ଫେରିଲେ ମ୍ୟାକ୍ସୱେଲ ଓ ମାର୍ଶ ; କମିନ୍ସ ଅଧିନାୟକ
ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ଅଷ୍ଟ୍ରେଲିଆ ଦଳ ଘୋଷଣା
ମେଲବୋର୍ଣ୍ଣ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆସନ୍ତା ମାର୍ଚ୍ଚ ୧୭ରୁ ଖେଳାଯିବ।ଏଥିପାଇଁ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଗୁରୁବାର ୧୬ ଜଣିଆ ଦଳ ଘୋଷଣା କରାଯାଇଛି। ସ୍ପିନ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ, ଦ୍ରୁତ ବୋଲର ଝାଏ ରିଚାର୍ଡସନ ଓ ମିଚେଲ ମାର୍ଶ ଦଳକୁ ଫେରିଛନ୍ତି। ପ୍ୟାଟ୍ କମିନ୍ସଙ୍କୁ ଦିନିକିଆ ଦଳର ଅଧିନାୟକ ଦାୟିତ୍ବ ଦିଆଯାଇଛି। କହୁଣୀରେ ଆଘାତ ଲାଗି ରିଚାର୍ଡସନ କ୍ରିକେଟଠାରୁ ଦୂରରେ ରହିଥିଲେ। ସେହିପରି ମ୍ୟାକ୍ସୱେଲ ଗୋଡ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଦଳକୁ ଫେରିଛନ୍ତି। ଦୁର୍ଘଟଣାରେ ଗୋଡ଼ ଭାଙ୍ଗି ଯାଇଥିବାରୁ ମ୍ୟାକ୍ସୱେଲ କ୍ରିକେଟଠାରୁ ଦୂରରେ ରହିଥିଲେ। ଦଳରେ ବାମହାତି ଓପନର ଡେଭିଡ୍ ୱାର୍ଣ୍ଣର, ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍ ସ୍ମିଥ୍୍ ଓ ମାର୍ନସ ଲାବୁସେନ୍ଙ୍କୁ ମଧ୍ୟ ସ୍ଥାନ ମିଳିଛି। ୱାର୍ଣ୍ଣର ଦିଲ୍ଲୀ ଟେଷ୍ଟରେ କହୁଣୀରେ ଆଘାତ ଲାଗିଥିବାରୁ ସ୍ବଦେଶ ଫେରି ଯାଇଥିଲେ। ଫଳରେ ଭାରତ ବିପକ୍ଷ ଶେଷ ଦୁଇ ଟେଷ୍ଟରୁ ବାଦ୍ ପଡିଥିଲେ। ଏବେ ଦିନିକିଆ ଦଳରେ ସାମିଲ ହୋଇଛନ୍ତି। ଦ୍ରୁତ ବୋଲର ଜୋସ୍ ହାଜେଲଉଡ୍ ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ନଥିବାରୁ ଦଳରେ ସ୍ଥାନ ପାଇନାହାନ୍ତି। ତାଙ୍କ ସ୍ଥାନେର ଝାଏ ରିଚାର୍ଡସନ ସାମିଲ ହୋଇଛନ୍ତି। ଚଳିତବର୍ଷ ଶେଷରେ ଭାରତରେ ଖେଳାଯିବାକୁ ଥିବା ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପକୁ ଦୃଷ୍ଟିରେ ରଖି କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଦଳ ମନୋନୟନ କରାଯାଇଛି। ଦଳରେ ୱିକେଟରକ୍ଷକ ଭାବେ ଆଲେକ୍ସ କେରୀଙ୍କୁ ସୁଯୋଗ ମଧ୍ୟ ମିଳିଛି। ସ୍ପିନର ଭାବେ ଆଡାମ ଜାମ୍ପା, ଅଷ୍ଟିନ ଆଗର ରହିଥିବାବେଳେ କାମେରୁନ ଗ୍ରୀନ୍, ମିଚେଲ ମାର୍ଶ, ମାର୍କସ ଷ୍ଟୋଇନିସ, ଗ୍ଲେନ ମ୍ୟାକ୍ସୱେଲ, ଜୋଶ ଇଂଲିସ ପ୍ରମୁଖ ଅଲରାଉଣ୍ଡର ରହିଛନ୍ତି। ଦ୍ରୁତ ବୋଲିଂ ବିଭାଗରେ ମିଚେଲ ଷ୍ଟାର୍କ, ଝାଏ ରିଚାର୍ଡସନ, ସନ୍ ଆବଟ୍, ପ୍ୟାଟ୍ କମିନ୍ସ ପ୍ରମୁଖ ଦାୟିତ୍ବ ତୁଲାଇବେ। ଭାରତ ବିପକ୍ଷ ଦିନିକିଆ ସିରିଜ୍ ଆମକୁ ବିଶ୍ବକପ ପୂର୍ବରୁ ପ୍ରସ୍ତୁତି ଓ ପରୀକ୍ଷା ନିରୀକ୍ଷାରେ ସହାୟକ ହେବ। ଏହାକୁ ଦୃଷ୍ଟିରେ ରଖି ଦଳ ମନୋନୟନ କରାଯାଇଛି ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମନୋନୟନକାରୀ ମୁଖ୍ୟ ଜର୍ଜ ବେଲି କହିଛନ୍ତି। ମ୍ୟାକ୍ସୱେଲ ଦିନିକିଆ ଦଳର ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି। ସେ ଗତ ଅକ୍ଟୋବରରୁ କ୍ରିକେଟଠାରୁ ଦୂରରେ ରହିଥିଲେ। ସେ ଫେରିବା ଦଳକୁ ଶକ୍ତ କରିଛି ବୋଲି ବ୍ରେଲି କହିଛନ୍ତି। ସୂଚନାଯୋଗ୍ୟ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମାର୍ଚ୍ଚ ୧୭ରେ ମୁମ୍ବଇ, ୧୯ରେ ବିଶାଖାପାଟଣା ୨୩ରେ ଚେନ୍ନଇରେ ଖେଳାଯିବ।
ଅଷ୍ଟ୍ରେଲିଆ ଦିନିକିଆ ଦଳ: ପ୍ୟାଟ୍ କମିନ୍ସ (ଅଧିନାୟକ), ସନ୍ ଆବଟ୍, ଆଷ୍ଟନ ଏଗାର୍, ଆଲେକ୍ସ କ୍ୟାରୀ, କାମେରନ ଗ୍ରୀନ୍, ଟ୍ରାଭିସ ହେଡ୍, ଜୋସ ଇଙ୍ଗ୍ଲିସ, ମାର୍ନସ ଲାବୁସେନ୍, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ଝାଏ ରିଚାର୍ଡସନ, ଷ୍ଟିଭ୍ ସ୍ମିଥ୍, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ଡେଭିଡ୍ ୱାର୍ଣ୍ଣର ଓ ଆଡାମ ଜାମ୍ପା।
Comments are closed.