ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ ସଜୀବ ବସ୍ତୁର ସମାହାରକୁ ଜୈବ ବିବିଧତା କୁହଯାଏ। ଏକ ଅଞ୍ଚଳର ସମସ୍ତ ଅନୁବଂଶାଣୁ ବା ଜିନ୍, ପ୍ରଜାତି ଓ ପରିସଂସ୍ଥାକୁ ନେଇ ତିନି ପ୍ରକାରର ଜୈବ ବିବିଧତା ଗଠିତ। ପରିସଂସ୍ଥାରେ ଉଭୟ ସଜୀବ ଓ ନିର୍ଜୀବ ପରସ୍ପର ନିର୍ଭରଶୀଳ ଓ ପ୍ରକୃତିର ସୁସ୍ଥତା ଏବଂ ସନ୍ତୁଳନ ପାଇଁ ଦାୟୀ। ଜୈବ ବିବିଧତା ମଧ୍ୟ ଏକ ପ୍ରାକୃତିକ ସମ୍ବଳ। କାରଣ ଆମର ଜୀବନ ଓ ପରିସଂସ୍ଥା ପାଇଁ ଏହା ଆବଶ୍ୟକ ସେବା, ଉତ୍ପାଦ ଓ ଅର୍ଥନୈତିକ ଉପକାର ଯୋଗାଇଥାଏ। ବିଭିନ୍ନ ଖାଦ୍ୟ, ଗୋଖାଦ୍ୟ, ଜାଳେଣି, ଔଷଧ ଓ କେତେକ କଞ୍ଚାମାଲ ଯୋଗାଣ ସହିତ ପୁଷ୍ପରେ ପରାଗଣ, ଜଳବାୟୁ ନିୟନ୍ତ୍ରଣ ଏବଂ ଜଳ ପରିଷ୍କାର ପରି କେତେକ ସେବା ଏହାଦ୍ୱାରା ମିଳିଥାଏ।
ବିଶ୍ୱରେ ପ୍ରାୟ ୧୪ ନିୟୁତ ଜୀବ ମଧ୍ୟରୁ ପ୍ରାଣୀ ସଂଖ୍ୟା ୧୩.୮୭ ନିୟୁତ, ଅଣୁଜୀବ ୦.୨୨ ନିୟୁତ ଓ ଉଦ୍ଭିଦ ସଂଖ୍ୟା ପ୍ରାୟ ୩୨୦୦୦। ସବୁଠାରୁ ଅଧିକ କୀଟପତଙ୍ଗ ସଂଖ୍ୟା ୮ ନିୟୁତ। ଭାରତ ବିଶ୍ୱର ୨% କ୍ଷେତ୍ରଫଳ ଥିଲେ ମଧ୍ୟ ଭାରତରେ ବିଶ୍ୱର ୭-୮% ଜୈବ ବିବିଧତା ରହିଛି। ଦେଶରେ ୫୦୦ ପ୍ରଜାତିର ସ୍ତନ୍ୟପାୟୀ, ୨୦୦ ରୁ ଅଧିକ ପ୍ରଜାତିର ପକ୍ଷୀ, ୩୦୦୦୦ ପ୍ରଜାତିର କୀଟପତଙ୍ଗ ଓ ୧୮୦୦୦ ସପୁଷ୍ପକ ଉଦ୍ଭିଦ ଦେଖାଯାଆନ୍ତି; କିନ୍ତୁ ଏବେ ଏହି ଜୈବ ବିବିଧତା ଅଧିକ ସଙ୍କଟଦେଇ ଗତି କରୁଛି। ବହୁ ବିରଳ ପ୍ରାଣୀ ଓ ଉଦ୍ଭିଦ ବିଲୁପ୍ତ ପ୍ରାୟ। ବହୁ ଉଦ୍ଭିଦ ଓ ପ୍ରାଣୀ ଆଜି ବାସହରା। ବିଭିନ୍ନ ପରିସଂସ୍ଥାରେ ଏପରି ବୈଭବଶାଳୀ ଜୈବ ବିବିଧତା ଅବକ୍ଷୟ ହେବାରୁ ପରିବେଶୀୟ ଅସନ୍ତୁଳନ ହେବା ଫଳରେ ଆମେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଥମରେ ପୁଷ୍ପରେ ପରାଗଣ, ମୃତ୍ତିକାରେ ଉର୍ବରତା ଓ ଜଳବାୟୁ ନିୟନ୍ତ୍ରଣ ପରି ପରିବେଶ ସେବାରୁ ଆମେ ବଞ୍ଚିତ ହେଉଛୁ। ବିଭିନ୍ନ ଅଞ୍ଚଳରେ ମହୁମାଛି, ଭ୍ରମର ଓ ଉପକାରୀ କୀଟପତଙ୍ଗ ଆଶାତୀତ ଭାବରେ ହ୍ରାସ ପାଇଲେଣି। ମୃତ୍ତିକା ମଧ୍ୟରେ ଥିବା ଜୈବ ବିବିଧତା ଯୋଗୁଁ ପୋଷକ ଚକ୍ର ଓ ଉର୍ବରତା ବୃଦ୍ଧି ପାଏ; କିନ୍ତୁ ଏହାର ଅସନ୍ତୁଳନ ଏବେ ଦେଖା ଗଲାଣି। ଦ୍ୱିତୀୟରେ ନିରନ୍ତର ଖାଦ୍ୟ, ପରିଷ୍କାର ଜଳ ଓ ଔଷଧ ଯୋଗାଣ ଆମର ଆଗାମୀ ପିଢିଙ୍କୁ ଦୁଷ୍ପ୍ରାପ୍ୟ ହୋଇପାରେ। ତୃତୀୟରେ ପରିସଂସ୍ଥାରେ ଅଧିକ ବନ୍ୟା, ମରୁଡି ପରି ପ୍ରାକୃତିକ ବିପର୍ଯ୍ୟୟକୁ ବୃଦ୍ଧି ପାଇପାରେ। ଶେଷରେ ଜୈବ ବିବିଧତା ପରିସଂସ୍ଥାଗୁଡ଼ିକର ସ୍ୱାସ୍ଥ୍ୟ ଓ ସନ୍ତୁଳନ କରୁଥିବା ଯୋଗୁଁ ଆମର ସ୍ୱାସ୍ଥ୍ୟ ଓ ଅର୍ଥନୀତି ସୁଦୃଢ ହୋଇଥାଏ ଯାହା କି ଜୈବ ବିବିଧତା ହ୍ରାସ ଫଳରେ ପ୍ରଭାବିତ ହୋଇଥାଏ।
ଜୈବ ବିବିଧତା ସଂରକ୍ଷଣ ବିନା ପରିସଂସ୍ଥାଗୁଡିକ ଭଙ୍ଗୁର ହୋଇପାରେ ଓ ଏହା ଯୋଗୁଁ ବହୁ ଉପକାରୀ ପ୍ରାଣୀ ଓ ଉଦ୍ଭିଦ ପ୍ରଜାତି ବିଲୁପ୍ତ ହେବା ଫଳରେ ଖାଦ୍ୟ ଶୃଙ୍ଖଳ ଓ ଜଳବାୟୁ ସ୍ଥିରତା ପ୍ରଭାବିତ ହେବା ନିଶ୍ଚିତ। ଜୈବ ବିବିଧତା ହ୍ରାସ ପ୍ରାକୃତିକ କାରଣ ଅପେକ୍ଷା ମାନବୀୟ କାରଣ ଯୋଗୁଁ ଅଧିକ ହୋଇଥାଏ। ବିଶ୍ୱର ଅର୍ଦ୍ଧେକ ଜମି ଚାଷଜମିରେ ପରିଣତ ହୋଇଛି ଯାହାର ଆୟତନ ପ୍ରାୟ ୫୧ ନିୟୁତ ବର୍ଗ କିଲୋମିଟର। ଏହା ସହିତ ପ୍ରାୟ ୪୦ ନିୟୁତ ବର୍ଗ କିଲୋମିଟର ଚାରଣ ଭୂମି। ଏ ପ୍ରକାର ଜଙ୍ଗଲ, ଆର୍ଦ୍ରଭୂମି, ଘାସଜମି ଇତ୍ୟାଦି ପରିବର୍ତ୍ତନ ଫଳରେ ବିଶ୍ୱର ୬୦ ପ୍ରତିଶତ ମେରୁଦଣ୍ଡୀ ପ୍ରାଣୀ ୧୯୭୦ ଠାରୁ ଏ ମଧ୍ୟରେ ବିଲୁପ୍ତ ହେଲେଣି। ପ୍ରତିବର୍ଷ ୧ ରୁ ୫ ପ୍ରଜାତି ବିଲୁପ୍ତ ହେଉଛନ୍ତି। ଜୈବ ବିବିଧତା ଓ ପରିସଂସ୍ଥା ସେବା ପାଇଁ ଆନ୍ତଃସରକାରୀ ବିଜ୍ଞାନ ନୀତି ମଞ୍ଚର ୨୦୧୯ ରିପୋର୍ଟ ଅନୁସାରେ ମାନବୀୟ କାରଣ ଯୋଗୁଁ ଏକ ନିୟୁତ ପର୍ଯ୍ୟନ୍ତ ଉଦ୍ଭିଦ ଓ ପ୍ରାଣୀ ପ୍ରଜାତି ବିଲୁପ୍ତ ହେଲେଣି। ଜୈବ ବିବିଧତା ସଙ୍କଟର କାରଣଗୁଡ଼ିକ ମଧ୍ୟରେ ପ୍ରାଣୀ ଓ ଉଦ୍ଭିଦମାନଙ୍କ ପ୍ରାକୃତିକ ବାସସ୍ଥାନ ଲୋପ, ଅବକ୍ଷୟ, , କୃଷିକ୍ଷେତ୍ର ଓ ଜଙ୍ଗଲ ଗୁଡିକର ଅବାଧ ଶୋଷଣ, ସହରୀକରଣ, ଜଳବାୟୁ ପରିବର୍ତ୍ତନ, ଆକ୍ରମକ ପ୍ରଜାତି ଓ ପରିବେଶ ପ୍ରଦୂଷଣ ପ୍ରଧାନ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୈଶ୍ବିକ ତାପମାନ ବୃଦ୍ଧି ଓ ସମୁଦ୍ର ଜଳପତ୍ତନ ବୃଦ୍ଧି ଫଳରେ କେତେକ ପ୍ରଜାତି ମୃତ୍ୟୁ ବରଣ କରନ୍ତି। ବାୟୁ, ଜଳ ଓ ମୃତ୍ତିକା ପ୍ରଦୂଷଣ ସହିତ ପ୍ଲାଷ୍ଟିକ ପ୍ରଦୂଷଣ ପରିସଂସ୍ଥାରେ ବହୁ ପ୍ରଜାତିର ବିଲୋପ ଘଟାଇଥାଏ। ଆମେ କୃଷି ପାଇଁ କରୁଥିବା ଭୂବିନିଯୋଗ ପରିବର୍ତ୍ତନ, ସହରୀକରଣ, ଅତ୍ୟଧିକ ଶିକାର ଓ ମତ୍ସ୍ୟ ଉତ୍ପାଦନ, ବାଣିଜ୍ୟ ଯୋଗୁଁ ଅଣପ୍ରଜାତି ପ୍ରବର୍ତ୍ତନ, ବିଭିନ୍ନ ପ୍ରଦୂଷଣ ଓ ଶିଳ୍ପ ଯୋଗୁଁ ଏହା ଘଟିଥାଏ। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି କୃଷି ଜୈବ ବିବିଧତା। ଖାଦ୍ୟ ଓ କୃଷି ସଂଗଠନ ରିପୋର୍ଟ ଅନୁସାରେ ବିଶ୍ବର ୩୦୦୦୦ରୁ ଅଧିକ ଉଦ୍ଭିଦ ପ୍ରଜାତି ଖାଦ୍ୟ ପାଇଁ ଉପଯୁକ୍ତ ହେଲେ ମଧ୍ୟ ତିନି ଚତୁର୍ଥାଂଶ ଖାଦ୍ୟ ମାତ୍ର ୧୨ ଟି ଉଦ୍ଭିଦ ଓ ପାଞ୍ଚଟି ପ୍ରାଣୀଠାରୁ ମିଳେ। ବିଶ୍ୱର ମୋଟ କ୍ୟାଲୋରି ଆବଶ୍ୟକତାର ୫୧% ଗହମ, ଚାଉଳ ଓ ମକା ଯୋଗାଏ। ଆଉ ଏହି ତିନିଟି ଫସଲ ଜଳବାୟୁ ପରିବର୍ତ୍ତନରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥାଏ। ଅଥଚ ପୁରାତନ କାଳରୁ ଆମକୁ ଖାଦ୍ୟ ଓ ବସ୍ତ୍ର ଯୋଗାଉଥିବା ବହୁ ଦେଶୀ ପ୍ରଜାତିକୁ ଆମେ ଅଣଦେଖା କରୁଛେ।
ଭାରତରେ ହିମାଳୟ ପର୍ବତମାଳା, ଇଣ୍ଡୋ-ବର୍ମା ଅଞ୍ଚଳ, ପଶ୍ଚିମ ଘାଟ ଓ ଦକ୍ଷିଣ – ପୂର୍ବ ଏସିଆ (ସୁନ୍ଦଲ୍ୟାଣ୍ଡ) ଚାରିଟି ମୁଖ୍ୟ ଜୈବ ବିବିଧତା ହଟ୍ ସ୍ପଟ ରହିଛି ଯେଉଁଠି ବହୁ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦ ବହୁଳ ଭାବରେ ଦେଖିବାକୁ ମିଳେ; କିନ୍ତୁ ହିମାଳୟ ଅଞ୍ଚଳରେ ୧୬୩ ପ୍ରଜାତିର ପ୍ରାଣୀ, ଇଣ୍ଡୋ- ବର୍ମା ଅଞ୍ଚଳରେ ୧୩୦୦ ପ୍ରଜାତିର ପକ୍ଷୀ, ପଶ୍ଚିମଘାଟରେ ୩୨୫ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦ ଏବଂ ସୁନ୍ଦଲ୍ୟାଣ୍ଡ ଅଞ୍ଚଳରେ ବହୁ ପ୍ରଜାତିର ଉଦ୍ଭିଦ ବିଲୋପ ଅବସ୍ଥାରେ ଅଛନ୍ତି। ଓଡ଼ିଶାର ନୂଆପଡ଼ା ଜିଲାର ସୁନାବେଡା, ବରଗଡ଼ ଓ ବଲାଙ୍ଗିର ଜିଲାର ଗନ୍ଧମାର୍ଦନ, କଳାହାଣ୍ଡି ଓ ରାୟଗଡ଼ାର ନିୟମଗିରି, ମୟୂରଭଞ୍ଜର ଶିମିଳିପାଳ, କେନ୍ଦୁଝରର ମାଲ୍ୟଗିରି, ଗଜପତିର ମହେନ୍ଦ୍ରଗିରି, ପୁରୀ ଓ କଟକର ମହାନଦୀ ତ୍ରିକୋଣଭୂମି ଓ କେନ୍ଦ୍ରାପଡାର ଭିତରକନିକା ଅଞ୍ଚଳର ବିରଳ ପ୍ରଜାତି ଅନ୍ୟତ୍ର ଦେଖିବାକୁ ମିଳନ୍ତି ନାହିଁ; କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବହୁ ପ୍ରଜାତି ବିଲୋପୋନ୍ମୁଖ ଅବସ୍ଥାରେ ଅଛନ୍ତି। ଏହିସବୁ ଅଞ୍ଚଳରେ ଜୈବ ବିବିଧତା ସଂରକ୍ଷଣ ଅତ୍ୟନ୍ତ ଆବଶ୍ୟକ। ଓଡ଼ିଶାରେ କୃଷି ବିଭାଗ ତରଫରୁ କୋରାପୁଟ ଓ ମାଲକାନଗିରି ଅଞ୍ଚଳରେ କେତେକ ଧାନ ଓ ମାଣ୍ଡିଆ ବିହନ ଚିହ୍ନଟ କରି ଏଗୁଡ଼ିକର ସଂରକ୍ଷଣ ଓ ବିହନ ଉତ୍ପାଦନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ କୃଷି ବିଭାଗ ଓ କଟକ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ମଧ୍ୟ ବହୁ କିସମର ଦେଶୀଧାନ ବିହନ ସଂରକ୍ଷଣ କରି ରଖିଛନ୍ତି।
ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଜନସାଧାରଣଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରଥମରେ ଜୈବ ବିବିଧତା ପାଇଁ ଶିକ୍ଷା ଓ ଜନ ସଚେତନତା ସୃଷ୍ଟିହେବା ଆବଶ୍ୟକ। ପ୍ରାଣୀ ଶିକାରକୁ ସମ୍ପୂର୍ଣ୍ଣ ଭାବରେ ନିଷେଧ କରିବା ଆବଶ୍ୟକ। ଏଥିପାଇଁ ଦୃଢ଼ ଆଇନ୍ ମଧ୍ୟ କାର୍ଯ୍ୟକାରୀ ହେବା ଜରୁରୀ। ଦ୍ୱିତୀୟରେ ଅବିଚାରିତ ଭାବରେ ଜଙ୍ଗଲ ଓ ଗଛକଟା ସବୁ ଅଞ୍ଚଳରେ ବନ୍ଦହେବା ମଧ୍ୟ ଆବଶ୍ୟକ। ତୃତୀୟରେ ପ୍ରାକୃତିକ ସମ୍ବଳ ହିସାବରେ ଜମି, ଜଳ, ଜନ୍ତୁ, ଖଣି ଇତ୍ୟାଦିର ସୁପରିଚାଳନା କରିବା ସହିତ ଏଗୁଡିକୁ ଅତ୍ୟଧିକ ଶୋଷଣମୁକ୍ତ କରିବା ଜରୁରୀ। ଆମେ ଅନୁସରଣ କରୁଥିବା କୃଷିପଦ୍ଧତିକୁ ସୁସ୍ଥାୟୀ କରିବାକୁ ହେବ। ରାସାୟନିକ କୃଷି ପରିବର୍ତ୍ତେ ଜୈବିକ କୃଷି ଆଡକୁ ଆମକୁ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ଚତୁର୍ଥରେ ଆମ ପରିବେଶକୁ ପ୍ରଦୂଷଣମୁକ୍ତ କରିବାକୁ ହେବ। ଜଳ, ମୃତ୍ତିକା, ବାୟୁ ଓ ପ୍ଲାଷ୍ଟିକ ପ୍ରଦୂଷଣ ନିରାକରଣ ପାଇଁ ଉପଲବ୍ଧ ସମସ୍ତ କୌଶଳ ନିଷ୍ଠାର ସହିତ ଅନୁସରଣ କରିବା ଅତ୍ୟନ୍ତ ଜରୁରୀ। ପ୍ରତ୍ୟେକ ସମ୍ବଳ ଅପଚୟ ହ୍ରାସ କରିବା ସହିତ ଏଗୁଡ଼ିକର ପୁନଃ ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। ପଞ୍ଚମ ଜଙ୍ଗଲ ପୋଡ଼ା ଏବଂ ଚାଷ ଜମିରେ ଅବଶେଷ ପୋଡ଼ା ସମ୍ପୂର୍ଣ୍ଣ ଭାବରେ ନିଷିଦ୍ଧ କରିବା ଆବଶ୍ୟକ। ବିଶ୍ୱରେ ଯେତିକି ଜୈବିକ ପଦାର୍ଥ ପୋଡ଼ାଯାଏ ସେଥିରୁ ୧-୨ ନିୟୁତ ଟନ୍ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ହୁଏ। ଫସଲ ଅବଶେଷରୁ ଇଥାନେଲ ଓ ରାସ୍ତା ନିର୍ମାଣ ପାଇଁ ଜୈବିକ ବିଟୁମେନ ପ୍ରସ୍ତୁତ କରାଯାଇ ପାରିବ। ଷଷ୍ଠରେ ପ୍ରାକୃତିକ ବାସସ୍ଥଳୀଗୁଡିକର ସୁରକ୍ଷା କରାଯିବା ପାଇଁ ସରକାରୀ, ବେସରକାରୀ ଓ ସାମାଜିକ ସ୍ତରରେ ସମ୍ମିଳିତ ଉଦ୍ୟମ ଅବଶ୍ୟ କରିବାକୁ ହେବ ।
ନୀତିନିର୍ଦ୍ଧାରଣ ଓ ଅର୍ଥନୈତିକ ସମାଧାନ ପାଇଁ ସରକାର, ବେସରକାରୀ ସଂଗଠନ ଓ ବୈଜ୍ଞାନିକ ଗୋଷ୍ଠୀ ସମ୍ମିଳିତ ଉଦ୍ୟମ କରିବା ଆବଶ୍ୟକ। ଏହାଦ୍ୱାରା ବିବିଧ ପ୍ରାଣୀ ଓ ଉଦ୍ଭିଦମାନଙ୍କ ପ୍ରାକୃତିକ ବାସସ୍ଥଳୀ ସଂରକ୍ଷଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ହେବ। ଯେଉଁ ସଂଗଠନଗୁଡିକ ଜୈବ ବିବିଧତା ସଂରକ୍ଷଣ ପାଇଁ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସମସ୍ତ ପ୍ରକାରର ସହଯୋଗ ଆବଶ୍ୟକ। ଯେତେଦୂର ସମ୍ଭବ ବିଦେଶୀ କିସମ ପ୍ରାଣୀ ଓ ଉଦ୍ଭିଦ ପରିବର୍ତ୍ତେ ଦେଶୀ ପ୍ରଜାତିର ଉଦ୍ଭିଦ ଏବଂ ପ୍ରାଣୀକୁ ଅଧିକ ଗୁରୁତ୍ୱ ଦେବା ସମୀଚୀନ। ଆମର ପୂର୍ବ ସୂରୀ କହିଥିବା ଅନୁସାରେ ‘‘ଜୀବେ ଦୟା’’ ନୀତିକୁ ଗଭୀରତାର ସହ ପାଳନ କଲେ ଜୈବ ବିବିଧତା ସଂରକ୍ଷଣ ସହଜସାଧ୍ୟ ହୋଇପାରିବ।
ବିଦ୍ୟାଧର ମହାରଣା, କଳିଙ୍ଗନଗର, ଭୁବନେଶ୍ବର
‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ
Popular Categories



