ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର ସୀମାକୁ ସଂକୀର୍ଣ୍ଣ କ୍ଷେତ୍ରରୁ ବିଶାଳ କ୍ଷେତ୍ରକୁ ବିକଶିତ କରିବାର ନାମ ହିଁ ବିକାଶ। ସଂକୀର୍ଣ୍ଣମନା ‘ମୁଁ’, ‘ମୋର’, ‘ଆମର’, ଏହିଭଳି ସଂକୀର୍ଣ୍ଣତା ଭିତରେ ରହି ନିଜର, ନିଜ ପରିବାରର ସମୃଦ୍ଧି, ଉନ୍ନତିରେ ସର୍ବଦା ନିମଗ୍ନ ରହିଥାନ୍ତି। ଆଖପାଖରେ ପଡ଼ୋଶୀ ଅଥବା ସୁହୃଦ ମଲେଗଲେ ଯାଏ ଆସେ ନଥାଏ। କାମନା, ବାସନା ଓ ତୃଷ୍ଣାରୂପୀ କ୍ଷୁଦ୍ରତାକୁ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଉପେକ୍ଷା କରି କର୍ତ୍ତବ୍ୟପାଳନ ଓ ପରମାର୍ଥ ଚେତନାକୁ ଜାଗ୍ରତ, ଉଦ୍ଦୀପିତ କରିବା ହିଁ ଯଥାର୍ଥ ଜାଗରଣ। କୁବିଚାର ଏବଂ ଦୁର୍ଭାବନା, କାମ, କ୍ରୋଧ, ଲୋଭ, ମୋହ ମାୟାର ବନ୍ଧନକୁ ଛିଡ଼ାଇବା ହିଁ ମୁକ୍ତି। ଏହି ମୁକ୍ତି ନିମନ୍ତେ ଉପରୋକ୍ତ ରିପୁକୁ ଦମନ କରିବା, ନିଜ ଆୟତ୍ତକୁ ଆଣିବା ସର୍ବାଦୌ ପ୍ରୟୋଜନ। କାରଣ ଏହି ରିପୁସକଳ ସର୍ବଦା ମଣିଷର ଚିତ୍ତଚାଞ୍ଚଲ୍ୟ ସୃଷ୍ଟି କରିବାକୁ ଚାହିଁ ବସିଥାନ୍ତି ଚାତକ ସଦୃଶ।
ସନ୍ତୋଷ, ସଂଯମ, ସତ୍ୟବାଦିତା, ସଜ୍ଜନତା ଓ ଶାନ୍ତିର ସମନ୍ବିତ ମନୋଭୂମି ସୃଷ୍ଟି କରିବା ହିଁ ସ୍ବର୍ଗ। ମଣିଷର ନିବାସସ୍ଥଳ ଧରିତ୍ରୀ ସ୍ବର୍ଗଠାରୁ ମଧ୍ୟ ଶ୍ରେଷ୍ଠ। ଆଉ ଏଇ ମାନବ ଶରୀର ଦେବତାଙ୍କଠାରୁ ମଧ୍ୟ ଉତ୍କୃଷ୍ଟତର। ଦେବତାମାନେ ମଧ୍ୟ ଏହି ମର୍ତ୍ତ୍ୟ ଭୂମିରେ ଅବତରିତ ହେବାକୁ ବାରମ୍ବାର ଚାହଁିଥାନ୍ତି, କାରଣ ମନୁଷ୍ୟ ଜନ୍ମରେ ହିଁ ମୋକ୍ଷଲାଭ ସମ୍ଭବ ହୋଇଥାଏ। ମନୁଷ୍ୟ ଜନ୍ମ ଈଶ୍ବରଙ୍କର ଆମକୁ ସବୁଠାରୁ ବଡ଼ ବରଦାନ।
ଏଭଳି ଏକ ଦୁର୍ଲଭ ଜୀବନକୁ ଆଳସ୍ୟ, ଅନ୍ୟର କୁତ୍ସାରଟନା, ହିଂସା, ଦ୍ବେଷ, ଶଠତା, ପରଶ୍ରୀକାତରତାରେ ବ୍ୟର୍ଥ ନ କରି ଏହାର ସଦୁପଯୋଗ କରିବା ପ୍ରତ୍ୟେକଙ୍କର ଧର୍ମ ହେବା ଉଚିତ। ଏହା ମାନବୀୟ ଧର୍ମ। ଯାହା ବିବେକାନୁମୋଦିତ ତାହା ଭୟ, ଲୋଭ କିମ୍ବା ଚାପର ବଶବର୍ତ୍ତୀ ନହୋଇ ସମ୍ପାଦନ କରିବା ନିହାତି ଉଚିତ। ଯାହା କରିବା ଯୋଗ୍ୟ ତାହା କାୟମନୋବାକ୍ୟରେ କରିବା ଉଚିତ। ତାହା ହିଁ କାମନା କରିବା ଉଚିତ ଯାହା କାମନାଯୋଗ୍ୟ। ସେହି ମାର୍ଗରେ ହିଁ ଗତି କରିବା (ଚାଲିବା) ଉଚିତ ଯାହା ସମୁଚିତ ବୋଧହୁଏ, ଅର୍ଥାତ୍ ସାଧାରଣ ସ୍ବାର୍ଥହାନିକାରକ ନୁହେଁ। ଯେଉଁ କାର୍ଯ୍ୟ ଦ୍ବାରା ନିଜ ସମେତ ଅନ୍ୟମାନଙ୍କର ମଙ୍ଗଳ ହୋଇଥାଏ ସେହିଭଳି କାର୍ଯ୍ୟ କରିବା ଉଚିତ। ଦୃଷ୍ଟିକୋଣ ବଦଳାଇ ପାରିଲେ ହିଁ ଏହା ସମ୍ଭବ ହୋଇପାରିବ।
ଚିନ୍ତାକଳ୍ପ : ଦୃଷ୍ଟିକୋଣ
Popular Categories



