ଓଡ଼ିଶା ଲଳିତ କଳା ଏକାଡେମୀର ୪୦ ତମ ରାଜ୍ୟ ଚାରୁକଳା ପୁରସ୍କାର ଘୋଷଣା
ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀର ୨୦୨୨ ମସିହା ପାଇଁ ରାଜ୍ୟ ଚାରୁକଳା ପୁରସ୍କାର ଆଜି ଘୋଷଣା କରାଯାଇଛି। ଚଳିତବର୍ଷ ୪୦ ତମ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ ନିମନ୍ତେ ଓଡ଼ିଶାର ଶିଳ୍ପୀମାନଙ୍କ ଠାରୁ କଳାକୃତିର ଫଟୋଗ୍ରାଫ୍ ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ବିଚାରକ ମଣ୍ଡଳୀଙ୍କ ସୁପାରିଶ ଅନୁସାରେ ୧୭୩ ଜଣ ଶିଳ୍ପୀଙ୍କର କଳାକୃତିକୁ ଚୁଡାନ୍ତ ପର୍ଯ୍ୟାୟ ପାଇଁ ମନୋନୀତ କରାଯାଇଥିଲା। ଚୁଡାନ୍ତ ପର୍ଯ୍ୟାୟରେ ଭାରତର ସୁନାମଧନ୍ୟ ଶିଳ୍ପୀମାନଙ୍କୁ ନେଇ ଏକ ୫ ଜଣୀୟ ବିଚାରକ ମଣ୍ଡଳୀ ୮ ଜଣ ଶିଳ୍ପୀଙ୍କୁ ସେମାନଙ୍କର ଶ୍ରେଷ୍ଠ କୃତି ପାଇଁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ ନିମନ୍ତେ ସୁପାରିଶ କରିଥିଲେ। ଉକ୍ତ ଚୁଡାନ୍ତ ତାଲିକା ଏକାଡେମୀର କାର୍ଯ୍ୟକାରୀ ସମିତି ବୈଠକରେ ଅନୁମୋଦିତ କରାଯାଇଥିଲା।
୨୦୨୨ ମସିହା ୪୦ ତମ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ଶିଳ୍ପୀ ପ୍ରତାପ ଚନ୍ଦ୍ର ଜେନା ଓ ଅସାନ୍ତ ଦାସ ଭାସ୍କର୍ଯ୍ୟରେ, ରବି ନାରାୟଣ ଗୁପ୍ତା ଓ ଟୁକୁନା ଡାକୁଆ ମୁଦ୍ରଣ କଳାରେ, ଅମିତ କୁମାର ଓଝା ଓ ସିତିକାନ୍ତ ସାମନ୍ତସିଂହାର ଚିତ୍ରକଳାରେ, ରୋନିବାଳା ମହାପାତ୍ର ଓ ନିରଜଂନ ମୁଖି ପାରଂପରିକ ଚିତ୍ରରେ ମନୋନୀତ ହୋଇଛନ୍ତି।
ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ ଶିଳ୍ପୀମାନଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି, ତାମ୍ର ଫଳକ, ପ୍ରମାଣ ପତ୍ର ଓ ଉପଢ଼ୈାକନ ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ଏହି ଅବସରରେ ଏକାଡେମୀ ତରଫରୁ ପ୍ରଦର୍ଶନୀରେ ସ୍ଥାନ ପାଇଥିବା କଳାକୃତିଗୁଡ଼ିକର ଏକ ରଂଗୀନ ଚିତ୍ରପୁସ୍ତିକା ମଧ୍ୟ ଉନ୍ମୋଚନ କରାଯିବ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଂଜନ କୁମାର ଦାସଙ୍କ ଦ୍ୱାରା ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ (ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ), ଉପ-ସଭାପତି ଶ୍ରୀନିବାସ ପଢିଆରୀ, କାର୍ଯ୍ୟକାରୀ କମିଟି ସଦସ୍ୟ ମହେନ୍ଦ୍ର ପ୍ରସାଦ ମହାପାତ୍ର, ଗଜେନ୍ଦ୍ର ପ୍ରସାଦ ସାହୁ, ଅକ୍ଷୟ କୁମାର ସାମଲ ଓ ଶ୍ୟାମ ସୁନ୍ଦର ମେହେରଙ୍କ ଉପସ୍ଥିତିରେ ରାଜ୍ୟ ପୁରସ୍କାର ଘୋଷଣା କରାଯାଇଅଛି। ଏକାଡେମୀର ସଚିବ ପଞ୍ଚାନନ ସାମଲ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Comments are closed.