www.samajalive.in
Wednesday, December 10, 2025
17.1 C
Bhubaneswar

୨ୟ ଟେଷ୍ଟ : ଭାରତ ୧୦ ୱିକେଟରେ ବିଜୟୀ

ସ୍ୱଦେଶରେ ଭାରତର କ୍ରମାଗତ ୧୦ମ ସିରିଜ୍‍ ବିଜୟ

ହାଇଦରାବାଦ : ପୁଣିଥରେ ଘରୋଇମାଟିରେ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ୩ ଦିନରେ ଟେଷ୍ଟମ୍ୟାଚ୍‍ ଜିତିପାରିଛି ଭାରତୀୟ ଦଳ। ପ୍ରଥମ ଟେଷ୍ଟକୁ ଇନିଂସ ଓ ୨୭୨ ରନ୍‍ରେ ଜିତିବା ପରେ ୨ୟ ଟେଷ୍ଟ ମ୍ୟାଚ୍‍କୁ ମଧ୍ୟ ଭାରତ ବିପୁଳ ବ୍ୟବଧାନରେ ଜିତି ପାରିଛି। ମ୍ୟାଚ୍‍ର ପ୍ରଥମ ୨ ଦିନ ଭାରତ ସହ ମୁକାବିଲା କରିବାରେ ସମର୍ଥ ହୋଇଥିବା ୱେଷ୍ଟଇଣ୍ଡିଜ୍‍ ଦଳ ୩ୟ ଦିନରେ କିନ୍ତୁ ଛତ୍ରଭଙ୍ଗ ଦେଇଥିଲା। ସାର୍ଦ୍ଦୁଳ ଠାକୁରଙ୍କ ଆହତ ହେବା ପରେ ଏକମାତ୍ର ପେସ୍‍ ବୋଲର ଉମେଶ ଯାଦବ ଉଭୟ ଇନିଂସରେ ୬ଟି ଏବଂ ୪ଟି; ଏହିପରି ମୋଟ ୧୦ଟି ୱିକେଟ ନେଇ ଭାରତକୁ ୧୦ ୱିକେଟରେ ଜିତାଇ ପାରିଛନ୍ତି। ଫଳରେ ଭାରତ ଏହି ୨ ମ୍ୟାଚ୍‍ର ଟେଷ୍ଟ ସିରିଜ୍‍କୁ ୨-୦ରେ ପୋଛିନେଇଛି।

ପ୍ରଥମ ଇନିଂସରେ ୫୬ ରନ୍‍ ପଛରେ ରହିଥିବା ୱେଷ୍ଟଇଣ୍ଡିଜ୍‍ ୨ୟ ଇନିଂସରେ ଅତ୍ୟନ୍ତ ଦୟନୀୟ ବ୍ୟାଟିଂକରି ମାତ୍ର ୧୨୭ ରନ୍‍ରେ ଅଲ୍‍ଆଉଟ ହେବା ପରେ ବିଜୟ ପାଇଁ ଭାରତକୁ ମାତ୍ର ୭୨ ରନ୍‍ର ବିଜୟଲକ୍ଷ୍ୟ ମିଳିଥିଲା। ଭାରତୀୟ ଓପ୍‍ନିଂ ଯୋଡ଼ି ପୃଥ୍ୱୀ ସ’ ଓ କେ.ଏଲ୍‍. ରାହୁଲ ମ୍ୟାଚ୍‍କୁ ୪ର୍ଥ ଦିନକୁ ଯିବାକୁ ନଦେଇ ଫ୍ଲଡ୍‍ଲାଇଟ୍‍ରେ ଖେଳି ଦଳକୁ ବିଜୟୀ କରିଥିଲେ। ଉଭୟ ରାହୁଲ ଓ ପୃଥ୍ୱୀ ୩୩ ରନ୍‍ ଲେଖାଏଁ କରି ଅପରାଜିତ ଥିବା ବେଳେ ପୃଥ୍ୱୀ ୪ଟି ଓ ରାହୁଲ ଗୋଟିଏ ଚୌକା ମାରିଥିଲେ। ଘରୋଇମାଟିରେ ଏହା ଭାରତର କ୍ରମାଗତ ୧୦ମ ଟେଷ୍ଟ ସିରିଜ୍‍ ବିଜୟ।
ୱେଷ୍ଟଇଣ୍ଡିଜ୍‍ର ପ୍ରଥମ ଇନିଂସ ସ୍କୋର ୩୧୧ ରନ୍‍ ଜବାବରେ ୨ୟ ଦିନର ଶେଷରେ ଭାରତ ୪ ୱିକେଟରେ ୩୦୮ ରନ୍‍ କରିଥିଲା। ତେଣୁ ଭାରତ ବଡ଼ ଲିଡ୍‍ ନେବ ବୋଲି ଆଶା କରା ଯାଉଥିଲା। ତେବେ ୱେଷ୍ଟଇଣ୍ଡିଜ୍‍ ଅଧିନାୟକ ଜେସନ୍‍ ହୋଲ୍‍ଡର ୩ୟ ଦିନ ପ୍ରାରମ୍ଭରୁ ଚମତ୍କାର ବୋଲିଂ କରି ଏହା କରାଇ ଦେଇନଥିଲେ। ଅଜିଙ୍କ୍ୟ ରାହାଣେ ୮୦ ରନ୍‍କରି ଆଉଟ ହେବା ସହ ଋଷଭ ପନ୍ତ୍‍ଙ୍କ ସହ ତାଙ୍କର ୧୫୨ ରନ୍‍ର ୬ଷ୍ଠ ୱିକେଟ ଭାଗିଦାରୀ ଭାଙ୍ଗି ଯାଇଥିଲା। ଏହାସହ ୫୩ ରନରେ  ଭାରତ ଶେଷ ୬ଟି ୱିକେଟ ହରାଇଥିଲା। ରାହାଣେ ୭ଟି ଚୌକା ସହ ୮୦ ରନ୍‍ କରିଥିଲେ। ଋଷଭ ପନ୍ତ୍‍ ଚଳିତ ସିରିଜରେ  ୨ୟ ଥର ପାଇଁ ମାତ୍ର ୮ ରନ୍‍ ଲାଗି ଶତକରୁ ବଞ୍ଚିତ ହୋଇଥିଲେ। ଦିଲ୍ଲୀର ଏହି ବାମହାତି ୧୩୪ ବଲ୍‍ ଖେଳି ୨ଟି ଛକା ଓ ୧୧ଟି ଚୌକା ସହ ୯୨ ରନ୍‍ କରିଥିଲେ। ରବୀନ୍ଦ୍ର ଜାଡ଼େଜା ବିନା ସ୍କୋରରେ  ଆଉଟ ହୋଇଥିବା ବେଳେ କୁଲଦୀପ ଯାଦବ ୬ ଓ ଉମେଶ ଯାଦବ ୨ ରନ୍‍ କରିଥିଲେ। ତେବେ ରବିଚନ୍ଦ୍ରନ ଅଶ୍ୱିନ ଓ ଆହତ ସାର୍ଦ୍ଦୁଳ ଠାକୁର ଶେଷ ୱିକେଟ ପାଇଁ ୨୮ ରନ୍‍ ଯୋଡ଼ିଥିଲେ। ଅଶ୍ୱିନ ୪ଟି ଚୌକା ସହ ୩୫ ରନ୍‍କରି ଶେଷ ବ୍ୟାଟ୍‍ସମ୍ୟାନ ଭାବେ ଆଉଟ ହୋଇଥିଲେ। ଜେସନ୍‍ ହୋଲ୍‍ଡର ୫୬ ରନ୍‍ଦେଇ ୫ଟି ୱିକେଟ ନେଇଥିଲେ। ଚଳିତବର୍ଷ ୪ର୍ଥ ଥର ପାଇଁ ହୋଲ୍‍ଡର ଏହି କୃତିତ୍ୱ ହାସଲ କରିଥିବା ବେଳେ କ୍ରମାଗତ ୩ୟ ଇନିଂସରେ ହୋଲ୍‍ଡର ୫ଟି ୱିକେଟ ନେଇଛନ୍ତି। ସାନନ୍‍ ଗାବ୍ରିଏଲ୍‍ ୩ଟି ୱିକେଟ ନେଇଥିଲେ। ବାକି ୨ଟି ୱିକେଟ ବାମହାତି ସ୍ପିନର ଜୋମେଲ ୱାରିକାନ୍‍ ନେଇଥିଲେ।
୫୬ ରନ୍‍ ପଛରେ ରହିବା ପରେ ୱେଷ୍ଟଇଣ୍ଡିଜ୍‍ ଦୟନୀୟ ଭାବେ ୨ୟ ଇନିଂସ ଆରମ୍ଭ କରିଥିଲା। ଇନିଂସର ୨ୟ ବଲରେ  କାର୍ଲୋସ୍‍ ବ୍ରାଥ୍‍ୱେଟ୍‍ ଆଉଟ ହୋଇଥିଲେ। ପରେ ଅନ୍ୟ ଓପ୍‍ନର କୈରନ୍‍ ପୱେଲ ମଧ୍ୟ ବିନା ସ୍କୋରରେ  ବିଦାୟ ନେଇଥିଲେ। ସାଇ ହୋପ୍‍ ଓ ସିମ୍ରନ୍‍ ହେତ୍‍ମେୟର ସ୍କୋର୍‍କୁ ୪୫ ରନ୍‍ରେ ପହଞ୍ଚାଇବା ପରେ ଉଭୟ ସମାନ ସ୍କୋର୍‍ରେ ଆଉଟ ହୋଇଥିଲେ। ହୋପ୍‍ ୨୮ ଓ ହେତ୍‍ମେୟର ୧୭ ରନ୍‍ କରିଥିଲେ। ପରେ ୱେଷ୍ଟଇଣ୍ଡିଜ୍‍ ନିୟମିତ ୱିକେଟ ହରାଇ ଚାଲିଥିଲା। ରୋଷ୍ଟନ୍‍ ଚେଜ୍‍ ୬ ଓ ସେନ୍‍ ଡାଓରିଚ୍‍ ବିନା ସ୍କୋରରେ ଆଉଟ ହୋଇଥିଲେ। ସୁନୀଲ ଆମ୍ରିସ୍‍ ୪ଟି ଚୌକା ସହ ସର୍ବାଧିକ ୩୮ ରନ୍‍ କରିଥିବା ବେଳେ ଅଧିନାୟକ ଜେସନ୍‍ ହୋଲ୍‍ଡର ୧୯ ରନ୍‍ କରିଥିଲେ। ୧୯ ରନ୍‍ରେ ଇଣ୍ଡିଜ୍‍ ଶେଷ ୪ଟି ୱିକେଟ ହରାଇଥିଲା। ପ୍ରଥମ ଇନିଂସରେ ୬ଟି ୱିକେଟ ନେଇଥିବା ଉମେଶ ଯାଦବ ୪ଟି ୱିକେଟ ପାଇଥିଲେ। ଏହି ଇନିଂସରେ ଉମେଶ ୨ ଥର ହ୍ୟାଟ୍ରିକ୍‍ ନେବା ସ୍ଥିତିରେ ଥିଲେ ହେଁ ଏଥିରେ ସଫଳ ହୋଇନଥିଲେ। ରବୀନ୍ଦ୍ର ଜାଡ଼େଜା ୩ଟି ଓ ରବିଚନ୍ଦ୍ରନ ଅଶ୍ୱିନ ୨ଟି ୱିକେଟ ପାଇଥିଲେ। ଦୁଇଟି ଯାକ ଇନିଂସରେ ୧୦ ୱିକେଟ ନେଇଥିବା ଉମେଶ ଯାଦବ ’ମ୍ୟାନ ଅଫ ଦ ମ୍ୟାଚ’ ହୋଇଥିବା ବେଳେ ପ୍ରଥମ ଟେଷ୍ଟ ପଦାର୍ପଣରେ ଚମତ୍କାର ପ୍ରଦର୍ଶନ ପାଇଁ ପୃଥ୍ବୀ ସ’, ’ମ୍ୟାନ ଅଫ ଦ ସିରିଜ’ ବିବେଚିତ ହୋଇଛନ୍ତି।

- Advertisement -

ଆସନ୍ତା ୨୧ ତାରିଖରୁ ଉଭୟ ଦଳଙ୍କ ମଧ୍ୟରେ ୫ ମ୍ୟାଚ୍‍ର ଦିନିକିଆ ସିରିଜ୍‍ ଖେଳାଯିବ।

ଚୁଡାନ୍ତ ସ୍କୋର ; ୱେଷ୍ଟଇଣ୍ଡିଜ୍‍ ପ୍ରଥମ ଇନିଂସ ୩୧୧ ରନ୍‍, ଦ୍ୱିତୀୟ ଇନିଂସ ୧୨୭ ରନ

ଭାରତ ପ୍ରଥମ ଇନିଂସ  ୩୬୭, ଦ୍ୱିତୀୟ ଇନିଂସ ୭୫/୦

 

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories