ବାଳିକା ହାଇସ୍କୁଲରେ ଅଗ୍ନି ନିରାକରଣ ସଚେତନତା କାର୍ଯ୍ୟକ୍ରମ

ଆଠଗଡ଼ :  ଆଠଗଡ଼ ସରକାରୀ ବାଳିକା ହାଇସ୍କୁଲରେ ବୁଧବାର ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାକରଣ ଓ ସୁରକ୍ଷା ସମ୍ପର୍କୀତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ପ୍ରିୟଦର୍ଶିନୀ ଷଡ଼ଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଠଗଡ଼ ସହକାରୀ ଅଗ୍ନିଶମ ଅଧିକାରୀ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ସତର୍କତା ଓ ସଚେତନତା ଦ୍ୱାରା ଆକସ୍ମିକ ଅଗ୍ନିକାଣ୍ଡକୁ ରୋକାଯାଇପାରିବ ଏବଂ ନିଜକୁ ସୁରକ୍ଷିତ ରଖି ପାରିବେ ବୋଲି ମତବ୍ୟକ୍ତ କରିଥିଲେ। ନିଆଁ କିପରି ଲାଗେ, ଅଗ୍ନି ନିର୍ବାପନର ମୌଳିକ ପ୍ରଣାଳୀ, ବିଦ୍ୟାଲୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଲେ ବିଦ୍ୟାର୍ଥୀ କିପରି ନିରାପଦରେ ବାହାରି ପାରିବେ ଓ ଅନ୍ୟକୁ ବାହାର କରିବାରେ ସହଯୋଗ କରିପାରିବେ ଏବଂ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର ସମ୍ପର୍କରେ ଶ୍ରୀ ସ୍ୱାଇଁ ବୁଝାଇଥିଲେ। ସେହିପରି ଏଲପିଜି ସିଲିଣ୍ଡରେ ନିଆଁ ଲାଗିଲେ ନିଜକୁ ସୁରକ୍ଷିତ ରଖି ତାକୁ କିପରି ନିର୍ବାପନ କରାଯିବ ଅଭ୍ୟାସ ଡ୍ରିଲ ମାଧ୍ୟମରେ ବୁଝାଇଥିଲେ। ଆଗ୍ନିକ ସୁଶାନ୍ତ କୁମାର ରାଉତ ଓ ଦମକଳ ଗାଡ଼ି ଚାଳକ କ୍ରିପାଳ ରାଉତଙ୍କ ସହଯୋଗରେ ଶ୍ରୀ ସ୍ୱାଇଁ ଅଭ୍ୟାସ ଡ୍ରିଲ ମାଧ୍ୟମରେ ଅଗ୍ନି ନିର୍ବାପନ କପରି କରାଯିବ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରୀ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.