ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି
ଜାପାନରେ ଗତ ୮ ତାରିଖ ଦିନ ସାନ୍ରିକୁ ଉପକୂଳରେ ହୋଇଥିବା ୭.୬ ତୀବ୍ରତାର ଭୂକମ୍ପ ପୁଣି ଥରେ ଦୁନିଆକୁ ଏକ ଚେତାବନୀ ଦେଇଛି। ବିପର୍ଯ୍ୟୟ ପାଇଁ ସବୁଠୁ ବେଶି ପ୍ରସ୍ତୁତ ଥିବା ଜାପାନ ଭଳି ଦେଶରେ ମଧ୍ୟ ଭୂକମ୍ପ କିପରି ସୁନାମି, ଭୂସ୍ଖଳନ, ଅଗ୍ନିକାଣ୍ଡ ଓ ଜଳବନ୍ଦୀ ଭଳି ଅନେକ ବିପଦର ଶୃଙ୍ଖଳା ସୃଷ୍ଟି କରେ, ତାହା ଦେଖିବାକୁ ମିଳିଛି। ଭୂକମ୍ପର ଝଟକା ଟୋକିଓ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ଏବଂ ପାଖାପାଖି ଏକ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ଘନ ଜନବସତିପୂର୍ଣ୍ଣ ସହରଗୁଡ଼ିକ ପାଇଁ ଏକ ଆହ୍ବାନ। ଭାରତର ୫୯ ପ୍ରତିଶତରୁ ଅଧିକ ଅଞ୍ଚଳ ଭୂକମ୍ପପ୍ରବଣ । ଆମର ସବୁଠୁ ବଡ଼ ଚିନ୍ତା ହେଉଛି ଘନ ଜନବସତିପୂର୍ଣ୍ଣ ସହରଗୁଡ଼ିକ। ବିଶେଷ କରି ହିମାଳୟ ଏବଂ ଗୁଜୁରାଟର କଚ୍ଛ ଅଞ୍ଚଳ ସର୍ବାଧିକ ବିପଦପୂର୍ଣ୍ଣ ଭୂକମ୍ପ ‘ଜୋନ୍’ରେ ରହିଛି, ଯେଉଁଠାରେ ବଡ଼ ଧରଣର ଭୂକମ୍ପ ହେବାର ସମ୍ଭାବନା ଅଧିକ। ଏହା ବ୍ୟତୀତ, ରାଜଧାନୀ ଦିଲ୍ଲୀ ସମେତ ପାଟନା, ଶ୍ରୀନଗର, ମୁମ୍ବାଇ, କଲକାତା, ଚେନ୍ନଇ ଭଳି ପ୍ରମୁଖ ସହରଗୁଡ଼ିକ ମଧ୍ୟ ବିପଦରେ ଅଛନ୍ତି।
ଦିଲ୍ଲୀରେ ୨୦୦୦ ମସିହା ପୂର୍ବରୁ ନିର୍ମିତ ୮୦ ପ୍ରତିଶତରୁ ଅଧିକ କୋଠା ଭୂକମ୍ପ ନିରୋଧୀ ନିୟମ ଅନୁସାରେ ତିଆରି ହୋଇନାହିଁ। ପ୍ରାୟ ୩.୩ କୋଟି ଜନସଂଖ୍ୟା ଏବଂ ୫, ୦୦୦ରୁ ଅଧିକ ଉଚ୍ଚ ଅଟ୍ଟାଳିକା ଥିବା ଦିଲ୍ଲୀରେ ୭.୫ ମାତ୍ରାର ଭୂକମ୍ପ ଆସିଲେ ବିପର୍ଯ୍ୟୟର କଳ୍ପନା କରାଯାଇ ନପାରେ। ଯଦି ଭାରତରେ ଏକ ବଡ଼ ଧରଣର ଭୂକମ୍ପ ହୁଏ, ତେବେ କେବଳ କୋଠା ଭାଙ୍ଗିବ ନାହିଁ, ଏହା ମୁମ୍ବଇ କିମ୍ବା ଚେନ୍ନଇରେ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ, କାରଣ ଏହି ସହରଗୁଡ଼ିକରେ ଜଳ ନିଷ୍କାସନ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ। ସେହିପରି କଲକାତାର ପୁରୁଣା ବଜାରମାନଙ୍କରେ ଭୟଙ୍କର ଅଗ୍ନିକାଣ୍ଡର ଆଶଙ୍କା ମଧ୍ୟ ରହିଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଭାରତରେ ଭୂକମ୍ପ ପର୍ଯ୍ୟବେକ୍ଷଣ କେନ୍ଦ୍ରଗୁଡ଼ିକର ସଂଖ୍ୟା ବୃଦ୍ଧି କରିଛି ଏବଂ ସତର୍କତା ପାଇଁ ଆପ୍ ମଧ୍ୟ ଆରମ୍ଭ କରିଛି; କିନ୍ତୁ କ୍ଷେତ୍ରୀୟ ସ୍ତରରେ ଏହାର କାର୍ଯ୍ୟକାରିତା ଅତ୍ୟନ୍ତ ମନ୍ଥର। ଉଦାହରଣସ୍ୱରୂପ, ଦିଲ୍ଲୀରେ ଅନୁମତିପ୍ରାପ୍ତ ଅଞ୍ଚଳରେ ଥିବା କୋଠାଗୁଡ଼ିକୁ ଭୂକମ୍ପ ନିରୋଧୀ କରିବା ଯୋଜନା ଏଯାଏଁ ସଫଳ ହୋଇନି। ଡାକ୍ତରଖାନା ଏବଂ ବଡ଼ ବଡ଼ ଉଚ୍ଚ ଅଟ୍ଟାଳିକା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକର ନିୟମିତ ଯାଞ୍ଚ ହେଉନାହିଁ। ଜାପାନ ଭଳି ଆମ ଦେଶର ପ୍ରମୁଖ ସହରଗୁଡ଼ିକରେ ତୁରନ୍ତ ଭୂକମ୍ପ ସତର୍କତା ବ୍ୟବସ୍ଥାର ଅଭାବ ଏକ ବଡ଼ ଦୁର୍ବଳତା, ଯାହା ଲୋକଙ୍କୁ ପ୍ରସ୍ତୁତ ହେବା ପାଇଁ ସମୟ ଦେଇପାରୁ ନାହିଁ। ଏହା ବ୍ୟତୀତ, ଗୁଆହାଟୀ ଭଳି ସହର ଯେଉଁଠାରେ ବନ୍ୟା ଓ ଭୂକମ୍ପର ଏକକାଳୀନ ବିପଦ ରହିଛି, ସେଗୁଡ଼ିକ ଅସୁରକ୍ଷିତ।
ଭାରତର ୧୪୦ କୋଟି ଲୋକଙ୍କ ଜୀବନ ବାଜିରେ ଲାଗିଛି। ‘ପ୍ରଥମେ ସମସ୍ତ ସହରରେ ଛୋଟ ଛୋଟ ଅଞ୍ଚଳ ଭିତ୍ତିରେ ଭୂକମ୍ପ ବିପଦର ସବିଶେଷ ଯାଞ୍ଚ ଅନୁସାରେ କୋଠା ନିର୍ମାଣ ନିୟମକୁ କଠୋର ଭାବେ ଲାଗୁ କରିବା ଉଚିତ। ସହରୀ ଯୋଜନାରେ ଭୂକମ୍ପ ବିପର୍ଯ୍ୟୟ ବିପଦ ସୂଚକାଙ୍କକୁ ଅନ୍ତର୍ଭୁକ୍ତ କରାଯାଉ। ପ୍ରତ୍ୟେକ ୱାର୍ଡ଼ ସ୍ତରରେ ବିପର୍ଯ୍ୟୟ ପରିଚାଳନା କମିଟି ଗଠନ କରି ଅଭ୍ୟାସ ଓ ତାଲିମକୁ ବାଧ୍ୟତାମୂଳକ କରାଯାଉ। ସର୍ବଶେଷରେ, କେବଳ କଥାରେ ନୁହେଁ, ବାସ୍ତବ କାର୍ଯ୍ୟକାରିତାରେ ହିଁ ଆମେ ଆମର ସହରଗୁଡ଼ିକୁ ସୁରକ୍ଷିତ କରିପାରିବା।



