ରୋଗୀଣା ପୁଅର ଚିକିତ୍ସା ପାଇଁ ୩୫୦ କିମି ଚାଲିଚାଲି ଗଲା ବୃଦ୍ଧା ମା’

ବରପାଲିରୁ ବ୍ରହ୍ମପୁରକୁ ପାଦରେ ଚାଲିଲେ ବୃଦ୍ଧା ମାଆପୁଅ

ଲାଞ୍ଜିଗଡ଼: ବୟସର ଅପରାହ୍ଣରେ ପୁଅର ଚିକିତ୍ସା ପାଇଁ ପଦାକୁ ଗୋଡ କାଢିଛନ୍ତି ମା’ । ତିନିମାସ ହେଲା ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ବୁଲୁଛନ୍ତି । ଏଣେ ଦେଖିଲା ବେଳକୁ ମାସିକ ମିଳୁଥିବା ଭତ୍ତା ଟଙ୍କା ଓ କିଛି ସଞ୍ଚିତ ଅର୍ଥ ସବୁ ସରିଗଲାଣି । ଏହିପରି ସମୟରେ କିଏଜଣେ ବ୍ରହ୍ମପୁର ହସ୍ପିଟାଲ ଗଲେ ପୁଅ ଭଲ ହେବ ବୋଲି କହିବାରୁ ସେମାନେ ଅର୍ଥ ଅଭାବ ଯୋଗୁଁ ପାଦରେ ଚାଲୁଛନ୍ତି ବରପାଲିରୁ ବ୍ରହ୍ମପୁର ।

ବରଗଡ ଜିଲ୍ଲା ବରପାଲି ବ୍ଲକ ତିଲେଇମାଲ ଗାଁର ସାବିତ୍ରୀ ମିଶ୍ର । ବୟସ ଷାଠିଏ ଡେଇଁଲାଣି । ଗୋଟିଏ ବୋଲି ପୁଅ କୈଳାସ । ଗତ ବର୍ଷ କରୋନାରେ ବୋହୂର ମୃତ୍ୟୁ ଘଟିବା ପରେ ମାଆ-ପୁଅ ଦୁଃଖ କଷ୍ଟରେ ଚଳୁଥିଲେ । ଏହି ସମୟରେ କୈଳାସ ହେଲେ ରୋଗଗ୍ରସ୍ତ । ଆଖପାଖ ଡାକ୍ତରଖାନାରେ ଚିକିତ୍ସା କରାଇଲେ କିନ୍ତୁ କିଛି ଫଳ ମିଳିଲାନି । ଶେଷରେ ବରପାଲିରୁ ପାଦରେ ଚାଲି ଚାଲି ବାହାରିଥିଲେ ବ୍ରହ୍ମପୁର ।

prayash

ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା କରାଇବା ଲକ୍ଷ୍ୟରେ ଘରେ ତାଲା ଦେଇ ବାହାରିଲେ ସିନା ବାଟରେ ହିଁ ସେମାନେ ଧରିଥିବା ଟଙ୍କା ସରିଗଲା । ତେବେ ପାଦରେ ଚାଲିଚାଲି ସେମାନେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଛତିକୁଡା ପହଞ୍ଚିବା ପରେ ତାଙ୍କ ଉପରେ ଯୁବ ସମାଜସେବୀ ତଥା ସାମ୍ବାଦିକ ସୁଶୀଲ କୁମାର ବାଗଙ୍କ ଦୃଷ୍ଟି ପଡିଥିଲା । ଶ୍ରୀ ବାଗ ଉଭୟ ମାଆ-ପୁଅଙ୍କୁ ବୁଝାସୁଝା କରି ବସ୍ ଯୋଗେ ବ୍ରହ୍ମପୁର ପଠାଇବାକୁ ଉଦ୍ୟମ ଆରମ୍ଭ କରିଦେଇଥିଲେ ।

ଏହାପରେ ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଛତିକୁଡା ଛକରୁ ବ୍ରହ୍ମପୁରକୁ ପଠାଇବାକୁ ଉଦ୍ୟମ କରୁଥିବା ବେଳେ ଲାଞ୍ଜିଗଡ ରୋଡ୍‌ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ରବୀନ୍ଦ୍ର କୁମାର ସାହୁ ଦେବଦୂତ ଭାବେ ଆଗେଇ ଆସି ଉଭୟ ମାଆପୁଅଙ୍କୁ ବ୍ରହ୍ମପୁର ହସ୍ପିଟାଲ ପଠାଇବାକୁ ବସ୍ ଟିକେଟ୍ ବ୍ୟବସ୍ଥା କରି ଦେଇଥିଲେ । ସେହିପରି ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଧନଞ୍ଜୟ ଦୀପ ମଧ୍ୟ ମାଆପୁଅଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଫଳରେ ଉଭୟ ମାଆପୁଅ ବହ୍ମପୁର ଡାକ୍ତରଖାନା ଯିବା ସମ୍ଭବ ହୋଇପାରିଛି ।

 

kalyan agarbati

Comments are closed.