www.samajalive.in
Thursday, December 11, 2025
14.1 C
Bhubaneswar

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ

ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ କେବଳ ଏକ ହତ୍ୟାକାଣ୍ଡର ଆକସ୍ମିକ ପ୍ରତିକ୍ରିୟା ନୁହେଁ, ବରଂ ଏହା ବହୁ ବର୍ଷ ଧରି ଜମି, ପରିଚୟ ଏବଂ ଥଇଥାନକୁ ନେଇ ଆଦିବାସୀ ଓ ବଙ୍ଗୀୟ ବାସିନ୍ଦାଙ୍କ ମଧ୍ୟରେ ଲାଗିରହିଥିବା ବିବାଦର ଏକ ଭୟଙ୍କର ରୂପ। ରାଖେଲଗୁଡ଼ା ଗାଁର ଜଣେ ଆଦିବାସୀ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଏହି ବିବାଦରେ ଘିଅ ଢାଳିବା ଭଳି କାମ କଲା, ଯାହାକି ଶେଷରେ ଏହା ଏକ ବଡ଼ଧରଣର ହିଂସାକାଣ୍ଡରେ ପରିଣତ ହେଲା। ତେବେ ଏହି ସଂଘର୍ଷର ମୂଳ କାରଣ କିନ୍ତୁ ବହୁତ ପୁରୁଣା। ଦଶନ୍ଧି ଦଶନ୍ଧି ଧରି ’ଦଣ୍ଡକାରଣ୍ୟ ପ୍ରକଳ୍ପ’ ଅଧୀନରେ ବାଂଲାଦେଶରୁ ଆସିଥିବା ଶରଣାର୍ଥୀମାନଙ୍କୁ ସରକାର ଏଠାରେ ଜମି ଓ ସୁବିଧା ସୁଯୋଗ ଦେଇ ଥଇଥାନ କରିଥିଲେ। ଅନ୍ୟ ପକ୍ଷରେ, ଏଠାକାର ମୂଳ ଆଦିବାସୀ ସମ୍ପ୍ରଦାୟ କୋୟା, ବଣ୍ଡା ଓ ପରଜା ଆଦି ନିଜ ପୈତୃକ ଜଙ୍ଗଲ ଜମି ଓ ଅଧିକାରରୁ ବଞ୍ଚିତ ହେଉଥିବା ଅନୁଭବ କରୁଛନ୍ତି। ସମୟକ୍ରମେ ବଙ୍ଗୀୟ ବାସିନ୍ଦାମାନେ ସରକାରୀ ସହାୟତା ପାଇ ଚାଷବାସରେ ଉନ୍ନତି କଲେ; କିନ୍ତୁ ଆଦିବାସୀମାନେ ଅର୍ଥନୈତିକ କ୍ଷେତ୍ରରେ ପଛରେ ପଡ଼ିଗଲେ। ଏହି ଅସମାନତା ଆଦିବାସୀଙ୍କ ମନରେ ଏକ ଧାରଣା ସୃଷ୍ଟି କରିଛି ଯେ ବାହାରୁ ଆସିଥିବା ଲୋକମାନେ ସେମାନଙ୍କ ମାଟିରେ ସମୃଦ୍ଧ ହେଉଛନ୍ତି, ଅଥଚ ନିଜେ ଭୂମିପୁତ୍ର ହୋଇ ମଧ୍ୟ ସେମାନେ ଅବହେଳିତ।
