ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର ଦଶ ତାରିଖ) ପାଳନ ପାଇଁ ବିଷୟବସ୍ତୁ ହେଉଛି, “ଆୱାର ଏଭ୍ରିଡ଼େ ଏସେନ୍ସିଆଲ” ବା ଆମର ପ୍ରତିଦିନର ଜୀବନ ଶୈଳୀରେ ମାନବ ଅଧିକାରର ଉପଯୋଗିତା। ୧୯୪୮ ମସିହାରେ ହୋଇଥିବା ସାର୍ବଜନୀନ ମାନବ ଅଧିକାର ଘୋଷଣାନାମାର ପ୍ରାସଙ୍ଗିକତା ଏବେ ମଧ୍ୟ ରହିଛି। ପ୍ରତ୍ୟେକ ବ୍ୟକ୍ତିକୁ ବନ୍ଧନରୁ ମୁକ୍ତି କରି ସମାନତା, ନ୍ୟାୟ ଓ ମର୍ଯ୍ୟାଦା ପ୍ରଦାନ କରିବା ଭଳି ଲକ୍ଷ୍ୟ ଏବେ ବି ଅପୂରଣୀୟ ରହିଛି। ଏ ଆଦର୍ଶକୁ ତୃଣମୂଳ ସ୍ତରକୁ ନେଇଯିବା ପାଇଁ ଆଜି ଆହ୍ବାନ ଦିଆଯାଇଛି। ଆମେ ମାନବ ଅଧିକାରକୁ ଦାର୍ଶନିକ ଓ ସାମ୍ବିଧାନିକ ବ୍ୟାଖ୍ୟା ପରିସରରୁ ବାହାର କରି ଆମର ଦୈନନ୍ଦିନ ଜୀବନରେ ସାମିଲ କରିବା। ତାତ୍ତ୍ବିକ ବିଶ୍ଳେଷଣ ବଦଳରେ ବ୍ୟବହାର ଓ ଆଚରଣ ମାଧ୍ୟମରେ ନିଜର ଅଧିକାର ସାବ୍ୟସ୍ତ କରିହେବ। ଅନ୍ୟର ଅଧିକାରକୁ ବି ସମ୍ମାନ ଦେଇ ହେବ। ଅନ୍ୟ କଥାରେ, ଆମେ ମାନବ ଅଧିକାରକୁ ନିଜ ଜୀବନରେ ପ୍ରତିଦିନ ଅଭ୍ୟାସ କରିବା। ଯେପରି କି, ପରିବାର ସହିତ ସମୟ କାଟାଇବା, ଖବର କାଗଜ ପଢ଼ିବା, ଖୁସିରେ ଚଲାବୁଲା କରିବା, ପରିଷ୍କାର ପାଣି ପିଇ ପାରିବା, ପରିବାର କିମ୍ବା ସାଙ୍ଗ ସାଥୀମାନଙ୍କ ସହ ଏକାଠି ବସି ଖାଇବା, ଇତ୍ୟାଦି। ଏହି କାର୍ଯ୍ୟଗୁଡିକ ଅତ୍ୟନ୍ତ ସରଳ ହେଲେ ବି ସମସ୍ତେ ଏହାକୁ ଉବଲବ୍ଧ କରିବାରେ ସମର୍ଥ ହୋଇ ପାରି ନଥାନ୍ତି। ଆମର ମାନବ ଅଧିକାର ଉଲ୍ଲଙ୍ଘନ ହୋଇଥିଲେ ବି ଏହାର ତାତ୍ପର୍ଯ୍ୟ ଆମକୁ ଜଣା ପଡ଼ି ନଥାଏ।
ଉପରୋକ୍ତ ଉଦାହରଣଗୁଡିକ ଆମ ଜୀବନରେ ନିତିଦିନ ଘଟିଥାଏ। ଆମର ନ୍ୟାୟିକ ଅଧିକାର ଥିଲେ ମଧ୍ୟ ସାଧାରଣ ଜୀବନର ନିମ୍ନତମ ଆଶା ପୂରଣ ହୋଇ ପାରେ ନାହିଁ। ମାନବ ଅଧିକାର ଦୃଷ୍ଟିରୁ ଦେଖିବାକୁ ଗଲେ, ଏ ଦୈନନ୍ଦିନ ଘଟଣାବଳୀର ତାତ୍ତ୍ବିକ ଯଥାର୍ଥତା ୧୯୪୮ ମସିହାର ଘୋଷଣାପତ୍ରରେ ରହିଛି:ବଞ୍ଚିବା ପାଇଁ ପର୍ଯ୍ୟାପ୍ତ ସୁବିଧା (ଧାରା ୨୫), ଯାହା ଖାଦ୍ୟ, ମୌଳିକ ଆବଶ୍ୟକତା ଓ ସୁସ୍ଥ ପରିବେଶରେ ପରିବାର ସହିତ ରହିବାକୁ ସୁନିଶ୍ଚିତ କରେ; କଥା କହିବା ଓ ମତ ଦେବାର ସ୍ବାଧୀନତା (ଧାରା ୧୯), ଯାହା ମନ ମୁତାବକ ଖବର କାଗଜ ପଢିବା କିମ୍ବା ଟେଲିଭିଜନ ଦେଖିବାର ଅଧିକାର ଦିଏ; ବିଶ୍ରାମ ଓ ଅବକାଶ ଅଧିକାର (ଧାରା ୨୪), ଯାହା ସୁସ୍ଥ ଜୀବନ ଏବଂ ଅନ୍ୟମାନଙ୍କ ସହିତ ସମ୍ପର୍କ ଗଢିବାର ସମୟ ଦେଇଥାଏ; ଏବଂ ଶିକ୍ଷା ଅଧିକାର (ଧାରା ୨୬), ଯାହା ବୁଝିବା ଏବଂ ନିଜର ନିଷ୍ପତ୍ତି ନେବାପାଇଁ ଆମକୁ ସକ୍ଷମ କରେ। ଚଳିତ ବର୍ଷ ମାନବ ଅଧିକାର ଦିବସର ଆହ୍ବାନ ହେଉଛି, ନ୍ୟାୟିକ ସିଦ୍ଧାନ୍ତ ଓ ଦୈନନ୍ଦିନ ଅନୁଭବ ମଧ୍ୟରେ ଥିବା ବ୍ୟବଧାନକୁ କମାଇବା। ଏହି ବାର୍ତ୍ତା ଆମ ଦୈନନ୍ଦିନ ଜୀବନରେ ହେଉଥିବା ମାନବ ଅଧିକାରର ଉଲ୍ଲଙ୍ଘନ ବିଷୟରେ ସଚେତନତା ବୃଦ୍ଧି କରିବା ସହିତ ନିଜର ସାମାଜିକ ବ୍ୟବସ୍ଥା ଓ ନ୍ୟାୟିକ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବାକୁ ପ୍ରେରଣା ଦେବ ବୋଲି ଆଶା କରାଯାଏ।
ଆଜିର ବାର୍ତ୍ତା ମାନବ ଅଧିକାରକୁ ନାସ୍ତିବାଚକରୁ ଅସ୍ତିବାଚକ କରିବା ପାଇଁ ଏକ ପ୍ରଚେଷ୍ଟା। ଦେଶର ସମ୍ବିଧାନ ଓ ଆଇନ ମାନବ ଅଧିକାରକୁ ସୁରକ୍ଷା ଦିଅନ୍ତି। ଏହା ପ୍ରାୟତଃ ନିଷେଧାତ୍ମକ: ଯେଉଁ ଅଧିକାର ଉପରେ ସରକାର ହସ୍ତକ୍ଷେପ କରି ପାରିବେ ନାହିଁ; କିନ୍ତୁ ମାନବ ଅଧିକାର ହେଉଛି ଜୀବନ୍ତ ବାସ୍ତବତା। ଦୈନନ୍ଦିନ ଜୀବନରେ ଆନନ୍ଦ, ସୁଖ ଏବଂ ନିରାପତ୍ତା ଆଣି ଦେବାର ମୁଖ୍ୟ ଆଧାର। ଆମେ ଖାଉଥିବା ଖାଦ୍ୟ, ନିଃଶ୍ୱାସ ନେଉଥିବା ବାୟୁ, କହୁଥିବା ଶବ୍ଦ ବା ପାଉଥିବା ସୁଯୋଗରେ ଏହାର ପ୍ରତିଫଳନ ହୋଇଥାଏ। ଆମ ଜୀବନକୁ ପ୍ରକୃତ ପକ୍ଷରେ ସୁରକ୍ଷିତ ରଖେ। ଏହା କେବଳ ଆଇନ ପ୍ରଦତ୍ତ ସୁରକ୍ଷା ନୁହେଁ। ମିଳିମିଶି ରହୁଥିବା ଅନ୍ୟ ବ୍ୟକ୍ତିବିଶେଷଙ୍କ ଠାରୁ ଏ ସୁରକ୍ଷା ମିଳେ। ଏ ସହଭାଗିତାରେ ଆମେ ସମସ୍ତେ ଅଂଶୀଦାର। ଆମର ଜାତି, ଧର୍ମ, ପୃଷ୍ଠଭୂମି ବା ଲିଙ୍ଗଗତ ପାର୍ଥକ୍ୟ ସେତ୍ତ୍ବ ଦୈନନ୍ଦିନ ଜୀବନରେ ମାନବ ଅଧିକାର ଆମକୁ ଏକଜୁଟ କରିପାରେ। ଅନିଶ୍ଚିତତାର ଦୁନିଆରେ, ମାନବିକ ଅଧିକାର ଆମର ଦୈନନ୍ଦିନ ସ୍ଥିରତା ଆଣିବାର ସମ୍ଭାବନା ରହିଛି। ଆମ ପଡୋଶୀ ସୁରକ୍ଷିତ ରହିଲେ ଆମେ ବି ସୁରକ୍ଷିତ ରହିବା। ଏହି ମୌଳିକ ସତ୍ୟ ଆଧାରରେ ପରସ୍ପରର ମାନବ ଅଧିକାରକୁ ସମ୍ମାନ ଦେଲେ ଏକ ମୁକ୍ତ ଓ ସୁସ୍ଥ ସମାଜର ପରିକଳ୍ପନା କରାଯାଇପାରେ। ଏଥିପାଇଁ ଆମର ପ୍ରତିଦିନର ବ୍ୟବହାର ଓ କାର୍ଯ୍ୟ ପ୍ରଣାଳୀରେ ଆଦର୍ଶ ମାନବିକତାର ପ୍ରତିଫଳନ ହେବା ଆବଶ୍ୟକ। ଏ ପ୍ରକ୍ରିୟା ଅତି ସରଳ। ଆମେ ଅନେକ ବ୍ୟକ୍ତି ବିଶେଷଙ୍କ ସଂସ୍ପର୍ଶରେ ଆସୁଛେ। ଆମେ ସେମାନଙ୍କୁ ସମ୍ମାନର ସହିତ ବ୍ୟବହାର କରିବା। ଯେଉଁମାନଙ୍କର କଥାକୁ ପ୍ରାୟତଃ ଅଣଦେଖା କରାଯାଏ ସେମାନଙ୍କ କଥା ଶୁଣିବା। ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବା। ଆମ ସମସ୍ତଙ୍କର ନିଜ ପସନ୍ଦ ମୁତାବକ ବ୍ୟାବହାରିକ ନିଷ୍ପତ୍ତି ନେବାର କ୍ଷମତା ରହିଛି। ନିଜର ଆଚରଣ ଓ ମତ ପ୍ରକାଶ ଦ୍ବାରା ଅନ୍ୟର ମର୍ଯାଦାକୁ ସମ୍ମାନ ଦେଇ ପାରିବା। ଏକରୁ ଆରମ୍ଭ ହୋଇ ଅନେକକୁ ବ୍ୟାପିବ। ସାମୂହିକତା ଆଧାରରେ ଏକ ନୂତନ ଅଧିକାର ସଂସ୍କୃତିର ମୂଳଦୁଆ ପଡ଼ିବାର ସମ୍ଭାବନା ରହିବ।
ମାନବ ଅଧିକାର ତତ୍ତ୍ବକୁ ଅନେକ ସମୟରେ ଆମେ ବୁଝି ନ ପାରିଲେ ଅଥବା ଏହାର ନ୍ୟାୟିକ ପ୍ରତିଫଳନ ଦେଖି ନପାରିଲେ ବି ପ୍ରତିଦିନ ବିଭିନ୍ନ ଉପାୟରେ ଏହାକୁ ଅନୁଭବ କରି ପାରୁଛେ। ମିଳିତ ଜାତି ସଂଘ ମାନବ ଅଧିକାର ଉଚ୍ଚ ଆୟୁକ୍ତଙ୍କ ତରଫରୁ ବିଭିନ୍ନ ଦେଶର ଜନସାଧରଣଙ୍କୁ ଗୋଟିଏ ପ୍ରଶ୍ନ ପଚରା ଯାଇଥିଲା। ଗୋଟିଏ ଦିନର ଘଟଣାବଳୀରେ ନିଜ ଜୀବନରେ କେଉଁ ଅଧିକାରର ସର୍ବାଧିକ ମହତ୍ତ୍ବ ରହିଛି? ଆମକୁ ଚକିତ କରିଦେଲା ଭଳି ଅତି ସାଧାରଣ ଇଚ୍ଛା ବ୍ୟକ୍ତ କରିଛନ୍ତି: ପରିବାରରେ ଅସରନ୍ତି ପ୍ରେମ ଓ ଅନୁକମ୍ପା ହାସଲ କରିବା; ସମସ୍ତଙ୍କ ପାଇଁ ନିଜର ମାନବିକତାର ପ୍ରଦର୍ଶନ କରିବାର ସୁବିଧା ମିଳିବା; ପ୍ରେମ ପାଇବା ଓ ବାଣ୍ଟିବା; ବ୍ୟକ୍ତିଗତ ନିରାପତ୍ତା; ସଫା ପାଣି ପିଇବାକୁ ମିଳିବା; ମୁଣ୍ଡ ଉପରେ ଛାତ ପାଇବା;ଦୁଃଖ ସମୟରେ କେହି ଶାନ୍ତ୍ବନା ଜଣାଇବା; ସମ୍ପର୍କରେ ସଚ୍ଚୋଟତା ରଖିବା; ସୁରକ୍ଷିତ ରାସ୍ତାରେ ଚାଲି ପାରିବା, ଇତ୍ୟାଦି। ଏ ସବୁ ମାନବ ଅଧିକାର ବ୍ୟବହାର କରିବାର ଉଦାହରଣ। ଏହାକୁ ହାସଲ କରିବାରେ ଆମ ସମସ୍ତଙ୍କର ଦାୟିତ୍ବ ରହିଛି – କେବଳ ସରକାରଙ୍କର ନୁହେଁ। ପ୍ରତ୍ୟେକ ବ୍ୟକ୍ତିର କଥା ଓ କାର୍ଯ୍ୟ ଅତ୍ୟନ୍ତ ମହତ୍ତ୍ବପୂର୍ଣ। ଦୈନନ୍ଦିନ ଜୀବନରେ ଟିକିଏ ହସି କଥା କହିବା, ଅନ୍ୟକୁ ସାହାଯ୍ୟ କରିବା ଓ ସମ୍ମାନ ଦେବା ଦ୍ବାରା ଆମେ ମାନବ ଅଧିକାରର ବାହକ ହେଇଯାଉ। ମାନବ ଅଧିକାର ଯେପରି ଆମ ପାଇଁ ଆବଶ୍ୟକ, ସେହିପରି ଆମେ ମାନବ ଅଧିକାର ପାଇଁ ଆବଶ୍ୟକ।
୧୯୪୮ ମସିହା ମିଳିତି ଜାତିସଂଘ ମାନବ ଅଧିକାର ଘୋଷଣାନାମାର ଆଶା ଓ ଆକାଂକ୍ଷା ଆଜି ପର୍ଯ୍ୟନ୍ତ ପୂରଣ ହୋଇ ନାହିଁ। ହିଂସା ଓ ଅସ୍ଥିରତାର ଅନ୍ତ ହୋଇନାହିଁ। ଅସୂୟା ଓ ଅସମାନତା ବୃଦ୍ଧି ପାଉଛି। ବ୍ୟକ୍ତିଗତ ସୁରକ୍ଷା ଓ ସ୍ବାର୍ଥ୍ୟ ହାସଲ ହେଉ ନାହିଁ। ମହିଳା ନିର୍ୟାତନା ବଢି ଚାଲିଛି। କଥା କହିବାର ଓ ଲେଖିବାର ସ୍ବାଧୀନତା କମି ଯାଉଛି। କ୍ଷୁଧାମୁକ୍ତ ପୃଥିବୀ ଏବେ ବି ସ୍ୱପ୍ନ ହୋଇ ରହିଛି। ଏହି ପରିପ୍ରେକ୍ଷୀରେ ମାନବ ଅଧିକାର ମୂଲ୍ୟବୋଧର ଦୀର୍ଘକାଳୀନ ଉପଯୋଗିତା ରହିଛି। ଅନ୍ୟକୁ ମର୍ଯ୍ୟାଦା ଦେଇ ଓ ସହାନୁଭୂତି ଦେଖାଇ ଆମେ ପରସ୍ପରର ଜୀବନରେ କିଛିଟା ହସ ଫୁଟାଇ ପାରିବା। ମାନବ ଅଧିକାରକୁ ପ୍ରାଧାନ୍ୟ ଦେବା ଆମର ସାମୂହିକ ଦାୟିତ୍ବ। ମାନବ ସମାଜକୁ ବାନ୍ଧି ରଖିବାର ଏହା ଏକ ଶକ୍ତିଶାଳୀ ସୂତ୍ର। ମାନବିକ ଚିନ୍ତାଧାରାର ସମ୍ଭାବ୍ୟ ସଫଳତାର ଏକ ଚାବିକାଠି।
ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ କୁଳପତି,
ରେଭେନ୍ସା ବିଶ୍ବବିଦ୍ୟାଳୟ



