www.samajalive.in
Friday, December 12, 2025
15.1 C
Bhubaneswar

ଭାରତ-ରୁଷ ଭାଇଭାଇ

ଉଭୟ ରୁଷିଆ ଓ ଭାରତ ପୁରୁଣା ବନ୍ଧୁ। ଏହି ବନ୍ଧୁତ୍ବ ଇତିହାସର କଷଟି ପଥରରେ ପରୀକ୍ଷିତ। ଏହା ସତ୍ତ୍ବେ ବିଗତ କିଛିକାଳ ଧରି, ବିଶେଷ କରି ସୋଭିଏତ ସଂଘର ପତନ ପରେ ଏହି ବନ୍ଧୁତ୍ବ ଫିକା ପଡ଼ିଥିଲା। ସମୟର ଆବଶ୍ୟକତା ଓ ବାସ୍ତବତା ଦୃଷ୍ଟିରୁ ଏହି ସମୟରେ ଭାରତ ଅଧିକ ଆମେରିକାର ନିକଟତର ହୋଇଥିଲା। ମସ୍କୋସହ ନୂଆଦିଲ୍ଲୀର ସମ୍ପର୍କ ଶୀଥିଳ ହୋଇଥିଲେ ହେଁ ଏହା ତିକ୍ତ ନଥିଲା। ଏବେ ସେହି ସମ୍ପର୍କକୁ ଅଧିକ ନିବିଡ଼ କରିବାପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଇ ପାଦ ଆଗେଇ ଯାଇଛନ୍ତି।
ଊନବିଂଶ ଭାରତ-ରୁଷିଆ ବାର୍ଷିକ ଶିଖର ସମ୍ମିଳନୀ ଅବସରରେ ଶୁକ୍ରବାର ଦୁଇ ଦେଶ ମଧ୍ୟରେ ଯେଉଁ ଆଠଟି ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି ସେଥିରେ ଭାରତର ବୃହଦାକାଙ୍‌କ୍ଷୀ ଗଗନାୟନ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ। ଆହୁରି ମଧ୍ୟ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାପାଇଁ ମସ୍କୋ କର୍ତ୍ତୃପକ୍ଷ ୫୦୦କୋଟି ଡଲାର ମୂଲ୍ୟର ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଯୋଗାଇଦେବେ ଯାହା ଆମର ଆକାଶସୀମାକୁ ସୁରକ୍ଷିତ କରିବାସହ ଶତ୍ରୁର କ୍ଷେପଣାସ୍ତ୍ର ଆକ୍ରମଣକୁ ସଫଳ ଭାବେ ପ୍ରତିହତ କରିବାକୁ ଉଦ୍ଦିଷ୍ଟ।
ରୁଷସହ ଭାରତ ଯେଉଁ ବାୟୁ ପ୍ରତିରକ୍ଷା ଓ କ୍ଷେପଣାସ୍ତ୍ର ଚୁକ୍ତି ସ୍ବାକ୍ଷର କରିଛି ତାହାଦ୍ବାରା ଆମେରିକାସହିତ ସମ୍ପର୍କ କ୍ଷୁଣ୍ଣ ହୋଇପାରେ; କାରଣ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗରୁ ନିଜ ମନୋଭାବ ସ୍ପଷ୍ଟ କରିଦେଇଛନ୍ତି। ଟ୍ରମ୍ପ ଚାହାନ୍ତି ଭାରତ ସମେତ ଅନ୍ୟକୌଣସି ଦେଶ ରୁଷ କିମ୍ବା ଚୀନସହ ସାମରିକ କିମ୍ବା କ୍ଷେପଣାସ୍ତ୍ର କ୍ରୟ ଚୁକ୍ତି ନ’କରନ୍ତୁ। ଏହାପଛରେ ତାଙ୍କ ଦେଶର ସ୍ବାର୍ଥ ନିହିତ ଥିବାରୁ ସେ ଏ କ୍ଷେତ୍ରରେ ଅନ୍ୟ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀଙ୍କୁ ଦୂରେଇ ରଖିବାକୁ ଚାହୁଁଛନ୍ତି।
ଏବେ ଆମେରିକା ସହ ଭାରତର ବାଣିଜ୍ୟ କାରବାର ଅଧିକ ଏବଂ ସେଠାରେ ଲକ୍ଷଲକ୍ଷ ଭାରତୀୟ ଜୀବିକା ଉପାର୍ଜନ କରୁଛନ୍ତି। ଏଭଳି ସ୍ଥିତିରେ ଟ୍ରମ୍ପଙ୍କ ଧମକକୁ ଖାତିର ନ’କରି ଭାରତ ରୁଷସହ ସାମରିକ ରାଜିନାମା କରିଥିବାରୁ ଦ୍ବିପାକ୍ଷିକ ସମ୍ପର୍କ ଅବଶ୍ୟ ପ୍ରଭାବିତ ହୋଇପାରେ। ଟ୍ରମ୍ପଙ୍କ ଧମକ ଆଗରେ ମୁଣ୍ଡ ନ’ନୁଆଁଇ ସ୍ବାଧୀନ ଭାବେ ନିଜର ନିଷ୍ପତ୍ତି ନେବ ବୋଲି ଭାରତ ଇତି ମଧ୍ୟରେ ଘୋଷଣା କରି ସ୍ପଷ୍ଟବାର୍ତ୍ତା ଦେଇଛି ଯେ ସେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ। ବାସ୍ତବିକ ଏଭଳି ନିଷ୍ପତ୍ତି ନେବା କେବଳ ଦୃଢ଼ ନେତୃତ୍ବ ପକ୍ଷେ ସମ୍ଭବ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ତାହା ପ୍ରମାଣ କରିଛନ୍ତି।
ଏବେ ବିଶ୍ବରେ ଯେଉଁ ତ୍ରିମୂର୍ତ୍ତି- ଟ୍ରମ୍ପ, ପୁଟିନ ଓ ଜିନ୍‌ପିଙ୍ଗ ସବୁଠୁ ଶକ୍ତିଶାଳୀ ଓ ପ୍ରଭାବୀ ନେତାଭାବେ ନିଜକୁ ଜାହିର କରୁଛନ୍ତି ସେଥିରେ ମୋଦୀ ମଧ୍ୟ ନିଜକୁ ସାମିଲ କରିବାର ଅବକାଶ ହାତଛଡ଼ା କରିନାହାନ୍ତି। ଦେଶର ସ୍ବାର୍ଥ ସର୍ବାଗ୍ରେ ଏବଂ ସ୍ବାଧୀନ ନିଷ୍ପତ୍ତି ନେଇ ଭାରତ କାହାର ଗୋଡ଼ାଣିଆ ହେବାକୁ ଚାହେଁନା, ଏହା ମୋଦୀ ସରକାର ସ୍ପଷ୍ଟ କରିଦେଇଛନ୍ତି। ରୁଷିଆ ସହିତ ସମ୍ପର୍କ ଅଧିକ ନିବିଡ଼ କରି ତୈଳ ସଂକଟକାଳରେ ମହଙ୍ଗା ଡଲାର ପରିବର୍ତ୍ତେ ଟଙ୍କା ବିନିମୟରେ ମସ୍କୋରୁ ଇନ୍ଧନ ଆମଦାନୀ ପାଇଁ ଭାରତ ମଧ୍ୟ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଛି। ଏବେ ଟ୍ରମ୍ପଙ୍କ ପ୍ରତିକ୍ରିୟା ଓ ପଦକ୍ଷେପକୁ ଅପେକ୍ଷା ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories