ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ ରହୁଥିବା ଜଣେ ଓକିଲ ଏବଂ ତାଙ୍କର ଜଣେ ବନ୍ଧୁ ଏକ ଅନଲାଇନ୍ ହୋଟେଲ ବୁକିଂ ଠକେଇର ଶିକାର ହୋଇଥିଲେ। ଜଣେ ସାଇବର ଠକ, ନିଜକୁ ହୋଟେଲ ଏଜେଣ୍ଟ ଭାବରେ ପରିଚୟ ଦେଇ, ହ୍ୱାଟ୍ସଆପରେ ଏକ ଲିଙ୍କ୍ ପଠାଇ ପ୍ରଥମେ ସେମାନଙ୍କ ବିଶ୍ୱାସ ଜିତିଥିଲେ। ଉଭୟଙ୍କ ସହିତ ସେ ନିରନ୍ତର ଯୋଗାଯୋଗରେ ରହିଥିଲେ । ତା’ପରେ ଙଞଚ ପଠାଇ ଚାରୋଟି ନେଣଦେଣରେ ସେମାନଙ୍କ କ୍ରେଡିଟ୍ କାର୍ଡରୁ ମୋଟ ₹୧.୭୦ ଲକ୍ଷ ଟଙ୍କା ଉଠାଇ ନେଇଥିଲେ।
ସାଇବର ଠକମାନେ ପ୍ରାୟତଃ ନକଲି ୱେବସାଇଟ୍, ଫୋନ୍ କଲ୍ ଏବଂ କ୍ଲୋନ୍ ବୁକିଂ ଲିଙ୍କ୍ ମାଧ୍ୟମରେ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଆଜିକାଲି, ଅନେକ ଲୋକ ନିଜ ସୁବିଧା ପାଇଁ ଯାତ୍ରା କରିବା ପୂର୍ବରୁ ଅନଲାଇନ୍ ହୋଟେଲ ବୁକ୍ କରୁଛନ୍ତି । ଫଳରେ ଠକମାନେ ଏହାର ଫଇଦା ନେଇ ଠକିବାର ଉପାୟ ଆପଣାଉଛନ୍ତି । ତେଣୁ, ଏପରି ଠକେଇରୁ ରକ୍ଷା ପାଇବା ପାଇଁ ସତର୍କତା ଜରୁରୀ। ଏପରି ଠକେଇରୁ ବର୍ତ୍ତିବା ପାଇଁ ସାଇବାର ବିଶେଷଜ୍ଞମାନେ କଣ ମତ ରଖନ୍ତି ଚାଲନ୍ତୁ ଜାଣିବା ।
ହୋଟେଲ ବୁକିଂରେ ଠକେଇ କିପରି କରନ୍ତି?
ଏହା ଏକ ପ୍ରକାରର ଅନଲାଇନ୍ ଠକେଇ ଯେଉଁଥିରେ ସାଇବର ଅପରାଧୀମାନେ, ହୋଟେଲ ଏଜେଣ୍ଟ, ଟ୍ରାଭେଲ୍ ଏକଜିକ୍ୟୁଟିଭ୍ କିମ୍ବା ବୁକିଂ ସପୋର୍ଟ ଟିମ୍ ଭାବରେ ନିଜକୁ ପରିଚୟ ଦେଇ ନକଲି ଲିଙ୍କ୍, ନକଲି ୱେବସାଇଟ୍ କିମ୍ବା ନକଲି ଗ୍ରାହକ ସେବା ନମ୍ବର ମାଧ୍ୟମରେ ଲୋକଙ୍କୁ ଠକିଥାନ୍ତି। ସେମାନେ ପ୍ରଥମେ କଥାବାର୍ତ୍ତା ମାଧ୍ୟମରେ ବିଶ୍ୱାସ ହାସଲ କରନ୍ତି ଏବଂ ତା’ପରେ ପୀଡିତଙ୍କଠାରୁ ଆଗୁଆ ଦେୟ ଆଦାୟ କରନ୍ତି। ଟଙ୍କା ସରିଗଲେ, ସେମାନେ ଯୋଗାଯୋଗ ବିଚ୍ଛିନ୍ନ କରନ୍ତି ଏବଂ ବୁକିଂ ଠକେଇ ବୋଲି ପରେ ଜଣାପଡ଼େ।
ନକଲି କିମ୍ବା କ୍ଲୋନ୍ ୱେବସାଇଟ୍
ଠକମାନେ ହୋଟେଲ କିମ୍ବା ବୁକିଂ ଏଗ୍ରିଗେଟର (ଯେପରିକି Booking.com, MakeMyTrip) ର ୱେବସାଇଟ୍ କପି କରି ନକଲି ୱେବସାଇଟ୍ ତିଆରି କରନ୍ତି। ସେମାନେ ମୂଳ ୱେବସାଇଟ୍ର ଲୋଗୋ, ପ୍ରତିଛବି ଏବଂ ଡିଜାଇନ୍ ଚୋରି କରନ୍ତି। URL ଟିକିଏ ପରିବର୍ତ୍ତନ କରାଯାଏ, ଯାହା ଲୋକଙ୍କ ପାଇଁ ଏହାକୁ ଚିହ୍ନଟ କରିବା ଏବଂ ଫାଶରେ ପଡ଼ିବା କଷ୍ଟକର କରିଥାଏ।
ନକଲି ଗ୍ରାହକ ସେବା ନମ୍ବର
ସାଇବର ଅପରାଧୀମାନେ ଗୁଗଲ୍ ମ୍ୟାପ୍ସ କିମ୍ବା ଗୁଗଲ୍ ସର୍ଚ୍ଚରେ ଏକ ପ୍ରକୃତ ହୋଟେଲ ନାମରେ ଏକ ନକଲି ଫୋନ୍ ନମ୍ବର ତାଲିକାଭୁକ୍ତ କରନ୍ତି। ଯେତେବେଳେ ଜଣେ ଗ୍ରାହକ ହୋଟେଲକୁ କଲ୍ କରନ୍ତି, ସେମାନେ ଜଣେ ଠକଙ୍କ ସହ କଥା ହୁଅନ୍ତି ଯିଏ ବୁକିଂରେ ସହାୟତା କରିବା ବାହାନାରେ କ୍ରେଡିଟ୍ କାର୍ଡ ସୂଚନା କିମ୍ବା ଆଗୁଆ ଦେୟ ମାଗନ୍ତି। ଏହାସହିତ ସାଇବର ଅପରାଧୀମାନେ ପ୍ରଲୋଭନକାରୀ କିମ୍ବା ଧମକପୂର୍ଣ୍ଣ ଇମେଲ୍ ଏବଂ ମେସେଜ ପଠାନ୍ତି, ଯେପରିକି ଆପଣଙ୍କ ପ୍ରିୟ ହୋଟେଲରେ ୭୦ଧ ରିହାତି କିମ୍ବା ବୁକିଂ ନିଶ୍ଚିତକରଣ ପାଇଁ ବିଚାରାଧୀନ। ଏହି ଇମେଲ୍ ଗୁଡ଼ିକରେ ଏକ ଲିଙ୍କ୍ ଥାଏ ଯାହା ସେମାନଙ୍କର ନକଲି ୱେବସାଇଟ୍ କୁ ନେଇଯାଏ ଏବଂ ପେମେଣ୍ଟ କିମ୍ବା ବ୍ୟକ୍ତିଗତ ସୂଚନା ମାଗିଥାଏ ।
ନକଲି ସୋସିଆଲ ମିଡିଆ ବିଜ୍ଞାପନ
ସାଇବର ଅପରାଧୀମାନେ ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମରେ ବିଳାସପୂର୍ଣ୍ଣ ହୋଟେଲର ଫଟୋ ଦେଖାଇ ଅତ୍ୟନ୍ତ ଶସ୍ତା ଡିଲ୍ ବିଜ୍ଞାପନ କରନ୍ତି।



