ମେଗା ପାନୀୟଜଳ ପ୍ରକଳ୍ପ ସମ୍ପର୍କିତ ଆଲୋଚନା ଚକ୍ର
ବାଙ୍କୀ: ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବାଙ୍କୀ ବ୍ଲକର ୨୦, ଡମପଡ଼ା ବ୍ଲକର ୧୭ ଓ ବାରଙ୍ଗ ବ୍ଲକର ୮ ପଞ୍ଚାୟତ ନିମନ୍ତେ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମେଗା ପାନୀୟଜଳ ପ୍ରକଳ୍ପ ଆଗାମୀ ଦିନରେ କାର୍ଯ୍ୟକାରୀ ହେବାର ରୂପରେଖ ସରିଛି। ଏହି ପରିପ୍ରେକ୍ଷୀରେ ବାଙ୍କୀର ମହାନଦୀ ଉତ୍ତର ପାର୍ଶ୍ବସ୍ଥ ସରଣ୍ଡାଗଡ଼ ଅନ୍ତର୍ଗତ ସୁବର୍ଣ୍ଣପୁର, ଓସ୍ତିଆ, କଦଳୀବାଡି, କନ୍ତପହଁରା, ରତାଗଡ଼, ବନ୍ଦାଳ ଓ ବାଉଁଶପୁଟ ପଞ୍ଚାୟତରେ ପ୍ରତ୍ୟେକ ଗ୍ରାମ ଓ ପ୍ରତି ଦୂଆରକୁ ପ୍ରଥମ ପ୍ରର୍ଯ୍ୟାୟରେ ମେଗା ପାନୀୟ ଜଳ ଯୋଗାଣ ନିର୍ମାଣ କାର୍ଯ୍ୟ ନିମନ୍ତେ ଏକ ଆଲୋଚନା ଚକ୍ର ବୁଧବାର ଦିନ ଅପରାହ୍ନରେ ସ୍ଥାନୀୟ ସରଣ୍ଡା ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲା ଗ୍ରାମ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ-୨ର ସଂଚାଳନରେ ଅନୁଷ୍ଠିତ ଆଲୋଚନା ଚକ୍ରକୁ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ମୁଖ୍ୟଅତିଥି ଭାବରେ ଉଦ୍ଦ୍ଘାଟନ କରି ତିଗିରିଆ ଓ ଆଠଗଡ଼ ସହିତ ବାଙ୍କୀ ସରଣ୍ଡାଗଡ଼ର ୭ ପଞ୍ଚାୟତ ନିମନ୍ତେ ମେଗା ପାନୀୟ ପାଇପ୍ ଜଳ ବିଶୋଧୀକରଣ କରାଯାଇ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ କରାଯାଉଥିବାରୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇ ବହୁ ଦିନର ଅଂଚଳବାସୀଙ୍କ ପାନୀୟଜଳ ସଂକଟରୁ ମୁକ୍ତି ମିଳିବା ପାଇଁ ଜନପ୍ରତିନିଧି, ଜନସାଧାରଣଙ୍କ ସହଯୋଗକୁ ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବାଙ୍କୀ ଉପଜିଲ୍ଲାପାଳ ରଂଜନ କୁମାର ଜେନା, ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ବାଙ୍କୀ ବ୍ଲକ ବିଡିଓ ଯୋଗେଶ୍ୱର ନାୟକ, ଅଧ୍ୟକ୍ଷ ପୁଷ୍ପଲତା ସାମନ୍ତ, ଜିଲ୍ଲାପରିଷଦ ସଦସ୍ୟ ରଶ୍ମିରେଖା ପଣ୍ଡା, ଉପାଧ୍ୟକ୍ଷ ଜୟନ୍ତୀବାଳା ଭୋଳ, ଗତିକୃଷ୍ଣ ସ୍ୱାଇଁ, ସୁବାଷ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ବିଭାଗୀୟ ସହକାରୀ ନିର୍ବାହୀଯନ୍ତ୍ରୀ ବିକାଶ କୁମାର ସାମଲ କାର୍ଯ୍ୟକ୍ରମକୁ ସ୍ୱାଗତ କରି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଦେଢବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କହିଥିଲେ। ଉପସ୍ଥିତ ପଞ୍ଚାୟତରାଜ ପ୍ରତିନିଧି ଓ ଜନସାଧାରଣଙ୍କ ମଧ୍ୟରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମେଗା ପାନୀୟଜଳ ସମ୍ପର୍କିତ ପ୍ରକଳ୍ପର ରୂପରେଖ ସମ୍ପର୍କରେ ଜି.ଆଇ.ଏମ.ଏସ୍ ପ୍ରୋଜେକ୍ଟ ଇଣ୍ଡିଆ ପକ୍ଷରୁ ପ୍ରଦର୍ଶିତ କରାଯାଇଥିଲା। ପ୍ରାୟ ୭ ପଞ୍ଚାୟତ ମଧ୍ୟରେ ୯୫ କି.ମି ପାଇପ୍ ଲାଇନ୍ ଓ ୫୭ ଗୋଟି ଉଚ୍ଚ କ୍ଷମତାପୂର୍ଣ୍ଣ ପାଣିଟାଙ୍କି ନିର୍ମାଣ କରାଯାଇ ପ୍ରତିଦିନ ୪୩ ମିଲିୟନ ଲିଟର ପାଣି ଯୋଗାଣ କରିବାରେ ଏହି ପ୍ରକଳ୍ପରେ ବିଶୋଧନାଗାର ସହ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ବାଙ୍କୀ ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ରଥ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କନିଷ୍ଠ ଯନ୍ତ୍ରୀ ବୈଷ୍ଣବ ଚରଣ ମଲ୍ଲିକ ଓ ବିଭାଗୀୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.