ସେହିଭଳି ଏହି ଘଟଣା ଓଡ଼ିଶାର ଆଦିବାସୀ ଅଞ୍ଚଳରେ ‘ପେସା ଆଇନ’ର ଦୁର୍ବଳ କାର୍ଯ୍ୟକାରିତାକୁ ପଦାରେ ପକାଇଛି। ଏହି ଆଇନ ଅନୁଯାୟୀ, ଜଳ, ଜଙ୍ଗଲ ଓ ଜମି ଉପରେ ଗ୍ରାମସଭାର ନିଷ୍ପତ୍ତି ଚୂଡାନ୍ତ ହେବା କଥା; କିନ୍ତୁ ବାସ୍ତବରେ, ବାହାର ଲୋକଙ୍କୁ ଥଇଥାନ କରିବା ସମୟରେ ସ୍ଥାନୀୟ ଆଦିବାସୀଙ୍କ ଗ୍ରାମସଭାକୁ ବିଶ୍ୱାସକୁ ନିଆଯାଇ ନଥିଲା କିମ୍ବା ସେମାନଙ୍କ ମତାମତ ଲୋଡ଼ାଯାଇ ନଥିଲା। ଯଦି ଗ୍ରାମସଭା ହାତରେ ଜମି ବଣ୍ଟନ ଓ ବିବାଦ ସମାଧାନର ପ୍ରକୃତ କ୍ଷମତା ଥାଆନ୍ତା, ତେବେ ଆଦିବାସୀମାନଙ୍କ ମନରେ ଜମି ହରାଇବାର ଭୟ ଏତେ ବଢିନଥାନ୍ତା। ବର୍ତ୍ତମାନର ପରିସ୍ଥିତିରେ ଉଭୟ ପକ୍ଷ ନିଜ ନିଜର ଯୁକ୍ତି ବାଢୁଛନ୍ତି। ଆଦିବାସୀ ନେତାମାନଙ୍କ କହିବା କଥା ହେଲା ଯେ ବେଆଇନ ଅନୁପ୍ରବେଶକାରୀମାନଙ୍କ ଯୋଗୁଁଁ ଅପରାଧ ବଢୁଛି ଏବଂ ସେମାନଙ୍କ ଜମି ଜବରଦଖଲ ହେଉଛି। ଅପରପକ୍ଷରେ, ବଙ୍ଗୀୟ ବାସିନ୍ଦାମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଏବଂ ସରକାର ସେମାନଙ୍କ ସୁରକ୍ଷା ପାଇଁ ବିଫଳ ହୋଇଥିବା ଅଭିଯୋଗ କରୁଛନ୍ତି।
ଏହି ଘଟଣା ଆମକୁ ଶିକ୍ଷା ଦେଉଛି ଯେ କେବଳ ପୁଲିସ ଫୋର୍ସ ମୁତୟନ କରି କିଛି ଦିନ ପାଇଁ ଶାନ୍ତି ଫେରାଇ ଆଣିବା ଯଥେଷ୍ଟ ନୁହେଁ। ସରକାରଙ୍କୁ ଏହି ଅଞ୍ଚଳରେ ଜମିଜମା ସମସ୍ୟାର ସ୍ୱଚ୍ଛ ସମାଧାନ କରିବାକୁ ପଡ଼ିବ। କିଏ ପ୍ରକୃତରେ ଆଇନଗତ ଭାବେ ବସବାସ କରୁଛି ଏବଂ କିଏ ବେଆଇନ ଅନୁପ୍ରବେଶକାରୀ, ତାହାର ଏକ ନିରପେକ୍ଷ ତଦନ୍ତ ହେବା ସହ ‘ପେସା ଆଇନ’କୁ କଡାକଡି ଭାବେ ଲାଗୁ କରିବାକୁ ହେବ। ଗ୍ରାମସଭାକୁ ସଶକ୍ତ କରି ଆଦିବାସୀଙ୍କ ହାତରେ ନିଜ ଅଞ୍ଚଳର ନିଷ୍ପତ୍ତି ନେବାର କ୍ଷମତା ଦେବା ଆବଶ୍ୟକ। ଏଥିସହିତ ଘଟଣାର ନିରପେକ୍ଷ ତଦନ୍ତ ସହ ଉଭୟ ପକ୍ଷଙ୍କ ସହମତି ଭିତ୍ତିରେ ଶାନ୍ତି ପ୍ରକ୍ରିୟାକୁ ଆଗକୁ ନେବା ଏକାନ୍ତ ଆବଶ୍ୟକ। ଯଦି ପରସ୍ପର ମଧ୍ୟରେ ବିଶ୍ୱାସ ଫେରାଇ ଅଣାଯାଇପାରିବ, ତେବେ ଯାଇ ଭବିଷ୍ୟତରେ ଏଭଳି ଅଘଟଣକୁ ଏଡ଼ାଇ ହେବ।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories