ଓଡ଼ିଶାରେ ପହଞ୍ଚିଲେ ରାହୁଲ, କୁଳିଆରେ ନ୍ୟାୟ ସମାବେଶକୁ ସମ୍ବୋଧନ କରିବେ

ଭୁବନେଶ୍ବର: ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ରାହୁଲ ଗାନ୍ଧୀ। ସ୍ବତନ୍ତ୍ର ବିମାନରେ ଆସି କଂଗ୍ରେସର ସାଂସଦ ରାହୁଲ ଗାନ୍ଧୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି। ରାହୁଲଙ୍କ ଗସ୍ତ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଭୁବନେଶ୍ବରରୁ ହେଲିକପ୍ଟର ସତ୍ୟଭାମାପୁର ଯୋଗେ ଯିବେ। ସତ୍ୟଭାମାପୁରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହାପରେ ସାଲେପୁର କୁଳିଆରେ ନ୍ୟାୟ ସମାବେଶକୁ ସମ୍ବୋଧନ କରିବେ। ସେଠାରୁ ରାହୁଲ ଗାନ୍ଧୀ କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ବୋଲି ସୂଚନା ରହିଛି। ବିମାନବନ୍ଦରରେ ପହଞ୍ଚିବା ପରେ ରାହୁଲ ଗାନ୍ଧିଙ୍କୁ ପିସିିସି ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଭାରୀ ଡ. ଅଜୟ କୁମାର ତାଙ୍କୁ ସ୍ବାଗତ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ପ୍ରଚାର ଅଭିଯାନ ଆରମ୍ଭ କରିଥିବା ବେଳେ ବିଜେପି ପକ୍ଷରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୁବର୍ଣ୍ଣପୁରରେ ପ୍ରଚାର କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧୀ ପ୍ରଚାର କରିବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି। ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ୧୭୬ତମ ଜୟନ୍ତୀ ଅବସରରେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି)ର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସାଲେପୁରର କୁଳିଆଠାରେ ଆୟୋଜିତ ନ୍ୟାୟ ସମାବେଶକୁ ସମ୍ବୋଧନ କରିବେ।  ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମଧୁବାବୁଙ୍କ ଜନ୍ମ ପୀଠ ସତ୍ୟଭାମାପୁର ଯିବେ। ସେଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ପରେ ରାହୁଲ କୁଳିଆଠାରେ ପହଞ୍ଚିବେ ଓ ସେଠାରେ କଂଗ୍ରେସ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ସଭା ସରିବା ପରେ ରାହୁଲ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର କହିଛନ୍ତି ଯେ, ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଓ ଓବିସିଙ୍କ ସଂଖ୍ୟା ୯୫ପ୍ରତିଶତ ହୋଇଥିବାବେଳେ ସେମାନେ କାହିଁକି ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଦେଶରେ ଲୋକସଭା ନିର୍ବାଚନ ଫଳାଫଳ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଚକିତ କରିବ। ଓଡ଼ିଶାବାସୀଙ୍କ ହକ୍‌‌ ଓ ଅଧିକାର ସୁନିଶ୍ଚିତ କରିବା ପାଇଁ ରାହୁଲ ଓଡ଼ିଶା ଆସୁଛନ୍ତି। କଂଗ୍ରେସ ଯାହା କହେ ତାହା କରେ ନ୍ୟାୟରେ, ତେଲଙ୍ଗାନାରେ ଦିଆଯାଇଥିବା ୬ଟି ଗ୍ୟାରେଣ୍ଟି ମଧ୍ୟରୁ ୫ଟି ଗ୍ୟାରେଣ୍ଟି ପୂରଣ ହୋଇଛି। ଓଡିଶାରେ ଦିଆଯାଇଥିବା ପ୍ରତ୍ୟେକ ଗ୍ୟାରେଣ୍ଟିକୁ ପୂରଣ କରାଯିବ।

Comments are closed.