www.samajalive.in
Tuesday, December 9, 2025
16.1 C
Bhubaneswar

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା ନିକଟରୁ ୪ଦିନ ତଳେ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶରୀର ଉଦ୍ଧାର ହେବା ଘଟଣାକୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା ଆଜି ଉଗ୍ର ରୂପ ନେଇଛି। ଏହି ଘଟଣାକୁ ନେଇ ବ୍ଲକର ରାଖେଲଗୁଡା ଓ ଏମଭି-୨୬ ଗ୍ରାମ ମଧ୍ୟରେ ଗତକାଲି ଅପରାହ୍ନରୁ ଲାଗିଥିବା ଉତ୍ତେଜନା ଅଣାୟତ୍ତ ହୋଇଥିଲା। ହଜାର ହଜାର ଆଦିବାସୀ ଏମଭି-୨୬ ଗ୍ରାମରେ ପହଞ୍ଚି ହଙ୍ଗାମା କରିଛନ୍ତି। ହଜାର ହଜାର ସଶସ୍ତ୍ର ଆଦିବାସୀ ସମଗ୍ର ଗ୍ରାମକୁ ଘେରାବନ୍ଦୀ କରି ଘରେ ଘରେ ନିଅାଁ ଲଗାଇ ଦେବାରୁ ୫୦ରୁ ଅଧିକ ଘର ପୋଡ଼ି ଛାରଖାର ହୋଇଯାଇଛି। ଏହାସହ ଶତାଧିକ ଘରକୁ ଭାଙ୍ଗି ଦିଆଯାଇଛି। ଏହାର ପ୍ରତିବାଦରେ ହଜାର ହଜାର ବଙ୍ଗୀୟ ସମ୍ପ୍ରଦାୟର ବ୍ୟକ୍ତି ମାଲକାନଗିରିରେ ପହଞ୍ଚି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରଉ କରିବାରୁ ଅସ୍ବାଭାବିକ ପରିସ୍ଥିତି ଉପୁଜିଛି। ଘଟଣାସ୍ଥଳରେ ଆରକ୍ଷୀ ଅଧୀକ୍ଷକ ପହଞ୍ଚି ସ୍ଥିତି ପରଖିଛନ୍ତି। ଏଭଳି ଏକ ସ୍ପର୍ଶକାତର ଘଟଣାର ସ୍ଥିତି ଯାଞ୍ଚ ପାଇଁ ରାଜ୍ୟ ପୁଲିସ ମହାନିର୍ଦେଶକ ୱାଇ.ବି.ଖୁରାନିଆ ମାଲକାନଗିରିରେ ପହଞ୍ଚିଛନ୍ତି। ସ୍ଥିତି ଅଣାୟତ୍ତ ହେବାରୁ ସମଗ୍ର ଜିଲାରେ ଆଜି ସନ୍ଧ୍ୟା ୬ରୁ ଆଗାମୀ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ଓ ମଦ ଦୋକାନକୁ ବନ୍ଦ କରି ଦିଆଯାଇଛି। ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝି ଏମଭି -୨୬ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ରାଖେଲଗୁଡାଠାରେ ଆଦିବାସୀ ସମାଜ ପକ୍ଷରୁ ଆୟୋଜିତ ହୋଇଥିବା ବୈଠକରେ ଯୋଗ ଦେଇଥିଲେ। ଏଭଳି ପରିସ୍ଥିତିରେ ଆଇନକୁ ହାତକୁ ନନେବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନା ମୁତାବକ ପୋଟେରୁ ନଦୀର ଡୁଡାମେଟଲା ନିକଟରୁ ଉଦ୍ଧାର ମୁଣ୍ଡବିହୀନ ମୃତଦେହ ଘଟଣା ଏକ ସୁପରିକଳ୍ପିତ ହତ୍ୟା ଏବଂ ଏମଭି -୨୬ ଗ୍ରାମର କେହି ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ କରି ରାଖେଲଗୁଡ଼ା ଗ୍ରାମବାସୀ ଉତ୍ତେଜିତ ହୋଇ ପଡ଼ିଥିଲେ। ମୃତ ମହିଳାଙ୍କ ନିଖୋଜ ମୁଣ୍ଡକୁ ଉଦ୍ଧାର କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପୁଲିସ ପ୍ରଶାସନ ନିକଟରେ ଦାବି କରିଥିଲେ। କିନ୍ତୁ ୪ ଦିନ ବିତି ଯାଇଥିଲେ ମଧ୍ୟ ମହିଳାଙ୍କ ମୁଣ୍ଡ ନମିଳିବାରୁ ଗତକାଲି ଅପରାହ୍ନରେ ଦୁଇ ଗାଁ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଖେଲଗୁଡା ଗ୍ରାମବାସୀଙ୍କ ସମେତ ଆଖପାଖ ଆଦିବାସୀ ଗ୍ରାମର ହଜାରରୁ ଅଧିକ ଲୋକ ଏମଭି-୨୬ ଗାଁରେ ପ୍ରବେଶ କରି ଦୀର୍ଘ ଦୁଇ ଘଣ୍ଟା ଧରି ଘରଦ୍ବାର ଭଙ୍ଗାରୁଜା କରିବା ସହ ନିଅାଁ ଲଗାଇ ଦେଇଥିଲେ ବୋଲି ଏମଭି-୨୬ ଗ୍ରାମବାସୀ ଅଭିଯୋଗ କରିଥିଲେ।

- Advertisement -

ଖବର ପାଇ ଗତକାଲି ଜିଲାପାଳ ସୋମେଶ ଉପାଧ୍ୟାୟ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲଙ୍କ ସମେତ ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ଏମଭି-୨୬ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଗ୍ରାମରେ ହୋଇଥିବା କ୍ଷୟକ୍ଷତିର ଆକଳନ ସହିତ ତୁରନ୍ତ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ଜିଲାପାଳ କହିଥିଲେ। ଏହାପରେ ପୁଲିସ ପକ୍ଷରୁ ସ୍ଥିତି ନିୟନ୍ତ୍ରଣ କରାଯାଇଥିବା ଏସପି ସୂଚନା ଦେଇଥିଲେ। ଏଣେ ମୃତ ମହିଳାଙ୍କ ମୁଣ୍ଡକୁ ଯଥାଶୀଘ୍ର ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ଜିଦରେ ରହିଛନ୍ତି ଆଦିବାସୀ ସଂଘ। ଗତକାଲିଠାରୁ ଆଜି ସକାଳ ୯ଟା ପର୍ଯ୍ୟନ୍ତ ଏହାର କୌଣସି ନିଷ୍କର୍ଷ ନବାହାରିବାରୁ ରାଖେଲଗୁଡା ଗ୍ରାମବାସୀ ଆଜି ଉଗ୍ର ହୋଇପଡ଼ିଥିଲେ। ଗାଁ ପୋଲ ନିକଟ ହାଟପଦାରେ ଆଦିବାସୀ ସମାଜର ବୈଠକ ବସି ସ୍ଥିତି ଉପରେ ଆଲୋଚନା କରାଯାଇଥିଲା। ଏଥିରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ଯୋଗ ଦେଇଥିଲେ।

ଏପଟେ ବୈଠକ ଚାଲିଥିବା ବେଳେ ସେପଟେ ପୋଲ ଉପରେ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ପୁଲିସ ବାହିନୀ ଉପସ୍ଥିତ ଥିଲେ। ଏହାପରେ ଆଦିବାସୀ ସଂଘ ସଦସ୍ୟମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକତ୍ରିତ ହୋଇ ଏମଭି-୨୬ ଗାଁ ଅଭିମୁଖେ ବାହାରିଥିଲେ। ଉତ୍ତ୍ୟକ୍ତ ଲୋକେ ଏମଭି-୨୬ ଗ୍ରାମର ଘରେ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହିତ ଗାଡ଼ିମୋଟର, ସାଇକଲ, ଫ୍ରିଜ, କୁଲର, ଖଟ ପଲଙ୍କରେ ନିଆଁ ଲଗାଇ ଦେଇଥିଲେ। ନିଅାଁରେ ଏମଭି-୨୬ ଗ୍ରାମର ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଘର ପୋଡ଼ି ଛାରଖାର ହୋଇଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁ ନିର୍ବାପନ କରିବାରେ ଅଣନିଃଶ୍ବାସୀ ହୋଇପଡ଼ିଛନ୍ତି। ପୁଲିସ ବାହିନୀ ଗାଁରେ ଫ୍ଲାଗ ମାର୍ଚ୍ଚ କରିଛି। ଏମଭି-୨୬ ଏବଂ ଏହାର ଆଖପାଖ ଅଞ୍ଚଳରେ ପୁଲିସ ଫୋର୍ସ ଏବଂ ବିଏସଏଫ ଯବାନଙ୍କୁ ମୁତୟନ କରାଯାଇଛି।
ଏପଟେ ଏହାର ପ୍ରତିବାଦରେ ବଙ୍ଗୀୟ ସମାଜର ହଜାର ହଜାର ଲୋକ ଏମଭି-୩ରେ ଜମା ହୋଇଥିଲେ। ପରେ ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ହଜାର ହଜାର ବଙ୍ଗୀୟ ସମ୍ପ୍ରଦାୟ ବାହାରି ମାଲକାନଗିରିରେ ପହଞ୍ଚି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରଉ କରିଥିଲେ।

ବଙ୍ଗାଳି ସମ୍ପ୍ରଦାୟ ବିରୋଧରେ ହେଉଥିବା ଅତ୍ୟାଚାରକୁ ରୋକିବାରେ ଜିଲା ଏବଂ ପୁଲିସ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଥିଲେ। ଆଦିବାସୀଙ୍କ ସହ ଧସ୍ତାଧସ୍ତିରେ ୩ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଗ୍ରାମରେ ପୁଲିସ ଫୋର୍ସ ଏବଂ ବିଏସଏଫ ଯବାନ ମୁତୟନ ଅଛନ୍ତି। ଉଭୟ ପକ୍ଷ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସେ ନିବେଦନ କରିଛନ୍ତି। ଆଜିର ଘଟଣା ପରେ ଏମଭି-୨୬ ଗ୍ରାମ ଜନଶୂନ୍ୟ ହୋଇପଡ଼ିଛି।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories