www.samajalive.in
Monday, December 8, 2025
27.1 C
Bhubaneswar

ପୁରୀରେ ଝାଡ଼ାବାନ୍ତି ଆତଙ୍କ:୩ ମୃତ, ଶତାଧିକ ଆକ୍ରାନ୍ତ , ପହଞ୍ଚିଲା ଡାକ୍ତରୀ ଦଳ

ପୁରୀ: ରଥଯାତ୍ରା ପୂର୍ବରୁ ପର୍ଯ୍ୟଟନ ସହର ପୁରୀରେ ବ୍ୟାପିଛି ଝାଡାବାନ୍ତି। ଦୁଇ ମହିଳାଙ୍କ ସମେତ ତିନିଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ସମ୍ମୁଖ ବରାହୀ ଲେନ୍‌, ଶ୍ୱେତଗଙ୍ଗା ଲେନ୍‌ ଏବଂ ଶ୍ୟାମାକାଳୀ ସାହିର ବହୁ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। କେତେକ ପରିବାରରେ ଦୁଇ ତିନିଜଣ ଲେଖାଏଁ ସଂକ୍ରମିତ ହୋଇଥିବା ଜଣାପଡିଛି। ବରାହୀ ଗଳିର ଦାମୋଦର ପଣ୍ଡା ଏବଂ ଶ୍ୱେତଗଙ୍ଗା ଲେନ୍‌ର ଶଶୀମଣି ଦାସୀଙ୍କ ମୃତ୍ୟୁ ହୋଇଛି। ଶ୍ୟାମାକାଳୀ ସାହିର ଆଉ ଜଣେ ମହିଳାଙ୍କର ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କିଛି ସଂକ୍ରମିତ ଜିଲା ଯକ୍ଷ୍ମା ଓ ସଂକ୍ରାମକ ରୋଗ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଉ କିଛି ବ୍ୟକ୍ତି ଘରୋଇ ନର୍ସିଂହୋମ ଏବଂ ଘରେ ରହି ଚିକିତ୍ସିତ ହେଉଛନ୍ତି। ରାସ୍ତାତଳ ଦେଇ ଯାଇଥିବା ପାନୀୟ ଜଳ ଯୋଗାଣ ପାଇପ୍‌ରେ ନଳାପାଣି ଏବଂ ପଙ୍କ ମିଶୁଥିବାରୁ ଦୂଷିତ ପାଣି ବ୍ୟବହାର କରି ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହେଉଛି। ତିନିଜଣଙ୍କ ଜୀବନ ଯିବା ପରେ ୱାଟକୋ ଅଧିକାରୀଙ୍କ ଚେତା ପଶିଛି। ଶନିବାର ଶ୍ୱେତଗଙ୍ଗା ଲେନ୍‌ର ଦୁଇଟି ସ୍ଥାନ ଖୋଳାଯାଇ ନଳାପାଣି ମିଶୁଥିବା ପାନୀୟଜଳ ପାଇପ୍‌ ଚିହ୍ନଟ କରାଯାଇଛି। ସେଠାରେ ନୂଆ ପାଣି ପାଇପ୍‌ ପକାଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ତିନିଦିନ ତଳୁ ଏହି ତିନୋଟି ଜନବସତିରେ ଝାଡ଼ାବାନ୍ତି ବ୍ୟାପିଥିବା ଜଣାପଡିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହିସବୁ ଅଞ୍ଚଳକୁ ଏପର୍ଯ୍ୟନ୍ତ ଭ୍ରାମ୍ୟମାଣ ଡାକ୍ତରୀ ଦଳ ପଠାଯାଇ ନାହିଁ। ତିନିଜଣ ସଂକ୍ରମିତଙ୍କ ମୃତ୍ୟୁ ପରେ ଅନ୍ୟମାନେ ଭୟଭୀତ ହୋଇ ପଡିଛନ୍ତି। ସେହିପରି ପୁରୀ ରେଡକ୍ରସ ରୋଡର କିଛି ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଆଗକୁ ରଥଯାତ୍ରା ଥିବାରୁ ପ୍ରଶାସନ ଏଥିପ୍ରତି ଏବେଠାରୁ ଯତ୍ନବାନ ନହେଲେ ସମସ୍ୟା ଅଧିକ ଜଟିଳ ହେବା ସମ୍ଭାବନା ରହିଛି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ମିଶ୍ର କହିଛନ୍ତି, ଝାଡ଼ାବାନ୍ତିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗ୍ୟାସ୍‌ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ। ସାହିଯାତ ସମୟରେ କିଛି ବ୍ୟକ୍ତି ଦୂଷିତ ଖାଦ୍ୟ ଏବଂ ପାଣି ବ୍ୟବହାର କରିବାରୁ ଏଭଳି ପରିସ୍ଥିିତି ସୃଷ୍ଟି ହୋଇଛି। ପ୍ରତ୍ୟେକ ଦିନ ୫ରୁ ୭ଜଣ ଝାଡାବାନ୍ତି ସଂକ୍ରମିତ ଜିଲା ସଂକ୍ରାମକ ରୋଗ ଚିକିତ୍ସାଳୟକୁ ଯାଉଥିବା ସେ କହିଛନ୍ତି। ସେମାନଙ୍କୁ ମାଗଣାରେ ଆବଶ୍ୟକ ଔଷଧ ଯୋଗାଇ ଦିଆଯାଉଛି। ସଂକ୍ରମିତ ଅଞ୍ଚଳକୁ ଡାକ୍ତରୀ ଦଳ ପଠାଯିବା ସହ ଘର ଘର ବୁଲି ଔଷଧ ଦିଆଯାଉଥିବା ସିଡିଏମ୍‌ଓ ଡାକ୍ତର ମିଶ୍ର କହିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories