ଆଜିଠୁ ବଜେଟ୍ ଅଧିବେଶନ

ଦର୍ଶକ ଗ୍ୟାଲେରୀକୁ ଅନୁମତି, ୩୦ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ୱର :  ମଙ୍ଗଳବାରରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ୍ ଅଧିବେଶନ। ଗୃହ କିଭଳି ସୁରୁଖୁରୁରେ ଚାଲିବ ତାହାକୁ ଦୃ‌ଷ୍ଟିରେ ରଖି ସୋମବାର ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଗୃହର କାର୍ଯ୍ୟବିଧି ପରିଚାଳନା ସହିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ବୈଠକ ପରେ ବାଚସ୍ପତି ଶ୍ରୀ ଆରୁଖ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ, ଏଥର ସାଧାରଣ ଦର୍ଶକଙ୍କୁ ବିଧାନସଭା ଭିତରକୁ ପ୍ରବେଶପତ୍ର ଜରିଆରେ ଅନୁମତି ମିଳିବ। ବିଧାୟକଙ୍କ ଜରିଆରେ ଦର୍ଶକଙ୍କୁ ଦର୍ଶକ ଗ୍ୟାଲେରୀରେ ବସିବାର ସୁଯୋଗ ମିଳିବ। ଗଣମାଧ୍ୟମ ପ୍ରତିନିଧି ପ୍ରେସ୍ ଗ୍ୟାଲେରୀରେ ଉପସ୍ଥିତ ରହିପାରିବେ। ସ୍ବାସ୍ଥ୍ୟଗତ କାରଣରୁ ଯେଉଁ ସଦସ୍ୟ ଗୃହରେ ଉପସ୍ଥିତ ରହି ନ ପାରିବେ ସେମାନେ ଆଭାସି ଜରିଆରେ ଗୃହ କାର୍ଯ୍ୟରେ ଯୋଗଦେଇ ପାରିବେ। ଗୃହକାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ପାଇଁ ଶ୍ରୀ ଆରୁଖ ସମସ୍ତ ସଦସ୍ୟଙ୍କ ସହଯୋଗ ଲୋଡ଼ିଥିଲେ। ଆଭାସି ଜରିଆରେ ବୈଠକରେ ସାମିଲ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବିରୋଧ କରିଥିଲେ। ଶ୍ରୀ ମିଶ୍ର କହିଥିଲେ ଯେ, ସମସ୍ତେ ଗୃହକୁ ଆସି ଭାଗ ନେବାର ଆବଶ୍ୟକତା ରହିଛି। ସଂସଦ କିମ୍ବା ଅନ୍ୟ କୌଣସି ରାଜ୍ୟର ବିଧାନସଭାରେ ଆଭାସି ବ୍ୟବସ୍ଥା ନାହିଁ। ଓଡ଼ିଶାରେ କାହିଁକି ଏହି ପରମ୍ପରା ଚାଲୁ ରହିଛି ବୋଲି କହିଥିଲେ।
ଶ୍ରୀ ମିଶ୍ର କହିଥିଲେ ଯେ, ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଆଇନର ଶାସନ ନୁହେଁ, ଜଙ୍ଗଲୀ ଶାସନ ଚାଲିଛି। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡରେ ତଦନ୍ତକାରୀ ସଂସ୍ଥା ଉପରେ ଲୋକଙ୍କ ସନ୍ଦେହ ବଢୁଛି। ତଦନ୍ତକାରୀ ସଂସ୍ଥା ପ୍ରେସ୍ ମିଟ୍ ଜରିଆରେ ଲୋକଙ୍କ ସମ୍ପୂର୍ଣ୍ଣ ତଥ୍ୟ ଦେବା ଦରକାର। ନବଙ୍କ ହତ୍ୟାକାଣ୍ଡ ହଠାତ ହୋଇନି, ଆକ୍ସିଡେଣ୍ଟାଲ ଡେଥ୍ ନୁହେଁ, ଏହା ବହୁ ଦିନର ଷଡ଼ଯନ୍ତ୍ର ବୋଲି ସେ କହିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ବିଧାୟକଦଳ ନେତାନରସିଂହ ମିଶ୍ର କହିଥିଲେ ଯେ, ଅସୁସ୍ଥତା କାରଣରୁ ଆଭାସି ଜରିଆରେ ଗୃହ କାର୍ଯ୍ୟରେ ସଦସ୍ୟ ଭାଗ ନେଲେ କୌଣସି ଅସୁବିଧା ନାହିଁ। ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଏହି ବ୍ୟବସ୍ଥା ହେଲାଣି, ବିଧାନସଭାରେ ହେଲେ କିଛି ଅସୁବିଧା ନାହିଁ। ତେବେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗୃହର ନେତା, ଗୃହରେ ତାଙ୍କର ଉପସ୍ଥିତି ନିହାତି ଆବଶ୍ୟକ।
ସର୍ବଦଳୀୟ ବୈଠକରେ ବିଜେପିର ଦାବିକୁ ଗୁରୁତ୍ବ ଦିଆ ନ ଯିବାରୁ ଶେଷରେ ସଦସ୍ୟଗଣ ବୈଠକ ବର୍ଜନ କରିଥିଲେ। ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ, ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝି, ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଓ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ପୁଲିସ ମହାନିର୍ଦେଶକ (ଡିଜିପି) ସୁନିଲ ବଂଶଲ ସୋମବାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପୁଲିସ ଆୟୁକ୍ତ, ଭୁବନେଶ୍ୱର ଉପାୟୁକ୍ତ, ଗୁଇନ୍ଦା ବିଭାଗ ଓ ଆଇନଶୃଙ୍ଖଳାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଡିଜିପି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ବିଧାନସଭା ପାଇଁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଧାନସଭା ଏବଂ ଆଖପାଖ ଅଞ୍ଚଳକୁ ପୁଲିସ ଛାଉଣୀ କରାଯିବ। ଏଥିପାଇଁ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ଉପାୟୁକ୍ତ ପ୍ରତୀକ ସିଂଙ୍କ ନେତୃତ୍ୱରେ ୧୦ ଜଣ ଅତିରିକ୍ତ ଉପାୟୁକ୍ତ, ୧୧ ଜଣ ଏସିପି, ୧୩ ଜଣ ଇନ୍ସପେକ୍ଟର, ୧୦୦ ସବ ଇନ୍ସପେକ୍ଟର, ୨୦୦ କନଷ୍ଟେବଳ ନିୟୋଜିତ ହେବେ। ସେହିପରି ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ ସ୍କ୍ବାଡ୍‌, ଅଗ୍ନିଶମ ବିଭାଗ ଆଦି ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖିବେ ବୋଲି ଡିଜିପି ଶ୍ରୀ ବଂଶଲ ସୂଚନା ଦେଇଛନ୍ତି।
ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଦିବାରାତ୍ର ଜଗି ରହିବେ। ବିଧାନସଭା ଛାତ ଉପରେ ମଧ୍ୟ ପୁଲିସ ରହିବେ। ପ୍ରବେଶ ପଥରେ ଦୁଇଟି ଚେକପୋଷ୍ଟ କରାଯାଇଛି। ସୁରକ୍ଷା ବ୍ୟବସ୍ଥାର ନିରୀକ୍ଷଣ ପାଇଁ ୫ଟି ସ୍ଥାନରେ ୫ଟି ଅସ୍ଥାୟୀ କଣ୍ଟ୍ରୋଲ ରୁମ ଖୋଲିଛି। ଯାହାକୁ ପ୍ରତି ମିନିଟରେ ତଦାରଖ କରିବେ ଉପାୟୁକ୍ତ। ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଲୋୟର ପିଏମଜିକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଗାଡ଼ି ଚଳାଚଳ ଉପରେ କଟକଣା ରହିଛି। ସେହିପରି ବିକ୍ଷୋଭ, ଧାରଣା ଓ ଅନଶନ କରୁଥିବା ସଂଗଠନଗୁଡ଼ିକ ଉପରେ ଲୋୟର ପିଏମ୍‌ଜିରେ ଲାଗିଥିବା ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି। ମାଷ୍ଟରକ୍ୟାଣ୍ଟିନ-ପିଏମ୍‌ଜି ରାସ୍ତାକୁ ବନ୍ଦ କରାଯାଇଛି। ରେଳ ଷ୍ଟେସନ ନିକଟରେ ଥିବା ସମସ୍ତ ହୋଟେଲ, ଲଜରେ ରହୁଥିବା ଅତିଥିଙ୍କ ଯାଞ୍ଚ ଆରମ୍ଭ ହୋଇଛି। ବିଧାନସଭା ସମୟରେ ଅନେକ ବ୍ୟକ୍ତି ଆତ୍ମାହୁତି ଦେବାର ନଜିର ରହିଛି। ଏହାକୁ ଦୃଷ୍ଟିରେ ରଖି ଗୁଇନ୍ଦା ବିଭାଗକୁ ଅଧିକ ସକ୍ରିୟ କରାଯାଇଛି ବୋଲି ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

Comments are closed.