www.samajalive.in
Sunday, December 7, 2025
26.1 C
Bhubaneswar

ସତର୍କ କଲା ପାଣିପାଗ ବିଭାଗ: ଆଜି ଖରା ଆହୁରି ପ୍ରଖର ହେବ, ଅନେକ ଜିଲାରେ ପାରଦ ୪୫ଡିଗ୍ରୀ ଟପିବ

  • ଆସନ୍ତା ୨୪ ଘଣ୍ଟା ମଧ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୨ଡିଗ୍ରୀ ପର୍ୟ୍ୟନ୍ତ ବଢିବା ସମ୍ଭାବନା
  • ୨୮ ତାରିଖରେ ୧୩ ଓ ୨୯ ତାରିଖ ପାଇଁ ୧୪ ଜିଲାକୁ ରେଡ୍ ଆଲର୍ଟ ଜାରି
  • ଗ୍ରୀଷ୍ମପ୍ରବାହ ହୃଦରୋଗୀଙ୍କ ପାଇଁ ବେଶୀ ବିପଦ ସୃଷ୍ଟି କରିପାରେ।
  • ମଧୁମେହ ରୋଗୀ ମଧ୍ୟ ସିଧାସଳଖ ପ୍ରଚଣ୍ଡ ଖରାରୁ ଦୂରେଇ ରହିବା ଦରକାର।
  • ପୂର୍ବାହ୍ଣ ୧୧ରୁ ଅପରାହ୍ଣ ୩ଟା ପର୍ୟ୍ୟନ୍ତ ଘରୁ ନବାହାରିବାକୁ କୁହାଯାଇଛି।
  • ଆଜି ଭୁବନେଶ୍ବରରେ ତାପମାତ୍ରା ୪୬ଡିଗ୍ରୀ ଛୁଇଁବା ସମ୍ଭାବନା

ଭୁବନେଶ୍ୱର: ପ୍ରଚଣ୍ଡ ଝାଞ୍ଜିମାଡ଼ରେ ସାରା ରାଜ୍ୟବାସୀ ଏବେ ଅତିଷ୍ଠ। ଶିଶୁଙ୍କଠାରୁ ବୟସ୍କ ସମସ୍ତେ ତ୍ରାହିତ୍ରାହି ଡାକିଲେଣି। ପୂର୍ବାହ୍ଣ ୧୦ଟା ବେଳକୁ ସ୍ଥିତି ଅସମ୍ଭାଳ ହୋଇପଡ଼ୁଛି। ଟାଣଖରାରେ ଘରୁ ବାହାରିବା ଅସମ୍ଭବ ହୋଇଛି। ଆଜି ବି ଖରା ଆହୁରି ପ୍ରଖର ହେବ। ଅନେକ ଜିଲାରେ ପାରଦ ୪୫ଡିଗ୍ରୀ ଟପିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଆସନ୍ତା ୨୪ ଘଣ୍ଟା ମଧ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୨ଡିଗ୍ରୀ ପର୍ୟ୍ୟନ୍ତ ବଢିବା ସମ୍ଭାବନା ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ଯାଜପୁର, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ସୁନ୍ଦରଗଡ, ଝାରସୁଗୁଡା, ଖୋର୍ଦ୍ଧା, କଟକ, ସମ୍ବଲପୁର, ବଲାଙ୍ଗୀର ଏବଂ ନୂଆପଡା ଜିଲାକୁ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। ଦେବଗଡ, ସୁବର୍ଣ୍ଣପୁର, କଳାହାଣ୍ଡି, କନ୍ଧମାଳ ନୟାଗଡ, ରାୟଗଡା, ଭଦ୍ରକ, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡା, ମାଲକାନଗିରି, ଗଞ୍ଜାମ, ଗଜପତି, ନବରଙ୍ଗପୁର ଏବଂ ବରଗଡକୁ ଗ୍ରୀଷ୍ମପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। କୋରାପୁଟ ଏବଂ ପୁରୀକୁ ଉଷ୍ଣ-ଆର୍ଦ୍ର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସତର୍କ ରହିବାକୁ ପାଣିପାଗ ବିଭାଗ ଏବଂ ଏସଆରସିଙ୍କ ପକ୍ଷରୁ ଜନସାଧାରଣ ଓ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି।

