କାହା ସ୍ୱାର୍ଥରେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହୁଛି ଏନଏସି
ଦୋକାନଘର ଭଡା ଆଦାୟରେ ଅନିୟମିତତା
ଆଠଗଡ : ଆଠଗଡ ଏନଏସି ପକ୍ଷରୁ ସହରର ବିଭିନ୍ନ ବଜାର ଅଞ୍ଚଳରେ ନିର୍ମିତ ଦୋକାନପୁଞ୍ଜ ଗୁଡିକରୁ ଦୀର୍ଘ ବର୍ଷ ବର୍ଷ ଧରି ଭଡା ଆଦାୟ ହେଉନାହିଁ କିମ୍ବା ଭଡା ପୁନଃ ନିର୍ଦ୍ଧାରଣ ହେଉନଥିବାରୁ ଏନଏସି କର୍ତ୍ତୃପକ୍ଷ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହୁଛନ୍ତି । ଏନଏସି ପକ୍ଷରୁ ସର୍ବ ପ୍ରଥମେ ବିଶ୍ୱନାଥ ବିଦ୍ୟାପୀଠ ନିକଟ ବା ସିଟି ସ୍କୁଲ ସମ୍ମୁଖରେ ୫ଟି ଦୋକାନ ଗୃହ ନିର୍ମାଣ କରାଯାଇଥିଲା । ପରେ ପରେ ଚାନ୍ଦବାଲିଛକ ନିକଟରେ ୨ଟି ଦୋକାନପୁଞ୍ଜରେ ୨୨ଟି, ନୂଆ ବସଷ୍ଟାଣ୍ଡରେ ୨୦ଟି, ରଘୁନାଥ ବଜାରରେ ୧୨ଟି, ପୁରୁଣା ବସଷ୍ଟାଣ୍ଡ ନିକଟରେ ଏକ ଦୁଇ ମହଲା ବିଶିଷ୍ଟ ଦୋକାନପୁଞ୍ଜ ଏବଂ ମେଡିକାଲ ଛକ ନିକଟରେ ଭେଣ୍ଡିଂ ଜୋନ କରାଯାଇ ସେଠାରେ ୧୮ଟି ଦୋକାନଗୃହ ନିର୍ମାଣ କରାଯାଇ ବ୍ୟବସାୟୀମାନଙ୍କୁ ଭଡା ସୂତ୍ରରେ ଦିଆଯାଇଛି। ଏଥି ମଧ୍ୟରୁ ଅଧିକାଂଶ ଦୋକାନ ପୁଞ୍ଜରେ ଥିବା ଦୋକାନ ଗୁଡିକର ବ୍ୟବସାୟୀ କୌଣସି କାରଣରୁ ଭଡା ଦେଉନାହାଁନ୍ତି ବା ଏନଏସି ପକ୍ଷରୁ ଭଡା ଆଦାୟ ପାଇଁ ଦୀର୍ଘ ବର୍ଷ ହେଲା ପଦକ୍ଷେପ ନିଆଯାଉନାହିଁ। ସେହିପରି ମେଡିକାଲ ଛକ ନିକଟରେ ଗତ ୫-୬ବର୍ଷ ପୂର୍ବରୁ ଏକ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇ ସେଥିରେ ୧୮ଟି ଦୋକାନଘର ତିଆରି ହେବା ପରେ ବ୍ୟବସାୟୀମାନଙ୍କୁ ଭଡା ଆକାରରେ ଦିଆଯାଇଛି। ତେବେ ସେଠାରେ ଦୋକାନ ଘର ନେଇଥିବା ବ୍ୟବସାୟୀମାନେ ୨୦ହଜାର ଟଙ୍କା ଲେଖାଏଁ ଅମାନତ ଅର୍ଥ ପୈଠ କରିଛନ୍ତି ବୋଲି କହୁଥିବାବେଳେ ଏନଏସିରେ ଏ ସଂପର୍କୀତ କୌଣସି ଖାତା ଖତିୟାନ ବା ହିସାବ ନଥିବାରୁ ସେ ଅର୍ଥ କିଏ ଆଦାୟ କଲା ଓ ଚଳୁକଲା ତାହା ତଦନ୍ତ ସାପେକ୍ଷ ।
