ଆଶ୍ରୟ ଖୋଜୁଛି ଆଶ୍ରମ ସ୍କୁଲ୍
ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନ୍ଏସିର ଲାଦେରପାଲିରେ ୫୩ ନମ୍ୱର୍ ଜାତୀୟ ରାଜପଥ କଡ଼କୁ ଲାଗି ରହିଛି ଆଦିବାସୀ ଆବାସିକ ଆଶ୍ରମ ସ୍କୁଲ। କେନ୍ଦ୍ର ସରକାରଙ୍କ ଯୋଜନା ତଥା ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହୁଏ ଏହି ବିଦ୍ୟାଳୟ । ଏହି ଆବାସିକ ବିଦ୍ୟାଳୟ ସ୍ବତନ୍ତ୍ର ଭାବରେ ତିଆରି ହୋଇଛି ଗରିବ ହରିଜନ ଓ ଆଦିବାସୀ ପିଲାଙ୍କ ପାଇଁ। ହେଲେ ବର୍ତ୍ତମାନ ଏହା ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଏହି ବିଦ୍ୟାଳୟରେ ରହି ପଢୁଛନ୍ତି ୧୭୨ ଜଣ ଛାତ୍ରଛାତ୍ରୀ। ୫୦ ପ୍ରତିଶତ ଶିକ୍ଷକରେ ଚାଲିଛି ପାଠପଢା । ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଆବାସିକ ବିଦ୍ୟାଳୟ,ହେଲେ ନାହାନ୍ତି ରାତ୍ର ଜଗୁଆଳି । ବିଦ୍ୟୁତ ସଙ୍କଟକୁ ଜଳର ଅଭାବ। ସରକାର ପ୍ରତି ଗ୍ରାମମାନଙ୍କରେ ପାନୀୟ ଜଳର ସୁବିଧା କରୁଛନ୍ତି, କିନ୍ତୁ ସପ୍ଲାଏ ପାଣି ପହଞ୍ଚି ପାରୁନି ରାସ୍ତା କଡ଼ରେ ଥିବା ଏହି ବିଦ୍ୟାଳୟକୁ।ଶ୍ରେଣୀ କୋଠରୀଗୁଡ଼ିକର ଅବସ୍ଥା ନ କହିଲେ ଭଲ। ବେଞ୍ଚ ଟେବୁଲ୍ ଅଭାବରୁ ପିଲା ତଳେ ବସି ପାଠ ପଢ଼ୁଛନ୍ତି ।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଚାଲୁଛି ହେଲେ ବ୍ୟବହାର ଯୋଗ୍ୟ ଶ୍ରେଣୀ କୋଠରୀ ରହିଛି ମାତ୍ର ୩ଟି। ସେଥିରୁ ପୁଣି ୨ଟି କୋଠରୀ ପୁରୁଣା ହଷ୍ଟେଲର କୋଠରୀ। ଲୋକ ଦେଖାଣିଆକୁ ରହିଛି ୧୦ଟି ଶ୍ରେଣୀ କକ୍ଷ। ଅଥଚ ୬ଟି ଅଚଳ ଅବସ୍ଥାରେ ପଡ଼ିଛି। ଅନେକ ଦିନରୁ ସରକାରଙ୍କୁ ତାହା ଅଯୋଗ୍ୟ/ ଅଚଳ ବୋଲି ଲିଖିତ ଭାବରେ ଦର୍ଶାଯାଇଛି। ତଥାପି ଆଜିଯାଏଁ ତାହା ମରାମତି ବି ହେଇନି। ପୁରୁଣା ହଷ୍ଟେଲରେ ଥିବା ଚାରିଟି ଶୌଚାଳୟ ଭଙ୍ଗା ରୂଜା ହୋଇ ପଡ଼ିଛି। ପାଣିର ବ୍ୟବସ୍ଥା ନଥିବାରୁ ଦୁର୍ଗନ୍ଧରେ ଫାଟି ପଡୁଛି । ବାହାରେ ରହିଛି ୬ ଟି ଶୌଚାଳୟ । ହେଲେ ୩ ଟି କେବଳ ବ୍ୟବହୃତ ହୋଇ ଅନ୍ୟଗୁଡ଼ିକ ଅଚଳ ହୋଇ ପଡ଼ିଛି। କିଶୋରୀ ବାଳିକାମାନେ ଏହି ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି, ତେଣୁ ସେମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବାପାଇଁ ସରକାରଙ୍କ ନିର୍ଦ୍ଦେଶ ରହୁଛି। ଜାତୀୟ ରାସ୍ତା କଡ଼ରେ ରହିଛି ଏହି ବିଦ୍ୟାଳୟ, ସବୁବେଳେ ଲୋକଙ୍କ ଯିବା ଆସିବା ରହିଛି । ତେଣୁ ପାଚେରୀ ଅଧିକ ଉଚ୍ଚତା ବିଶିଷ୍ଟ ହେବା ନିହାତି ଆବଶ୍ୟକ ଝିଅମାନଙ୍କ ସୁରକ୍ଷା ପାଇଁ । କିନ୍ତୁ ରାସ୍ତା ତୁଳନାରେ ପାଚେରୀ ଉଚ୍ଚତା କମ୍ ରହିଛି । ଯେ କେହି ବି ପାଚେରୀ ଡେଇଁ ସ୍କୁଲ୍ ଭିତରକୁ ପଶି ପାରିବ। ପୁଣି ଚାରିଆଡ଼େ ବିଜୁଳି ଆଲୋକ ନାହିଁ। ଟିକିଏ ଅନ୍ଧାର ହେବା ପରେ ହଷ୍ଟେଲର ପିଲାମାନେ ଆଉ ରୁମରୁ ବାହାରି ପାରୁ ନାହାନ୍ତି । ଅନେକ ଖେଳ ସାମଗ୍ରୀ ଆସୁଛି ପିଲାଙ୍କ ପାଇଁ, କିନ୍ତୁ ଖେଳ ପଡିଆ ନାହିଁ। ପିଲା ଖେଳିବେ କେଉଁଠି। ସାମ୍ପ୍ରତିକ ପରିସ୍ଥିତିରେ ସିସିଟିଭି କ୍ୟାମେରା ରହିବା କଥା, ହେଲେ ବିଦ୍ୟାଳୟର ଦୂରାବସ୍ଥାକୁ ଦେଖି ଏତେ ସପନକୁ ରାତି କାହିଁ ପରି ମନେହୁଏ। ଆଦିବାସୀ ହରିଜନ ପିଲାଙ୍କର ଉଜ୍ବଳ ଭବିଷ୍ୟତ ନିର୍ମାଣର ଲକ୍ଷ୍ୟ ରଖି ଯୋଜନା କରାଯାଇଥିବା ଏହି ବିଦ୍ୟାଳୟର ପିଲା ଏବେ ଅନ୍ଧାର ଘେରରେ। ଫୁର୍ତ୍ତିରେ ଟିକେ ଖେଳି ପାରୁଛନ୍ତି ନା ଆରାମରେ ବସି ପଢି ପାରୁଛନ୍ତି । ପ୍ରଧାନ ଶିକ୍ଷକଙ୍କ ରହିବା ପାଇଁ ସୁନ୍ଦର କୋଠାଘର ତିଆରି ହୋଇଛି । ହେଲେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ଏହି କୋଠାଘର ଭୂତ ବଙ୍ଗଳା ପାଲଟିଛି । ଚିନ୍ତାରେ ପଡିଛନ୍ତି ଏଠାରେ କାମ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ । ସେମାନେ ତାଙ୍କ କର୍ତ୍ତବ୍ୟ ଠିକଠାକ କରି ଚାଲିଛନ୍ତି।ହେଲେ ସମସ୍ୟା ସମାଧାନର ଭାର ସମ୍ପୂର୍ଣ୍ଣ ଭାବରେ ସରକାରଙ୍କ ଉପରେ ନ୍ୟସ୍ତ। କେନ୍ଦ୍ର ସରକାର ଆର୍ଥିକ ଭାର ବହନ କରୁଛନ୍ତି ଓ ରାଜ୍ୟ ସରକାର ଚଳାଉଛନ୍ତି। ବିଦ୍ୟାଳୟ ପାଇଁ କୋଟି କୋଟି ଟଙ୍କା ଆସୁଥିବା ବେଳେ ଏହି ବିଦ୍ୟାଳୟର ଏପରି ଦୂରାବସ୍ଥା ପାଇଁ ଦାୟୀ କିଏ? କେନ୍ଦ୍ର ସରକାର ନା ରାଜ୍ୟ ସରକାର? ସରକାରଙ୍କ ଆଶ୍ରୟ ଖୋଜୁଛି ଏହି ସ୍କୁଲ୍। ପାଖକୁ ଲାଗି ରହିଛି ଲଦେରପାଲି ଉଚ୍ଚ ବିଦ୍ୟାଳୟ। ଏହି ଉଚ୍ଚ ବିଦ୍ୟାଳୟର ସମସ୍ୟାକୁ ନେଇ ତିନି/ଚାରି ବର୍ଷ ଆଗରୁ ତତ୍କାଳୀନ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ମଙ୍ଗଳ ଅଧିକାରୀ ଆସି ଶ୍ରେଣୀ କୋଠରୀ ସମସ୍ୟାର ସମାଧାନ କରିବାକୁ ଯାଇ ଏହି ଆଶ୍ରମ ବିଦ୍ୟାଳୟର ଗୋଟିଏ ଶ୍ରେଣୀ କୋଠରୀକୁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ସମୟରେ ଏହି ଆବାସିକ ବିଦ୍ୟାଳୟକୁ ମଧ୍ୟ ବୁଲି ଦେଖି ଥିଲେ ଜିଲ୍ଲାପାଳ । ତତ୍କାଳୀନ ପ୍ରଧାନଶିକ୍ଷକ ଏହି ସବୁ ସମସ୍ୟା ଉପରେ ଅବଗତ ମଧ୍ୟ କରିଥିଲେ । କିନ୍ତୁ ସବୁ ଜାଣିବା ପରେ ବି ଜିଲ୍ଲାପାଲ କୌଣସି ସମାଧାନ ପାଇଁ କିଛି ପଦକ୍ଷେପ ନେଇ ନଥିଲେ । ତେବେ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଏହି ବିଦ୍ୟାଳୟର ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ସାଧାରଣରେ ଦାବି ହେଉଛି ।
Comments are closed.