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି, ମେ’ ପହିଲା ପର୍ୟ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବା ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ୨୮ ତାରିଖରେ ୧୩ ଓ ୨୯ ତାରିଖ ପାଇଁ ୧୪ ଜିଲାକୁ ରେଡ୍ ଆଲର୍ଟ ମଧ୍ୟରେ ରଖାଯାଇଛି। ଗ୍ରୀଷ୍ମପ୍ରବାହ ହୃଦରୋଗୀଙ୍କ ପାଇଁ ବେଶୀ ବିପଦ ସୃଷ୍ଟି କରିପାରେ। ମଧୁମେହ ରୋଗୀ ମଧ୍ୟ ସିଧାସଳଖ ପ୍ରଚଣ୍ଡ ଖରାରୁ ଦୂରେଇ ରହିବା ଦରକାର। ପୂର୍ବାହ୍ଣ ୧୧ରୁ ଅପରାହ୍ଣ ୩ଟା ପର୍ୟ୍ୟନ୍ତ ଘରୁ ନବାହାରିବାକୁ କୁହାଯାଇଛି। ଦିନ ୧୧.୩୦ବେଳେ ତାପମାତ୍ରା ଅଧିକ ରହିବ। ତେବେ ରାଜ୍ୟରେ ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଶୁକ୍କ ବାୟୁ ପ୍ରବାହରେ ତାପମାତ୍ରାର କୌଣସି ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ରାଜ୍ୟର କିଛି ଜିଲାରେ ତାପମାତ୍ରା ୪୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଆସନ୍ତା ମେ’ ୨ ତାରିଖ ପରେ ତାପମାତ୍ରାରେ ସାମନ୍ୟ ପରିବର୍ତ୍ତନ ହେବା ପୂର୍ବାନୁମାନ କରାଯାଇଛି।  ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ମଧ୍ୟ ସମ୍ଭାବନା ରହିଛି। ଏହାର ପ୍ରଭାବରେ  ଘଡ଼ଘଡ଼ି ସହ ବର୍ଷା ହେବ। ତେବେ ଏହାର ପ୍ରଭାବରେ ତାପମାତ୍ରା ହ୍ରାସରେ ବିଶେଷ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଉତ୍ତର ଓଡ଼ିଶାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ହୋଇଛି।

- Advertisement -

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆଜି ଭୁବନେଶ୍ବରରେ ତାପମାତ୍ରା ୪୬ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି। ଆଗାମୀ ଦୁଇଦିନ ଭୁବନେଶ୍ବର ସହ ଉପକୂଳ ଜିଲାରେ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ତାତି ଅନୁଭୂତ ହେବ। ପଶ୍ଚିମ, କେନ୍ଦ୍ରୀୟ ଓଡ଼ିଶା ଏବଂ ଅବିଭକ୍ତ କୋରାପୁଟ ବ୍ୟତୀତ ବାକି ଦକ୍ଷିଣ ଆଭ୍ୟନ୍ତରୀଣରେ ତାପମାତ୍ରା ୧ରୁ ୨ ଡିଗ୍ରୀ ବଢିପାରେ। କୋରାପୁଟ ଜିଲାରେ ତାତି ବଢିବ। ଅନୁଗୋଳ, ତାଳଚେର, ଝାରସୁଗୁଡା ତାପମାତ୍ରା ୪୪ରୁ ୪୫ ଡିଗ୍ରୀ ଛୁଇଁପାରେ ବୋଲି ସେ କହିଛନ୍ତି।

ଶନିବାର ଅନୁଗୋଳରେ ଦିନ ତାପମାତ୍ରା ୪୪.୭ଡିଗ୍ରୀ ରେକର୍ଡ କରାଯାଇଛି।ଏହା ଦେଶ ଓ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଭୁବନେଶ୍ୱର ତାପମାତ୍ରା ସ୍ବାଭାବିକରୁ ୬.୮ଡିଗ୍ରୀ ଅଧିକ ରହିଥିବାବେଳେ ଏଠାରେ ୪୪.୬ ଡିଗ୍ରୀ ରେକର୍ଡ ହୋଇଛି। ଦେଶ ଓ ରାଜ୍ୟର ଉତ୍ତପ୍ତ ସହର ତାଲିକାରେ ଦ୍ବିତୀୟ ସ୍ଥାନରେ ଭୁବନେଶ୍ବର ରହିଛି। ଚଳିତ ଗ୍ରୀଷ୍ମଋତୁରେ ଏପ୍ରିଲର ଚତୁର୍ଥ ସର୍ବୋଚ୍ଚ ତାପମାତ୍ରା ରାଜଧାନୀରେ ରେକର୍ଡ ହୋଇଛି। ବାରିପଦା ୪୪.୨ ଡିଗ୍ରୀ ସହ ରାଜ୍ୟର ତୃତୀୟ ଉତ୍ତପ୍ତ ସ୍ଥାନ ପାଲଟିଛି।

କେବଳ ରାଜଧାନୀ ନୁହେଁ କଟକରେ ମଧ୍ୟ ପାରଦ ୪୩.୪ ଡିଗ୍ରୀ ରେକର୍ଡ ହୋଇଛି। ସହରର ସ୍ବାଭାବିକ ତାପମାତ୍ରାରୁ ୬.୩ଡିଗ୍ରୀ ଅଧିକ ରହିଛି। ୩୩ ସହରରେ ତାପମାତ୍ରା ୪୦ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି। ୧୪ ସହରରେ ପାରଦ ୪୩ ଡିଗ୍ରୀ କିମ୍ବା ତା’ଠାରୁ ଊର୍ଦ୍ଧ୍ବ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ଶେଷଥର ପାଇଁ ୨୦୨୧ ଏପ୍ରିଲ ୧ରେ ରାଜଧାନୀ ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ୨୦୧୬ ଏପ୍ରିଲ ୧୧ରେ ରାଜଧାନୀ ତାପମାତ୍ରା ୪୫.୮ ଡିଗ୍ରୀ ରହିଥିଲା। ୧୯୮୫ ଏପ୍ରିଲ ୨୩ରେ ଦିନ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ବିଗତ ୧୨ଦିନ ହେବ ରାଜଧାନୀ ଭୁବନେଶ୍ବର ତାପମାତ୍ରା ଲଗାତାର ଭାବେ ୪୦ଡିଗ୍ରୀ ଉପରେ ରହୁଛି। ୨୦୧୦ ପରେ ଏପରି ସ୍ଥିତି ଦେଖାଦେଇଛି। କେବଳ ରାଜଧାନୀ ନୁହେଁ, ବରଂ ରାଜ୍ୟର ଅର୍ଦ୍ଧାଧିକ ଜିଲାରେ ସମାନ ସ୍ଥିତି ଲାଗି ରହିଛି। ଏପ୍ରିଲ ମାସରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୪ଦିନ ହେଲା ଗ୍ରୀଷ୍ମପ୍ରବାହ ଅନୁଭୂତ ହେଲାଣି। ଆଗକୁ ବଡ଼ ବର୍ଷାର ସମ୍ଭାବନା ନଥିବାରୁ ମେ ଦ୍ବିିତୀୟ ସପ୍ତାହ ପର୍ୟ୍ୟନ୍ତ ଗ୍ରୀଷ୍ମପ୍ରବାହ ଲାଗିହିପାରେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories