www.samajalive.in
Wednesday, December 10, 2025
23.1 C
Bhubaneswar

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ

ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ସମାପ୍ତ ହୋଇଛି। ଏହି ଅଧିବେଶନର କାର୍ଯ୍ୟକାଳ ୨୯ ଦିନ ପାଇଁ ସ୍ଥିର ହୋଇଥିଲା; ମାତ୍ର ୧୧ ଦିନ କାର୍ଯ୍ୟ ପରେ ହିଁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ବିଧାନସଭାର କାର୍ଯ୍ୟପ୍ରଣାଳୀ ନିୟମ ଅନୁଯାୟୀ ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷରେ ଗୃହ ଅତି କମ୍‌ରେ ତିନିଟି ଅଧିବେଶନରେ ମିଶି ୬୦ କାର୍ଯ୍ୟଦିବସ ଚାଲିବା କଥା। ପରେ ଏହି ସର୍ବନିମ୍ନ ସଂଖ୍ୟାକୁ ହ୍ରାସ କରିବାର ବ୍ୟବସ୍ଥା ମଧ୍ୟ ଯୋଡ଼ାଯାଇଛି। ୨୦୨୪ ମସିହାରେ ଓଡ଼ିଶା ବିଧାନସଭା ମୋଟ ୪୨ ଦିନ ଚାଲିଥିଲା। ୨୦୨୫ରେ ବଜେଟ୍, ମୌସୁମି ଓ ଶୀତକାଳୀନ ଅଧିବେଶନକୁ ମିଶାଇ ଗୃହ ୬୦ ଦିନ ଠାରୁ ଅଧିକ ଦିନ କାର୍ଯ୍ୟ କରିଥିଲା। ତେବେ ପ୍ରଶ୍ନ ଉଠୁଛି ଗୃହ ସବୁବେଳେ ସର୍ବନିମ୍ନ ଦିବସ ନିୟମରେ ବା ତା’ଠାରୁ କମ୍ ଦିନ କାହିଁକି ଚାଲିବ ?
ବର୍ତ୍ତମାନର ବିଜେପି ସରକାର ‘ପରିବର୍ତ୍ତନ’ର ସ୍ଳୋଗାନ ଦେଇ କ୍ଷମତାକୁ ଆସିଥିବାବେଳେ, ପୂର୍ବ ସରକାରର ପଦାନୁସରଣ କରୁଛି। ବିଜେଡ଼ି ଶାସନ କାଳରେ ଗୃହର ଅଧିବେଶନକୁ ଧାର୍ଯ୍ୟ ସମୟର ବହୁପୂର୍ବରୁ ‘କାର୍ଯ୍ୟନାହିଁ’ ଦ୍ବାହି ଦେଇ ମୂଲତବୀ କରି ଦିଆଯାଉଥଲା। ସେତେବେଳେ ବିରୋଧୀ ଆସନରେ ଥିବା ବର୍ତ୍ତମାନର ସରକାରୀ ଦଳ ଏହାକୁ ବିରୋଧ କରୁଥିଲା। ଲୋକେ ଆଶା କରିଥିଲେ ଶାସନ ବଦଳିଲେ ଧାରା ବଦଳିବ; ମାତ୍ର କିଛି ବି ହେଲାନି। ଯଥା ପୂର୍ବଂ ତଥା ପରଂ। ସତରେ କ’ଣ ଓଡ଼ିଶା ରାମରାଜ୍ୟ ହୋଇଗଲା ଯେଉଁଠି ଆଲୋଚନା ପାଇଁ କୌଣସି ପ୍ରସଙ୍ଗ ନାହିଁ? ଚାଷୀମାନେ ଧାନମଣ୍ଡି ଆଗରେ ହନ୍ତସନ୍ତ ହେଉଛନ୍ତି, ରାଜ୍ୟରେ ବେକାରୀ ସମସ୍ୟା ଚିନ୍ତାର ବିଷୟ ପାଲଟିଛି, ଦାଦନ ଶ୍ରମିକ ସମସ୍ୟା ବନ୍ଦ ହେଉନି, ଶିଳ୍ପାୟନର ମନ୍ଥର ଗତି ତଥା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ସ୍ଥାଣୁତା ଦେଖାଯାଉଛି, ରାଜ୍ୟରେ ଡାକ୍ତରଙ୍କ ଅଭାବ ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ସମସ୍ୟା ଲାଗି ରହିଛି। ଏସବୁ ପ୍ରସଙ୍ଗ କ’ଣ ବିଧାନସଭାରେ ବ୍ୟାପକ ଭାବେ ଆଲୋଚନା ହେବା ଉଚିତ ନୁହେଁ। ଏହା ବ୍ୟତୀତ ଲୋକପ୍ରତିନିଧିମାନଙ୍କୁ ସ୍ଥାନୀୟ ସମସ୍ୟା ଉତ୍ଥାପନ କରିବା ଲାଗି ଅଧିକରୁ ଅଧିକ ସୁଯୋଗ ଦେବା କ’ଣ ବିଧାନସଭାର କାର୍ଯ୍ୟ ନୁହେଁ ? ଯଦି ବିତର୍କ ବିନା ଶାସନ ଚାଲିବ, ତେବେ ଜନତାଙ୍କ ଦୁଃଖ କଷ୍ଟ ଉପରେ କିଏ ଆଲୋଚନା କରିବ ?
ବ୍ରିଟିଶ ପାର୍ଲାମେଣ୍ଟରେ ବର୍ଷକୁ ୧୭୦ ଦିନ ପର୍ଯ୍ୟନ୍ତ କାର୍ଯ୍ୟ ହୁଏ ଏବଂ ପ୍ରତି ବୁଧବାର ଦିନ ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୁଏ। ସେଠାରେ ଯେ କେହି ଏମ୍‌ ପି ପ୍ରଧାନମନ୍ତ୍ରୀଙ୍କୁ ଯେକୌଣସି ପ୍ରସଙ୍ଗରେ ପ୍ରଶ୍ନ କରିପାରନ୍ତି। ଆମେ ସେହିଭଳି ବ୍ୟବସ୍ଥାକୁ ଗ୍ରହଣ କରିବା ଉଚିତ, ଯେଉଁଠାରେ ରାଜ୍ୟର ଜଣେ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ସବୁ ସମସ୍ୟା ନେଇ ପ୍ରଶ୍ନ କରିପାରିବେ। ଦୀର୍ଘ ୨୪ ବର୍ଷର ଏକ ନିରନ୍ତର ଶାସନର ଅନ୍ତ ଘଟାଇ କ୍ଷମତାକୁ ଆସିଥିବା ବିଜେପି ନିକଟରୁ ରାଜ୍ୟର ଜନସାଧାରଣ ନୂଆ କିଛି ଆଶା କରୁଥିବାବେଳେ ସରକାର ପୁରୁଣା ଶାସନର ରାସ୍ତାରେ ଚାଲିବା ଲୋକଙ୍କୁ ହତାଶ କରୁଛି। ବିଧାନସଭା ସମ୍ପୂର୍ଣ୍ଣ ସମୟ ପାଇଁ ଚାଲୁ, ଲୋକପ୍ରତିନିଧିଙ୍କ ସ୍ବର ରାଜ୍ୟବାସୀ ଶୁଣନ୍ତୁ, ଓଡ଼ିଶାର ବିଧାନସଭା ଭାରତରେ ଏକ ଉଦାହରଣ ପାଲଟୁ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories