www.samajalive.in
Thursday, December 11, 2025
23.1 C
Bhubaneswar

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର ପ୍ରତି ଆକୃଷ୍ଟ କରି ଏକତ୍ର ବାସ କରିବା ଏବଂ ପରିବାର ଓ ସମାଜ ଗଠନ କରିବାରେ ଏକ ବରିଷ୍ଠ ଭୂମିକା ଗ୍ରହଣ କରିଥିଲା। ବର୍ତ୍ତମାନର ବସ୍ତୁବାଦୀ ଜୀବନରେ ତୀବ୍ର ଜୀବନ ସଂଗ୍ରାମର ସମ୍ମୁଖୀନ ହେବା ଫଳରେ ଏଥିରେ କିଛି ମାତ୍ରାରେ ସଂକଟ ଉପୁଜିଛି ସତ ତେବେ, ତାହା ଅନେକାଂଶରେ ଅତୁଟ ରହିଛି। ଅନ୍ୟ ପକ୍ଷରେ, ମଣିଷ ଚରିତ୍ରର ଏହି ଅମୂଲ୍ୟ ଉପାଦାନଟି ସମସ୍ତଙ୍କଠାରେ ସମପରିମାଣରେ ଦେଖାଯାଏ ନାହିଁ। ତାଙ୍କ ମଧ୍ୟରୁ କେତେକ ସରଳ ବିଶ୍ବାସୀ ଏବଂ ସମସ୍ତଙ୍କ ସବୁ କଥାକୁ ବିଶ୍ବାସ କଲାବେଳେ ଆଉ କେତେକ ସନ୍ଦେହୀ ହୋଇଥାନ୍ତି, ଯେଉଁମାନେ କି କାହାରିକୁ ସହଜରେ ବିଶ୍ବାସ କରନ୍ତି ନାହିଁ। ଦୀର୍ଘଦିନ ଧରି ମନସ୍ତତ୍ତ୍ବବିତ୍‌ମାନେ ଏହାର କାରଣ ନିର୍ଦ୍ଧାରଣ ଲାଗି ବିଭିନ୍ନ ଦିଗରୁ ଉଦ୍ୟମ ଚଳାଇ ଆସିଛନ୍ତି। ଫଳରେ ସେମାନେ ଯେଉଁ ସାଧାରଣ ଉପସଂହାରରେ ଉପନୀତ ହୋଇଛନ୍ତି ତାହା ହେଲା ବ୍ୟକ୍ତିଟି ପିଲାଦିନୁ ବଢ଼ି ଆସିଥିବା ପରିବେଶ ଏବଂ ସେ ତା’ ଜୀବନରେ ସମ୍ମୁଖୀନ ହୋଇଥିବା ନାନାଦି ଘଟଣାବଳୀର ପ୍ରଭାବ। ଅନ୍ୟପକ୍ଷରେ ଏଥି ସହିତ କିଛି ମାତ୍ରାରେ ଜିନୀୟ ସଂପୃକ୍ତି ମଧ୍ୟ ରହିଛି ବୋଲି ନିକଟରେ ମତ ଦେଇଛନ୍ତି ସ୍ବିଡେନର ଜୁରିଚ୍‌ସ୍ଥିତ ଲୁଣ୍ଡ୍‌ ବିଶ୍ବବିଦ୍ୟାଳୟଠାରେ ‘ନିକ୍‌’ ଜିଓରଡାନୋଙ୍କ ନେତୃତ୍ବରେ ଗବେଷଣା ଚଳାଇଥିବା କିଛି ଆନ୍ତର୍ଜାତିକ ଗବେଷକ ବୃନ୍ଦ। ବିଗତ ୭ ଜୁନ୍‌ ୨୦୨୪ ସଂଖ୍ୟା ‘ସାଇନ୍‌ସ ରିପୋର୍ଟରସ୍‌’ ପତ୍ରିକାରେ ପ୍ରକାଶିତ ଏକ ପ୍ରବନ୍ଧରେ ସେମାନେ ସୂଚାଇଛନ୍ତି ଯେ ଅଜଣା ଲୋକଙ୍କୁ ବିଶ୍ବାସ କିମ୍ବା ଅବିଶ୍ବାସ କରୁଥିବା ବହୁ ସଂଖ୍ୟକ ବ୍ୟକ୍ତିବିଶେଷଙ୍କ ‘ଜିନୋମ୍‌’(ସଂପୂର୍ଣ୍ଣ ଜିନୀୟ ପଦାର୍ଥ) ଅଧ୍ୟୟନ ଫଳରେ ସେମାନେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି।
ବିଶ୍ବାସ ପ୍ରକ୍ରିୟାର ଅଧ୍ୟୟନ ଦୀର୍ଘଦିନ ଧରି ସମାଜ ବିଜ୍ଞାନର ଏକ ଅଂଶ ବିଶେଷ ହୋଇ ରହିଥିଲା। ଜଣେ ଅନ୍ୟ ଜଣଙ୍କଠାରୁ କାହିଁକି ସରଳ ବିଶ୍ବାସୀ ତାହାକୁ ନେଇ ସେଥିରୁ ଉତ୍ପନ୍ନ ହୋଇଥିବା ମତବାଦଟି ଅନୁସାରେ ପ୍ରଥମେ ପିତାମାତା ଓ ପରିବାର ମଧ୍ୟରେ ଆଦ୍ୟଜୀବନର ଅନୁଭୂତି ଏବଂ ତତ୍ପରେ ସାମାଜିକ ପରିବେଶ ହିଁ ଏହି ବ୍ୟକ୍ତିତ୍ବକୁ ଗଠନ କରେ।
ଉଦାହରଣ ସ୍ବରୂପ, ବାଲ୍ୟକାଳରୁ ଜଣେ ସ୍ନେହଶ୍ରଦ୍ଧା ପାଇ ନଥିଲେ ଏବଂ ବାରମ୍ବାର ଶଠତାର ଶିକାର ହୋଇଥିଲେ ତା’ର ଅନ୍ୟପ୍ରତି ବିଶ୍ବାସ ଜାତ ହେବାର ଅବକାଶ ରହେନାହିଁ। ଅନ୍ୟ ପକ୍ଷରେ, ସେ ବାସ କରୁଥିବା ପରିବେଶରେ ପରସ୍ପର ମଧ୍ୟରେ ସମ୍ପର୍କରେ ସଂକଟ ଥିଲେ ଏବଂ ତହିଁରେ ବାସ କରୁଥିବା ଅନ୍ୟମାନେ କେହି କାହା ପ୍ରତି ବିଶ୍ବସ୍ତ ନଥିଲେ ତା’ଠାରେ ଏ ପ୍ରବୃତ୍ତି ସୃଷ୍ଟି ହୋଇପାରେ ନାହିଁ। ତେବେ, ବିଗତ ୧୫ ବର୍ଷରୁ ଅଧିକ କାଳ ଧରି ଲୁଣ୍ଡ୍‌ ବିଶ୍ବବିଦ୍ୟାଳୟର ଉପରୋକ୍ତ ଜିନୀୟ ବିଜ୍ଞାନୀମାନେ ସରଳ ବିଶ୍ବାସୀ ଏବଂ ସନ୍ଦେହୀ ହୋଇଥିବା ବହୁସଂଖ୍ୟକ ଲୋକଙ୍କ ଉପରେ ଚଳାଇଥିବା ଅଧ୍ୟୟନରୁ ଏହାର ଏକ ଜିନୀୟ ଭିତ୍ତିଥିବାର ଜାଣିବାକୁ ପାଇଛନ୍ତି। ସେମାନଙ୍କୁ ସରଳ ବିଶ୍ବାସୀମାନଙ୍କଠାରେ (ପିଏଲପିପି-୪) ନାମକ ଏକ ଜିନ୍‌ର ସନ୍ଧାନ ମିଳିଛି।
ପରବର୍ତ୍ତୀ ଅଧ୍ୟୟନରୁ ପରୀକ୍ଷା କରାଯାଉଥିବା ଲୋକଙ୍କ ମଧ୍ୟରେ ସାମାଜିକ ବିଶ୍ବାସର ବିଭେଦତାର ୬ ଶତାଂଶ ଏହି ଜିନ୍‌ ସହିତ ସଂପୃକ୍ତ ବୋଲି ଜଣାପଡ଼ିଛି। ଏହାର ଅର୍ଥ ହେଲା ଯେ’ ଯଦି ଦୁଇଜଣ ସମାନ ଭାବେ ଲାଳନପାଳନ ହୋଇଥିବା, ଶିକ୍ଷାଲାଭ କରିଥିବା ଏବଂ ଜୀବନର ଅନୁଭୂତି ଅର୍ଜନ କରିଥିବା ଲୋକଙ୍କ କଥା ବିଚାରକୁ ନିଆଯାଏ, ତେବେ ସେମାନେ ଅନ୍ୟମାନଙ୍କୁ କେତେ ବିଶ୍ବାସ କରନ୍ତି ତାହାର ଏତିକିଭାଗ (୬ ଶତାଂଶ) ପ୍ରଭେଦତାର କାରଣ ଏହି ଜିନ୍‌। ଅବଶ୍ୟ ଏହା ଏକ କ୍ଷୁଦ୍ରଅଂଶ ରୂପେ ଅନୁମିତ ହୋଇପାରେ, ତେବେ ଯେତେବେଳେ ମଣିଷ ଚରିତ୍ରର ଜଟିଳତା ସାମଗ୍ରିକ ଭାବେ ବିଚାରକୁ ନିଆଯାଏ ସେତେବେଳେ ଏହାକୁ ଜିନୀୟ ବିଜ୍ଞାନ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଆବିଷ୍କାର ବୋଲି ମନେ କରାଯାଏ। ଅତଏବ ସ୍ବୀକାର କରାଯାଏ ଯେ’ ‘ବିଶ୍ବାସ ଜିନ୍‌’ର ଆବିଷ୍କାର ପାରମ୍ପରିକ ଭାବେ ଜୀବବିଜ୍ଞାନ ଓ ସମାଜ ବିଜ୍ଞାନ କ୍ଷେତ୍ରକୁ ପରସ୍ପରଠାରୁ ଅଲଗା ବୋଲି ରହି ଆସିଥିବା ଚିନ୍ତାଧାରା ପ୍ରତି ଏକ ଆହ୍ବାନ ରୂପେ କାର୍ଯ୍ୟକରି ସେ ଦୁଇଟି ମଧ୍ୟରେ ସେତୁବନ୍ଧଟିଏ ରୂପେ ଉଭା ହୋଇଛି। ଏହା ବ୍ୟତୀତ ଏବର ଜିନ୍‌ ମୁଖ୍ୟତଃ ମସ୍ତିଷ୍କରେ ପ୍ରକଟିତ ହେଉଥିବାରୁ ସ୍ନାୟବିକ ପଥ ଏବଂ ସୂଚନା ପ୍ରଦାୟନକାରୀ କ୍ରିୟା ବିଧିଗୁଡ଼ିକୁ ନିର୍ଦିଷ୍ଟ ରୂପ ଦେବାରେ ଏହାର ଭୂମିକାକୁ ନେଇ କୌତୂହଳ ପ୍ରଦ ତଥ୍ୟମାନ ପଦାକୁ ଆସିଛି। ପୁନଶ୍ଚ ଏହାର ଦେହ ଓ ମନ ଉପରେ ବ୍ୟାପକ ପ୍ରଭାବ ଥିବା କଥା ଜଣାପଡ଼ିଛି। ଉଦାହରଣ ସ୍ବରୂପ, ଦୁଶ୍ଚିନ୍ତା ଓ ମାନସିକଚାପ ଦୂରୀକରଣ ମାଧ୍ୟମରେ ଏହା ଉଚ୍ଚ ରକ୍ତଚାପ ଓ ହୃତ୍‌ସ୍ପନ୍ଦନ ହ୍ରାସକୁ ହ୍ରାସକରେ, ଭାବପ୍ରବଣତାକୁ ନିୟନ୍ତ୍ରଣ କରେ, ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରେ, ରୋଗ ମୁକ୍ତହେବା ପ୍ରକ୍ରିୟାକୁ ଦ୍ରୁତକରେ, ସକାରାତ୍ମକ ଚିନ୍ତା ବଢ଼ାଏ ଇତ୍ୟାଦି।
ଏପରି କି ଏହା ମସ୍ତିଷ୍କର ଗାଠନିକ ପରିବର୍ତ୍ତନ ଆଣେ। ଫଳରେ ତନ୍ମଧ୍ୟକୁ ରକ୍ତ ପ୍ରବାହ ବୃଦ୍ଧି ପାଏ। ଏସବୁ ବ୍ୟକ୍ତିକୁ ଦୀର୍ଘଜୀବୀ କରେ।
ଏପରି ସ୍ଥଳେ, ମନକୁ ସ୍ବତଃର ଆସିଥାଏ ଯେ ଏହି ଜିନ୍‌ରେ ପରିବର୍ତ୍ତନ ଆଣି ଲୋକଙ୍କଠାରେ ବିଶ୍ବାସ ବୃଦ୍ଧିକରିବା କଥା। ତାହା ତାଙ୍କଠାରେ ଏସବୁ ସକାରାତ୍ମକ ପ୍ରଭାବ ପକାଇ ପାରିବ। ତେବେ, କେତେକ ବୈଜ୍ଞାନିକ ଏହାକୁ ନେଇ ସତର୍କବାଣୀ ଶୁଣାଇଲେଣି। କାରଣ ବିଶ୍ବାସର ସ୍ତର ବୃଦ୍ଧି ମସ୍ତିଷ୍କର ଯେଉଁ ପରି ପଥଗୁଡ଼ିକୁ ନୂଆ ରୂପ ଦେବାରେ ଭୂମିକା ରହିଛି ସେଗୁଡ଼ିକ ଆମ ବଞ୍ଚି ରହିବାଲାଗି ଏକାନ୍ତ ଆବଶ୍ୟକ ହୋଇଥିବା ‘ଲଢ଼ ବା ପଳାୟନ କର’ ମାନସିକତା ସହିତ ମଧ୍ୟ ସଂପୃକ୍ତ। ଏଣୁ ଏହାକୁ ବୃଦ୍ଧି କରାଗଲେ ଆମଠାରେ ଆପାଦକାଳୀନ ପରିସ୍ଥିତିର ମୁକାବିଲା କରିବାର ସୁଯୋଗ ହ୍ରାସ ପାଇବ। ଅନ୍ୟପକ୍ଷରେ, କୃତ୍ରିମ ଉପାୟରେ ‘ବିଶ୍ବାସ ଜିନ୍‌’ ବା ପିଏଲ ପିପି-୪ ଜିନ୍‌ର ସକ୍ରିୟତା ବୃଦ୍ଧି କେତେକ ହର୍‌ମୋନ କ୍ଷରଣ ବୃଦ୍ଧି କରିପାରେ। ଅଳ୍ପ ସମୟ ପାଇଁ ଏହା ଘଟିଲେ ମାନସିକଚାପ ଓ ଦୁଶ୍ଚିନ୍ତା ସହିତ ହୃତପିଣ୍ଡ ଓ ରକ୍ତ ସଂଚାଳନ ବ୍ୟବସ୍ଥାଜନିତ ସମସ୍ୟା ଦୂର ହୋଇଥାଏ। କିନ୍ତୁ ତାହା ଦୀର୍ଘସ୍ଥାୟୀ ହେଲେ ତାହାର ବିପରୀତ ପ୍ରଭାବ ପଡ଼ିବ ବୋଲି ମନେ କରାଯାଏ। ତେଣୁ ଏହା ଉପରେ ହସ୍ତକ୍ଷେପ କରିବାକୁ ହେଲେ ତାହା କେତେ ଦୂର ଏବଂ କେଉଁ ରୂପେ ହେବା ଆବଶ୍ୟକ ସେଥି ସମ୍ପର୍କରେ ଗଭୀର ପରୀକ୍ଷା ନିରୀକ୍ଷା ଓ ଗବେଷଣା କରାଯିବା ଉଚିତ୍‌।
ରମେଶ ଚନ୍ଦ୍ର ପରିଡ଼ା,ଖଣ୍ଡଗିରି ବିହାର, ଭୁବନେଶ୍ବର

Hot this week

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

Related Articles

Popular Categories