ସେହିପରି କେତେକ ମୁଷ୍ଟିମେୟ ବ୍ୟବସାୟୀ ଅନୁମତି ନନେଇ ଏନଏସିର ଘରକୁ ବଢାଇ ପଛକୁ ହେଉ ଅଭା ଆଗକୁ ସରକାରୀ ଜାଗା ଜବରଦଖଲ କରି ଘର ନିର୍ମାଣ କରିଛନ୍ତି। ଏନଏସି ପକ୍ଷରୁ ସର୍ବପ୍ରଥମେ ସିଟିସ୍କୁଲ ସମ୍ମୁଖରେ ନିର୍ମାଣ କରାଯାଇଥିବା ୫ଟି ଦୋକାନ ଗୃହ ସଂପୂର୍ଣ୍ଣ ଅସୁରକ୍ଷିତ ଓ ବିପଦସଂକୁଳ ଅବସ୍ଥାରେ ରହିଥିବାରୁ କେତେବେଳେ ଯେ ସେଠାରେ ବଡ ଧରଣର ଅଘଟଣ ଘଟିବ ତାହା ଆଶଙ୍କା ପ୍ରକାଶ କରାଯାଉଛି। ଏତଦ୍ବ୍ୟତୀତ ଏନଏସିର ପ୍ରାୟ ୮୫ରୁ ଅଧିକ ଦୋକାନ ଗୃହ ବ୍ୟବସାୟୀମାନଙ୍କୁ ଭଡାସୂତ୍ରରେ ଦିଆଯାଇଥିଲେ ମଧ୍ୟ ସେମାନଙ୍କର ଏନଏସି ସହିତ କୌଣସି ବୁଝାମଣା ପତ୍ର ସ୍ୱାକ୍ଷର ହୋଇନାହିଁ ଅଥବା ହୋଇଥିବା ବୁଝାମଣା ପତ୍ରର ଅବଧି ଶେଷ ହୋଇଯାଇଛି । ଏପରିକି ଏନଏସି କାର୍ଯ୍ୟାଳୟରେ ଅନେକ ଦୋକାନପୁଞ୍ଜର କୌଣସି ବୁଝାମଣାପତ୍ରର କାଗଜପତ୍ର ନଥିବା ଜଣାପଡିଛି । ଏନଏସି କାର୍ଯ୍ୟାଳୟର କେତେକ କର୍ମଚାରୀ ଏବଂ ପୂର୍ବତନ ପାରିଷଦ ଏହି ଦୋକାନ ଘର ଆବଣ୍ଟନ, ଭଡା ଆଦାୟ ଓ ଅମାନତ ଟଙ୍କା ହେରଫେର ଘଟଣାରେ ସଂଶ୍ଲିଷ୍ଟ ଥିବା ଅଭିଯୋଗ ହେଉଥିବାରୁ ଏ ସଂପର୍କରେ ନିରପେକ୍ଷ ତଦନ୍ତ କରାଯିବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏନଏସିର ଏହି ସମସ୍ତ ଦୋକାନଘରର ଭଡା ପୁନଃ ନିର୍ଦ୍ଧାରଣ କରି ପ୍ରତିମାସରେ ତାହା ଆଦାୟ କରାଗଲେ ବାର୍ଷିକ ଏନଏସିର ୧୨-୧୫ଲକ୍ଷ ଟଙ୍କା ଆୟ ହୋଇପାରନ୍ତା । ଏଥି ସହିତ ଏନଏସିର ସେହି ଦୋକାନ ପୁଞ୍ଜଗୁଡିକ ଏକମହଲା ବିଶିଷ୍ଟ ହୋଇଥିବାବେଳେ ତାର ଉପରମହଲା ନିର୍ମାଣ କରି ବ୍ୟବସାୟୀମାନଙ୍କୁ ଭଡାଦେଲେ ଏନଏସିର ଆୟ ଦୁଇଗୁଣିତ ହୋଇପାରନ୍ତା ବୋଲି ମତପ୍ରକାଶ ପାଉଛି । ଏବେ ଏନଏସି ପକ୍ଷରୁ ସମସ୍ତ ଦୋକାନଗୃହ ପାଇଁ ବର୍ଷିକିଆ ଅବା ଦୁଇ ବର୍ଷିଆ ନୂତନ ବୁଝାମଣା ପତ୍ର ସ୍ୱାକ୍ଷର କରିବା ସହିତ ବଜାର ଦର ଅନୁଯାୟୀ ଭଡା ନିର୍ଦ୍ଧାରଣ କରାଯାଇ ଆଠଗଡ ଏନଏସିର ଆୟ ବୃଦ୍ଦି ପାଇଁ ପଦକ୍ଷେପ ନେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି। ନବନିର୍ବାଚିତ ନଗରପାଳ ଓ ପାରିଷଦ ଏ ସଂପର୍କରେ ବିହିତ ପଦକ୍ଷେପ ଗ୍ରହଣ କରିବା ସହିତ ଶିକ୍ଷିତ ବେକାର ଲୋକଙ୍କୁ ଥଇଥାନ କରିବା ଲାଗି ଆହୁରି ଅଧିକ ଦୋକାନପୁଞ୍ଜ ନିର୍ମାଣ କରିବା ପାଇଁ ଦାବି ହେଉଛି।
Comments are closed.