନ କରିଥିଲେ । ୩୦ ଓଭର ବିଶିଷ୍ଟ ମ୍ୟାଚରେ ଗୋଲଡ଼େନ ଷ୍ଟାର ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୨୮୫ ରନ୍ କରିଥିଲେ। ଦଳ ପକ୍ଷରୁ ଅବିନାଶ ସିଂହ ୧୧୭(୪୪) ଓ ସତ୍ୟ ରଞ୍ଜନ ସାମଲ ୫୦(୨୯) କରିଥିଲେ। ହିନ୍ଦୁସ୍ତାନର ପବିତ୍ର ବିଶୋଇ ସର୍ବାଧିକ ୪ଟି ୱିକେଟ ନେଇଥିଲେ। ଜବାବରେ ହିନ୍ଦୁସ୍ତାନ ସ୍ପୋର୍ଟିଂ ମାତ୍ର ୩ ଉଇକେଟ ହରାଇ ବିଜୟ ହାସଲ କରିଥିଲେ। ଦଳର ସତ୍ୟରଞ୍ଜନ ସେନାପତି ୧୧୦(୫୧) ରନ୍ କରି ମ୍ୟାନ୍ ଅଫ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ ଦି ସିରିଜ ହୋଇଥିଲେ । ଏସ୍.ଏ. ଖାନ୍ ୮୫ ରନ୍ କରିଥିଲେ। ଅମ୍ପାୟାର ଶିର୍ଷାନନ୍ଦ ବେହେରା ଓ ଜାଫର ଅଲ୍ଲି ସାହା ମ୍ୟାଚ୍ ପରିଚାଳନା କରିଥିଲେ। ଆୟୋଜିତ ଉଦଯାପନୀ ଉତ୍ସବରେ ଯୁବ ସମାଜସେବୀ ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିନ୍ଦୁସ୍ତାନ ସ୍ପୋଟିଂକୁ ଚମ୍ପିୟନ୍ ଟ୍ରଫି ଓ ଗୋଲଡ଼େନ୍ ଷ୍ଟାରକୁ ରନର୍ସ ଅପ୍ ପୁରସ୍କାର ପ୍ରଦାନ ସହିତ କୃତ୍ତି ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ। ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମଧୁସ୍ମିତା ସେଠୀ, ସରପଞ୍ଚ ପ୍ରମୋଦିନୀ ଖଟୁଆ,ଶିକ୍ଷାବିତ୍ ବୈଷ୍ଣବ ଚରଣ ମହାରଣା, ତୀର୍ଥାନନ୍ଦ ସୁବୁଦ୍ଧିରାୟ, ଲକ୍ଷ୍ମଣ ରାଉତ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ସୁନୀଲ ଚନ୍ଦ୍ର ରାଉତ, ରଞ୍ଜନ ପରିଡ଼ା,ସରୋଜ ଖଟୁଆ, ମହେଶ୍ୱର ପ୍ରଧାନ, ଅନୀଲ ମହାନ୍ତି, ଜିତେନ୍ଦ୍ର କୁମାର, କାହ୍ନୁ ଚରଣ ଓଝା, ଅଭିରାମ ଲେଙ୍କା, ରମେଶ ହାତୀ, ପ୍ରକାଶ କୁମାର ମାଝୀ, ଶିଶିର ନାୟକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।

Comments are closed.