ଗୋପାଳପୁର – ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବରେ ପୋଖରୀ କୁ ଗାଧେଇବାକୁ ଯାଇଥିବା ଜଣେ ଯୁବକକୁ ସଂଘବଦ୍ଧ ଭାବେ ଠେଙ୍ଗା ଓ କାତିରେ ଆକ୍ରମଣ କରାଯିବା ସହ ଯୁବକଙ୍କ ଘର ଉପରକୁ ଘନଘନ ବୋମା ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଆହାତ ହୋଇଥିବା ଯୁବକ ଜଣଙ୍କ ଏନ ଚିରଞ୍ଜୀବି ପାତ୍ର (୨୧)ବୋଲି ଜଣାପଡିଛି।
ଶନିବାର ସକାଳ ୧୧ ଟା ବେଳେ ଚିରଞ୍ଜୀବି ଗାଁ ଶେଷ ମୁଣ୍ଡରେ ଥିବା ପୋଖରୀ ରେ ଗାଧୋଉଥିବା ବେଳେ ଅଚାନକ ଗ୍ରାମର ଚାରି ରୁ ଊର୍ଦ୍ଧ୍ୱ ଯୁବକ ସେଠାରେ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ ଚିରଞ୍ଜୀବିଙ୍କ ମୁଣ୍ଡ ରେ ଗଭୀର ଆଘାତ ଲାଗିବା ସହ ଦେହର ବିଭିନ୍ନ ସ୍ଥାନରେ ମାଡ ହୋଇଥିଲା।ଏହା ପରେ ଚିରଞ୍ଜୀବିଙ୍କ ପରିବାର ରହୁଥିବା ରାଳବ ଗୋଲା ସାହିରେ ତାଙ୍କ ଘର ଉପରକୁ ୪ ଟି ବୋମା ଫିଙ୍ଗି ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ଘଟଣା ପରେ ଗୁରୁତର ଅବସ୍ଥାରେ ଚିରଞ୍ଜୀବିକୁ ପୁଲିସ ସହାୟତା ରେ ବ୍ରହ୍ମପୁର ବଡ ମେଡିକାଲ ନିଆଯାଇଥିଲା ।
ଚିରଞ୍ଜିବୀ ଙ୍କ ଚିକିତ୍ସା ଚାଲିଛି। ଅନ୍ୟ ପଟେ ଘଟଣା ପରେ ଗାଁ ରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି। ସୂଚନା ପ୍ରକାରେ ଗତ ତିନି ମାସ ତଳେ ଚିରଞ୍ଜୀବିଙ୍କ କିଛି ମେଣ୍ଢା କୁ ଆଜି ଆକ୍ରମଣ କରିଥିବା ବ୍ୟକ୍ତି ଙ୍କ ଗାଡି ଧକ୍କା ଦେଇଥିଲା। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହେବା ସହ ଥାନା ପର୍ଯ୍ୟନ୍ତ ମାମଲା ଯାଇଥିଲା। ଉକ୍ତ ଘଟଣା ସମେତ ଗତ ୧୫ ବର୍ଷ ତଳେ ଘଟିଥିବା ଏକ ହତ୍ୟା ଘଟଣା କୁ ନେଇ ଦୁଇ ପରିବାର ମଧ୍ୟରେ ତିକ୍ତତା ରହି ଆସିଥିଲା। ଏହାକୁ ଆଧାର କରି ଆଜିର ଘଟଣା ଘଟିଥିବା ସାଧାରଣ ରେ ଚର୍ଚ୍ଚା ହେଉଛି।ଘଟଣା ପରେ ପୁଲିସ ପକ୍ଷରୁ ଆକ୍ରମଣରୃ ସମ୍ପୃକ୍ତ ରହିଥିବା ଯୁବକମାନଙ୍କୁ କାବୁ କରିବା ନିମନ୍ତେ ଚେଷ୍ଟା କରିଥିଲେ ସୁଦ୍ଧା ଆକ୍ରମଣ କାରୀ ଯୁବକ ମାନେ ଫେରାର ହୋଇଯାଇଥିଲେ। ବର୍ତ୍ତମାନ ସୁଦ୍ଧା ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇ ନଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।



