ବଲାଙ୍ଗିରରେ କମିଛି ଆମ୍ବ ଅମଳ, ଦର ଆକାଶ ଛୁଆଁ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ଆମ୍ବର ଚାହିଦା ଢେର। ସେହିଭଳି ଜିଲାର ଚାଷୀ ବିଭିନ୍ନ କିସମର ଆମ୍ବ ଚାଷ କରନ୍ତି। ଜିଲାରେ ଆମ୍ବ ସଉକିଆଙ୍କ ଅଭାବ ନାହିଁ। କିନ୍ତୁ ବଜାରରେ ଆମ୍ବର ଦର ଶୁଣି ଛାତିରେ ହାତ ଦେଉଛନ୍ତି ଆମ୍ବ ପ୍ରେମୀ। କେଜିକୁ ଦେଢ ଶହ ଉପରେ। ଆଗକୁ ସାବିତ୍ରୀ ବ୍ରତ। ଆମ୍ବ ଦର ଆକାଶ ଛୁଆଁ ହେବା ସୁନିଶ୍ଚିତ। ତେବେ ଏଥର ଜିଲାରେ ଯେଉଁ ହାରରେ ଆମ୍ବ ଅମଳ ହୁଏ, ତାହା ହୋଇ ନାହିଁ। ପାଣିପାଗ ପରିବର୍ତ୍ତନ ସହ ନିଅଣ୍ଟିଆ ଅମଳ ନେଇ ବିଭିନ୍ନ କାରଣ ସଂପର୍କରେ ଜିଲା ଉଦ୍ୟାନ ବିଭାଗ ଅଧିକାରୀ ମତ ଦେଉଛନ୍ତି।

ବଲାଙ୍ଗିର ଜିଲାରେ ବିଶେଷତଃ ସ୍ଥାନୀୟ କିସମ(ଦେଶୀ) ଆମ୍ବ ସହ ଆମ୍ରପଲ୍ଲୀ, ଦଶେରୀ, ଲାଙ୍ଗଡା, ବାଇଗଣ ପଲ୍ଲୀ ସହ ଆଲଫାନ୍‍ସୋ ଭଳି ଆମ୍ବ ଅମଳ ହୁଏ। ଗତ ବର୍ଷ ପ୍ରାୟ ଜିଲାର ଦଶ ହଜାର ହେକ୍ଟର ଜମିରେ ୫୦ହଜାର ମେଟ୍ରିକ ଟନ୍‍ ଆମ୍ବ ଅମଳ ହୋଇଥିଲା। ଚଳିତ ବର୍ଷ ଆମ୍ବ ଅମଳ ବହୁତ ପରିମାଣରେ କମି ଯାଇଥିବା ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ ପି.କେ.ଭଞ୍ଜ କହିଛନ୍ତି। ଶ୍ରୀ ଭଞ୍ଜଙ୍କ କହିବା ଅନୁସାରେ, ସାଧାରଣତଃ ଗୋଟିଏ ବର୍ଷ ଭଲ ଆମ୍ବ ଅମଳ ହେଲେ ତା’ ପର ବର୍ଷ ତାର ଅମଳ କମିଥାଏ। ଯେହେତୁ ଗତ ବର୍ଷ ବଲାଙ୍ଗିର ଜିଲରେ ବହୁଳ ଭାବେ ଆମ୍ବ ଉତ୍ପାଦିତ ହୋଇଥିଲା। ସେହି ଅନୁସାରେ ଚଳିତ ବର୍ଷ ଆମ୍ବ ଅମଳ କମିଛି। ଏଥିସହିତ ଜଳବାୟୁ ପରିବର୍ତ୍ତନ, ଅନିୟମିତ ବର୍ଷା ଯୋଗୁଁ ବିଳମ୍ବରେ ଆମ୍ବ ବଉଳ ଆସିଥିଲା। ସେହି ଅନୁସାରେ ଅମଳ ବି କମିଗଲା। ତା’ ସାଙ୍ଗକୁ ଅଦିନିଆ ଝଡ ବର୍ଷା ଯୋଗୁଁ ଆମ୍ବ ଅମଳ କମିବାର ଆଉ ଏକ କାରଣ।

ମୁଖ୍ୟତଃ ଜିଲାରେ ଅମଳ ହେଉଥିବା ଆମ୍ବ ଜିଲାର ଲୋକେ ହିଁ ଖାଇଥାନ୍ତି। ବ୍ୟବସାୟିକ ଭିତ୍ତିରେ ଆମ୍ବ ବଗିଚା କରିଥିବା ଚାଷୀମାନେ ସହଳ ଉତ୍ପାଦିତ ହେଉଥିବା ଦଶେରୀ, ଆମ୍ରପଲ୍ଲୀ ଅନ୍ୟ କିସମର ଆମ୍ବ ଭୁବନେଶ୍ୱର, କଟକ ତଥା ରାଜ୍ୟ ବାହାରର ବ୍ୟବସାୟୀ ଆସି ଏଠାରୁ ଆମ୍ବ ଆମଦାନୀ କରନ୍ତି। ଚାଷୀ ବି ଭଲ ଦାମ୍‍ ପାଆନ୍ତି। ତେବେ ଆମ୍ବ ଚାଷୀଙ୍କୁ ସଶକ୍ତ କରିବା ପାଇଁ ଜିଲାରେ ମନରେଗା, ଏମ୍‍ଆଇଡିଏଚ୍‍ ତଥା ଇନ୍‍ପୁଟ ସବସିଡି ଜରିଆରେ ସହାୟତା ଦିଆଯାଉଥିବା ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ଭଞ୍ଜ ସୂଚନା ଦେଇଛନ୍ତି। ଅନ୍ୟପଟେ ଆମ୍ବ ଚାଷୀ ପ୍ରଶାନ୍ତ ଶତପଥୀ କହିଛନ୍ତି ଯେ, ଏଥର ଆମ୍ବ ବଉଳ ହିଁ ନାହିଁ। ଅମଳ ହେବ କେଉଁଠୁ? ଉଦ୍ୟାନ ଓ କୃଷି ବିଭାଗ ବିଭିନ୍ନ ଯୋଜନା ଜରିଆରେ ନୂଆ ଚାଷୀଙ୍କୁ ସହାୟତା ଦେଉଛନ୍ତି। ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ପୁରୁଣା ଚାଷୀ? ଯେଉଁମାଦେ ଦୀର୍ଘ ଦିନରୁ ଆମ୍ବ ଚାଷକୁ ବ୍ୟବସାୟ ଭାବେ ନେଇଛନ୍ତି, ସେମାନଙ୍କୁ କୌଣସି ସହାୟତା କି ପରାମର୍ଶ ବିଭାଗ ଦେଉ ନଥିବା ଶ୍ରୀ ଶତପଥୀ ଅଭିଯୋଗ କରିଛନ୍ତି।

Comments are closed.